ମଉଳି ଯିବ କି କିଆ ଫୁଲର ମହକ???

0
40

ବ୍ରହ୍ମପୁର: (ପ୍ରକାଶ ପଟ୍ଟନାୟକ): ସମଗ୍ର ଭାରତ ବର୍ଷରେ ଅନ୍ୟତମ ଉନ୍ନତମାନର କିଆ ବନ କହିଲେ ଗଞ୍ଜାମ ଜିଲ୍ଲାକୁ ବୁଝାଇଥାଏ । ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳବର୍ତି ଅଂଚଳରେ ଅବସ୍ଥିତ ଛତ୍ରପୁର, ଖଲିକୋଟ, ଗଞ୍ଜାମ, ଚିକିଟି ଓ ରଙ୍ଗେଇଲୁଣ୍ଡା ବ୍ଲକ୍ ର ପ୍ରାୟ ଦେଢ଼ ଶହ ଗ୍ରାମର ୫ଲକ୍ଷ ଚାଷୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରିଥାନ୍ତି କିଆ ଫୁଲ ଚାଷ ଉପରେ । ୧୯୪୦ ମସିହାରୁ ଏସବୁ ଅଂଚଳର ଚାଷୀମାନେ କିଆ ଫୁଲ ଚାଷ କରି ଆସୁଥିବା ବେଳେ ଦେଶୀଓ ପ୍ରଣାଳିରେ ସେଥିରୁ ଅତର ଓ ରୁ ପ୍ରସ୍ତୁତ କରି ଆସୁଛନ୍ତି । ଆଉ ଏବେ ପ୍ରାୟ ୩୦ରୁ ୪୦ ବର୍ଷ ଧରି ତାକୁ ବାହାର ରାଜ୍ୟର ବ୍ୟବସାୟୀ ଓ କାରିଗରଙ୍କ ସହାୟତାରେ ଉନ୍ନତ ପ୍ରଣାଳୀରେ କରାଯାଉଛି । ୨୦ରୁ ୨୫ ବର୍ଷ ଧରି ଫୁଲ ଧାରଣ କରୁଥିବା ଗୋଟାଏ ଗୋଟାଏ କିଆ ଗଛରେ ପ୍ରତିଟି ଋତୁରେ ପ୍ରାୟ ୧୫୦ ଫୁଲ ଫୁଟିଥାଏ । ଆଉ ତାକୁ ଦୃଷ୍ଟିରେ ରଖି ଜିଲ୍ଲାର ଏହି ସବୁ ବ୍ଲକ୍‌ ଗୁଡ଼ିକରେ ପ୍ରାୟ ୨୫୦ଟି କିଆଫୁଲ ଭାଟିରୁ ଅତର ଓ ରୁ ପ୍ରସ୍ତୁତ ହୋଇ ଆସୁଥିଲା । ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଜିଲ୍ଲାର ଅନେକ ଭାଟି ବନ୍ଦ ହୋଇଥିବା ବେଳେ ଅନେକ ଚାଷୀ ମଧ୍ୟ ଏହି ଚାଷରୁ ମୁହଁ ଫେରାଇ ନେଇଥିବା କୁହନ୍ତି ବରିଷ୍ଠ କିଆଫୁଲ ଚାଷୀ ନଟବର ସାହୁ ।


ସମୁଦ୍ର କୁଳିଆ ଅଂଚଳରେ ଏକର ଏକର କିଆ ବାଡ଼ କାହିଁ କେଉଁ କାଳରୁ ରହି ଆସିଛି । ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ କିଆ ବାଡ଼ ପାଇଁ କାଳ ହୋଇଥାଏ । ୧୯୯୯ ମସିହାରେ ଜିଲ୍ଲାରେ ହୋଇଥିବା ମହାବାତ୍ୟା ଯୋଗୁଁ ଅନେକ କିଆ ବାଡ଼ ଉଜୁଡ଼ି ଯାଇଥିଲା । ତାର ପ୍ରଭାବରେ ଅନେକ ଚାଷୀ ପ୍ରଭାବିତ ହୋଇଥିଲା । ଏହା ପୂର୍ବରୁ ଟାଟା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଯୋଗୁଁ ଅନେକ କିଆ ବାଡ଼ ନଷ୍ଟ ହୋଇଯାଇଥିଲା । ଉଭୟ କ୍ଷତିରୁ ଭରଣା ହେଉ ନହେଉଣୁ ୨୦୧୩ ମସିହାରେ ଫାଇଲିନ୍ ବାତ୍ୟା ପୁଣି ଥରେ ଉଜାଡ଼ି ଦେଲା ପ୍ରାୟ ୧୫ ହଜାର ଏକର କିଆ ଫୁଲ ବାଡ଼ । ତାର ପ୍ରଭାବରେ ୫୦ହଜାର ଚାଷୀ ଜୀବିକା ହରାଇଥିଲେ । ସେଥି ପାଇଁ ଅନେକ ଚାଷୀ କିଆ ଚାଷରୁ ମୁହଁ ଫେରାଇ ନେଉଥିଲେ । ଆଉ ତାର ପ୍ରଭାବ ପଡ଼ିଥିଲା ଭାଟି ଉପରେ । ଏଣୁ ଜିଲ୍ଲାରେ ଥିବା ଅନେକ ଭାଟି ଏବେ ଅଚଳ ଅବସ୍ଥାରେ ପଡ଼ି ରହିଛି । କିଆ ଗଛ ଯୋଗୁଁ ପରିବେଶ ସୁସ୍ଥ ରହୁଥିବା ସହ ତାହା ମାଟିକୁ ଜାବୁଡ଼ି ଧରିବାରେ ସକ୍ଷମ ହେଉଥିବାରୁ କିଆ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାର ଆଗେଇ ଆସିବା ଦରକାର ବୋଲି କୁହନ୍ତି ପରିବେଶବିତ୍ ।
ଏମିତି ତ ଦେଖିବାକୁ ଗଲେ ଗଞ୍ଜାମ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା । ନଦୀ, ସମୁଦ୍ର, ଜଙ୍ଗଲ, ପାହାଡ଼ ଘେରରେ ରହିଛି ଏହି ଜିଲ୍ଲାଟି । ଏଥି ପାଇଁ ଏଠି କିଏ ସମୁଦ୍ର ଓ ନଦୀରୁ ମାଛ ମାରି ଜୀବିକା ଅର୍ଜନ କରିଥାଏ ତ ଆଉ କିଏ ଜଙ୍ଗଲ ପାହାଡ଼ରୁ ଉତ୍ପାଦିତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବିକା ଅର୍ଜନ କରିଥାଏ । ଏସବୁ ଭିତରେ ଅନେକ ଚାଷୀ ପାରମ୍ପରିକ ଧାନ, ମୁଗ, ଫଳ ମୂଳ, ପନିପରିବା ଆଦି ଚାଷ କରି ନିଜର ତେଲ ଲୁଣର ସଂସାରକୁ ଚଳାଇଥାନ୍ତି । ଅନ୍ୟପଟେ ପ୍ରକୃତିର ବରଦାନ ସ୍ୱରୂପ ସମୁଦ୍ର କୁଳିଆ ଅଂଚଳରେ କାହିଁ କେଉଁ କାଳୁ ରହି ଆସିଥିବା କିଆ ଫୁଲ ବାଡ଼ ଉପରେ ମଧ୍ୟ ଅନେକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରି ଆସୁଛନ୍ତି । ଗଞ୍ଜାମ ଜିଲ୍ଲାରେ କିଆ ଫୁଲ ଚାଷ ଉପରେ ଅନେକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରି ଆସୁଥିବା ବେଳେ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଏହା ଆଗକୁ ବଢ଼ି ପାରୁନାହିଁ ବୋଲି କ୍ଷୋଭ ପ୍ରକାଶ କରିବା ସହ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ବିଜେପିର ବରିଷ୍ଠ ନେତା କାହ୍ନୁଚରଣ ପତି ଦାବି କରିଛନ୍ତି ।

କିଆ ଫୁଲରୁ ଅତର ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ବିରାଟ ଓ ଛୋଟ ସୁରେଇ ଆକାରର ତମ୍ବା ହାଣ୍ଡି ଉତରପ୍ରଦେଶର କୌନଜ ଓ କାନପୁରରୁ ଆସିଥାଏ । ଅତରରୁ ପ୍ରସ୍ତୁତ ପାଇଁ ଏକ ସ୍ୱତନ୍ତ୍ର ଚୁଲି ମଧ୍ୟ ନିର୍ମାଣ କରାଯାଇଥାଏ ଭାଟିରେ । ଏକା ସଙ୍ଗେ ୮ରୁ ୧୦ଟି ହାଣ୍ଡି ବସିବାର ବ୍ୟବସ୍ଥା ହୋଇଥାଏ । ଗୋଟାଏ ଗୋଟାଏ ହାଣ୍ଡିରେ ଦୁଇଟି ପର୍ଯ୍ୟାୟରେ ୫ଶହରୁ ୧ ହଜାର ପର୍ଯ୍ୟନ୍ତ କିଆଫୁଲ ସିଝା ଯାଇଥାଏ । ବଡ଼ ହାଣ୍ଡିରୁ ସୁରେଇ ଆକାରରେ ଥିବା କ୍ଷୁଦ୍ର ତମ୍ବା ହାଣ୍ଡିକୁ ଏକ ନଳି ମାଧ୍ୟମରେ ସଂଯୋଗ କରାଯାଇଥାଏ । ସେଥିରୁ ବାହାରୁଥିବା ବାସ୍ପକୁ ସେହି ଛୋଟ ହାଣ୍ଡିରେ ସଂଗ୍ରହ କରାଯାଏ ଆଉ ରୁ ରୂପେ ତାହା ପରିଚିତ । ଅନ୍ୟପଟେ ପୂର୍ବରୁ କ୍ଷୁଦ୍ର ହାଣ୍ଡିରେ ଏକ ରକମର ତୈଳ ରଖି ବଡ଼ ହାଣ୍ଡିରୁ ବାହାରୁଥିବା ବାମ୍ଫକୁ ସେଥିରୁ ମିଶ୍ରଣ କଲେ ତାହା ଅତରର ରୂପ ନେଇଥାଏ । ଏସବୁ ପ୍ରକ୍ରିୟା ୬ରୁ ୭ ଘଂଟା ଲାଗିଥାଏ । ଏକ କିଲୋ ରୁ ର ଦାମ୍ ୩ଲକ୍ଷ ୫୦ ହଜାର ହେଉଥିବା ବେଳେ ଅତରର ଦାମ୍ ସାଢ଼େ ତିନି ହଜାର ଟଙ୍କାରେ ବିକ୍ରି ହୋଇଥାଏ । ଏସବୁ କରିବା ପାଇଁ ଓ ପ୍ରସ୍‌ୁତ ଅତରରୁ ନେବା ପାଇଁ କୌନଜ୍ , ଦିଲ୍ଲୀ, ଆଗ୍ରା, କାନପୁର ଆଦି ଅଂଚଳର ବ୍ୟବସାୟୀ ଓ କାରିଗର ମାନେ ଆସି ମାସ ମାସ ଧରି ଏଠାରେ ରହିଥାନ୍ତି । ଏଥି ପାଇଁ କାରିଗର ମାନଙ୍କୁ ସ୍ୱତନ୍ତ୍ର ତାଲିମ୍ ନେବାକୁ ପଡ଼ିଥାଏ । ଅନ୍ୟପଟେ ରୁ ଓ ଅତରର ବାହାର ରାଜ୍ୟ ବିଶେଷ କରି ବାହାର ଦେଶରେ ବେଶ୍ ଚାହିଦା ରହିଛି । ବିଭିନ୍ନ ଖାଦ୍ୟ, ଔଷଧ ଓ ଅନ୍ୟ କିଛି ରାସାୟନିକ କାର୍ଯ୍ୟରେ ଏସବୁ ବ୍ୟବହାର କରାଯାଏ ।

ଗଞ୍ଜାମ ଜିଲ୍ଲାରେ କିଆଫୁଲ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୨୦୦୦ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ FRAGRANCE AND FLAVOUR DEVELOPMENT CENTER ସ୍ଥାପନ ହୋଇଥିଲା । ଆଉ ସେଥିରେ କ୍ଷତିଗ୍ରସ୍ତ ଓ ପ୍ରଭାବିତ କିଆ ଚାଷୀଙ୍କୁ ଚିହ୍ନଟ କରି ଉନ୍ନତ ଚାଷ ସଂପର୍କିତ ଜ୍ଞାନ କୌଶଳ ପ୍ରଦାନ କରାଯିବା ସହ କିଆ ଫୁଲରୁ ପ୍ରସ୍ତୁତ ତେଲର ଗୁଣବତା ପରୀକ୍ଷା କରାଯାଉଛି । ଏବେ ସଂସ୍ଥାର ନାମ ପରିବର୍ତନ କରାଯାଇ ଏହା ଟେକ୍ନୋଲୋଜି ସର୍ପୋର୍ଟ ସେଂଟର୍ ଫର୍ ଇଣ୍ଡିଆ ନାମରେ କାର୍ଯ୍ୟ କରୁଛି । କୋଭିଡ୍ ଯୋଗୁଁ କାର୍ଯ୍ୟକ୍ରମ ବନ୍ଦ ରହିଥିବା କଥା ଭାରପ୍ରାପ୍ତ ଅଧିକାରୀ କହିବା ସହ ଆଗକୁ ପୁଣି ଥରେ ବ୍ୟାପକ କରାଯିବ ବୋଲି କହିଛନ୍ତି । ଅନ୍ୟ ପଟେ ବନ ବିଭାଗ ପକ୍ଷରୁ ଚାଷୀ ପ୍ରୋତ୍ସାହିତ କରିବା ପାଇଁ କୌଣସି ବ୍ୟବସ୍ଥା ନଥିଲେ ବି ଭାଟି ଚାଲୁ ପାଇଁ ଆବଶ୍ୟକ ପଡ଼ୁଥିବା କାଠ ଜାଳେଣି ସହଜରେ ସେମାନଙ୍କ ପାଇଁ ଉପଲବ୍ଧ କରାଯାଉଛି ବୋଲି କୁହନ୍ତି ବ୍ରହ୍ମପୁର ବନ ଅଧିକାରୀ । ଅନ୍ୟ ପଟେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ତାଲିମ୍ ପ୍ରଦାନ କରାଯାଇ ଚାଷ ପ୍ରଣାଳିରେ ଉନ୍ନତ ଆଣିବା ସହ ଫୁଲ ସଂଗ୍ରହ ଓ ତାର ମାନ ନିର୍ଦ୍ଧାରଣ କରିବା ପାଇଁ ବ୍ୟବସ୍ଥାପକ ଢ଼ଙ୍ଗରେ ଆହୁରି ବ୍ୟାପକ କରାଯିବ ବୋଲି ଜିଲ୍ଲାପାଳ କହିବା ସହ ଏଥି ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ବୋଲି କହିଛନ୍ତି ଜିଲ୍ଲାପଳ ବିଜୟ ଅମୃତା କୁଲାଙ୍ଗେ ।

LEAVE A REPLY

Please enter your comment!
Please enter your name here