ଆଗକୁ ଲଢ଼େଇ ! ମୁକୁଟ ପିନ୍ଧା ଚାଲିଛି !!!

0
385

ବ୍ରହ୍ମପୁର(ଓବି ନ୍ୟୁଜ)(ପ୍ରକାଶ ପଟ୍ଟନାୟକ): କେନ୍ଦ୍ରର ଶାସକ ଦଳ ଓ ରାଜ୍ୟର ଶାସକ ଦଳ ଉଭୟଙ୍କୁ ଏବେ ଘାରିଛି ଚିନ୍ତା ଆଉ ଚିନ୍ତା । କ୍ଷମତା ଅକ୍ତିଆରର ଚିନ୍ତା ଯେତିକି ନାହିଁ ତାହା ଠାରୁ ଅଧିକ ଦଳୀୟ ସଂଗଠନର ଚିନ୍ତା । ଦଳ ଭିତରକୁ ଏଂଟ୍ରି ମାରୁଥିବା ଏବଂ ବର୍ଷ ବର୍ଷ ଧରି ଦଳର ଗୁଣଗାନ କରି ପଡ଼ି ରହିଥିବା ସଦସ୍ୟ ସଦସ୍ୟାଙ୍କୁ ଥଇଥାନ କରିବାର ଚିନ୍ତା ଏବେ ଜୋର୍ ରେ ଘାରିଛି । ଯେନ ତେନ ପ୍ରକାରେ ଫଳପୁଷ୍ପ ଦେଇ ସେମାନଙ୍କୁ ଶାନ୍ତି କରାଇବା ଚକ୍କରରେ ଦଳର ମଙ୍ଗଧାରୀ ନେତା ମାନେ ନାକେଦମ୍ ହୋଇ ଗଲେଣି । ଦଳୀୟ ସଂଗଠନରେ ପଦବିଟିଏ ନମିଳିଲେ କିଏ ମୁହଁ ଫୁଲାଉଛି ତ ଆଉ କିଏ ମାଙ୍କଡ଼ ଡ଼ିଆଁର ଧମକ ଦେଉଛି । ନେତା ଓ ମନ୍ତ୍ରୀଙ୍କୁ ଖୁସି କରାଇବା ପାଇଁ କିଏ ପାଣି ପରି ଅର୍ଥ ଖର୍ଚ୍ଚ କରିଥିବା କଥାକୁ ଦୋହରାଉଛି ତ ଆଉ କିଏ ସଭା ସମିତି ପାଇଁ ଅର୍ଥ ଖର୍ଚ୍ଚ କରି କର୍ମୀ ଓ ସମର୍ଥକଙ୍କୁ ସଭା ସ୍ଥଳକୁ ଆଣିଥିବା କଥା ମନେ ପକାଇ ଦେଉଛି । ଆଉ ସେମାନଙ୍କ ସ୍ୱର ଭିତରେ ହୁଙ୍କାର ଦେବାକୁ ମଧ୍ୟ ଭୁଲୁ ନାହାନ୍ତି ବାନର ସେନା । ସେମାନଙ୍କର ଯୁକ୍ତି ଛାତ୍ରଙ୍କୁ ନଧରିଲେ ସଭା ସମିତି, ରାଲି ଆଦିରେ ଜୟ ଜୟକାର ଧ୍ୱନୀ କିଏ ଦେବ । ଏଣୁ ଛାତ୍ରଙ୍କ ନେତୃତ୍ୱ ନେଉଥିବା ଛାତ୍ର ନେତାଙ୍କୁ ମଧ୍ୟ ଦରକାର ସାଙ୍ଗଠନିକ ପଦବି । ସେପଟେ ଛାତ୍ର ଓ ବରିଷ୍ଠଙ୍କ ମଧ୍ୟରେ ଝୁଲି ରହୁଥିବା ଯୁବକମାନେ ମଧ୍ୟ ନଛଡ଼ୋ ବନ୍ଧା ନ୍ୟାୟରେ ନିଜ ନିଜର ପତିଆରା ଦେଖାଇବାକୁ ଭୁଲୁ ନାହାନ୍ତି । ସେହି କ୍ରମରେ ଦେଖିବାକୁ ଗଲେ ମହିଳା ସଂଗଠନର ସଦସ୍ୟା ମାନେ ମଧ୍ୟ କୌଣସି ଗୁଣରେ ପଛରେ ପଡ଼ି ନାହାନ୍ତି । ଭଲ ପଦବିଟିଏ ହାତେଇ ନେବା ପାଇଁ ଲାଗି ପଡ଼ିଛନ୍ତି ନିଜ ନିଜର ଲବିରେ ।
ଏଣୁ ଏବେ ଉଭୟ ବିଜେପି ଓ ବିଜେଡି ଦଳର ଛାମୁଙ୍କୁ ବିରୋଧୀ ଦଳଙ୍କ କାଉଂଟର୍ ଆଟାକ୍ କୁ ଯେତିକି ଡ଼ର ନାହିଁ ତାହା ଠାରୁ ଅଧିକ ଡ଼ର ଘାରୁଛି ଦଳ ଭିତରେ ରହି ଭାଗ ମାପ ନଛିଡ଼ିଲେ ଗୋଛି କାଟିବାକୁ ମସୁଧା ଚଳାଉଥିବା କର୍ମୀ ଓ ନେତାଙ୍କୁ ନେଇ । ରାଜନୀତିରେ ଘଡ଼ିକୁ ଘୋଡ଼ା ଛୁଟେ । ଏଠି କିଏ କାହାର ନା ଚିର ଶତ୍ରୁ ନା ଚିର ମିତ୍ର । ବାସ୍ ଏହି କଥା ପଦକ ଛାତି ଥରାଇ ଦେଉଛୁ ଉଭୟ ଦଳର ମୁଣ୍ଡିଆଳିଙ୍କ ।
ଏଥି ପାଇଁ ଏବେ ଦଳର ସଂଗଠନକୁ ନେଇ ନିଇତି କସରତ ଚାଲିଛି । ଆଗକୁ ଆସୁଛି ପଂଚାୟତ ଓ ପୌର ନିର୍ବାଚନ । ଆଉ ତାକୁ ସାମନା କରୁ କରୁ ମାଡ଼ି ଆସିବ ସାଧାରଣ ନିର୍ବାଚନ । ଏଣୁ ଏବେ ଠାରୁ ଆରମ୍ଭ ହୋଇଗଲାଣି ସଜବାଜ । ଜମା ଫୁରସତ୍ ନାହିଁ । ନେତା ଓ ମନ୍ତ୍ରୀଙ୍କ ତାଲିକା ପ୍ରକାରେ କର୍ମୀ ଓ ସମର୍ଥକଙ୍କୁ ନୂଆ ନୂଆ ଦାୟିତ୍ୱ ପ୍ରଦାନ ସହ ମୁକୁଟ ପିନ୍ଧାଇବାରେ ବ୍ୟସ୍ତ ଏବେ ସବୁ ଦଳ । ଅବଶ୍ୟ କର୍ମୀଙ୍କ ଆକ୍ସନ ଓ ରିଆକ୍ସନ୍ କୁ ଦେଖି ମୁକୁଟ ପିନ୍ଧାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯେନ ତେନ ପ୍ରକାରେ ଥଇଥାନ କରି ଖୁସି ରଖିବାକୁ ହେବ ସମସ୍ତଙ୍କୁ । ଏଥି ପାଇଁ ସାଙ୍ଗଠନିକ ପଦବି ଯେତେ ସୃଷ୍ଟି ହେଲେ ବି ଚିନ୍ତା ନାହିଁ । ଦଳୀୟ ସଂଗଠନର ଉପସଭାପତି, ସାଧାରଣ ସମ୍ପାଦକ ପଦବି ସଂଖ୍ୟା ୧୦୦ ଟପି ଯାଉ ପରବା ନାହିଁ, ଯାହା ହେଲେ ବି ନିର୍ବାଚନ ବୈତରଣୀ ପାର ହେବା ପର୍ଯ୍ୟନ୍ତ ସମସ୍ତଙ୍କୁ ମନେଇ ବୁଝେଇ ବାନ୍ଧି ରଖିବାକୁ ହେବ । ନହେଲେ କଥା ସରିଲା ।
ସେପଟେ କଂଗ୍ରେସ ଦଳର କଥା ନକହିବା ଭଲ । ସର୍ବ ପୁରାତନ ଏହି ଦଳ ବାରମ୍ବାର ନୁଆ ନୁଆ ଏକ୍ସପେରିମେଂଟ୍ କରି ଆସୁଥିଲେ ବି ସଂଗଠନର ଅବସ୍ଥା ଯେଉଁ ତିମିରେ କୁ ସେହି ତିମିରେ ରହି ଯାଉଛି । ଏଠି କିଏ କାହା କାନ୍ଧରେ ବନ୍ଧୁକ ରଖି ଫୁଟାଇବା ପାଇଁ ଅଂଟା ଭିଡ଼ୁଛି ତ ଆଉ କିଏ ଗୋଡ଼ ଟାଣିବାରେ ଲାଗି ପଡ଼ୁଛି । ତଥାପି ନେତା ମାନେ ଆତ୍ମ ବିଶ୍ୱାସ ହରାଇ ନାହାନ୍ତି । ଭିଡ଼ା ଭିଡ଼ି ଯୋଡ଼ା ଯୋଡ଼ିରେ ଲାଗି ପଡ଼ିଛନ୍ତି ସମସ୍ତେ ।
ଦେଖାଯାଉ ଆଗକୁ ଆସୁଥିବା ନିର୍ବାଚନରେ କାହାର ଯୋଶ୍ ରହୁଛି ଆଉ କାହାର ହୋସ୍ ରହୁଛି ।

LEAVE A REPLY

Please enter your comment!
Please enter your name here