ସତରେ ଖୁସି ତ !!!

0
208

ବ୍ରହ୍ମପୁର (ଓବି ନ୍ୟୁଜ) (ପ୍ରକାଶ ପଟ୍ଟନାୟକ):ବହୁ ଘାତ ପ୍ରତିଘାତ ପରେ ବ୍ରହ୍ମପୁରର ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ମିଳିଲା ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା । ସରକାରଙ୍କ ହଁରେ ହଁ ମିଶାଇ ଗଦ୍ ଗଦ୍ ହୋଇ ଉଠିଲେ କଲେଜର ପୂର୍ବତନ ଛାତ୍ର ନେତାଙ୍କ ସମେତ ଜନପ୍ରତିନିଧିଗଣ । କଲେଜକୁ ବିଶ୍ୱବିଦ୍ୟାଳୟ ରୂପେ ଘୋଷଣା କରିବା ଅବସରରେ ଅତିଥି ରୂପେ ଆସନ ଅଳଙ୍କୃତ କରିଥିବା ଅତିଥିଗଣ କଲେଜର ଅତୀତ କୁ ମନେ ପକାଇ ଭାବବିହ୍ୱଳ ହୋଇ ଉଠିଲେ ।
ହେଲେ ଏହି ଐତିହାସିକ କଲେଜକୁ ନେଇ ଅତୀତରେ ଅନେକ କିଛି ପରୀକ୍ଷା ନିରୀକ୍ଷା କରି ଦିଆଗଲା । ଶିକ୍ଷାର ମାନବୃଦ୍ଧି ପାଇଁ ୨୦୧୫ ମସିହାରେ ରାଜ୍ୟ ସରକାର ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟକୁ ମହିଳା ବିଶ୍ୱବିଦ୍ୟାଳୟ ରୂପେ ଘୋଷଣା କଲେ । ସେହିପରି ସମ୍ବଲପୁରର ଗଙ୍ଗାଧର ମେହର ମହାବିଦ୍ୟାଳୟକୁ ନେଇ ଗଠନ କଲେ ଏକକ ବିଶ୍ୱବିଦ୍ୟାଳୟ । ତେବେ ଖଲିକୋଟ କଲେଜ ବେଳକୁ ଝୁଂଟି ପଡ଼ିଲେ । କିଏ ମନ୍ଦ ବୁଦ୍ଧି ଦେଲା କେଜାଣି ଭାରତ ବର୍ଷରେ କେଉଁଠି ନଥିବା କ୍ଲଷ୍ଟର୍ ବିଶ୍ୱବିଦ୍ୟାଳୟ ଗଠନ କଲେ । ଖଲିକୋଟ କଲେଜ ସମେତ ୫ଟି କଲେଜକୁ ନେଇ ଗଠନ ହେଲା ଏହା । ହେଲେ କ୍ଷମତାକୁ ନେଇ କଲେଜ ଅଧ୍ୟକ୍ଷ ଓ କୁଳପତିଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ତୁ ତୁ ମେ ମେ ର ଖେଳ । ବିଚରା ପିଲାମାନେ ଫଶିଗଲେ ସେଥିରେ । ଗୋଟାଏ ବିଲ୍‌ଡିଂରେ ଦୁଇଟି ବ୍ୟବସ୍ଥା ସମ୍ଭାଳି ହେଲାନି । ଏଥିପାଇଁ ବିଶ୍ୱବିଦ୍ୟାଳୟର ନିଜସ୍ୱ କୋଠା ନିର୍ମାଣ ପାଇଁ ସରକାର ଜମି ସହ ୨୦କୋଟି ଟଙ୍କା ଯୋଗାଇ ଦେଲେ । ହେଲେ ପୁଣି ଥରେ କୁମନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡ଼ିଲା । କ୍ଲଷ୍ଟର୍ ବିଶ୍ୱବିଦ୍ୟାଳୟକୁ ଭାଙ୍ଗି ଦିଆଗଲା । ଟଙ୍କା ଫେରିଗଲା, ଜମି ମଧ୍ୟ ଫେରିଗଲା । ଆଉ ଏକ ନୂଆ ଏକ୍ସପେରିମେଂଟ୍ କରିବାକୁ ଯାଇ ଗଠନ କରାଗଲା ଖଲିକୋଟ ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ । ଏକ ଘରୋଇ କଟେଜ୍ ପରିସରରେ କୋଟି କୋଟି ଟଙ୍କା ଭଡ଼ାରେ ଚାଲିଲା ତାହା । ଲୋକଙ୍କ ଅପବାଦ ସହିନପାରି ତାକୁ ମଧ୍ୟ ଭାଙ୍ଗି ଦିଆଗଲା । ଆରେ ଢ଼ାମଣା ବୁଲି ବୁଲି ପୁଣି ଥରେ ସେହି ଅଗଣା ନ୍ୟାୟରେ ଶେଷରେ ଲୋକେ ଯାହା ଚାହୁଁଥିଲେ ତାହା ହିଁ କରାଗଲା । ଖଲିକୋଟ କଲେଜକୁ ନେଇ ଗଠନ ହେଲା ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ । ହେଲେ ସେସବୁ ଭିତରେ ଛ ବର୍ଷ ପଛୁଆ ହୋଇଗଲା ସବୁ ବ୍ୟବସ୍ଥା । ହେଲେ ଦୁଃଖ ସେତିକିରେ ସରିଲା ନାହିଁ । ଏକକ ବିଶ୍ୱବିଦ୍ୟାଳୟର ଉଦଘାଟନ ପାଇଁ ଆୟୋଜିତ ସଭାରେ ମଧ୍ୟ ସାଜସଜ୍ଜାକୁ ନେଇ ବାରି ହୋଇ ପଡ଼ୁଥିଲା ଅଣଦେଖାର କଥା । କୁଳପତି, ସାଂସଦ, ବିଧାୟକ, ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଉପସ୍ଥିତିରେ ଏକକ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ନେଇ ଏତେ ବଡ଼ ଘୋଷଣା ହେଲା ହେଲେ ଉତ୍ସବକୁ ମନେ ରଖିବା ପରି ସେମିତି କିଛି ବର୍ଣ୍ଣାଢ଼୍ୟ ପରିବେଶ ଦେଖିବାକୁ ମିଳିନଥିଲା ।
ଏହାକୁ ବୈମାତୃକ ମନୋଭାବ କୁହାଯିବ ନା ଅଂଚଳ ବାସିନ୍ଦାଙ୍କ ସହନଶକ୍ତିର ନମୁନା କୁହାଯିବ ଉତର ଆପଣ ମାନଙ୍କର ।

LEAVE A REPLY

Please enter your comment!
Please enter your name here