ହିନ୍ଦୁ ପୁରାଣ ଶାସ୍ତ୍ର ଅନୁସାରେ ପବିତ୍ର ଗୁରୁ ପୂର୍ଣ୍ଣିମା ଦିନ ଭଗବାନ ଶିବ ସପ୍ତର୍ଷୀ କୁହାଯାଉଥିବା ସାତ ଜଣ ମହାନ୍ ଋଷି ବଶିଷ୍ଠ, ମରିଚୀ, ପୁଲସ୍ତ୍ୟ, ପୁଲହ, ଅତ୍ରି, ଆଙ୍ଗିରା ଏବଂ କ୍ରତୁ ଏହି ସାତ ଜଣଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ତାହା ପରଠାରୁ ପ୍ରତିବର୍ଷ ଏହି ଋଷିମାନେ ଭଗବାନ ଶିବଙ୍କୁ ଏହି ଆଷାଢ଼ ପୂର୍ଣ୍ଣିମାରେ ଗୁରୁ ହିସାବରେ ପୂଜା କରୁଥିଲେ । ଯାହା ଗୁରୁ ପୂର୍ଣ୍ଣିମା ନାମରେ ନାମିତ ହେଲା । ସେହି ପରମ୍ପରାକୁ ଅନୁସରଣ କରି ଆମ ହିନ୍ଦୁ, ଜୈନ ଓ ବୌଦ୍ଧ ଧର୍ମର ବ୍ୟକ୍ତିବିଶେଷ ଗୁରୁମାନଙ୍କୁ ପୂଜା ଓ ସମ୍ମାନ କରିଥାନ୍ତି । ଅବଶ୍ୟ ବର୍ତମାନ ଏହା ବିଲୁପ୍ତ ପ୍ରାୟ । କିନ୍ତୁ ନେପାଳରେ ବୌଦ୍ଧ ଧର୍ମାବଲମ୍ବୀମାନେ ଏହି ଦିନଟିକୁ ଏବେବି ଆନ୍ତରିକତାର ସହ ପାଳନ କରୁଛନ୍ତି । ସମାଜରେ ଆଧ୍ୟାତ୍ମିକ ଗୁରୁ ହୁଅନ୍ତୁ ବା ଶିକ୍ଷା ଗୁରୁ ଏମାନଙ୍କର ଅବଦାନ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ଏକ ସୁସ୍ଥ ସମାଜ ଗଠନ ଏବଂ ସାମାଜିକ ଶୃଙ୍ଖଳା ଓ ସନ୍ତୁଳନ ପାଇଁ ଆଧ୍ୟାତ୍ମିକ ଗୁରୁମାନଙ୍କର ନିଷ୍ଠା, ସାଧନା ଓ ମାର୍ଗଦର୍ଶନ ଆମ ସମସ୍ତଙ୍କ ପାଇଁ ବତୀଘର ସଦୃଶ । ଅନ୍ୟପକ୍ଷରେ ଏକ ସୁଦୃଢ଼ ଓ ଶିକ୍ଷିତ ସମାଜ ତଥା ଗୋଟିଏ ଶିଶୁକୁ ମଣିଷରେ ପରିଣତ କରିବାର ପ୍ରକ୍ରିୟାରେ ଶିକ୍ଷା ଗୁରୁମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ମହନୀୟ । ତେଣୁ ଆଧ୍ୟାତ୍ମିକ ଗୁରୁ ହୁଅନ୍ତୁ ବା ଶିକ୍ଷା ଗୁରୁ, ଏହି ଦିନଟିରେ ଗୁରୁପୂଜାର ପରମ୍ପରାକୁ ଆମେ ସମସ୍ତେ ଆଗେଇନେବା ସହ ଗୁରୁମାନଙ୍କୁ ଉପଯୁକ୍ତ ସମ୍ମାନରେ ସମ୍ମାନିତ କରିବା ଉଚିତ ।