ଟାଙ୍ଗୀ ଚୌଦ୍ୱାରର ରହସ୍ୟମୟ କୂଅ

0
10312

ଐତିହାସିକ ତଥ୍ୟ ପାଇଁ ଅନୁଧ୍ୟାନ ଜାରୀ

ଚୌଦ୍ୱାର (ଓବି ନ୍ୟୁଜ)(ଏମ.ନବୀନ): କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ମହିଷାଲଣ୍ଡା ପଞ୍ଚାୟତର ଆମ୍ବିଳିଝରୀ ଗାଁ କୁ ଲାଗି ଘଞ୍ଚ ଜଙ୍ଗଲରେ ଥିବା ରହସ୍ୟମୟ “ଦେଢ଼ଶୁର ଭାଇ ବୋହୁ କୂଅ” ର ପୁନଃ ଆବିଷ୍କୃତ ହୋଇଛି । ଡାଳିଯୋଡ଼ା ବନାଞ୍ଚଳ ନିକଟବର୍ତ୍ତୀ ଆମ୍ବୁଆ ଗୁମ୍ଫା ପାହାଡର ପାଦ ଦେଶରେ ଥିବା ଏହି କୂଅ କୁ ନେଇ ଏବେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ଭାରତୀୟ ଜାତୀୟ କଳା ଓ ସଂସ୍କୃତି ସଂରକ୍ଷଣ ଟ୍ରଷ୍ଟ୍ ( ଇନଟାକ୍) ର ଏକ ପ୍ରତିନିଧି ମଣ୍ଡଳୀ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହି ପ୍ରାଚୀନ କୂଅଟି ପ୍ରାୟ ୮୦୦ ବର୍ଷ ତଳର ଦ୍ୱାଦଶ/ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଇନଟାକ୍ ପ୍ରତିନିଧି ମଣ୍ଡଳୀ ମାନେ ଅନୁମାନ କରିଛନ୍ତି । କୂଅ ର ନିର୍ମାଣ ଶୈଳୀ କଳିଙ୍ଗ ଅଞ୍ଚଳରେ ମିଳୁଥିବା ପ୍ରାଚୀନ ମନ୍ଦିର ମାନଙ୍କ ନିର୍ମାଣ ଶୈଳୀ ଭଳି ଅନନ୍ୟ ଏବଂ ଏଠାରେ କୌଣସି ଏକ ପୁରାତନ ଧର୍ମ ବିଶ୍ୱାସୀ ଜନ ବସତି ଗଢି ଉଠିଥିଲା ବୋଲି ସେମାନେ ଅନୁମାନ କରୁଥିବା କହିଛନ୍ତି । ଐତିହାସିକ ପ୍ରାମାଣିକ ତଥ୍ୟ ହାସଲ ପାଇଁ ରାଜ୍ୟ ଓ କେନ୍ଦ୍ର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା କୁ ଇନଟାକ୍ ପ୍ରତିନିଧି ମଣ୍ଡଳୀ ଅବଗତ କରାଇଛନ୍ତି । ପ୍ରକାଶ ଥାଉକି ଜଙ୍ଗଲ ମଧ୍ୟରେ ଥିବା ଏହି କୂଅ ର ପାଣିରେ ଗାଧୋଇଲେ ଜ୍ୱର ଛାଡି ଯାଏ, ଅଢେଇ ଢ଼ୋକ ପିଇ ଦେଲେ ପେଟ ରୋଗ ସହିତ ଦେହ ବିନ୍ଧା ଭଲ ହୋଇଯାଏ ବୋଲି ସ୍ଥାନୀୟ ଅଞ୍ଚଳର ଆଦିବାସୀ ମାନେ କେତେ କାଳରୁ ଶୁଣି ଆସୁଥିବା କୁହନ୍ତି । ତେବେ କୂଅ ଟି ଦେଢ଼ଶୁର ଭାଇ ବୋହୁ କୂଅ” ନାମରେ ଲୋକ ମୁଖରେ ପରିଚିତ ହୋଇଛି । କୂଅଟିକୁ କିଏ କେବେ ଖନନ କରିଥିଲେ ତାହାର ପ୍ରମାଣିକ ତଥ୍ୟ ମିଳିପାରିନାହିଁ । କୂଅଟିର ଆକାର ପ୍ରକାର ଓ ଅବସ୍ଥିତି କୁ ଦେଖିଲେ ଏହା ଯେ ପୌରାଣିକ ଯୁଗର ବୋଲି ବିଶ୍ୱାସ କରିବାକୁ ପଡିବ । କୂଅ ର ଗଠନ ଶୈଳୀ ଦେଖିଲେ ବିସ୍ମିତ ହେବାକୁ ପଡେ। କୂଅ ର ପ୍ରବେଶ ଦ୍ୱାରରେ ଭଗ୍ନ ଅବସ୍ଥାରେ ଦୁଇଟି ଖମ୍ବ ସହ ମୂର୍ତ୍ତି ଦେଖାଯାଏ । କୂଅ ଭିତରକୁ ଯିବାକୁ ୨୨ଟି ପାହାଚ ରହିଛି । କୂଅ ମୁହଁ ର ଆକାର ପ୍ରାୟ ୧୦ ଫୁଟ ହୋଇଥିବା ବେଳେ ଗଭୀରତା ୩୫ ଫୁଟ ରୁ ଅଧିକ ଥିବା ଅନୁମାନ କରାଯାଉଛି । ୨୦ ଫୁଟର ବର୍ଗାକାର ଚତୁଃପାର୍ଶ୍ୱ ଘେରା କାନ୍ଥ ର ମଧ୍ୟ ଭାଗରେ ଏହି କୂଅ ରହିଛି । କୂଅ ନିକଟରେ ଯଜ୍ଞ କୁଣ୍ଡ, ଓ ପଥର ଖୋଦିତ ଏକ ବଡ଼ ଦୀପ ରହିଛି । ସ୍ଥାନୀୟ ଆଦିବାସୀ ଙ୍କ କହିବା ଅନୁଯାୟୀ ୧୯୯୦ ମସିହାରେ ଶେଷଥର ପାଇଁ କୂଅଟିକୁ ଜଣେ ତାନ୍ତ୍ରିକ ଉଝୁଳାଇଥିଲେ । ସେତେବେଳେ କୂଅ ଭିତରୁ ପଥର ମୂର୍ତ୍ତି, ମୁଦ୍ରା ଓ ମାଟି ପାତ୍ର ର ଭଗ୍ନାଶ ମିଳିଥିଲା । ଏହି ପୁରାତନ କୀର୍ତ୍ତି ରାଜିର ଉପଯୁକ୍ତ ସର୍ଭେ କରାଯାଇ ଏହାର ସୁରକ୍ଷା ଓ ସଂରକ୍ଷଣ କରିବା ଦିଗରେ ବିହିତ ପଦକ୍ଷେପ ନେବାକୁ ଇନଟାକ୍ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା କୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here