ସରକାରୀ ସହାୟତା ରୁ ବଞ୍ଚିତ କେନ୍ଦେରା ବାଦକ

0
58

ଗଞ୍ଜାମ (ଓବି ନ୍ୟୁଜ) (ଉମାକାନ୍ତ ବେହେରା) : ଟୀକା ଗୋବିନ୍ଦ ଚନ୍ଦ୍ର,ରୋହିତ ଶୋକ ଆଦି ବିଭିନ୍ନ ଛାନ୍ଦ,ଚଉପଦି ଗୀତ ଗାଇ
ଗାଁ ଦାଣ୍ଡରେ ଘରକୁ ଘର ବୁଲି ଭିକ୍ଷା ବୃତ୍ତି କରି ଆସୁଥିବା କେନ୍ଦେରା ବାଦକ କାଶୀନାଥ ରାଉଳ(80) ଙ୍କ ସରକାରୀ ସହାୟତା ସାତ ସପନ ପାଲଟିଛି। ଗଞ୍ଜାମ ବ୍ଲକ ର ବିଞ୍ଚଣାପଲ୍ଲୀ ଗ୍ରାମରେ ନିଜର ବାସଗୃହ ନଥିବାରୁ ଜୈନେକ ପରିଚିତ ବ୍ୟକ୍ତିଙ୍କ ଘରେ ଆଶ୍ରୟ
ନେଇ ଆସୁଛନ୍ତି ସେ। ତାଙ୍କୁ 15 ବର୍ଷ ବୟସ ହୋଇଥିବା ବେଳେ ବାପା ଯୋଗି ରାଉଳ ଆର ପାରିକୁ ଚାଲି ଗଲେ। ବାପାଙ୍କ ସହ କେନ୍ଦେରା ବଜାଇ ଗୀତ ଗାଇ ଘରକୁ ଘର ବୁଲି ଭିକ୍ଷା ବୃତ୍ତି କରୁଥିବା କାଶୀନାଥ ସେହି ବାପାଙ୍କ ପରେ କୌଳିକ ବୃତ୍ତି କୁ ଆଦରି ନେଇଥିଲେ। ଇତି ମଧ୍ୟରେ ଦୁଇପୁଆ ଓ ଗୋଟିଏ ଝିଅ କୁ ବିବାହ କରିଦେଇ ପିତାର କର୍ତ୍ତବ୍ୟ ସମ୍ପାଦନ କରି ସାରିଥିବା ବେଳେ ପତ୍ନୀ ମଧ୍ୟ ହାତ ଛାଡି ଆରପାରିକୁ ଚାଲିଯାଇଛନ୍ତି।ହେଲେ ପୁଅ ମାନେ ମଧ୍ୟ ପର କରିଦେଇଛନ୍ତି ବାପାକୁ। ତେବେ ଭାଗ୍ୟକୁ ଆଦରି
ପ୍ରତିଦିନ ଭିକ୍ଷାବୃତ୍ତି କରି ଜୀବିକା ନିର୍ବାହ କରିଆସୁଛନ୍ତି ସେ। ପାଠ ଦି ଅକ୍ଷର ପଢି ନଥିବା କାଶୀନାଥ ପ୍ରତ୍ୟହ ସକାଳୁ ଯାଯାବର ଜୀବନ ଯାପନ କରିଆସୁଥିଲେ। ଫଳରେ ଭୋଟ ପରିଚୟପତ୍ର କିମ୍ବା ଆଧାର କାର୍ଡ କରିବା ସୁଯୋଗ ପାଇ ନାହାନ୍ତି।ଛତ୍ରପୁର ବ୍ଲକ କାଳିଆବାଲି ଅଞ୍ଚଳରେ ଜନ୍ମ ହୋଇଥିଲେ ମଧ୍ୟ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କେନ୍ଦେରା ବଜାଇ ଗୀତ ଗାଇ
ଭିକ୍ଷାବୃତ୍ତି କରି ଆସିଛନ୍ତି।ହେଲେ ବାର୍ଦ୍ଧକ୍ୟ ହେତୁ ପ୍ରାୟ 2 ବର୍ଷ ହେଲା ବିଞ୍ଚଣାପଲ୍ଲୀ ଗ୍ରାମରେ ରହି ଆସୁଛନ୍ତି ସେ।ସ୍ଥାନୀୟ ୱାର୍ଡ ମେମ୍ବର ଙ୍କୁ ତାଙ୍କର ଆଧାର କାର୍ଡ ଓ ଭୋଟ ପରିଚୟପତ୍ର ନଥିବା ସେ କହିବା ସହ ବାର୍ଦ୍ଧକ୍ୟ ଯୋଗୁଁ ସେ ପୂର୍ବ ପରି ଆଉ ବିଭିନ୍ନ ଅଞ୍ଚଳ ବୁଲି ଭିକ୍ଷାବୃତ୍ତି କରିବା ସମ୍ଭବ ହେଉ ନାହିଁ ବୋଲି କହିବା ସହ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା,ରାସନକାର୍ଡ ପ୍ରଦାନ ଓ ଆବାସ ଯୋଜନାରେ ଗୃହ ପ୍ରଦାନ ନିମନ୍ତେ ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି। ଜୀବନ ର ଶେଷ ସମୟରେ ଏକାକୀ ହୋଇ ଯାଇଥିବାରୁ ନିଶଃହାୟ ବୃଦ୍ଧ କାଶୀନାଥ ଙ୍କୁ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

LEAVE A REPLY

Please enter your comment!
Please enter your name here