ବାରମ୍ବାର କହିଲେ, ଟିକେ ଭଲ କି ଦେଖ…

0
342

ବ୍ରହ୍ମପୁର (ପ୍ରକାଶ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହରର ବଜାର ଛକରେ ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ଏକ ରାଜନୈତିକ ସମାବେଶ । ବିଜୟ ମହାପାତ୍ର, ଦିଲ୍ଲୀପ ରାୟଙ୍କ ପରି ତୁଙ୍ଗ ନେତା ମାନେ ଯୋଗଦାନ କରିଥିଲେ । ଘଟଣା ଦିନ ଖବର ସଂଗ୍ରହ କରିବା ପାଇଁ ମୁଁ ଯାଇଥିଲି ସେଠାକୁ । ସମାବେଶ ସରିବା ପରେ ଭୁବନେଶ୍ୱର କାର୍ଯ୍ୟାଳୟରୁ ତତ୍କାଳୀନ ନ୍ୟୁଜ୍ ଏଡିଟର୍ ମୋତେ ଫୋନ୍ କରି ପଚାରିଲେ କେତେ ଲୋକ ଜମା ହୋଇଥିଲେ । ହିସାବ କରି ମୁଁ କହିଲି… । ହେଲେ ସେଥିରେ ସେ ଖୁସି ହେଲେ ନାହିଁ । ସେ ବାରମ୍ବାର କହିଲେ ଟିକେ ଭଲ କି ଦେଖ… । ଶେଷରେ ମୋ ଗାଣିିତିକ ସଂଖ୍ୟାରେ ସେ ଖୁସି ହୋଇଗଲେ ।
ତେବେ ସେ ମୋତେ କଣ କହିଲେ ଓ ମୁଁ ତାଙ୍କୁ କଣ କହିଲି ଜାଣିବା ପୂର୍ବରୁ ଆସନ୍ତୁ ଟିକେ ଫ୍ଲାସ୍ ବେକ୍ କୁ ଯିବା । ୨୦୦୩ ମସିହାର ଘଟଣା । ଗଞ୍ଜାମ ଟାଇଗର୍ ରୂପେ ପରିଚିତ ଥିବା ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ମନ୍ତ୍ରୀ ପଦ ବଦଳାଇ ତାଙ୍କୁ କୃଷି ମନ୍ତ୍ରୀ କରାଯିବାରୁ ସେ ସେ ଖପ୍ପା ହୋଇ ଦଳରୁ ଇସ୍ତଫା ଦେଇଥିଲେ । ପୂର୍ବରୁ ଦଳରୁ ତଡ଼ା ଖାଇଥିବା କିଛି ପୂର୍ବତନ ମନ୍ତ୍ରୀ ଓ ନେତା ମାନଙ୍କୁ ଏକାଠି କରି ସେ ନବୀନ ଙ୍କ ବିରୋଧରେ ଆରମ୍ଭ କରିଥିଲେ ଗୋଟି ଚାଳନା । ଏଥି ପାଇଁ ଯୁଦ୍ଧଂ ଦେହିର ପ୍ରଥମ ଡ଼ାକରା ସେ ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଠାରେ । ତେବେ ସେଠାରେ ସମାବେଶ କରାଇ ନଦେବା ପାଇଁ ସରକାରୀ କଳ ପକ୍ଷରୁ ଚାଲିଲା ମସୁଧା । କଲେଜ ଖେଳ ପଡ଼ିଆରେ ସମାବେଶ କରିବା ପାଇଁ ଅନୁମତି ଲୋଡ଼ିଲେ ରାମକୃଷ୍ଣ ବାବୁ । ହେଲେ ପରିଚାଳନା କମିଟିର ଅଧ୍ୟକ୍ଷା ଥିବାତ୍ତତତ୍‌କାଳୀନ ଖଲିକୋଟ ବିଧାୟିକା ତଥା ଖଲିକୋଟ ରାଣୀ ଭି. ସୁଜ୍ଞାନି ଦେଓ କିନ୍ତୁ ଅନୁମତି ଦେବାକୁ ମନା କରି ଦେଇଥିଲେ । ତଥାପି ରାମକୃଷ୍ଣ ବାବୁ ନିଜ ଜିଦ୍ ରେ ଅଟଳ ରହିଥିଲେ । ନିର୍ଦ୍ଧାରିତ ଦିବସରେ ସମାବେଶ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ଆଉ ତାକୁ ପୁଲିସ ଓ ପ୍ରଶାସନ ବଡ଼ ଚ୍ୟାଲେଞ୍ଜ୍ ରୂପେ ଗ୍ରହଣ କରିଥିଲେ । ଦକ୍ଷିଣାଂଚଳ ପୁଲିସ ଡିଆଇଜି, ଗଞ୍ଜାମ ଏସପିଙ୍କ ସମେତ ଜିଲ୍ଲାପାଳଙ୍କ ଘନ ଘନ ଗସ୍ତ ହେଲା ହିଞ୍ଜିଳିକାଟୁକୁ । ସେଠାରେ ଟେଂଟ୍ ମାରି ରହିଲେ ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀ । ଘଟଣା ଦିନ ବିଭିନ୍ନ ଦିଗରୁ ବସ୍ ଓ ଅନ୍ୟାନ୍ୟ ଗାଡ଼ି ଯୋଗେ ଆସିଥିବା ସମର୍ଥକ ମାନଙ୍କୁ ପ୍ରବେଶ ପଥରେ ଅଟକାଇ ଦିଆଗଲା । ସମାବେଶର ସମୟ ପାଖେଇ ଆସିବା ସହ ସଭା ସ୍ଥଳକୁ ନେଇ ସ୍ଥାନୀୟ ବାସିନ୍ଦା ବିଜେଡି କର୍ମୀ ରାମକୃଷ୍ଣ ବାବୁଙ୍କ ସମର୍ଥକ ଓ ପୁଲିସ ପ୍ରଶାସନଙ୍କ ମହଲରେ ଉତ୍କଷ୍ଠା ବଢ଼ିବାରେ ଲାଗିଲା । ଆଉ ଶେଷରେ ବଜାର ଛକରେ ଦୁଇଟି ଟକ୍ କୁ ଯୋଡ଼ି ତାର ଡ଼ାଲାରେ ପ୍ରସ୍ତୁତ ହେଲା ସଭା ମଂଚ । ବିଭିନ୍ନ ପ୍ରବେଶ ପଥରେ ଅଟକିଥିବା କିଛି ଲୋକ ଚାଲି ଚାଲି ଆସି ସଭା ସ୍ଥଳରେ ଯୋଡ଼ି ହେଲେ । ବିରୋଧୀ ନେତାଙ୍କ ଭାଷଣରେ ଫାଟି ପଡ଼ିଲା ସଭାସ୍ଥଳ । ପ୍ରତିବନ୍ଧକ ଓ କଟକଣା ଭିତରେ ସଭା କାର୍ଯ୍ୟ ସରିଲା ଆଉ ନେତା ମାନେ ଫେରିଗଲେ ।
ଛ’ ଦିନ ପରେ ରାମକୃଷ୍ଣ ବାବୁ ଓ ତାଙ୍କ ସାସଂଦ ପତ୍ନୀ କୁମୁଦିନି ପଟ୍ଟନାୟକ ବ୍ରହ୍ମପୁର ଗସ୍ତରେ ଆସିଲେ । ଅନ୍ୟ ଏକ ଘଟଣା କ୍ରମରେ ରାମକୃଷ୍ଣ ବାବୁଙ୍କ ଦୁଇ ଦୃଢ ସମର୍ଥକଙ୍କୁ ପୁଲିସ ଗିରଫ କରି ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦେଇଥିଲା । ସେମାନଙ୍କୁ ଭେଟିବାକୁ ଆସିଥିଲେ ଏମାନେ । ଖବର ସଂଗ୍ରହ ପାଇଁ ଆମେ କିଛି ସାମ୍ବାଦିକ ଜେଲ୍ ପରିସରକୁ ଯାଇଥିଲୁ । ମୋତେ କୁମୁଦିନି ମାଡ଼ାମ୍ ଦେଖି ଚିହିଁକି ଉଠିଲେ । ମୋତେ ସିଧା ସିଧା କହିଲେ ଆପଣ କାହିଁକି ଆସିଛନ୍ତି ଏଠାକୁ । ପୁଣି ଥରେ ମିଛ ଖବର ଦେବେ ନା କଣ? ମୁଁ କିଛି ବୁଝି ପାରିଲିନି । ସେ ପୁଣି କହିଲେ ହିଞ୍ଜିଳିକାଟୁର ସମାବେଶକୁ ନେଇ ଆପଣଙ୍କ ଟିଭିର ଏଡିଟର ସନ୍ତୋଷ ବାବୁ ଆମକୁ କହିଲେ ଯାହା ହେଉ ପୁଲିସ ପ୍ରଶାସନର ଏତେ ପ୍ରତିବନ୍ଧକ ସତ୍ୱେ ୮ହଜାର ଲୋକଙ୍କ ସମାବେଶ ହୋଇଗଲା । ଆମେ କିନ୍ତୁ ତାଙ୍କୁ କହିଲୁ ନାଁ ୮ହଜାର ନୁହଁ ବରଂ ୮୦ ହଜାର ଲୋକଙ୍କ ସମାଗମ ହୋଇଥିଲା (ଅବଶ୍ୟ ତାଙ୍କ ହିସାବରେ ତାହା ହୋଇଥିଲା କାରଣ ବଜାର ଛକରେ ଏତେ ସଂଖ୍ୟକ ଠିଆ ହେବା ସମ୍ଭବପର ନୁହଁ) । ସନ୍ତୋଷ ବାବୁ କିନ୍ତୁ କହିଲେ ଆମ ରିପୋର୍ଟର ତ ୮ହଜାର କହିଥିଲେ । ଏସବୁ କଥା କହି ସେ ମୋ ଉପରେ ରାଗିଗଲେ । କିନ୍ତୁ ରାମକୃଷ୍ଣ ବାବୁ ଅତି ସୁଲଭ ଢ଼ଙ୍ଗରେ କହିଲେ ଆରେ ପିଲାଟି ଉପରେ କାହିଁକି ରାଗୁଛ । ସେ ପରା ଏନ୍ ଟିଭି ର ରିପୋର୍ଟର । କୁମୁଦିନି ମାଡ଼ାମ୍ ପ୍ରତିବାଦ ସ୍ୱରରେ ପୁଣି କହିଲେ ନା’ ମ ସେ ଓ ଟିଭି ର ରିପୋର୍ଟର । ସେତେବେଳେ ରାମକୃଷ୍ଣ ବାବୁ ହସି ହସି କହିଲେ ଏନ୍ ଟିଭି ର ଅର୍ଥ ବୁଝି ପାରୁନ । ସେତେବେଳେ ମୁଁ ଆଶ୍ୱସ୍ଥ ଅନୁଭବ କଲି । କାରଣ ମୋତେ ଆଉ ବୁଝାଇବାକୁ ପଡ଼ିଲା ନାହିଁ ସେତେବେଳେ ମୁଁ କଣ କହିଥିଲି ।

LEAVE A REPLY

Please enter your comment!
Please enter your name here