ଋଣ ସୁଝିବେ ତ ଅଶ୍ୱିନୀ ???

0
678

ବ୍ରହ୍ମପୁର (ଓବି ନ୍ୟୁଜ) (ପ୍ରକାଶ ପଟ୍ଟନାୟକ): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ତାଙ୍କର ଦ୍ୱିତୀୟ ଇନିଂସ ମ୍ୟାଚ୍ ର ମଧ୍ୟ ଭାଗରେ ଖେଳାଳିଙ୍କୁ ଅଦଳ ବଦଳ କରିଛନ୍ତି । କହିବାକୁ ଗଲେ ପ୍ରତିପକ୍ଷ ଦଳକୁ ଚେକ୍ ଦେବା ପାଇଁ ନୂଆ ଷ୍ଟ୍ରୋକ୍ ମାରିଛନ୍ତି । ଆଗକୁ ନିର୍ବାଚନ ହେବାକୁ ଥିବା ଉତରପ୍ରଦେଶ, ପଞ୍ଜାବ ପରି ରାଜ୍ୟରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ସହ ସେଠାରେ କେନ୍ଦ୍ର ସରକାରଙ୍କ ଦବ୍ ଦବାକୁ ଜାରି ରଖିବା ପାଇଁ ସେସବୁ ରାଜ୍ୟର ସାଂସଦ ମାନଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଛନ୍ତି । ସେହି କ୍ରମରେ ଓଡ଼ିଶାର ଦୁଇ ସାଂସଦ ମଧ୍ୟ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି । ଓଡ଼ିଶାରେ ଆସନ୍ତା ୨୦୨୪ ମସିହାରେ ନିର୍ବାଚନ ହେବ । ଏଣୁ ଓଡ଼ିଶାର ଦୁଇ ନୂଆ ମୁହଁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବାର ନେଇ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ କି ଚକିତ ହେବାର କିଛି ନାହିଁ ।
କହିବାକୁ ଗଲେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀ ମଣ୍ଡଳରେ କାହାକୁ ରଖିବେ ତାହା ତାଙ୍କର ଓ ତାଙ୍କ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ତଥାପି ଯେଉଁ ଢଙ୍ଗରେ ଚର୍ଚ୍ଚିତ ଚେହେରାଙ୍କୁ ବାଦ୍ ଦେଇ ନୂଆ ଚେହେରାଙ୍କୁ ଏଂଟ୍ରି ମରାଇଲେ ତାହା କେବଳ ଓଡ଼ିଶା ବିଜେପି ନେତାଙ୍କ ପାଇଁ ଝଟ୍‌କା ନୁହଁ, ବରଂ ଓଡ଼ିଶାର ଶାସକ ବିଜେଡି ଓ ଅନ୍ୟ ବିରୋଧି ଦଳର ନେତାଙ୍କ ପାଇଁ ଚର୍ଚ୍ଚାର ବିଷୟ । ପ୍ରଧାନମନ୍ତ୍ରୀ ନିଜର କିଛି ବରିଷ୍ଠ ଓ ଅନୁଭବୀ ଖେଳାଳିଙ୍କୁ ପଡ଼ିଆରୁ ବାହାର କରି ୨୦୨୪ ମ୍ୟାଚ୍ ରେ ପୁଣି ଥରେ ଟ୍ରଫି ହାସଲ କରିବା ପାଇଁ ଯେପରି ଭାବେ ନୂଆ ଖେଳାଳିଙ୍କ ଉପରେ ଭରଷା କରି ସେମାନଙ୍କୁ ଟିମ୍ ରେ ସାମିଲ କଲେ, ତାକୁ ବିଦାୟୀ ଖେଳାଳିଙ୍କ ପକ୍ଷରେ ସହଜରେ ହଜମ କରିବା ସମ୍ଭବପର ହୋଇପାରୁନଥିବା ବେଳେ ପୁରା ପ୍ରକ୍ରିୟା ବିରୋଧିଙ୍କୁ ତାଙ୍କର ନୂଆ ରଣନୀତି ପ୍ରସ୍ତୁତ କରିବା ପାଇଁ ଯେ ଆହ୍ୱାନ ସୃଷ୍ଟି କରିଛି, ତାକୁ ମଧ୍ୟ ଅସ୍ୱୀକାର କରିହେବ ନାହିଁ ।
ନିକଟରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡ଼ିକର ବିଜେପି ତଥା ସମର୍ଥିତ ଦଳଙ୍କ ସାଂସଦମାନଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବା ଦ୍ୱାରା ସେ ସବୁ ରାଜ୍ୟର ରାଜନୀତି ଓ ନିର୍ବାଚନ ଉପରେ ତା’ର ପ୍ରଭାବ କ’ଣ ପଡ଼ିବ ତାହା ତ ସମୟ କହିବ, ହେଲେ ଓଡ଼ିଶାର ଅଦଳ ବଦଳକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଯେବେଠାରୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହେଲା, ସେବେଠାରୁ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ପଶ୍ଚିମ ଓଡ଼ିଶାର ଟାଣୁଆ ବିଜେପି ନେତା ସୁରେଶ ପୁଜାରୀ, ସଙ୍ଗୀତା ସିଂଦେଓଙ୍କ ପରି ନେତାଙ୍କ ସମେତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ଚର୍ଚ୍ଚାର ଶୀର୍ଷରେ ଥିଲା । ହେଲେ ନା ଜାତୀୟ ମିଡିଆରେ ନା ରାଜ୍ୟ ମିଡିଆରେ କିଏ ବି କାଣିଚାଏ ଖବର ପାଇପାରିନଥିଲେ ଯେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ହଠାତ ବିଦାୟ ନେବାକୁ ପଡ଼ିବ ଓ ମୟୁରଭଞ୍ଜର ସାଂସଦ ବିଶ୍ୱେଶ୍ୱର ଟୁଡୁ ସହଜରେ ଏଂଟ୍ରି ମାରିନେବେ । ଆଦିବାସୀ ଟାଣୁଆ ନେତା ତଥା ସୁନ୍ଦରଗଡ଼ ସାଂସଦଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ ନକରି ଦଳ ତଥା ପ୍ରଧାନମନ୍ତ୍ରୀ ଗୋଟାଏ ପଟେ ରିସ୍କ ନେଇ ଆସୁଥିବାବେଳେ ଏବେ ପଶ୍ଚିମ ଓଡ଼ିଶାର ନେତାଙ୍କୁ ନିରାଶ କରି ଆଉ ଏକ ରିସ୍କ ମଧ୍ୟ ନେଇଛନ୍ତି । ରାଜନୀତିରେ ସବୁ ସମ୍ଭବ ନ୍ୟାୟରେ ଆଗାମୀ ନିର୍ବାଚନ ସମୟରେ କେଉଁ ପାଣିର ସୁଅ କେଉଁଆଡ଼କୁ ଯିବ, ତାହା ଏବେଠାରୁ ଆକଳନ କରିବା ସମ୍ଭବପର ନଥିଲେ ବି ଏବେ କିନ୍ତୁ ସମସ୍ତଙ୍କର ଅପେକ୍ଷା ରହିବ ପ୍ରଧାନମନ୍ତ୍ରୀଙ୍କର ଆଉ ଏକ ନୂଆ ଷ୍ଟ୍ରୋକ୍‌କୁ ।
ଓଡ଼ିଶାର ରାଜନୀତିରେ ବିଜେପିର ମୁଖ୍ୟ ଚେହେରା ରୂପେ ଆରମ୍ଭରୁ ନିଜର ଦବ୍ ଦବାକୁ ବଜାୟ ରଖିଥିବା ତଥା ଭାବି ମୁଖ୍ୟମନ୍ତ୍ରୀ ରୂପେ ଚର୍ଚ୍ଚିତ ହେଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଧିରେ ଝଟକା ଲାଗିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ମୁଳରୁ ପେଟ୍ରୋଲିୟମ୍ ପରି ଲାଭଦାୟକ ବିଭାଗର ମନ୍ତ୍ରୀ ରହିଆସିଥିବା ଶ୍ରୀ ପ୍ରଧାନଙ୍କୁ ତୈଳ ଦର ବୃଦ୍ଧି ନେଇ ହେଉଥିବା ସମାଲୋଚନାରୁ ଦୂରେଇ ଦେବା ପାଇଁ କାଢ଼ି ଦିଆଗଲା ନା ପଛରେ ଆଉ କିଛି କାରଣ ରହିଛି, ତାକୁ ନେଇ ଲୋକଙ୍କ ମହଲରେ ଟୁପୁରୁଟାପୁରୁ ଚର୍ଚ୍ଚା ଚାଲିଛି । ଅବଶ୍ୟ ଶିକ୍ଷା ଓ ଦକ୍ଷତା ବିକାଶ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇ ନିଜର ଦବ୍ ଦବା ପୂର୍ବପରି କେନ୍ଦ୍ରରେ ଓ ରାଜ୍ୟରେ ରହିଥିବା ସେ ପ୍ରମାଣ କରିବା ସହ ବିରୋଧିଙ୍କ ମୁହଁକୁ ବନ୍ଦ ମଧ୍ୟ କରିଦେଇଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ଆଦିବାସୀ ନେତା ବିଶ୍ୱେଶ୍ୱର ଟୁଡୁଙ୍କ ମାଧ୍ୟମରେ ଓଡ଼ିଶାରେ ଆଦିବାସୀ କାର୍ଡ଼ ଖେଳିବା ପାଇଁ ଗୋଟି ଚଳାଇଥିବାବେଳେ ଅଶ୍ୱିନୀଙ୍କୁ ରେଳ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ଓ ଓଜନଦାର ଦାୟିତ୍ୱ ଦେଇ ଓଡ଼ିଶା ପାଇଁ ଡବଲ ଗେମ୍ ଖେଳିଛନ୍ତି ।
ପୂର୍ବରୁ ଓଡ଼ିଶାର କାହ୍ନୁଚରଣ ଲେଙ୍କା ଓ ଭକ୍ତଚରଣ ଦାସଙ୍କ ପରି ନେତା ରେଳମନ୍ତ୍ରୀ ରହିଥିଲେ ବି ଓଡ଼ିଶା ପାଇଁ ଆଖିଦୃଶିଆ କାମ କରିବାରେ ସକ୍ଷମ ହୋଇନଥିଲେ । ତେବେ ଅଶ୍ୱିନୀଙ୍କ କଥା ଭିନ୍ନ । ସେ ରାଜସ୍ଥାନ ନିବାସୀ ହୋଇଥିଲେ ବି ଓଡ଼ିଶା କ୍ୟାଡର ଆଇଏସ୍ ହୋଇ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ହୋଇଥିଲେ । ପରବର୍ତି ସମୟରେ ଆଇଏସ୍ ରୁ ଅବ୍ୟାହତ ନେଇ ବ୍ୟବସାୟ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ପ୍ରତି ଆକୃଷ୍ଟ ହୋଇ ବିଜେପିରେ ଯୋଗଦାନ କରିବା ସହ ଓଡ଼ିଶାକୁ ନିଜର ରାଜନୈତିକ ପୃଷ୍ଠଭୂମି ରୂପେ ବାଛିନେଇଥିଲେ । ଏହାପରେ ସେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ ବି ବିଜେଡିର ସମର୍ଥନରେ ହିଁ ସେ ସଂସଦ ଭବନକୁ ଏଂଟ୍ରି ମାରିବାରେ ସକ୍ଷମ ହୋଇଥିଲେ । ଏଣୁ ଏବେ ଦେଖିବା କଥା ରେଳମନ୍ତ୍ରୀ ହୋଇ ଅଶ୍ୱିନୀ ଓଡ଼ିଶା ମାଟିର ଋଣ ସୁଝିବା ପାଇଁ ଆଗାମୀ ଦିନରେ କ’ଣ ସବୁ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here