ପ୍ରବାସୀ ଓଡ଼ିଆଙ୍କ ମହାନତା: ବାପାଙ୍କ ସ୍ମୃତିରେ ସାତ ଛାତ୍ରଛାତ୍ରୀଙ୍କୁ ମୁଳିଆ ସ୍ମାରକୀ ଛାତ୍ରବୃତ୍ତି-୨୧

0
102

ବେଲଗୁଣ୍ଠା (ଓବି ନ୍ୟୁଜ) (ସୁଧାଂଶୁ ଶେଖର ବିଷୋୟୀ) -ବିଭିନ୍ନ ସମୟରେ ବହୁ ମେଧାବୀ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଥିବା ଲକ୍ଷ୍ୟ କରାଯାଉଛି ।ଏହିପରି ପରିସ୍ଥିତିରେ କିଛି ଅଞ୍ଚଳରେ ବହୁ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଫଳରେ ସେମାନେ ଉଚ୍ଚ ଶିକ୍ଷା ଲାଭ କରିପାରୁଛନ୍ତି ।ଏହିପରି ଏକ ପ୍ରଶଂସନୀୟ ପ୍ରୟାସ ଜାରି ରଖିଛି ବେଲଗୁଣ୍ଠାର ମୁଳିଆ ସ୍ମାରକୀ ।ବେଲଗୁଣ୍ଠା ଗୋପୀନାଥ ସାହିର ମୁଳ ବାସିନ୍ଦା ସ୍ୱର୍ଗତ ମୁଳିଆ ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୁଦୂର ଆମେରିକାରେ ଅବସ୍ଥାପିତ ତାଙ୍କ କନିଷ୍ଠ ପୁତ୍ର ଦାମୋଦର ସାହୁଙ୍କ ଦ୍ୱାରା ମୁଳିଆ ସ୍ମାରକୀ ଛାତ୍ର ବୃତ୍ତି ଗତ ୨୦୨୦ ମସିହାରୁ ଆରମ୍ଭ କରାଯାଇଛି ।ଆର୍ଥିକ ସ୍ୱଚ୍ଛଳ ନ ଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଏହି ବୃତ୍ତି ଜରିଆରେ କିଛି ଅର୍ଥ ସେମାନଙ୍କ ଉଚ୍ଚ ଶିକ୍ଷା ପାଇଁ ପ୍ରଦାନ କରାଯାଇଥାଏ ।ମହତ୍ ଉଦ୍ଦେଶ୍ୟରେ ଗଢ଼ଯାଇଥିବା ଏହି ସ୍ମାରକୀ ଟିମ୍ ଦ୍ୱାରା ଗତବର୍ଷ ବେଲଗୁଣ୍ଠା ସହରର ତିନି ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଥିଲା ।ଏହାକୁ ନେଇ ଦାମୋଦର କହନ୍ତି ଯେ,ତାଙ୍କ ପିତା ସ୍ୱର୍ଗତ ମୁଳିଆ ସାହୁ ଜଣେ ବେଲଗୁଣ୍ଠାର ଛୋଟ ବ୍ୟାବସାୟୀ ଥିଲେ ।ସେହି ବ୍ୟବସାୟରୁ ଯାହା ଆଦାୟ କରୁଥିଲେ ନିଜର ପରିବାର ଚଳାଇବା ମଧ୍ୟ କଷ୍ଟକର ହୋଇପଡୁଥିଲା ।ଏପରି ପରିସ୍ଥିତିରେ ଦାମୋଦର ବହୁ ଆର୍ଥିକ ଝଡଝଞ୍ଜା ମଧ୍ୟରେ ପାଠ ପଢା ଜାରି ରଖି ନିଜକୁ ଜଣେ ମେଧାବୀ ଛାତ୍ର ରୁପେ ଗଢି ତୋଳିଥିଲେ ଏବଂ ନିଜର ପରିଶ୍ରମ ଓ ଅଧ୍ୟବସାୟ ଫଳରେ ଆଜି ଆମେରିକାରେ ଏକ ଆନ୍ତଃରାଷ୍ଟ୍ରିୟ କମ୍ପାନୀରେ ଉଚ୍ଚପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟରତ ।ତେଣୁ ନିଜ ଜନ୍ମ ଭୁମିର କୌଣସି ମେଧାବୀ ଛାତ୍ରଛାତ୍ରୀ ଯେମିତି ଅର୍ଥ ଅଭାବରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି ଏହା ଏକ ଛୋଟିଆ ପ୍ରୟାସ ମାତ୍ର ବୋଲି ସେ ଜଣାଇଛନ୍ତି ।ଏହାକୁ ନେଇ ବେଲଗୁଣ୍ଠା ସହରର କିଛି ଜଣାଶୁଣା ବ୍ୟକ୍ତିଙ୍କ ନେଇ ଏକ କୋର୍ କମିଟି ଗଠନ କରିଛନ୍ତି ।ଏହି କୋର୍ କମିଟି ବେଲଗୁଣ୍ଠା ଜି.ଟି ହାଇସ୍କୁଲ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା କିଛି ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଚୟନ କରି ସେମାନଙ୍କ ମଧ୍ୟରେ ଆର୍ଥିକ ସ୍ୱଛଳ ନ ଥିବା ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରିଥାନ୍ତି ।ଗତବର୍ଷ ସହରର ତିନି ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଥିଲା ।ଏହି ବର୍ଷ ମଧ୍ୟ ବେଲଗୁଣ୍ଠା ସହରର ୬/୭ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତା ଦେବା ପାଇଁ ଶ୍ରୀ ସାହୁ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here