ରାଧାକୃଷ୍ଣ ମନ୍ଦିରର ଜମି ବିକ୍ରିକୁ ଦ୍ୱିମତ

0
183

ହିଞ୍ଜିଳିକାଟୁ(ଓବି ନ୍ୟୁଜ)(ପବିତ୍ର ପାତ୍ର) : ହିଞ୍ଜିଳି ରାଧାକୃଷ୍ଣ ମନ୍ଦିରର ପ୍ରାୟ ୮ ଏକର ଉର୍ଦ୍ଧ୍ୱ ଜମି ବିକ୍ରି ଘଟଣା ରେ ଏକ ନୂଆ ମୋଡ଼ ସୃଷ୍ଟି ହୋଇଛି। ହିଞ୍ଜିଳି ତହସିଲ ଅଧିନରେ ଥିବା ରାଧାକୃଷ୍ଣ ମହାପ୍ରଭୂଙ୍କ ପ୍ରାୟ ୮ ଏକରରୁ ଉର୍ଦ୍ଧ୍ବ ଜମିକୁ ବିକ୍ରି କରିବା ପାଇଁ ଟ୍ରଷ୍ଟି ପକ୍ଷରୁ ଏଣ୍ଡାମେଣ୍ଟ ବୋର୍ଡ଼ ପାଖରେ ଦ୍ବାରସ୍ଥ ହୋଇଥିଲା। ଉକ୍ତ ଜମି କୁ ପ୍ରଥମେ ହିଞ୍ଜିଳିର ଜଣେ ଜଣାଶୁଣା ପ୍ଲଟ ବ୍ୟବସାୟୀ କିଣିବା ପାଇଁ ଯୋଜନା କରିଥିଲେ କିନ୍ତୁ ସେ କିଣି ପାରିନଥିଲେ। ପରବର୍ତ୍ତୀ ସମୟରେ ଏହାକୁ ବ୍ରହ୍ମପୁର ବିଶିଷ୍ଟ ପ୍ଲଟ ବ୍ୟବସାୟୀ କିଣିବା ପ୍ରସ୍ତୁତ ଥିଲେ। ଏଣ୍ଡାମେଣ୍ଟ ବୋର୍ଡ଼ ଗତ ମାର୍ଚ୍ଚ ମାସରେ ପ୍ରାୟ ୧କୋଟି ୪୦ଲକ୍ଷ ଟଙ୍କା ଧାର‌୍ୟ୍ୟ କରି ମନ୍ଦିରର ଟ୍ରଷ୍ଟୀକୁ ଖବର କାଗଜ ମାଧ୍ୟମରେ ବିଜ୍ଞାପନ ପ୍ରକାଶ କରିବା ସହ ବିଭାଗର ପ୍ରଚଳିତ ନିୟମ ଦର୍ଶାଇ ନିଲାମ କରି ବିକ୍ରି କରିବା ସକାଶେ କ୍ଷମତା ପ୍ରଦାନ କରିଥିଲେ। ଜମି ବିକ୍ରି ପାଇଁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ ହେବା ଖବର ପ୍ରଘଟ ପରେ କିଛି ତୁଙ୍ଗ ନେତା ଓ ଗ୍ରାମର କିଛି ବ୍ୟକ୍ତି ଏହାକୁ ଶାଗମାଛ ଦର ରେ ବିକ୍ରି ଅଭିଯୋଗ ରେ ଏହାକୁ ବନ୍ଦ ରଖିବା ପାଇଁ ବିରୋଧ କରିଥିଲେ। ହିଞ୍ଜିଳି ଉପନିବନ୍ଧକ ସମେତ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ରେଜିଷ୍ଟ୍ରେସନ୍ ବାତିଲି ପାଇଁ ଦାବୀ ପତ୍ର ପ୍ରଦାନ ସହ ଏହା ବନ୍ଦ ନକରାଗଲେ ସେପ୍ଟେମ୍ବର/୧୦ ତାରିଖରେ ଉପନିବନ୍ଧକ କାର‌୍ୟ୍ୟାଳୟ ସାମ୍ନା ଅନଶନ ପାଇଁ ଚେତାବନୀ ଦେଇଥିଲେ। ଟ୍ରଷ୍ଟି ପକ୍ଷରୁ ଦିଆଯାଇଥିବା ଦଲିଲ କାର‌୍ୟ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ବେଳେ ତାହା ରେଜିଷ୍ଟ୍ରେସନ୍ ହୋଇନଥିବା ଉପନିବନ୍ଧକଙ୍କ ଠାରୁ ଏକ ଚିଠି ପାଇବା ପରେ ଅନଶନ ବାତିଲି ହୋଇଥିଲା। ଗତ କାଲି ହିଂଜିଳି ଗ୍ରାମର କିଛି ବ୍ୟକ୍ତି ଉକ୍ତ ମନ୍ଦିର ଜମିକୁ ବିକ୍ରି କଲେ ମନ୍ଦିରର ହିତ୍ ସାଧନା ହେବ ଏହା ସହ ବିକ୍ରି କଲେ କୌଣସି ଆପତ୍ତି ଅଭିଯୋଗ ନଥିବା ଦର୍ଶାଇ ଏକ ଅନୁରୋଧ ପତ୍ର ଉପନିବନ୍ଧଙ୍କ କାର‌୍ୟ୍ୟାଳୟକୁ ଦେଇଥିବା ସୂଚନା ମିଳିଛି। ତେବେ ଗୋଟିଏ ପଟେ ସେହି ଅଞ୍ଚଳର କିଛି ଲୋକ ଏହାକୁ ବିକ୍ରି ପାଇଁ ସ୍ଵାଗତ କରୁଥିବା ବେଳେ ସେହି ଗାଁର ଅନ୍ୟ କିଛି ଲୋକ ଏହାକୁ ପୂର୍ବରୁ ବିରୋଧ କରୁଛନ୍ତି। ବୃଦ୍ଧିଜିବୀ ମହଲ ରେ ପ୍ରଶ୍ନ ଉଠିଛି ଯେ ଦାନ ଆକାର ରେ ମିଳିଥିବା ମନ୍ଦିର ଜମି ବିକ୍ରି କଲେ ମନ୍ଦିରକୁ କଣ ଲାଭ ମିଳିବ। ପ୍ଲଟ ବ୍ୟବସାୟୀ ମାନେ ଶାଗମାଛ ଦର ରେ ଚାଷ ଜମିକୁ କିଣି ନିଜର ସ୍ବାର୍ଥ ପାଇଁ ଏହାକୁ ପ୍ଲଟ ଆକାର ରେ ବିକ୍ରି କରି ମୋଟ ଅଙ୍କର ମୁନୁଫା ଅର୍ଜନ କରିବେ ବୋଲି ଆଲୋଚନା ହେଉଛି। ସେ ଯାହା ହେଉ ନା କାହିଁକି ମନ୍ଦିରର ଜମି ମନ୍ଦିର ରେ ହିଁ ରହିବା ଆବଶ୍ୟକ। ଏହା ପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ଉକ୍ତ ଜମିକୁ ଚାଷ କାର‌୍ୟ୍ୟ ରେ ନିୟେଜିତ କରି ସେଥିରେ ଯାହା ଟଙ୍କା ଆଦାୟ ହେବ ସେହି ଟଙ୍କା ରେ ମନ୍ଦିର ପରିଚାଳନା କରିବା ଆବଶ୍ୟକ ବୋଲି ଜନ ମାନସ ରେ ଆଲୋଚନା ହେଉଛି। ତେବେ ଏହି ଜମି ବିବାଦ ଘଟଣା ଆଗକୁ କେଉଁ ମୋଡ଼ ନେଉଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

LEAVE A REPLY

Please enter your comment!
Please enter your name here