ଗୋପାଳନ ଦେଇଛି ବଞ୍ଚିବାର ରାହା

0
171

ଗଞ୍ଜାମ(ଓବି ନ୍ୟୁଜ) (ଅରୁଣ ଶତପଥୀ):ମହାମାରୀ କରୋନର ପ୍ରକୋପରେ ନଷ୍ଟ ହୋଇଛି ଅନେକଙ୍କ ଜୀବିକା । ବଞ୍ଚିବାର ରାହା ଖୋଜୁଥିବା ଏଠିକାର କେତକ ମଣିଷ ମାନଙ୍କୁ ପୁଣି ଯିବାକୁ ପଡୁଛି ପ୍ରବାସକୁ ।ପରିବାର ଚଳେଇବା ପାଇଁ ବହୁ ନିମ୍ନ ମଧ୍ୟବିତ୍ତ ପରିବାର ଚିନ୍ତାରେ ପଡ଼ିଯାଇଥିବାବେଲେ କିଏ ସରକାରୀ ସାହାଯ୍ୟ କୁ ଅପେକ୍ଷା କରି ବସିଛି ତ କାହାର ଜୀବନର ଗତିପଥ ବଦଳାଇବା ଏକପ୍ରକାର
ବଧ୍ୟହୋଇପଡ଼ିଛି ।ଏଭଳି ପରିସ୍ଥିତିରେ ଗୋପାଳନ ଦେଇଛି ବଞ୍ଚିବାର ରାହା ।ଏମିତି ଏକ ଦମ୍ପତି ଦୀର୍ଘଦିନ ଧରି ଗୋପାଳନକୁ ମୁଖ୍ୟ ବୃତିଭାବେ ଗ୍ରହଣ କରି ନିଜକୁ ଏବଂ ନିଜ ପରିବାରକୁ ସ୍ବାବଲମ୍ବୀ କରିବା ସହ ମହାମାରୀ ସମୟରେ ରୋଜଗାରର ଭୟ ସେମାନଙ୍କର ଆଦୌ ନାହିଁ।ନିଜ ଜନ୍ମମାଟି ରେ ଗୋପାଳନ କରି ଖୁବ୍ ସୁଖ ଓ ଶାନ୍ତିରେ ଚଳି ଆସୁଥିବା ଏହି ଦମ୍ପତି ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।ନିଜର କୌଣସି ପୈତୃକ ସଂପତ୍ତି କିମ୍ବା ଅନ୍ୟ କୌଣସି ରୋଜଗାରର ପନ୍ଥା ନଥାଇ ସୁଦ୍ଧା ଜଣେ ଦୁଗ୍ଧ ଚାଷୀ ଭାବରେ ନିଜସ୍ଵ ଉଦ୍ୟମରେ ଛୋଟିଆ ଗାଈ ଫାର୍ମ ହାଉସ୍ କରି ମାସିକ ପ୍ରାୟ ୬୦ ରୁ ୭୦ ହଜାର ଟଙ୍କା ରୋଜଗାର କରିପାରୁଥିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ସଦୃଶ୍ୟ ହୋଇଛି ।
ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରର ଉପକଣ୍ଠରେ ପୁତି ଗୋପାଳପୁର ଠାରେ ନିଜସ୍ଵ ଘରଖଣ୍ଡିଏ କରି ରହି ଆସୁଛନ୍ତି ତେଲୁଗୁ ସମ୍ପ୍ରଦାୟର ଦମ୍ପତି ତମେୟା ଏବଂ ତାଙ୍କ ସ୍ତ୍ରୀ ସୋମୁଲାମ୍ମା ।ପରିବାରରେ କେବଳ ତାଙ୍କ ତିନି ଝିଅଙ୍କୁ ନେଇ ତାଙ୍କ ସଂସାର ।ପୂର୍ବେ ମୁଲଲାଗି ପେଟ ପୋଷୁଥିବା ଏହି ଦମ୍ପତି ପ୍ରଥମେ ଗୋଟିଏ ଗାଈ ରଖି ନିଜର ବ୍ୟବଶାୟ ଆରମ୍ଭ କରିଥିଲେ । ଏବେ ତାଙ୍କର ପ୍ରାୟ ୨୫ ଗୋଟି ଗାଈ ରହିଛି ।
ନିଜ ଘରବାରିରେ ଚାଲିଛି ତାଙ୍କ ଗୋପାଳନ କେନ୍ଦ୍ର ।ରାତି ପାହିବା ପୂର୍ବରୁ ଆରମ୍ଭ ହୋଇଯାଏ ଗୋ ସେବା ,ଶେଷ ହୁଏ ରାତିହେବା ପୂର୍ବରୁ ।କିନ୍ତୁ ଦୁଗ୍ଧ ଆଦି ବ୍ୟବସାୟ ଚାଲେ ରାତ୍ରର କିଛି ଘଣ୍ଟା ପର୍ଯ୍ୟନ୍ତ ।
ଗୋଟିଏ ଗାଇ ଠାରୁ ପ୍ରାୟ ୧୦ ରୁ ୧୫ ଲିଟର କ୍ଷୀର ଦୈନିକ ଆଦାୟ କରୁଥିବା ବେଳେ ହାରାହାରି ସମୁଦାୟ ଗାଈ ଠାରୁ ମୋଟ ୫୦ ରୁ ୬୦ ଲିଟର କ୍ଷୀର ଆଦାୟ କରନ୍ତି ।ଏଥି ସହିତ ଦହି, ପନି ଅର୍, ଛେନା,ଘିଅ,ଲହୁଣୀ ଆଦି ପ୍ରସ୍ତୁତ କରି ସେଥିରୁ ମଧ୍ୟ ଅର୍ଥ ଉପାର୍ଜନ କରିପାରୁଛନ୍ତି ।ଗାଈ ଗୋବର,ଗୋମୁତ୍ର ମଧ୍ୟ ଆବଶ୍ୟକସ୍ଥଳେ ବିକା ହୁଏ ।ଗୋବର ଖତ ଚାଷୀ କିଣି ନିଅନ୍ତି ।ରାତି ପାହିଲେ ସଜ ଦୁହା ଗାଈ କ୍ଷୀର ଟିକିଏ ପାଇବା ପାଇଁ ଏଇଠି ଗ୍ରାହକ ଲାଗନ୍ତି ।ଛତ୍ରପୁର ସହରରେ ଆବଶ୍ୟକ ପଡୁଥିବା ଗାଇଖିରର ଚାହିଦା ମେଣ୍ଟାଇବା ପାଇଁ ଏହି ଦମ୍ପତି ସହାୟକ ହୋଇଥିବା ବେଳେ ଆଖପାଖ ଗ୍ରାମାଞ୍ଚଳ ରୁ ମଧ୍ୟ ଗ୍ରାହକ ମାନେ ଏଠାରୁ ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ଯ କିଣିନେଉ ଥିବା ଲକ୍ଷ ରହିଛି ।
ପ୍ରାୟ ୧୫ ରୁ ୨୦ ବର୍ଷ ଧରି ଗୋପାଳନ କରି ଆସୁଥିବା ଏହି ଦମ୍ପତ୍ତି ଙ୍କୁ କୋରାନ ମହାମାରୀ ର କବଳରେ ରୋଜଗାର ହରାଇବାର ଭୟ ଆଦୌ ଛୁଇଁ ନାହିଁ କିମ୍ବା ନିଜ ପରିବାର ପୋଷଣରେ ଅଭାବ ପରିଲକ୍ଷିତ ହୋଇ ନାହିଁ ।
ନିଜର ଏହି ସୀମିତ ରୋଜଗାର ଭିତରେ ତିନି ଝିଅଙ୍କୁ ପଠପଢ଼ାଇବାର ସହ ବାହା କରିପାରିଛନ୍ତି ।ଗୋପାଳନ ରେ ସହଯୋଗ ପାଇଁ ଝିଅଙ୍କୁ ପ୍ରଶଂସା କରିବା ସହ ନିଜେ ଖୁବ୍ ଖୁସିରେ ଥିବା ପ୍ରକାଶ କରନ୍ତି ଏହି ଦମ୍ପତି । ଗୋପାଳନ ନିମନ୍ତେ ବ୍ଲକ ପ୍ରଶାସନ ଓ କୃଷି କାର୍ଯ୍ୟାଳୟ ପକ୍ଷରୁ ଶ୍ରେଷ୍ଠ ଗୋପାଳକ ପୁରସ୍କାର ଓ ପ୍ରଶଂସା ପତ୍ର ପାଇଛନ୍ତି । ଗୋ ସେବା ହିଁ ମା ଲକ୍ଷ୍ମୀ ଙ୍କ ସେବା ବୋଲି
କହିବାସହ ଗୋପାଳନ ମାଧ୍ୟମରେ ନିଜର ଜୀବିକା ନିର୍ବାହ କରୁଥିବାରୁ ନିଜକୁ ବହୁତ ଖୁସି ଅନୁଭବ କରିବା ସହ ଦିନ ମଜୁରିଆ ରୁ ଦୁଗ୍ଧ ବ୍ୟବସାୟୀ ହୋଇ ପାରିଥିବା ଏହି ଦମ୍ପତି ନିଜର କଠିନ ପରିଶ୍ରମ ଓ ଦୃଢ ମନୋବଳ କେବେ ବୃଥା ଯାଏନି ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here