ଜି.ଉଦୟଗିରି (ଓବି ନ୍ୟୁଜ) (ପ୍ରତାପ ଚନ୍ଦ୍ର ପାଢ଼ୀ) : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଦ୍ୱିତୀୟ ବାର ଆସିଥିବା ଅନାସ୍ଥା ପ୍ରସ୍ତାବ ଜି ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ କଡା ସୁରକ୍ଷା ମଧ୍ୟରେ ରେ ସମାପ୍ତ ହୋଇଥିବା ବେଳେ ଫଳାଫଳ ଜଉମୁଦ ଲଫାଫା ଭିତରେ ରହିଥିବା ଜଣାପଡିଛି। ବିବରଣୀ ରୁ ପ୍ରକାଶ ଯେ ଜି.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୀପ୍ତିରେଖା ପ୍ରଧାନଙ୍କ ବିରୋଧରେ ପଞ୍ଚାୟତ ସମିତି ସଭ୍ୟ/ସଭ୍ୟା ଓ ସରପଞ୍ଚ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଅଧ୍ୟକ୍ଷା ଶ୍ରୀମତି ପ୍ରଧାନ ଉଚ୍ଚ ନ୍ୟାୟାଳୟରୁ ସ୍ଥଗିତାଦେଶ ଆଣିଥିବା ଜଣାପଡିଛି । ବାଲିଗୁଡା ଉପ-ଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ରଙ୍କ ପତ୍ର ସଂଖ୍ୟା ୧୬୯୯ ତା-୧୮/୬/୨୦୨୧ ପ୍ରକାରେ ସୋମବାର ଦିନ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ ଭୋଟ ପାଇଁ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକିର ଚରଣ ପରିଡ଼ା ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରିଥିଲେ। ମୋଟ ୧୩ ଜଣ ସଭ୍ୟ/ସଭ୍ୟା ଯଥା-ତଲାରୀମାହା ସରପଞ୍ଚ ସବିତା କହଁର, ସମିତି ସଭ୍ୟ ହ୍ରୁଦୟାନନ୍ଦ କହଁର, କଳିଙ୍ଗା ସରପଞ୍ଚ ରେବିକା ପ୍ରଧାନ, ସମିତି ସଭ୍ୟା ଦୀପାରାଣୀ ପ୍ରଧାନ, ମାଲିକାପଡି ସରପଞ୍ଚ ସଚିଦାନନ୍ଦ ପ୍ରଧାନ, ସମିତି ସଭ୍ୟା ଚନ୍ଦ୍ରମା ପ୍ରଧାନ, ରାଇକଲା ସରପଞ୍ଚ ସୁରେନ୍ଦ୍ର କୁମାର ପ୍ରଧାନ, ଲିଙ୍ଗାଗଡ ସରପଞ୍ଚ ସସ୍ମିତା ପ୍ରଧାନ, କତିଙ୍ଗିଆ ସରପଞ୍ଚ ଅବନେଶ୍ବର ପ୍ରଧାନ, ସମିତି ସଭ୍ୟ ସାମନ୍ତ ଦିଗାଲ୍, ରଟିଙ୍ଗିଆ ସରପଞ୍ଚ ବନ୍ଦୀନି ପ୍ରଧାନ, ସମିତି ସଭ୍ୟା ଭାଗ୍ୟବତୀ ପ୍ରଧାନ, ଗ୍ରେସିଙ୍ଗିଆ ସରପଞ୍ଚ ସୁମନ୍ତ ପ୍ରଧାନ ଉପସ୍ଥିତ ରହି ମତଦାନରେ ଭାଗ ନେଇଥିଲେ । ରାଇକଲା ସମିତି ସଭ୍ୟା ତଥା ଅଧ୍ୟକ୍ଷା ଦୀପ୍ତିରେଖା ପ୍ରଧାନ ଓ ଲିଙ୍ଗାଗଡ ସମିତି ସଭ୍ୟା ସ୍ମିତା ରାଣୀ ଦଳବେହେରା ଅନୁପସ୍ଥିତ ଥିଲେ। ଗ୍ରେସିଙ୍ଗିଆ ସମିତି ସଭ୍ୟା ଚିନ୍ମୟୀ ନାୟକ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚି ପାରି ନଥିବା ଫଳରେ ବୈଠକ ରେ ଉପସ୍ଥିତ ରହିପାରି ନଥିଲେ । ଫଳରେ ପୂର୍ବଭଳି ବର୍ତ୍ତମାନ ମଧ୍ୟ ଉଚ୍ଚ ନ୍ୟାୟାଳୟର ସ୍ଥଗିତା ଦେଶ ଥିବାରୁ ଆଲୋଚନା ହେବା ପରେ ଉପସ୍ଥିତ ୧୩ ଜଣ ସଭ୍ୟ/ସଭ୍ୟା ଗୁପ୍ତ ଭୋଟ ପ୍ରଦାନ କରିବା ପରେ ଏହାକୁ ଜଉମୁଦ ଲଫାଫା ଭିତରେ ବନ୍ଦ କରି ଉପ-ଜିଲ୍ଲାପାଳ ବାଲିଗୁଡାଙ୍କୁ ହସ୍ତାନ୍ତର କରାଯିବା ନେଇ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ପରିଡ଼ା ସୂଚନା ଦେଇଛନ୍ତି । ଉଚ୍ଚ ନ୍ୟାୟାଳୟର ସ୍ଥଗିତାଦେଶ ଉଠିଲେ ଫଳାଫଳ ଘୋଷଣା କରାଯିବା ନେଇ ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ଗତ ୨୦୧୯ ମସିହା ନଭେମ୍ବର ୨୮ ତାରିଖରେ ପ୍ରଥମ ଅନାସ୍ଥା ଭୋଟ ହୋଇଥିବା ବେଳେ ଅଧ୍ୟକ୍ଷା ଶ୍ରୀମତି ପ୍ରଧାନ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିବାରୁ ଫଳାଫଳ ସ୍ଥଗିତ ରହିଥିଲା ।