ଗାଙ୍ଗପୁରରେ ମାଙ୍କଡ଼ ଉପଦ୍ରବ: ଘରେ ପଶି ଲୁଟୁଛନ୍ତି ପରିବା ଏବଂ ରାସନ୍

0
71

ଭାଙ୍ଗିଲେ ସାମ୍ବାଦିକାଙ୍କ ମୋବାଇଲ୍

ବେଲଗୁଣ୍ଠା (ଓବି ନ୍ୟୁଜ)(ସୁଧାଂଶୁ ଶେଖର ବିଷୋୟୀ): ବିଭିନ୍ନ କାରଣରୁ ବହୁ ସମୟରେ ବିଭିନ୍ନ ଜଙ୍ଗଲୀ ଜନ୍ତୁ ଗାଆଁ ଭିତରକୁ ପଶି ଯିବା ଫଳରେ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି I ଗତ କିଛି ଦିନ ହେବ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ବଡ଼ ଦାଣ୍ଡ ସାହିର ଲୋକେ ଉଭୟ ଶତାଧିକ ହନୁ ମାଙ୍କଡ଼ ଏବଂ ପାତି ମାଙ୍କଡ଼ ଉପଦ୍ରବରେ ଅତିଷ୍ଠ ହୋଇପଡିଛନ୍ତି I ବିଶେଷ କରି 100 ରୁ ଊର୍ଦ୍ଧ୍ୱ ଏକ ପାତି ମାଙ୍କଡ଼ ଦଳ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି I ଏହି ମାଙ୍କଡ ଦଳ ରାତିରେ ସାହିର ବାଡ଼ି ପଟେ ଥିବା ବିଭିନ୍ନ ଗଛରେ ଆଶ୍ରୟ ନେଉଥିବା ବେଳେ ରାତି ପାହିବା କ୍ଷଣି ଘର ବାଡ଼ି ପଟ, ରୋଷେଇ ଘର ଏବଂ ଛାତ ଉପରେ ନିଜର ତାଣ୍ଡବ ଆରମ୍ଭ କରିଦିଅନ୍ତି I ଏହି ମାଙ୍କଡ଼ ଦଳ ବିଶେଷ କରି ଛୋଟ ଛୁଆ ଏବଂ ସ୍ତ୍ରୀ ଲୋକଙ୍କୁ ଦେଖିଲେ କାମୁଡ଼ିବା ପାଇଁ ଗୋଡ଼ାଉ ଥିବା ବେଳେ ବାଡ଼ି ପଟେ ଥିବା ପନି ପରିବା ଏବଂ ଫୁଲ ଗଛ ଗୁଡ଼ିକୁ ନଷ୍ଟ କରି ସାରିଲେଣି I ମାଙ୍କଡ ଦଳ ଲୋକ ମାନଙ୍କ ରୋଷେଇ ଘରକୁ ଟାର୍ଗେଟ୍ କରି ଟିକେ ସୁଯୋଗ ପାଇଲେ ଘର ଭିତରେ ପଶିଯିବା ସହ ରନ୍ଧା ଖାଦ୍ୟ ଗୁଡ଼ିକୁ ହାତ ମୁହଁ ମାରି ନଷ୍ଟ କରିଦେବା ସହ ହାତରେ ଯାହା ପଡ଼ୁଛି ଧରି ଗଛକୁ ଚଢି ଯାଉଛନ୍ତି I ବିଶେଷ କରି ରୋଷେଇ ଘରୁ ପରିବା ପତ୍ର ନେଇ ଯେତିକି ଖାଉ ନାହାନ୍ତି ତାଠାରୁ ଅଧିକ ମୂଲ୍ୟବାନ ରାସନ୍ ସାମଗ୍ରୀ ପ୍ୟାକେଟ ଯେପରିକି ଅମୂଲ୍,ତେଲ, ମସଲା ଗୁଣ୍ଡ ପ୍ୟାକେଟ୍ ଆଦି ନେଇ ପ୍ୟାକେଟ ଗୁଡ଼ିକୁ ଚିରି ଦେଇ ତଳେ ଫୋପାଡ଼ି ନଷ୍ଟ କରିଦେଉଛନ୍ତି I

ବର୍ତ୍ତମାନ ମହଙ୍ଗା ଯୁଗରେ ମାଙ୍କଡ଼ ରାସନ୍ ସାମଗ୍ରୀ ଲୁଟ୍ କରିବା ଘଟଣା ଲୋକଙ୍କୁ ବହୁତ ବାଧୁଛି I ଏପରିକି ଗତ ରାକ୍ଷୀ ପୂର୍ଣ୍ଣମୀ ଦିନ ମିଲୁ ବିଷୋୟୀଙ୍କର ରୋଷେଇ ଘରେ ଏକ ପଲିଥିନ୍ ବ୍ୟାଗ୍ ରେ ମଟନ୍ ଥୁଆ ହୋଇଥିବା ବେଳେ ଗୋଟିଏ ମାଙ୍କଡ଼ ରୋଷେଇ ଘରେ ପଶିଯାଇ ସେହି ମଟନ୍ ଭର୍ତ୍ତି ବ୍ୟାଗ୍ ଟିକୁ ନେଇ ନିକଟସ୍ଥ ଏକ ତେନ୍ତୁଳି ଗଛକୁ ଚଢିଯିବା ସହ ବ୍ୟାଗ୍ ଟିକୁ ଚିରି ତଳେ ଫୋପାଡ଼ି ଦେଇଥିଲା I

ସେହିପରି ଗତ କାଲି ସାହିର ବେଲଗୁଣ୍ଠା ଓଡ଼ିଶା ନ୍ୟୁଜ୍ ରିପୋର୍ଟର ବର୍ଷାରାଣୀ ସ୍ଵାଇଁ ରୋଷେଇ କରୁଥିବା ସମୟରେ ଗୋଟିଏ ମାଙ୍କଡ଼ ତାଙ୍କ ଘରେ ପଶି ଗୋଟିଏ ତେଲ ପ୍ୟାକେଟ ସହ ସାମ୍ବାଦିକଙ୍କ ମୋବାଇଲ୍ ଟି ଧରି ଚମ୍ପଟ୍ ମାରିଥିଲା I ଏହି ସମୟରେ ମୋବାଇଲ୍ ଟି ମାଙ୍କଡ଼ ହାତରୁ ଖସି ଏକ ପଥର ଉପରେ ପଡ଼ି ଭାଙ୍ଗିଯାଇଥିଲା I ମାଙ୍କଡ଼ ଭୟରେ ଏହି ସାହିର ସ୍ତ୍ରୀ ଏବଂ ଛୁଆ ମାନେ ବାଡ଼ି ପଟକୁ ଯିବାକୁ ଭୟ କରୁଛନ୍ତି I ତେଣୁ ବନ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ମାଙ୍କଡ଼ ପଲକୁ ଜଙ୍ଗଲକୁ ଘଉଡେଇବା ପାଇଁ ଦାବି ହୋଇଛି I

LEAVE A REPLY

Please enter your comment!
Please enter your name here