ବର୍ଷ ବର୍ଷ ଧରି ଅଭିଶପ୍ତ ଜୀବନ ବିତାଉଛନ୍ତି କୁମୁଟିପଙ୍କାଳ ଗ୍ରାମବାସୀ : ମୌଳିକ ସୁବିଧା ଏଠାରେ ସାତସପନ : ଗ୍ରାମରେ କେବେ ପଡିବ ପ୍ରଶାସନ’ର ପାଦ ?

0
97

ପାରଳାଖେମୁଣ୍ଡି (ଓବି ନ୍ୟୁଜ) (ଗଣେଷ କୁମାର ରାଜୁ) ; ଗ୍ରାମର ବିକାଶରୁ ହିଁ ଦେଶର ବିକାଶ ସମ୍ଭବ । ଗ୍ରାମାଞ୍ଚଳ ଲୋକଙ୍କ ନିକଟ’ରେ ବିକାଶ’ର ଛିଟା ପହଞ୍ଚାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର’ଙ୍କ ପକ୍ଷରୁ ମାଳମାଳ ଯୋଜନା ସାଙ୍ଗକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି , ହେଲେ ଏହାର ସୁଫଳ ଲୋକଙ୍କ ଠାରେ କେତେ ପହଞ୍ଚୁଛି , ତାକୁ ନେଇ ଏଠାରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନା ଏଠାରେ ପ୍ରଶାସନ’ର ପାଦ ପଡୁଛି , ନା ନିର୍ବାଚିତ ଜନ-ପ୍ରତିନିଧି’ଙ୍କ ପାଦ ପଡୁଛି । ବିକାଶ ଏଠାରେ ସମ୍ପୂର୍ଣ୍ଣ ଭାବେ ଅପହଞ୍ଚ ହୋଇପଡିବା ସହ ସାତସପନ ହୋଇପଡିଛି । ଦେଶ ସ୍ବାଧୀନତା’ର ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ଲାଗି ରହିଥି ସମସ୍ୟା’ର ସମାଧାନ ହେବା ପରିବର୍ତ୍ତେ ଏହା ବଢ଼ିବାରେ ଲାଗିଛି । ବିକାଶ ପାଇଁ ମାଳ ମାଳ ଯୋଜନା ସହିତ ଜନ୍ମ’ରୁ ମୃତ୍ୟୁ ପର୍ଯ୍ୟନ୍ତ ଅର୍ଥାତ ମଶାଣି’କୁ ଗଲା ପର୍ଯ୍ୟନ୍ତ ସରକାର’ଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ହେଲେ ଅଞ୍ଚଳ’ର କି ଅଞ୍ଚଳବାସୀ’ଙ୍କ ସମସ୍ୟା’ର ଚିତ୍ର’ରେ କୋଣସି ପରିବର୍ତ୍ତନ କିଛିନାହିଁ । ବର୍ଷ ବର୍ଷ ଧରି ଗ୍ରାମବାସୀ ସମସ୍ତ ମୌଳିକ ସୁବିଧାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହୋଇ ଏକ ଅଭିଶପ୍ତ ଜୀବନ ବିତାଇ ଆସୁଛନ୍ତି , ଏଭଳି ଏକ ଗ୍ରାମ ଦେଖିବାକୁ ମିଳିଛି , ଗଜପତି ଜିଲ୍ଲା ରା:-ଉଦୟଗିରି ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ପୁରୁଣାପାଣି ପଞ୍ଚାୟତ’ର କୁମୁଟିପଙ୍କାଳ ଗ୍ରାମ ।
ଗଞ୍ଜାମ-ଗଜପତି ଜିଲ୍ଲା ସୀମାନ୍ତ’ରେ ବୃଷା ଓ ବାଗଦେଇ ପାହାଡ଼ ଘେରରେ ଏକ ସମତାଳିଆ ଅଞ୍ଚଳ’ରେ ରହିଛି , ଗଜପତି ଜିଲ୍ଲା’ର ଏହି ଆଦିବାସୀ ବହୁଳ ଗ୍ରାମ କୁମୁଟିପଙ୍କାଳ । ୨୬ ଗୋଟି ଆଦିବାସୀ ପରିବାର’ର ୧୦୦’ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି ଏହି ଗ୍ରାମରେ । ବର୍ଷ ବର୍ଷ ଧରି ଗ୍ରାମବାସୀ ବିଭିନ୍ନ ମୌଳିକ ସୁବିଧା:- ରାସ୍ତା , ଗମନାଗମନ , ସ୍ୱାସ୍ଥ୍ୟ , ଶିକ୍ଷା , ପାନୀୟଜଳ , ବିଦ୍ୟୁତ ଆଲୋକ ଓ ଏହିଭଳି ଆନେକ’ରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ । ଏସବୁ ବିକାଶ ସମ୍ପୂର୍ଣ୍ଣଭାବେ ଏଠାରେ ଅପହଞ୍ଚ ହୋଇପଡିଛି ।
ଗ୍ରାମବାସୀ’ଙ୍କ ନିରକ୍ଷରତା ସାଙ୍ଗକୁ ନିରୀହତା ଓ ଅସଚେତନତା ‘ଅଭାବ’ର ସୁଯୋଗ ନେଇ ଏଠାକାର ବିକାଶ କ୍ଷେତ୍ରରେ ବ୍ଲକ ଓ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ନିର୍ବାଚିତ ଜନ ପ୍ରତିନିଧି ମାନେ ଭୁଆଁ ବୁଲାଇ ଚାଲିଛନ୍ତି । କେବେ ହେଲେ ଏମାନଙ୍କ ପାଦ ଏହି କୁମୁଟିପଙ୍କାଳ ଗ୍ରାମରେ ପଡି ନ ଥିବା ଗ୍ରାମବାସୀ ସେମାନଙ୍କ ଅଭିଯୋଗ’ରେ କହିଛନ୍ତି।
ଗ୍ରାମ’ରେ ଅନେକ ତଥା ମାଳ ମାଳ ସମସ୍ୟା ଭରିରହିଛି ହେଲେ ଏଠାରେ ମୁଖ୍ୟ ସମସ୍ୟା ହେଲା:- ରାସ୍ତା , ପାନୀୟଜଳ , ବିଦ୍ୟୁତ ଆଲୋକ ଓ ଶିକ୍ଷା-ବ୍ୟବସ୍ଥା । ଏ ସବୁ ବିକାଶ କି ସମସ୍ୟା ଏଠାରେ ଗ୍ରାଉଣ୍ଡ ଜିରୋ ତଥା ତୃଣମୂଳ ସ୍ତର’ରୁ ଦେଖିବାକୁ ଗଲେ ଏସବୁ ଏଠାରେ ଅତ୍ୟନ୍ତ ଗମ୍ଭୀରଜନକ ସ୍ଥିତିରେ ରହିଛି । ଏସବୁ ବିକାଶ କ୍ଷେତ୍ରରେ ଏଠାରେ ବର୍ଷ ବର୍ଷ ଧରି ଅତ୍ୟନ୍ତ ଉଦାସୀନତା ଓ ଅବହେଳା ମନୋଭାବ ପ୍ରଦର୍ଶନ କରାଯାଇ ଆସୁଅଛି । ଏଥିପାଇଁ ଗ୍ରାମବାସୀ’ଙ୍କ ନିରୀକ୍ଷରତା ଓ ନିରୀହତା ହିଁ ବୋଧହୁଏ ଦାୟୀ ।
ରାସ୍ତା:–ଏହି ଆଦିବାସୀ ବହୁଳ କୁମୁଟିପଙ୍କାଳ ଗ୍ରାମ’କୁ ଯେଉଁ ବାଟ ଓ ପାର୍ଶ୍ଵ ଦେଇ ଗଲେ ମଧ୍ୟ ଏହା ଗଞ୍ଜାମ ଓ ଗଜପତି ଜିଲ୍ଲା ସୀମାନ୍ତରେ ରହିଥିବା ଯୋଗୁଁ ଗଞ୍ଜାମ ଜିଲ୍ଲା’ର ୪/୫ ଟି ବଡ଼ ବଡ଼ ଗ୍ରାମଦେଇ ଯିବାକୁ ହୋଇଥାଏ । ଗଞ୍ଜାମ ଜିଲ୍ଲା’ ଦିଗପହଣ୍ଡି ପଞ୍ଚାୟତ’ର ବଦପଦା କି ବଡ଼ ସାମନ୍ତରା ପୁର ଗ୍ରାମଦେଇ ଗଲେ ସେହି ଗ୍ରାମଠାରୁ ପ୍ରାୟ ୪/୫ କିମି: ଦୂରତା ପର୍ଯ୍ୟନ୍ତ କୋଣସି ରାସ୍ତା ନ ଥିବା ତଥା ଅବାଟ ଦେଇ ଯିବାକୁ ହୋଇଥାଏ କୁମୁଟିପଙ୍କାଳ ଗ୍ରାମ’କୁ । ଏମିତି’କି ଏହି ଗ୍ରାମର ପଞ୍ଚାୟତ ସଦର ମହକୁମା ପୁରୁଣାପାଣି ଯିବାକୁ ହେଲେ ମଧ୍ୟ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମଦେଇ ପ୍ରାୟ ୨୦ କିମି: ଦୂରତା ଦେଇ ଯିବାକୁ ହୋଇଥାଏ । ସେହିଭଳି ଗ୍ରାମଠାରୁ ବ୍ଲକ ସଦର ମହକୁମା ରା:-ଉଦୟଗିରି ଯିବାକୁ ଜଙ୍ଗଲ ପାହାଡ଼ ଦେଇ ହେଲେ ଦୂରତା ପ୍ରାୟ ୭୫ କିମି: ଏବଂ ମୁଖ୍ୟ ସଡ଼କପଥ ଦେଇ ଗଲେ ଦୂରତା ପ୍ରାୟ ୧୪୦ କିମି ପଡିଥାଏ ।
ରାସ୍ତା ନ ଥିବା ଯୋଗୁଁ କୋଣସି ହେଲେ ବିକାଶ କାର୍ଯ୍ୟ କୁମୁଟିପଙ୍କାଳ ଗ୍ରାମକୁ ପହଞ୍ଚି ପାରୁନି । ପାଦଚଲା ଅବାଟ ରାସ୍ତା ଏମିତି ଶୋଚନୀୟ ଅବସ୍ଥାରେ ରହିଛି ଯେ , ଥରେ ବର୍ଷା ହେଲେ ୩/୪ ଦିନ ପର୍ଯ୍ୟନ୍ତ ସେହି ରାସ୍ତା ଦେଇ ଲୋକଙ୍କ ଯିବା-ଆସିବା ଅସମ୍ଭବ ହୋଇ ପଡିଥାଏ । ଏମିତି’କି ଯୋଗାଯୋଗ ସବୁ କ୍ଷେତ୍ରରେ ପ୍ରାୟତଃ ବିଛିନ୍ନ ହୋଇ ଯାଇଥାଏ । ବହୁବାର ଏଠାରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା’ରେ ରାସ୍ତା ନିର୍ମାଣ ଦାବି ହୋଇଥିଲେ ହେଁ ସେଥିପ୍ରତି କୋଣସି ସ୍ତର’ରେ ହେଲେ ମଧ୍ୟ ଗୁରୁତ୍ୱ ଦିଆଯାଇନି ।
ପାନୀୟଜଳ:– ପାନୀୟଜଳ ସମସ୍ୟା ଏଠାରେ ଅତ୍ୟନ୍ତ ଗମ୍ଭୀରଜନକ ସ୍ଥିତିରେ ରହିଛି । ନାମକୁ ମାତ୍ର ଏଠାରେ୪ ଟି ନଳକୂପ ରହିଛି । ସେଥିମଧ୍ୟରୁ ୨ ଟି ଦୀର୍ଘବର୍ଷ ଠାରୁ ସମ୍ପୂର୍ଣ୍ଣ ଅକାମୀ ହୋଇ ପଡିରହି ଥିବା ବେଳେ ଅନ୍ୟ ୨ ଟି’ରେ ହାଣ୍ଡିଏ’ରୁ ୨ ହାଣ୍ଡି ପର୍ଯ୍ୟନ୍ତ ପାଣି ଅତି କଷ୍ଟ’ରେ ପାଣି ଆସୁଛି । ଗ୍ରାମରେ କୂଅ ନାହିଁ କି ପୋଖରୀ ନାହିଁ । ପାନୀୟ ଜଳ ଟୋପାଏ ପାଇଁ ଗ୍ରାମର ମହିଳା ମାନେ ଗ୍ରାମଠାରୁ ଦୀର୍ଘ ଦେଢ କିମି: ଦୁରତାରେ ଥିବା ମଦଗଡା ପାହାଡ଼ ତଳିଆ’ରୁ ପୁଣି ପାହାଡ଼ ଚଢି ଛୁଆଁ ଭଳି ଥିବା ଏକ ପଥର କୋରଡ’ରୁ ପାଣି ସଂଗ୍ରହ କରି କନାରେ ଛାଣି ଆଣନ୍ତି । ମଇଳା ପାଣି ଓ ବିଭିନ୍ନ ଜୀବଜନ୍ତୁଙ୍କ ଅଇଁଠା ପାଣି ସାଙ୍ଗକୁ ପାହାଡ଼- ଜଙ୍ଗଲ ମଧ୍ୟକୁ ଏତେ ଦୂରକୁ ଆସି ପାଣି ସଂଗ୍ରହ କରିବା ପାଇଁ ମନରେ ଭୟ ଥିଲେ ମଧ୍ୟ ଜୀବନ ବଞ୍ଚାଇବା ପାଇଁ ଏଠାକୁ ଆସି ପାଣି ସଂଗ୍ରହ କରି ନେବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି ଗ୍ରାମ’ର ସଂଯୁକ୍ତା ମଲ୍ଲିକ ଓ ରଞ୍ଜିତା ମଲ୍ଲିକ । ତେବେ ଗ୍ରାମରେ ୮ ଇଞ୍ଚିଆ ବୋର-ୱେଲ ଖୋଳାଇ ତାଦ୍ୱାରା ପାନୀୟଜଳ ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।
ଗ୍ରାମରେ ସ୍ୱଚ୍ଛ-ଭାରତ ଅଭିଯାନ ଯୋଜନା’ରେ ପ୍ରତ୍ୟେକ ଘର’କୁ ପାଇଖାନା ଯୋଗାଇ ଦିଆଯାଇଛି , ହେଲେ ପାଣି’ର ଘୋର ଅଭାବ ଯୋଗୁଁ ପାଇଖାନା ଗୁଡିକ ମୂଳରୁ ହିଁ ବ୍ୟବହାର ହୀନ ହୋଇ ପଡିରହିଛି ।
ଶିକ୍ଷା-ବ୍ୟବସ୍ଥା:–ଶିକ୍ଷା ବ୍ୟବସ୍ଥା କହିଲେ ଗ୍ରାମରେ ଗତ ୨୦୦୮’ରେ ଏକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି , ସେଠାରେ ୧ମ’ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଛି । ଏହି ବିଦ୍ୟାଳୟ ଉପରେ ନିକଟସ୍ଥ ଅଞ୍ଚଳ’ର ବାହାରତମ୍ପା , ,କୁମ୍ଭୀଖାଲ କୁମୁଟିପଙ୍କାଳ , ଭିତରତମ୍ପା , ପଦରବାଡ଼ି , ମାଳସିନ୍ଧିବା ଓ ନହନପୁର ପ୍ରଭୃତି ଗ୍ରାମର ପିଲାମାନେ ପାଠପଢ଼ା ଉପରେ ନିର୍ଭର କରିଥାନ୍ତି । ଗ୍ରାମର ଏହି ବିଦ୍ୟାଳୟ’ରେ ୨ ଜଣ ଶିକ୍ଷକ ନିଯୁକ୍ତ ହୋଇଥିଲେ ହେଁ ସିଆରସିସି ଓ ବିଇଓ: ଙ୍କ ଛାତ୍ରଛାୟା ତଳେ ରହି ବିଦ୍ୟାଅଳୟ’କୁ ଆସନ୍ତି ନାହିଁ । ଏହି ବିଦ୍ୟାଳୟ’ରେ ମୋଟ ୪୧ ଜଣ ଛାତ୍ରଛାତ୍ରୀ ଅଛନ୍ତି , ହେଲେ ଏମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ଶିକ୍ଷାଦାନ ,ମଧ୍ୟାହ୍ନ ଭୋଜନ , ପୋଷାକ , ପୁସ୍ତକ ପ୍ରଭୃତି ଉପରେ ସେମାନେ କିଛି ଜାଣନ୍ତି ନାହିଁ । ତେବେ ବିଦ୍ୟାଳୟ’ରେ ପିଲାଙ୍କୁ ସେସବୁ ଦିଆଯାଉ ନ ଥିଲେ ମଧ୍ୟ ତାହା ଯାଉଛି କୁଆଡେ ନା ମିଳିମିଶି ବାଟ-ମାରଣା କରାଯାଉଛି , ତାହା ଏଠାରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପ୍ରତ୍ୟେକ ଅଞ୍ଚଳ’ର ବିକାଶ କ୍ଷେତ୍ରରେ ଶିକ୍ଷା ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା ବେଳେ କୁମୁଟିପଙ୍କାଳ ଗ୍ରାମରେ ଶିକ୍ଷାବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ସବୁ ଦିନପାଇଁ ବିପର୍ଯ୍ୟସ୍ତ ଓ ଦିଗହରା ହୋଇପଡିଛି । ଯାହାକି , ଗ୍ରାମରେ ଜଣେ ହେଲେ ମଧ୍ୟ କେହି ଶିକ୍ଷିତ କି ଲେଖାପଢ଼ା ଜାଣିବା ଭଳି ନାହାନ୍ତି । ଏଭଳି ଗମ୍ଭୀର ସ୍ଥିତି ରହିଛି ଏଠାକାର ଶିକ୍ଷା-ବ୍ୟବସ୍ଥା ।
ବିଦ୍ୟୁତ-ଆଲୋକ:– ଏଠାରେ ବିଦ୍ୟୁତ ଆଲୋକ ବ୍ୟବସ୍ଥା ନ କହିଲେ ଭଲ । ବିଭାଗୀୟ ବିଦ୍ୟୁତ ସେବା ଏଠାରେ ପହଞ୍ଚି ପାରିନି । ବିଦ୍ୟୁତ ଆଲୋକ କହିଲେ ଏଠାରେ ସୋଲାର ଲାଇଟ ସିଷ୍ଟମ ସମସ୍ତ’ଙ୍କ ଘରେ ଯୋଗାଇ ଦିଆଯାଇଛି । ହେଲେ ବହୁବର୍ଷ ଧରି ଅଧିକାଂଶ ଅକାମି ହୋଇ ପଡିରହିଛି । ସେଥିସହିତ ଯୋଗାଇ ଦିଆ ଯାଇଥିବା ମେସିନ ଗୁଡାକ ଅଚଳ ଓ ଅକାମି ହୋଇ ପଡ଼ିଥିବା ଯୋଗୁଁ ।ସୋଲାର ଲାଇଟ ଆଉ ଜଳୁନି ।ଗ୍ରାମବାସୀ ଅନ୍ଧକାର ମଧ୍ୟରେ ରହି ଆସୁଛନ୍ତି । କୁମୁଟିପଙ୍କାଲ ଗ୍ରାମଠାରୁ ଅତି ଛୋଟ ଗ୍ରାମ ତଥା ନିକଟସ୍ତ ୨ କିମି ଦୂରତା’ରେ ଥିବା ବାହାର ଦମ୍ପା ଗ୍ରାମ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବସ୍ଥା ହୋଇଥିଲେ ହେଁ କୁମୁଟିପଙ୍କାଳ ଗ୍ରାମକୁ ବିଦ୍ୟୁତ ବ୍ୟବସ୍ଥା ହୋଇପାରିନି ।
ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ରହିଛି , ହେଲେ ଅଙ୍ଗନବାଡି କର୍ମୀ କି ହେଲପର ନିୟମିତ ଆସୁନାହାନ୍ତି । ଯାହା ଫଳରେ ଏଠାରେ ଥିବା ପିଲାମାନେ ପାଠ-ଖେଳ’ରୁ ବଞ୍ଚିତ ହେବା ସହ ପୁଷ୍ଟିକର ଖାଦ୍ୟ ପାଇପାରନ୍ତି ନାହିଁ ଓ ଗର୍ଭବତୀ ମହିଳା ମାନଙ୍କୁ ଛତୁଆ କି ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ଆବଶ୍ୟକୀୟ ସୂଚନା ମିଳି ପାରୁନାହିଁ ।
ସ୍ବାସ୍ଥ୍ୟସେବା:– ସ୍ବାସ୍ଥ୍ୟସେବା କହିଲେ ଗ୍ରାମକୁ ରାସ୍ତା ନ ଥିବା ଯୋଗୁଁ ସ୍ବାସ୍ଥ୍ୟସେବା ଏଠାରେ ଅପହଞ୍ଚ ହୋଇପଡିଛି । ଗ୍ରାମବାସୀଙ୍କ ସାମାନ୍ୟ ଜ୍ୱର , କାଶ କି ଥଣ୍ଡା ହେଲେ ଗ୍ରାମବାସୀ ଜେନତେନ ପ୍ରକାରେ ଚେରମୁଳି ଖାଇ ରହିଯାଆନ୍ତି , ହେଲେ ଜରୁରୀକାଳୀନ ସ୍ବାସ୍ଥ୍ୟସେବା କି ଗର୍ଭବତୀ ମହିଳା’ଙ୍କୁ ହଠାତ ସ୍ୱାସ୍ଥ୍ୟବସ୍ଥା କିଛି ଅସୁବିଧା ହେଲେ କିଛି କରିହୁଏନି । ଗ୍ରାମବାସୀ ରୋଗୀକୁ ଖଟ କିମ୍ବା ଅନ୍ୟ ଉପାୟ’ରେ ବୋହିନେଇ ଅତି କଷ୍ଟରେ ଦୂରରେ ଥିବା ଗଂଜାମ ଜିଲ୍ଲାର ଡେଙ୍ଗାଓସ୍ତା ନଚେତ ବଡ ସାମନ୍ତରା ପୁର ସ୍ଥିତ ଡାକ୍ତରଖାନା’ରେ ପହଞ୍ଚାଇ ଥାଆନ୍ତି ।
ସେହିଭଳି ଗ୍ରାମର ଅନ୍ୟାନ୍ୟ ସମସ୍ୟା ଗୁଡିକ ମଧ୍ୟରେ ରେଶନ-କାର୍ଡ , ଗ୍ରାମର ପ୍ରଶାନ୍ତ ମଲ୍ଲିକ , ଶିବ ମଲ୍ଲିକ , ଶୁଶାନ୍ତ ମଲ୍ଲିକ ଓ ସନ୍ତୋଷ ମଲ୍ଲିକ ପ୍ରଭୃତିଙ୍କୁ ମିଳି ନ ଥିବା ବେଳେ ଗ୍ରାମ’ର ୨ ଜଣ ଉଦୟ ମଲ୍ଲିକ ଓ କାନ୍ଦ୍ରୀ ମଲ୍ଲିକ’ଙ୍କୁ ଭତ୍ତା ମିଳୁନି । ସେହିଭଳି ଗ୍ରାମର ମାତ୍ର ୬ ଜଣ’ଙ୍କୁ ବିଜ୍ଜ ପକ୍କାଘର ମିଳିଥିବା ବେଳେ ଅନ୍ୟମାନେ ଏହି ଯୋଜନା’ରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହୋଇ ଝାଟିମାଟି ଘରେ ଅତ୍ୟନ୍ତ ଦୟନୀୟ ପରିସ୍ଥିତି’ରେ ରହି ଆସୁଛନ୍ତି । ରୋଜଗାର ଓ ଚଳଣି କହିଲେ , ନିକତସ୍ତ ପାହାଡ’ରେ ବଗଡ଼ ଚାଷରେ ବିଭିନ୍ନ ଶସ୍ୟ ଜାତୀୟ ଫସଲ ଉତ୍ପାଦନ କରି ଯାହା ବିକ୍ରିବଟା ହୁଏ , ସେଥିରେ ପରିବାର ଭରଣ-ପୋଷଣ ହୋଇଥାଏ ।
ଆଜକୁ ପ୍ରାୟ ୮ ବର୍ଷ ହେବ, ଗ୍ରାମବାସୀ’ଙ୍କୁ ମନରେଗା ଯୋଜନା’ରେ କୋଣସି କାମ ମିଳିନାହିଁ । ଆଜି ପର୍ଯ୍ୟନ୍ତ ଗ୍ରାମରେ କେହି କୋଭିଡ’ରେ ସଂକ୍ରମିତ ହୋଇ ନ ଥିଲେ ମଧ୍ୟ କୋଭିଡ ସଚେତନତା ପାଇଁ କେହି ଏଠାକୁ ଆସିନାହାନ୍ତି । ଏମିତିକି , ଗ୍ରାମବାସୀ କରୋନା ସମୟରେ ସରକାରଙ୍କ ପ୍ରଦତ୍ତ ମାର୍ଗଦର୍ଶିକା ତଥା ମାସ୍କ ପିନ୍ଧିବା , ସାମାଜିକ ଦୂରତା ରକ୍ଷା କରିବା , ଜନଗହଳି ପୂର୍ଣ୍ଣ ସ୍ଥାନକୁ ନ ଯିବା ଏବଂ ବାରମ୍ବାର ହାତକୁ ଧୋଇବା ପ୍ରଭୃତି’ର ଗୁରୁତ୍ୱ କଣ , ସେମାନେ ଜାଣନ୍ତି ନାହିଁ ।
ଏସବୁ ସମସ୍ୟା ଗୁଡିକ ଉପରେ ଆମେ ରା: ଉଦୟଗିରି ବ୍ଲକ ପ୍ରଶାସନ ତଥା ବିଡ଼ିଓ ଶ୍ରୀ ପ୍ରଦୀପ ନାୟକ’ଙ୍କୁ ପଚାରିବାରେ , ସେ ଏ ସମ୍ପର୍କରେ କିଛି କହିବେ ନାହିଁ ବୋଲି ରୋକଠୋକ ଭାବେ ମନା କରି ଦେଇଥିଲେ ।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା’ଙ୍କୁ କୁମୁଟିପଙ୍କାଳ ଗ୍ରାମ’ର ବିଭିନ୍ନ ସମସ୍ୟା ଉପରେ ପଚାରିବା’ରୁ ସେ ଏହାର ପ୍ରତତ୍ୟୁତ୍ତର’ରେ କହିଥିଲେ ଯେ , ଗ୍ରାମର ଉପରୋକ୍ତ ବିଭିନ୍ନ ସମସ୍ୟା ଗୁଡିକର ସମାଧାନ କରାଯିବା ଦିଗରେ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯିବ । ଗ୍ରାମର ଅବାଟ ରାସ୍ତାକୁ ଦେଖିବା ପରେ ହିଁ ତାକୁ ମନରେଗା ଯୋଜନା’ରେ ନଚେତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇ ରାସ୍ତା ନିର୍ମାଣ କରାଯିବ । ପାନୀୟଜଳ କ୍ଷେତ୍ରରେ ମୁଖ୍ୟତଃ ପାହାଡିଆ ଅଞ୍ଚଳ ହୋଇଥିବା ଯୋଗୁଁ ନଳକୂପ ଖୋଳାଇଲେ ପାଣି ରହୁ ନ ଥିବ । ତେଣୁ ନିକଟସ୍ତ ଜଳସ୍ରୋତ’ରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବା ଦିଗରେ ଉଚିତ ପଦକ୍ଷେପ ନିଆଯିବ । ଅନ୍ୟପକ୍ଷରେ ଗ୍ରାମରେ ଅନ୍ୟ ଯେଉଁସବୁ ସମସ୍ୟା ଗୁଡିକ ରହିଛି , ସେଥିପାଇଁ ବ୍ଲକ ପ୍ରଶାସନ’ଙ୍କୁ ନିର୍ଦ୍ଦେଶ ଦିଆଯିବ ଯେ , ଅତି ନିକଟ’ରେ ଏକ ପ୍ରତିନିଧି ଦଳ ସମ୍ପୃକ୍ତ କୁମୁଟିପଙ୍କାଳ ଗ୍ରାମକୁ ଯାଇ ସେଠାକାର ରହିଥିବା ସମସ୍ୟା ଗୁଡିକ ଚିହ୍ନଟ କରିବେ , ଏବଂ ତାହା ହେବାପରେ ସମସ୍ୟା ଗୁଡିକୁ ଦେଖି ସମାଧାନ କରାଯିବା ଦିଗରେ ବିହିତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା କହିଥିଲେ ।

LEAVE A REPLY

Please enter your comment!
Please enter your name here