ଲୋପ ପାଇଯିବ କି ବ୍ରହ୍ମପୁର ପାଟ ???

0
61

ବ୍ରହ୍ମପୁର (ପ୍ରକାଶ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାରେ ରହିଛି ବିସ୍ତୃତ ସମୁଦ୍ର ପଥ, ଆଉ ରହିଛି ବିସ୍ତୃତ ନଦୀପଥ । ଏଣୁ ଅତୀତରେ ଏହି ଜଳପଥରେ ସାଧବ ପୁଅ ମାନେ ବୋଇତ ଯୋଗେ ସୁଦୂର ଜାଭା, ସୁମିତ୍ରା, ବୋରନିଓ, ରେଙ୍ଗୁନ୍‌, କାମ୍ବୋଡ଼ିଆ ଏପିରିକି ଆଫଗାନସ୍ଥାନ ଆଦି ଦେଶକୁ ବାଣିଜ୍ୟ ପାଇଁ ଯାଉଥିଲେ । ସେତେବେଳେ ମାଡ୍ରାସ୍ ପ୍ରୋଭିନ୍ସ ଅଧିନରେ ଥିବା ବ୍ରହ୍ମପୁର ସହର ବାଣିଜ୍ୟ, ଶିକ୍ଷା, କଳା ସଂସ୍କୃତି କ୍ଷେତ୍ରରେ ନିଜର ଏକ ପରିଚୟ ସୃଷ୍ଟି କରି ପାରିଥିଲା । ସହର ନିକଟବର୍ତି ପାଲୁର୍‌, ତତ୍କାଳୀନ ମନସୁରକୋଟା ତଥା ଗୋପାଳପୁର ବନ୍ଦର, ବାରୁଆ ବନ୍ଦର ଓ ପୋତାଗଡ଼ ବନ୍ଦରରେ ସାଧବ ପୁଅ ତଥା ବ୍ୟବସାୟୀ ମାନେ ବାଣିଜ୍ୟ କରିବାକୁ ବାହାରକୁ ଯାଉଥିଲେ । ଗଞ୍ଜାମ ଜିଲ୍ଲାରୁୁ ଖାଦ୍ୟ ଶସ୍ୟ, ଜଙ୍ଗଲଜାତ ଦ୍ରବ୍ୟ, ହାତୀ ଦାନ୍ତ ଆଦି ବାହାର ସ୍ଥାନକୁ ବିକ୍ରି ପାଇଁ ନେଉଥିବା ବେଳେ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ସହ ରେଶମ ସୂତା ସାଥିରେ ଧରି ଫେରୁଥିଲେ । ବନ୍ଦରରେ କୁଢ଼ କୁଢ଼ ହୋଇ ଜମା ହେଉଥିଲା ରେଶମ ସୂତା । ଆଉ ତାହା ହିଁ ସ୍ଥାନୀୟ ବୁଣାକାର ମାନଙ୍କୁ ପ୍ରେରଣା ଦେଇଥିଲା ପାଟଲୁଗା ପ୍ରସ୍ତୁତ କରିବା ପାଇଁ । ଆଉ ଏସବୁ ଭିତରେ ବ୍ରହ୍ମପୁର ସହର ନିକଟରେ ଅବସ୍ଥିତ ମହୁରୀଗଡ଼ର ତତ୍କାଳୀନ ରାଜା ରାଜମହେନ୍ଦ୍ର୍ରୀ ଯାଇଥିଲେ ସେଠାକାର ରାଜାଙ୍କ ନିମନ୍ତ୍ରଣ କ୍ରମେ । ସେତେବେଳେ ସେଠି ଚାଲିଥିଲା ଠାକୁରାଣୀ ଯାତ୍ରା । ମହୁରୀଗଡ଼ ରାଜା ଫେରିବା ବେଳେ ରାଜମହେନ୍ଦ୍ରୀର ରାଜା ତାଙ୍କୁ କିଛି ପାଟବସ୍ତ୍ର ଭେଟି ଦେଇଥିଲେ । ପାଟବସ୍ତ୍ରର ସୂକ୍ଷ୍ମ କାରୁକାର୍ଯ୍ୟ ମହୁରୀଗଡ଼ ରାଜାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ନିଜ ଅଂଚଳରେ ସେହି କଳାର ପ୍ରଚାର ପ୍ରସାର ପାଇଁ ରାଜମହେନ୍ଦ୍ରୀର ରାଜାଙ୍କୁ ଅନୁରୋଧ କରି ସେହି ଯାତ୍ରାର ପରିଚାଳକ ତଥା ପାଟରା ନାମରେ ପରିଚିତ କିଛି ବୁଣାକାରଙ୍କୁ ସାଥୀରେ ଆଣିଥିଲେ । ବ୍ରହ୍ମପୁର ସହରରେ ଡ଼େରା ପକାଇ ରହିଥିବା ଏହି ବୁଣାକାର ମାନେ ପରବର୍ତି ସମୟରେ ପାଟରା ଓ ଡ଼େରା ନାମରେ ପରିଚିତ ହେଲେ ବୋଲି କହିଛନ୍ତି ସଂସ୍କୃତି ଗବେଷକ ସତୀଶ ପାତ୍ର । ସ୍ଥାନୀୟ ବୁଣାକାର ଓ ସେଠାରୁ ଆସିଥିବା ବୁଣାକାର ମାନଙ୍କ ମିଳିତ ପ୍ରୟାସରେ ସୃଷ୍ଟି ହୋଇଥିଲା ବ୍ରହ୍ମପୁରର ପାଟଲୁଗା ।
ବ୍ରହ୍ମପୁର ସହରରେ ପାଟରା ରୂପେ ପରିଚିତ ବୁଣାକାର ମାନେ ଚାହୁଁ ଚାହୁଁ ସୃଷ୍ଟି କରି ଚାଲିଲେ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟରେ ଭରା ପାଟଲୁଗା ମାନ । ଓଡ଼ିଶା ଭୂଖଣ୍ଡରେ ତତ୍କାଳୀନ ରାଜା ମୁକୁନ୍ଦ ଦେବଙ୍କ ପରାଜୟ ପରେ ଇଂରେଜ ମାନଙ୍କ ହାତକୁ ଚାଲି ଯାଇଥିଲା ଶାସନ ଭାର । ସମୁଦ୍ର ତଟରେ ଗଞ୍ଜାମ ଜିଲ୍ଲା ଅବସ୍ଥିତ ଥିବାରୁ ଜିଲ୍ଲା ତଥା ବ୍ରହ୍ମପୁର ସହରକୁ ଇଂରେଜ ଲାଟ୍ ସାହେବ ମାନଙ୍କର ଚଳପ୍ରଚଳ ଲାଗି ରହିଥିଲା । ବ୍ରହ୍ମପୁରର ପାଟ ଲୁଗା ସେମାନଙ୍କୁ ବେଶ ବିମୋହିତ କରିଥିଲା । ଏଣୁ ସେହି ପାଟଲୁଗା ତତ୍କାଳୀନ ବ୍ରିଟେନ ରାଣୀ ଭିକ୍ଟୋରିଆଙ୍କୁ ଭେଟି ଦିଆଯାଇଥିବା ବେଳେ ପରବର୍ତି ସମୟରେ ରାଣୀ ଏଲିଜାବେଥ୍ ଙ୍କୁ ମଧ୍ୟ ଉପହାର ରୂପେ ଦିଆଯାଇଥିଲା । ସେପଟେ ଜଗନ୍ନାଥ ମହାପ୍ରଭୂ ଓ ଦେବଦେବୀଙ୍କୁ ବିଭିନ୍ନ ପର୍ବ ପର୍ବାଣୀରେ ବ୍ରହ୍ମପୁରର ପାଟ ଲୁଗା ଲାଗି ହେବାର ପରମ୍ପରା ଏବେ ମଧ୍ୟ ରହିଛି ବୋଲି କୁହନ୍ତି ଡ. ଅନନ୍ତରାମ କର ଓ ଡ. ହୃଷୀକେଶ ପଣ୍ଡା ।
ନିଜ ବୃତିକୁ ସମ୍ଭାଳିବେ ନା ପରିବାରକୁ ସମ୍ଭାଳିବେ । ସେହି ଚିନ୍ତା ଏବେ ଘାରୁଛି ବୁଣାକାର ମାନଙ୍କୁ । ବିଭିନ୍ନ ସମବାୟ କେନ୍ଦ୍ରରୁ ସୂତା ଓ ରଙ୍ଗ ଆଣି ନିଜ ନିଜ ଘରେ ପାରମ୍ପରିକ ଶୈଳୀରେ ଅରଟ ଓ ତନ୍ତ ମାଧ୍ୟମରେ ପ୍ରସ୍ତୁତ କରିଥାନ୍ତି ଏହି ପାଟ ଲୁଗା । ସୂତାକୁ ସିଜାଇ ରଙ୍ଗ ଦେବା ସହ ସେସବୁ ଶୁଖାଇ ଅରଟ ମାଧ୍ୟମରେ ଅଲଗା ଅଲଗା ରୋଲ୍ କରି ହାତଚଳା ତନ୍ତ ମାଧ୍ୟମରେ ପ୍ରସ୍ତୁତ କରିବାକୁ ପଡ଼ିଥାଏ ଏହି ପାଟଲୁଗା । ଏହା ସମୟ ସାପେକ୍ଷ । ଦୁଇ ରୁ ତିନିଜଣଙ୍କ ସହାୟତାରେ ସାତ ରୁ ଦଶ ଦିନ ଭିତରେ ପ୍ରସ୍ତୁତ ହୋଇ ପାରିଥାଏ ପାଟ ଶାଢ଼ୀଟିଏ । ବ୍ରହ୍ମପୁର ବଜାରରେ ଏବେ ବି ବ୍ରହ୍ମପୁର ପାଟ ଶାଢ଼ୀର ଚାହିଦା ରହିଛି । ଗୋଟାଏ ପାଟ ଶାଢ଼ୀର ମୂଲ୍ୟ ଆଠ ହଜାରରୁ ବାର ହଜାର ପର୍ଯ୍ୟନ୍ତ ହୋଇଥାଏ । ତେବେ ସେହି ତୁଳନାରେ ବୁଣାକାର ତଥା ପାଟରା ମାନେ ମୁଲ ପାଇ ପାରିନଥାନ୍ତି ଏଣୁ ଅନେକେ ଏହି ବୃତିକୁ ଛାଡ଼ି ଦେଲେଣି ବୋଲି ବୁଣାକାର ଟି. ଗଣପତି, ପୁସୁନା ପାପା ରାଓ, ରାଧା କହିଛନ୍ତି । ହେଲେ ଏବେ ବି ବାହାର ଅଂଳଚରୁ ଆସୁଥିବା ଲୋକମାନେ ଖୋଜିଥାନ୍ତି ବ୍ରହ୍ମପୁର ପାଟକୁ । ପାଟରା ତଥା ବୁଣାକାର ମାନଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରରେ ସାହିର ନାମକରଣ ପାଟରା, ଡ଼େରା, ତନ୍ତୀ ଆଦି ରହିଛି । ହେଲେ ବୁଣାକାର ମାନଙ୍କ ନାମରେ ସାହି ରହିଛି ସତ ହେଲେ ଏବେ ଅନେକ ବୁଣାକାର ଆଉ ସେହି ବୃତିରେ ନାହାନ୍ତି । ଏହାକୁ ନେଇ ବେଶ କ୍ଷୋଭ ପ୍ରକାଶ କରିଛନ୍ତି ଉଭୟ ବିଜେପି ନେତା କାହ୍ନୁଚରଣ ପତି ଓ କଂଗ୍ରେସ ନେତା ରଶ୍ମିରଞ୍ଜନ । ସହରର ନାମକରଣ ତଥା ପାଟକୁ ନେଇ ଗର୍ବ ଅନୁଭବ କରାଯାଉଥିଲେ ବି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ବୁଣାକାର ମାନଙ୍କ ପ୍ରତି ପଡ଼ୁନାହିଁ ବୋଲି ଅଭିଯୋଗ କରିଛନ୍ତି ସେମାନେ । ସେପଟେ ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ କହିବା କଥା ହେଲା ସିଏ କେନ୍ଦ୍ର ଶ୍ରମ ରାଷ୍ଟ୍ରମନ୍ତ୍ରୀ ଥିବା ବେଳେ ପଦକ୍ଷେପ ନେଇଥିଲେ ଏବେ ସଂସଦରେ ସେହି ପ୍ରସଙ୍ଗରେ ପ୍ରଶ୍ନ କରିଛନ୍ତି । ଅନ୍ୟ ପଟେ ନୂଆ ଜ୍ଞାନ କୌଶଳ ଜରିଆରେ ବ୍ରହ୍ମପୁର ପାଟକୁ ପୁଣି ଥରେ ବିଶ୍ୱ ଦରବାରରେ ପହଚାଂଇବା ପାଇଁ ମୁଖ୍ୟମନ୍ତ୍ରୀ ଚେଷ୍ଟିତ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା । ସେପଟେ କର୍ଣ୍ଣାଟକରୁ ଏକ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ ମହୁଡ଼ା ଠାରେ ସାତ ଏକର ଜମିରେ ଟେକ୍ସଟାଇଲ୍ ପାର୍କ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

LEAVE A REPLY

Please enter your comment!
Please enter your name here