ପୁରୁଷୋତମପୁର(ଓବି ନ୍ୟୁଜ)(ସ୍ୱତନ୍ତ୍ର ପ୍ରତିନିଧି ସୁନୀଲ କୁମାର ସାହୁ): ଗୁଣି ଗାରେଡ଼ିକୁ ସନ୍ଦେହ କରି ଯୁବକକୁ କାତିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡ଼ିଛି । ହତ୍ୟା ପରେ ହତ୍ୟାକାରୀ ହିଞ୍ଜିଳିକାଟୁ ଥାନାରେ ଆତ୍ମ ସମର୍ପଣ କରିଛନ୍ତି । ସୂଚନା ଯୋଗ୍ୟ ଯେ ପୁରୁଷୋତମପୁର ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ମୁରଲି ପ୍ରଧାନଙ୍କ ଝିଅକୁ ଗତ ୮ବର୍ଷ ତଳେ ଉକ୍ତ ଗ୍ରାମର କୃଷ୍ଣ ପ୍ରଧାନ ଗୁଣି ଗାରେଡ଼ି କରି ଝିଅକୁ ମାରିଦେଇଥିବା ଅଭିଯୋଗ ହୋଇଥିଲା । ଏହା ପରେ ମୁରଲି ଗ୍ରାମର ଭଦ୍ର ଲୋକଙ୍କୁ ଜଣାଇଥିଲେ । କିନ୍ତୁ ଏଥିରେ କୌଣସି ସୁଫଳ ମିଳିନଥିବାରୁ ଆଜି ଉକ୍ତ୍ୟକ୍ତ ହୋଇ ଝିଅର ହତ୍ୟାର ପ୍ରତିଶୋଧ ନେବା ପାଇଁ ଆଜି ସକାଳ ସମୟରେ କୃଷ୍ଣ ପ୍ରଧାନ ବିଲକୁ ଯାଉଥିବା ସମୟରେ ପୂର୍ବ ଯୋଜନା ମୁତାବକ ମୁରଲି ଏକ ଧାରୁଆ ଅସ୍ତ୍ରରେ ପଛ ପଟୁ ମୁଣ୍ଡକୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ହତ୍ୟାକାରୀ ହତ୍ୟରେ ବ୍ୟବହୃତ ଖଣ୍ଡାକୁ ହାତରେ ଧରି ହିଞ୍ଜିଳିକାଟୁ ଥାନାରେ ଅତ୍ମ ସମର୍ପଣ କରିଥିଲେ ।
ଘଟଣାର ଖବର ପାଇ ପୁରୁଷୋତମପୁର ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସଦଳ ବଳେ ପହଂଚି ମୃତ ଦେହକୁ ଜବତ କରିଥିଲେ । ଏହା ସହ ଆତ୍ମସମର୍ପଣ କରିଥିବା ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛନ୍ତି । ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବେଚ୍ଛଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅଭିଯୁକ୍ତ ମୁରଲିଙ୍କ କହିବା ଅନୁସାରେ ଗୁଣିଗାରେଡ଼ି କରି ମୁରଲି ପ୍ରଧାନଙ୍କ ଝିଅକୁ କୃଷ୍ଣ ମାରିବା ସହ ତାଙ୍କ ଘରର ପରିବାର ଲୋକଙ୍କୁ ମଧ୍ୟ ଗୁଣି କରିଥିବା ସନ୍ଦେହ କରଥିଲେ । ଏନେଇ ଗ୍ରାମବାସୀ ଓ ସରପଂଚ ଏବଂ ଗ୍ରାମର ମୁଖିଆଙ୍କୁ ମଧ୍ୟ ଜଣାଇଥିଲେ ହେଲେ କୌଣସି ସୁଫଳ ମିଳିନଥିଲା । ତେଣୁ ବାଧ୍ୟ ହୋଇ ଚରମ ନିଷ୍ପତି ନେଇଛନ୍ତି ବୋଲି ସେ କହିଛନ୍ତି ।