
ବ୍ରହ୍ମପୁର (ଓବି ନ୍ୟୁଜ)(ଅମର ଦାଶ): ଓଡ଼ିଶାର ଅନ୍ୟତମ ପୁରାତନ ଓ ବୃହତମ ଜିଲ୍ଲା କୋର୍ଟ ବ୍ରହ୍ମପୁରରେ ହାଇକୋର୍ଟର ଏକ ସ୍ଥାୟୀ ବେଂଚ୍ ପ୍ରତିଷ୍ଠା ଦାବି ନେଇ ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ହୋଇ ଆସୁଛି । ପୂର୍ବରୁ ଏଥି ପାଇଁ ଆନ୍ଦୋଳନ ସହ ଦୀର୍ଘ ମାସ ଧରି କୋର୍ଟ କାର୍ଯ୍ୟକୁ ଓକିଲ ମାନେ ବନ୍ଦ ରଖିଥିଲେ ତେବେ ସଂଘର ନିଷ୍ପତି ପ୍ରକାରେ ମାସର ଶେଷ ୪ଦିନ ସଂଘ ପକ୍ଷରୁ କୋର୍ଟ କାର୍ଯ୍ୟକୁ ବର୍ଜନ କରାଯିବା ସହ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆଯାଉଛି ଏଣୁ ସେହି କ୍ରମରେ ଆଜି ମାସର ଶେଷ ଦିନ ହୋଇଥିବାରୁ ସଂଘ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ଡ଼କାଯାଇ ଦାବି ପୂରଣ ଦିଗରେ ଆନ୍ଦୋଳନକୁ କିପରି ଆହୁରି ତୀବ୍ରତର କରାଯାଇ ପାରିବ ଜନପ୍ରତିନିଧି ସମେତ ବିଭିନ୍ନ ସଂଗଠନର ସହଯୋଗ ନିଆଯାଇ ପାରିବ ସେଦିଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଦାବି ପୂରଣ ଦିଗରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଗାମୀ ଦିନରେ ବିଭିନ୍ନ ପନ୍ଥା ଅବଲମ୍ବନ କରିବା ପାଇଁ ସଂଘ ବୈଠକରେ ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ ବହୁ ବରିଷ୍ଠ ଆଇନଜୀବୀଙ୍କ ସମେତ ସଂଘ ସଭାପତି ଜନାର୍ଦ୍ଧନ ସୁବୁଦ୍ଧି , ସମ୍ପାଦକ ପ୍ରଦୀପ ବେହେରା, ପୂର୍ବତନ ସଭାପତି ଦୀପକ ପଟ୍ଟନାୟକ, ଶିଶିର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଦାବି ହାସଲ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।