ମୁଁ ମିଥିଳାର ସୀତା ନୁହଁ ଯେ…..

0
73

ମୁଁ ମିଥିଳାର ସୀତା ନୁହଁ ଯେ,
ଚୁପଚାପ ସହିଯାଇ… ପାତାଳୀ ହୋଇଯିବି।

ମୁଁ ଦ୍ରୁପଦ ରାଜାଙ୍କ ଦୁହିତା ‘ଦ୍ରୌପଦୀ’
ତୁମର ବିଶାଳ କୌରବ ବଂଶକୁ ମାଟିରେ ମିଶାଇଦେବି,
ତୁମ ଅତ୍ୟାଚାରର ଦୁଃଶାସନକୁ ମାରି….
ତା’ ରକ୍ତରେ ମୋ ସ୍ବାଧୀନତାର କେଶ ଧୋଇବି ।
ଆଉ ତୁମ ବିବେକ ର ପିତାମହ ଭୀଷ୍ମଙ୍କୁ ବି
ପାପ ପ୍ରାୟଶ୍ଚିତ କରିବାକୁ ପଡ଼ିବ
ଯନ୍ତ୍ରଣାର ଶରଶର୍ଯ୍ୟାରେ ଶୋଇ ଶୋଇ ।

ଆଉ କୌନ୍ତେୟ ସମ ମୋ ପଞ୍ଚ ଇନ୍ଦ୍ରିୟକୁ
ମୋ ହାତ ମୁଠାରେ ରଖି ,
ବିନାସ କରିଦେବି …..
ସେ ହେଉ ଅଙ୍ଗ, ବଙ୍ଗ, କୋଶଳ, ଗାନ୍ଧାର,
ମଗଧ, ଅବନ୍ତି, ସୁରସେନ, ବିରାଟ ନଗର
ଅବା ଅମରାବତୀ ସମ ତୁମ ବିଶାଳ ପୁରୁଷତ୍ଵକୁ ।

ତୁମ ଭାଷାରେ ମୁଁ ସେଇ ନାରୀ ନୁହଁ…
ଅବଳା, ଦୂର୍ବଳା ଅବା ସମଶବ୍ଦ….
ମୁଁ ଆଦିଶକ୍ତି ମହାଶକ୍ତି….
ସୃଷ୍ଟିର ପ୍ରାଣବିନ୍ଦୁ…
ମମତାର ମହାସିନ୍ଧୁ….
ସୌନ୍ଦର୍ଯ୍ୟର ନବପୂର୍ଣ୍ଣେନ୍ଦୁ ।

ମୁଁ ନଥିଲେ, ତୁମେ କ’ଣ ସ୍ବାମୀ ହୁଅନ୍ତ ।
ମୁଁ ନଥିଲେ, ତୁମେ କ’ଣ ପ୍ରେମୀ ହୁଅନ୍ତ ।
ମୁଁ ନଥିଲେ, ତୁମେ କ’ଣ ପିତା ହୁଅନ୍ତ ।
ମୁଁ ନଥିଲେ, ତୁମେ କ’ଣ ଜନ୍ମ ନିଅନ୍ତ ।

ତଥାପି ତୁମର ଏତେ ଗର୍ବ
ଏତେ ଅହଙ୍କାର
ଏତେ ଅତ୍ୟାଚାର
ଏତେ ଯାତନା….।

ତୁମେ ଭାବୁଛ କି’ ମୁଁ ସେଇ ଖିଷ୍ଟାଦ୍ଦ ପ୍ରାରମ୍ଭର ରମଣୀ ବୋଲି, ସ୍ବାମୀ ମଲେ ନିଆଁକୁ ଧାସ ଦେଇ ପ୍ରାଣ ହାରିବି…

ନା; ସ୍ୱାମୀଙ୍କ ମହାପ୍ରୟାଣ ପରେ ବି
ମୁଁ ଚନ୍ଦ୍ରରେ ପାଦ ଥାପିଵି..
ଅଲମ୍ପିକ୍ସ ରେ ସ୍ଵର୍ଣ୍ଣ ଜିତିବି…
ରାଜା ଭରତଙ୍କ ବିଶାଳ ରାଜ୍ୟକୁ ବି ଶାସନ କରିବି….
ଆଉ ଏ ପୁରୁଷ ଜାତିର ଭାବନାକୁ ବଦଳାଇଦେବି….।

ନାରୀର ଅଧିକାରକୁ
ନାରୀର ସ୍ଵାଧୀନତାକୁ
ନାରୀର ଇଚ୍ଛା ସ୍ବପ୍ନକୁ…
ଏଇ ପୁରୁଷ ପ୍ରାଧାନ୍ୟ ସମାଜରୁ ଛଡ଼େଇ ଆଣିବି….।।

ମୁଁ ମିଥିଳାର ସୀତା ନୁହଁ ଯେ,
ଚୁପଚାପ ସହିଯାଇ… ପାତାଳୀ ହୋଇଯିବି।

ମୁଁ ଦ୍ରୁପଦ ରାଜାଙ୍କ ଦୁହିତା ‘ଦ୍ରୌପଦୀ’ ‘ଦ୍ରୌପଦୀ’….!!

LEAVE A REPLY

Please enter your comment!
Please enter your name here