ବିରି ମାଡ଼ରେ କୋଳଥ ଚେପା…..

0
585

ବ୍ରହ୍ମପୁର (ଓବି ନ୍ୟୁଜ) (ତୁଷାର): ହେଜି ନଥିବା ସାମ୍ବାଦିକ ହେଜି ଯାଆନ୍ତୁ, ଭୁଲ୍ ବାଟରେ ଚାଲୁଥିବା ମିଡ଼ିଆ ହାଉସ୍ ସତ୍ ମାର୍ଗକୁ ଆପଣେଇ ନିଅନ୍ତୁ । ନା ସାମ୍ବାଦିକ ନା ମିଡିଆ ହାଉସ୍‌, କିଏ ବି ଭାରତର ସମ୍ବିଧାନରୁ ଉର୍ଦ୍ଧ୍ୱରେ ନାହାନ୍ତି କିଅବା ଆଇନର ବିଧି ବ୍ୟବସ୍ଥାରୁ ଉପରେ ନାହାନ୍ତି । ଏଣୁ ଏହି ବାସ୍ତବତାକୁ ଉପଲବ୍ଧି କରିବାର ସମୟ ଆସିଛି । ଗଳା ଫଟାଇ କହିଦେଲେ ସତଟା ମିଛ ହୋଇଯିବ ନାହିଁ କି ମିଛଟା ସତ ହୋଇଯିବ ନାହିଁ । ବରଂ କେବଳ ନିଜ ବିବେକକୁ ଦ୍ୱାହି ଦେବାର ସାର ହେବ ।

ଜାତୀୟ ସ୍ତରରୁ ଆରମ୍ଭ କରି ରାଜ୍ୟ ତଥା ଆଂଚଳିକ ସ୍ତରର ମିିଡିଆ ହାଉସ୍ ଗୁଡ଼ିକରେ ଏପ୍ରକାର ଚିତ୍ର ଏବେ ଦେଖିବାକୁ ମିଳୁଛି । ମିଡିଆ ହାଉସ୍ ର ମାଲିକ କିଏ ଶିଳ୍ପପତି ତ କିଏ ଖଣି ବେପାରୀ ତ ଆଉ କିଏ ରାଜନେତା । ସ୍ୱାଧୀନ ଭାରତରେ ନିଜ ମନପସନ୍ଦର ପେଶା କହିବାରେ ଆପତି ନାହିଁ କି କୌଣସି ରାଜନୈତିକ ଦଳରେ ସାମିଲ୍ ହୋଇ ଜନପ୍ରତିନିଧି ହେବାରେ ଅସୁବିଧା ମଧ୍ୟ ନାହିଁ । ହେଲେ ଅସୁବିଧା ସେତେବେଳେ ହୁଏ ଯେତେବେଳେ ସଂପୃକ୍ତ ମିଡିଆ ହାଉସ୍ ଟି ନିଜ ମାଲିକ କିମ୍ବା କୌଣସି ନିର୍ଦ୍ଧିଷ୍ଟ ରାଜନୈତିକ ଦଳକୁ ସୁହାଇଲା ପରି ଖବର ପରିବେଷଣ କରନ୍ତି ଏବଂ ସାଧାରଣ ଲୋକଙ୍କ ସ୍ୱାର୍ଥ ପ୍ରତି ଆଖି ବୁଜି ଦେବା ସହ ଆଇନ କାନୁନ୍ କୁ ମଧ୍ୟ ଜଳାଞ୍ଜଳି ଦେଇ ବସନ୍ତି ।

ମହାରାଷ୍ଟ୍ରରେ ସୁଶାନ୍ତ ସିଂ ରାଜପୁତ୍ ର ମୃତ୍ୟୁ ଘଟଣା ସଂପର୍କିତ ଖବର ପରିବେଷଣକୁ ନେଇ ଜାତୀୟ ସ୍ତରର ଏକ ଟିଭି ଚ୍ୟାନେଲ୍ ଲକ୍ଷ୍ମଣ ରେଖା ଟପି ଯାଇଥିଲା । ନିଜ ହିସାବରେ କିଛି ବ୍ୟକ୍ତି ବିଶେଷଙ୍କୁ ଅଭିଯୁକ୍ତ ରୂପେ ଚିତ୍ରଣ କରିବା ସହ ମହାରାଷ୍ଟ୍ର ସରକାରଙ୍କୁ କଟୁ ସମାଲୋଚନା କରିବା ପାଇଁ ପଛଘୁଂଚା ମଧ୍ୟ ଦେଇନଥିଲା । ଏପରିକି ସରକାରଙ୍କ ପତନ ଘଟିବ ବୋଲି ମଧ୍ୟ ଟିପ୍ପଣୀ ଦେବାକୁ ଭୁଲି ନଥିଲା । ଚ୍ୟାନେଲ୍ ର ମୁଖ୍ୟଙ୍କ ଖବର ଉପସ୍ଥାପନା ଶୈଳୀର ପ୍ରତିଟି ଶଦ୍ଦରେ ବାରି ହୋଇ ପଡ଼ୁଥିଲା କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ରହିଥିବା ଭିନ୍ନତା । ଗୋଟିଏ ପଟେ କେନ୍ଦ୍ର ସରକାରଙ୍କୁ ସୁହାଇବା ପାଇଁ ଖବର କରିବାକୁ ଯାଇ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ୍ କରିବାକୁ ପଛଘୁଂଚା ଦେଉନଥିଲେ । ଆଉ ଶେଷରେ ଏକ ମାମଲାରେ ମହାରାଷ୍ଟ୍ର ପୁଲିସ ତାଙ୍କୁ ଘରୁ ଉଠାଇ ନେଲା ।

ଏହାକୁ ନେଇ ଏବେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କିଛି ସପକ୍ଷବାଦୀ ମିଡିଆ ହାଉସ ଗୁଡ଼ିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ଗଣମାଧ୍ୟମର କଣ୍ଠରୋଧ କରାଗଲା ବୋଲି ମଧ୍ୟ କହୁଛନ୍ତି । ଏହା ସେମାନେ ସେହି ନିର୍ଦ୍ଧିଷ୍ଟ ଚ୍ୟାନେଲ ସପକ୍ଷରେ କହୁନାହାନ୍ତି ବରଂ ସାମ୍ବାଦିକ ସାମ୍ବାଦିକ ଏବଂ ମିଡିଆ ହାଉସ୍ ମିଡିଆ ହାଉସ୍ ମଧ୍ୟରେ ଫାଟ ସୃଷ୍ଟି କରି ଦେଉଛନ୍ତି । ପୂର୍ବରୁ ଆଉ ଏକ ଜାତୀୟ ଟିଭି ଚ୍ୟାନେଲର ମାଲିକ ତଥା ବରିଷ୍ଠ ସାମ୍ବାଦିକଙ୍କୁ ଏପରି ଉଠାଇ ନିଆଯାଇଥିଲା । ଅପରାଧ କିମ୍ବା କାରଣ ଯାହା ଥାଉ ନା କାହିଁକି ଏକଥା କିନ୍ତୁ ସ୍ପଷ୍ଟ ଥିଲା ଯେ ସଂପୃକ୍ତ ଚ୍ୟାନେଲରେ କେନ୍ଦ୍ର ସରକାରଙ୍କ ଭୁଲ୍ ଭଟକା ସଂପର୍କରେ ଖବର ପରିବେଷଣ କରାଯାଉଥିଲା । ସେତେବେଳେ କୌଣସି କେନ୍ଦ୍ରମନ୍ତ୍ରୀ ପ୍ରତିକ୍ରିୟା ପ୍ରକାଶ କରିନଥିଲେ କି ସପକ୍ଷରେ ମେଂଚା ମେଂଚା ମିଡିଆ ହାଉସ୍ ଆଗେଇ ଆସିନଥିଲେ ।

କୁହାଯାଉଛି ଆଇନ ସମସ୍ତଙ୍କ ପାଇଁ ସମାନ । ସାଧାରଣ ଲୋକଟିକୁ ଯେଉଁ ଅପରାଧ ପାଇଁ ଦଣ୍ଡ ମିଳିବ ମିଡିଆ ହାଉସ୍ ର ମାଲିକ କିମ୍ବା ସାମ୍ବାଦିକଙ୍କୁ ସେହି ଅପରାଧ ପାଇଁ କାହିଁକି ଦଣ୍ଡ ନମିଳିବ? ଏହି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ଅବଶ୍ୟ ଅନେକ ସମୟରେ କିଛି ମିଛ ମାମଲାରେ ଫସାଇ ଦିଆଯାଏ । ଅନେକ ସମୟରେ କୋର୍ଟ ଆଖିରେ ନିର୍ଦ୍ଦୋଶରେ ଖଲାସ୍ ହୋଇ ଯାଆନ୍ତି ତଥାକଥିତ ଅଭିଯୁକ୍ତଟିଏ । ଏଣୁ କିଏ ସତ କିଏ ମିଛ ତାକୁ ନେଇ ମିଡିଆ ଟ୍ରାଇଲ୍ କରିବା ଅନୁଚିତ । ଏଥି ପାଇଁ ମୁମ୍ବାଇ ହାଇକୋର୍ଟ ଏକ ଜାତୀୟ ଟିଭି ଚ୍ୟାନେଲକୁ ତାଗିଦ୍ ମଧ୍ୟ କରି ସାରିଛନ୍ତି । ସେହି ସଂପୃକ୍ତ ଟିଭି ଚ୍ୟାନେଲଟି ସୁଶାନ୍ତ ସିଂଙ୍କ ମାମଲାରେ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ଗଳା ଫଟାଇ କହୁଥିବା ବେଳେ ହତରସ୍ ଗଣଦୁଷ୍କର୍ମ ମାମଲାରେ ଉତର ପ୍ରଦେଶ ସରକାରଙ୍କ ବିରୋଧରେ ପଦଟୁଏ ମଧ୍ୟ କହିନଥିଲା ।

ଯେତେବେଳେ ସାଧାରଣ ଲୋକଟିଏ ଏପରି କିଛି ଅପରାଧ କରି କୋର୍ଟ ଚାଲାଣ ହେଉଛି ସେତେବେଳେ ମିିଡିଆ ହାଉସ୍ ପକ୍ଷରୁ ତା ସଂପର୍କରେ ଲମ୍ବା ଚଉଡ଼ା ଖବର ଉପସ୍ଥାପନ କରାଯାଉଛି । ଏପରିକି ସେ ନିର୍ଦ୍ଦୋଶରେ ଖଲାସ ହେଲେ ମଧ୍ୟ ପୂର୍ବ ଖବର ପ୍ରସାରଣକୁ ନେଇ ମିିଡିଆ ହାଉସଟିଏ ଦୁଃଖ ପ୍ରକାଶ ମଧ୍ୟ କରୁନାହିଁ । ଏଣୁ ଅପରାଧରେ ଛନ୍ଦି ହୋଇ ମିଡିଆ ହାଉସର ବ୍ୟକ୍ତି ବିଶେଷ ପୁଲିସ ଦ୍ୱାରା ଡ଼ାକରା କିମ୍ବା ଗିରଫ ହେଲେ ଏତେ ହୋ ହାଲ୍ଲା କାହିଁକି? କାହିଁକି ସେହି ପ୍ରସଙ୍ଗକୁ ନେଇ ମିଡିଆ ଭିତରେ ସୃଷ୍ଟି ହୋଇଯାଉଛି ଫାଟ । କାହିଁକି ସଂପୃକ୍ତ ମିଡିଆ ହାଉସ୍ ଟି ଏଥି ପାଇଁ ସରକାରଙ୍କୁ ଦାୟୀ କରୁଛି । ଲୋକଙ୍କ ଠାରୁ ଅନୁକମ୍ପା ହାସଲ କରିବା ପାଇଁ କାହିଁକି ପ୍ରକୃତ ତଥ୍ୟକୁ ଲୁଚାଇ ଦେଉଛି ।

ଜାତୀୟ ସ୍ତରର ପରି ଓଡ଼ିଶାରେ ମଧ୍ୟ ଏପରି ଘଟଣା ନୁଆ ନୁହଁ । ପୂର୍ବରୁ ଅନେକ ମାମଲାରେ ମିଡିଆ ହାଉସ୍ ର ମାଲିକ ଠାରୁ ଆରମ୍ଭ କରି ସମ୍ପାଦକ, ସାମ୍ବାଦିକ ଗିରଫ ହୋଇଛନ୍ତି । ସେତେବେଳେ କଣ ଗଣମାଧ୍ୟମର କଣ୍ଠରୋଧ ହୋଇନଥିଲା? ତେବେ ଏବେ କାହିଁକି ସେପରି କିଛି ସ୍ୱର ଶୁଣିବାକୁ ମିଳୁଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା, ଦଳୀୟ କର୍ମୀ, ଚାଷୀ, ମୁଲିଆ, ଶ୍ରମିକ ଏପରିକି କାର୍ଯ୍ୟାଳୟର ଚପରାଶି ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ଯେତେବେଳେ ସମ୍ଭିଧାନ ଓ ଆଇନର ପରିସରଭୁକ୍ତ ହେଉଛନ୍ତି ସେତେବେଳେ ମିଡିଆ ହାଉସ୍ ଏଥିରୁ ବାଦ୍ ପଡ଼ିବ ଅବା କିପରି । କାହିଁକି ସେତେବେଳେ ପାତର ଅନ୍ତରର କଥା ଉଠୁଛି । ବିଭିନ୍ନ ପ୍ରସଙ୍ଗରେ ନିଜ ଜ୍ଞାତରେ ହେଉ କି ଅନ୍ୟ କୌଣସି କାରଣ ପାଇଁ ହେଉ ଅନ୍ୟକୁ ନିଚା ଦେଖାଉଥିବା ମିଡିଆ ହାଉସଟି ସମୟ କ୍ରମେ ନିଜେ ନିଚା ହେବାର ମାନସିକତାକୁ ସାମନା କରି ପାରୁନାହିଁ କାହିଁକି । ତାହା ହେଲେ ବୋଧ ହୁଏ ଭଲ ହେବ ମିଡିଆ ହାଉସ୍ ପାଇଁ ଭିନ୍ନ ଏକ ଆଇନ ପ୍ରଣୟନ କରାଗଲେ । କାରଣ ଯାହା ଥାଉ ନା କାହିଁକି ଏକଥା ସତ ଯେ ମିଡିଆ ହାଉସ୍ ବେଳେ ବେଳେ ସତ୍ୟକୁ ଆଖି ବୁଜି ଦିଅନ୍ତି ଓ ମିଥ୍ୟାକୁ ଅତି ରଞ୍ଜିତ କରି ଉପସ୍ଥାପନ କରନ୍ତି । ସେତେବେଳେ ସେମାନେ ଭୁଲି ଯାଆନ୍ତି ଯେ ସମାଜ ପାଇଁ ସେମାନେ କେତେ ଉତରଦାୟୀ ।

ସଂପ୍ରତି ଏବେ ସୃଷ୍ଟି ହେଉଥିବା ଏପରି ପରିସ୍ଥିତି ପାଇଁ ଦାୟୀ କିଏ ??? ଏହି ପ୍ରଶ୍ନର ଉତର ପ୍ରତିଟି ମିଡିଆ ହାଉସ୍ ର ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି ସମ୍ପାଦକ, ମାଲିକଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜେ ନିଜକୁ ପଚାରିବାର ସମୟ ଆସିଛି ।

ଭୟ ଏତିକି ଯେ ବିନା କାରଣରେ ଆମେ ଆମର ଜାତି ଭାଇ ସାମ୍ବାଦିକଙ୍କ ଠାରୁ ଦୁରେଇ ଯିବାର ସ୍ଥିତିକୁ ସାମନା କରୁଛୁ । ଦୁଃଖ ଏତିକି ଯେ ଅଦୃଶ୍ୟ ଓ ଅଘୋଷିତ ପାଚେରିଟିଏ ଆମ ମାନଙ୍କୁ ଭିନ୍ନ ଭିନ୍ନ କରି ଦେଉଛି ।

ଅପେକ୍ଷା କେତେବେଳେ ଆସିବ ସେହି ସମୟ, ଯେତେବେଳେ ଆମେ ସମସ୍ତେ ଛାତି ଫୁଲାଇ ମୁଣ୍ଡ ଟେକି ସମସ୍ୱରରେ କହି ପାରିବା ଗୋଟାଏ ବନ୍ଧନରେ ବନ୍ଧା ଆମେ ସବୁ….. ।

LEAVE A REPLY

Please enter your comment!
Please enter your name here