ମାଳି ସାହିରେ ପଶି ସାବାଡ଼ କଲି….

0
134

ବ୍ରହ୍ମପୁର (ପ୍ରକାଶ ପଟ୍ଟନାୟକ): ନୂଆ ନୂଆ ରେ ଭୁବନେଶ୍ୱର ଯାଇଥିଲି । ଏଣୁ ଅଫିସ୍ ରେ ସମସ୍ତଙ୍କର ନଜର ମୋ ଉପରେ ଥିଲା । ଜିଲ୍ଲା ପ୍ରତିନିଧି ରୂପେ ବ୍ରହ୍ମପୁରରେ ରହି ଯଦିଓ ୨୦୦୧ ମସିହାରୁ କାର୍ଯ୍ୟ କରୁଥିଲି ତଥାପି ଭୁବନେଶ୍ୱର ଯାଇ କାର୍ଯ୍ୟରେ ଯୋଗ ଦେବା ପରେ ବିଭିନ୍ନ ଦିଗରୁ ନର୍ଭସ୍ ଲାଗୁଥିଲା । ତେବେ ମୋ ପାଇଁ ଖୁସି ଏହା ଥିଲା ଯେ ପୂର୍ବରୁ ମୋ କାର୍ଯ୍ୟକୁ ଅଫିସ୍ ରେ ବାରମ୍ବାର ପ୍ରଶଂସା କରାଯାଉଥିଲା, ଆଉ ବୋଧ ହୁଏ ସେଥି ପାଇଁ ଅକ୍ଟୋବର ୨୦୦୬ ମସିହାରେ ଓଟିଭି ସାଟେଲାଇଟ୍ ଚ୍ୟାନେଲ୍ ରେ ପରିଣତ ହେବା ପରେ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ ମୋତେ ସୁଯୋଗ ମିଳିଲା । ଗଞ୍ଜାମ ଜିଲ୍ଲାରେ ଖବର ସଂଗ୍ରହ ଓ ପରିବେଷଣରେ ମୋର ଯେଉଁ ଦବ୍ ଦବା ଥିଲା ତାହା ଭୁବନେଶ୍ୱରରେ ଦେଖାଇ ପାରିବି କି ନାହିଁ ସେହି ଚିନ୍ତା ମୋତେ ଘାରୁଥିଲା । ତଥାପି ସମୟ ର ଆହ୍ୱାନକୁ ଗ୍ରହଣ କରି ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରି ନେଇଥିଲି । ଖୁବ୍ କମ୍ ଦିନରେ ସମସ୍ତଙ୍କର ଆପଣାର ହୋଇପାରିଲି ।
ତେବେ ହଠାତ୍ ଦିନେ ପରୀକ୍ଷାର ବେଳ ଆସିଲା । ସେଦିନ ମୋର ବି ସିଫ୍ଟ ଡ୍ୟୁଟି ଥାଏ । ଅଫିସ୍ ରେ ପହଂଚୁ ପହଂଚୁ ମୋତେ ଲାଗିଲା ସଚେ ଯେପରି ସମସ୍ତେ ମତେ ଅପେକ୍ଷା କରି ବସିଛନ୍ତି । ମୋତେ ଦେଖୁ ଦେଖୁ ଦୁଇ ତିନି ଜଣ ସମସ୍ୱରରେ କହି ଉଠିଲେ ହେଇଟି ପ୍ରକାଶ ଆସିଲେ । ମୁଁ ଭାବିଲି ଗତକାଲିର କୌଣସି ଖବର ମୋର ଭୁଲ୍ କିମ୍ବା ମିସ୍ ହୋଇଯାଇଛି । ମୋର ମାନସିକ ଚାପ ଟିକେ ବଢ଼ିଗଲା । ଏହି ସମୟରେ ମୋର ସହକର୍ମୀ ରିପୋର୍ଟର ବାନ୍ଧବି ଫେଁ କିନା ହସି ଦେଇ କହିଲେ ସେଠାକୁ ପ୍ରକାଶକୁ ପଠାଇ ଦିଅ ବେ, ବ୍ରହ୍ମପୁରିଆ ପିଲା କରି ଦେଇ ଆସିବ । ମୋତେ ଟିକେ ଆଶ୍ୱସ୍ତ ଲାଗିଲା, କୌଣସି ଖବର ସଂଗ୍ରହ ପାଇଁ ମୋତେ କୁହାଯାଉଥିବା ମୁଁ ଜାଣିବାକୁ ପାଇଲି ।
ଏହି ସମୟରେ ମୋ ସହ ଯିବାକୁ ପସନ୍ଦ କରୁଥିବା କ୍ୟାମେରା ପର୍ସନ୍ ଟିଏ ମୋ ନିକଟକୁ ଆସି କହିଲା ନା ମ ଭାଇ ସେଠାକୁ ଯିବାନି, ଆମକୁ ଘେରେଇ ଦେବେ । ପୂର୍ବରୁ ଏମାନେ ନ୍ୟୁଜ୍ କରିବାକୁ ଯାଇ ନାମ ନେଇଛନ୍ତି । ତଥାପି ମୁଁ ଜାଣିନଥିଲି କେଉଁଠାକୁ ଯିବାର ଅଛି । ତେବେ ସେତେବେଳେ ଦୁଇଟା କଥା ମୋ ପାଇଁ ସ୍ପଷ୍ଟ ହେଲା । ଖବରଟା ଯାହା ହୋଇଥାଉନା କାହିଁକି ପୂର୍ବରୁ କିଏ ଯାଇ ବିଫଳ ହୋଇଛନ୍ତି, ଏଣୁ ବ୍ରହ୍ମପୁରିଆ ନା କହି ମୋର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଯାଇଛି । ମିଶନ୍ ଯାହା ହୋଇଥାଉନା କାହିଁକି ମୁଁ ଯିବାକୁ ରାଜି ହେଲି । ମୋତେ ଲାଗିଲା ଏହା ମୋ ମାଟିର ସମ୍ମାନର କଥା । ଏଣୁ ରାଜି ହୋଇ ପଚାରିଲି କୁଆଡ଼େ ଯିବାର ଅଛି । ସେହି ବାନ୍ଧବି ଜଣକ ପୁଣି ଥରେ ହସି ହସି କହିଲେ ମାଳି ସାହିକୁ ଭାଇନା । କଥାଟା ଶୁଣି ଚମକି ପଡ଼ିଲି । ମାଳି ସାହି ଯେ ଭୁବନେଶ୍ୱର ର ଏକ ବଦ୍ ନାମ୍ ଗଳି ଏକଥା ହୁଏତ କାହାକୁ ଅଛପା ନଥିବ । ମନେ ମନେ ଭାବିଲି ଚାଲ ନିଜର ଦବ୍ ଦବା ଦେଖାଇବାର ଇଏ ଏକ ସୁଯୋଗ । ପଚାରିଲି କଣ ନ୍ୟୁଜ୍ ହେବ । କୁହାଗଲା ମାଳି ସାହିର ସ୍ଥିତି ଉପରେ ଗ୍ରାଉଣ୍ଡ୍ ଜିରୋ ରିପୋର୍ଟ ।
କିଛି ବିଚାର ନକରି କ୍ୟାମେରା ପର୍ସନ୍ ସହ ବାହାରିଗଲି । ରାସ୍ତାରେ କଥା ହେଉ ହେଉ ଜାଣିବାକୁ ପାଇଲି ଯେ ସେମାନଙ୍କୁ ସେଠାରୁ ହଟାଇବା ପାଇଁ ସରକାର ଯୋଜନା କରୁଛନ୍ତି । ଏଥି ପାଇଁ ବିଭିନ୍ନ ଏନଜିଓ ମାଧ୍ୟମରେ ସର୍ଭେ କରାଯାଉଛି । ଏଣୁ କୌଣସି ସାମ୍ବାଦିକଙ୍କୁ ଦେଖିଲେ ସେମାନେ ଚିହିଁକି ଉଠୁଛନ୍ତି । ଏତିକି ଭିତରେ ସହରର ଶ୍ରୀୟା, ସ୍ୱାତୀ ସିନେମା ହଲ୍ ନିକଟରେ ଥିବା ମାଳି ସାହିରେ ଆମେ ପହଂଚିଗଲୁ । ଗାଡ଼ିରୁ ଓହ୍ଲାଉ ଓହ୍ଲାଉ ସେମାନେ ଜାଣିଗଲେ । ଦୁଇ ମିନିଟ୍ ଭିତରେ କିଏ କେଉଁଆଡ଼େ ଅର୍ନ୍ତଧ୍ୟାନ ହୋଇଗଲେ । ସାଥିରେ ଥିବା କ୍ୟାମେରା ପର୍ସନ୍ କହିଲେ ଭାଇ ଦେଖିଲେ ତ ସମସ୍ତେ ଲୁଚିଗଲେ । ଏଠି ଅଧିକ ସମୟ ରହିଲେ ଆମକୁ ଘେରାଇ ଦେବେ, ଚାଲନ୍ତୁ ପଳାଇଯିବା । ମୁଁ ପଚାରିଲି ଏମାନଙ୍କର ମୁଖ୍ୟ କିଏ, ସେ କହିଲେ ନାଗମଣି । ମୁଁ ସାହାସ କରି ଏକ ଘର ନିକଟକୁ ଯାଇ ଜଣେ ମହିଳାଙ୍କୁ ନାଗମଣିଙ୍କ ସଂପର୍କରେ ପଚାରିଲି । ସିଏ ତୁରନ୍ତ କହିଲେ ନାଗମଣି ନାହାନ୍ତି । ମୋ ମୁଣ୍ଡ କାମ କରିଲାନି, କଣ କରିବି? ନ୍ୟୁଜ୍ ନକରି ଅଫିସ୍ ଫେରିଗଲେ ସବୁ ଦିନ ଶୁଣିବାକୁ ପଡ଼ିବ ।
ମୋ ଇଷ୍ଟଦେବୀଙ୍କୁ ସ୍ମରଣ କଲି । ମୁଣ୍ଡକୁ ଆଇଡ଼ିଆଟିଏ ଜୁଟିଗଲା । ତୁରନ୍ତ ଗଲି ନିକଟସ୍ଥ ଖାରବେଳ ଥାନାକୁ । ସେଠି ଥାନା ଅଧିକାରୀଙ୍କୁ ଭେଟିଲି, ସେ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଥିଲେ । ମୋତେ ଦେଖି ଚିହ୍ନିଦେଲେ । ଖୁସି ହୋଇ ଟିଭିରେ ଦେଖୁଥିବା କଥା ମଧ୍ୟ କହିଲେ । ଭାସି ଯାଉଥିବା ସୁଅରେ କୁଟାଟିକୁ ଧରିବା ପରି ମୋର ମନେ ହେଲା । ମୋତେ ସେ ପଚାରିଲେ ପଟ୍ଟନାୟକ ବାବୁ ହଠାତ୍ କୁଆଡ଼େ ଆସିଲେ? ଆମର ତ ସେମିତି କିଛି ଖବର ନାହିଁ । ମୁଁ କହିଲି ନାହିଁ ମ ମାଳି ସାହି ଉପରେ ଖବରଟିଏ କରିବାର ଅଛି । ଏଣୁ ନାଗମଣିକୁ ଡ଼ାକିଲେ ହେବ । ସେ କହିଲେ ଚାହା ଫା ପିଅନ୍ତୁ ମୁଁ ଡ଼କାଇ ଦେଉଛି । ତୁରନ୍ତ ଜଣେ ହାବିଲଦାରକୁ ପଠାଇ ଦେଲେ ଡ଼ାକି ଆଣିବା ପାଇଁ ।
ମୁଁ ଚାହା ପିଉନି କହିବାରୁ ପଇଡ଼ ମଗାଇ ଦେଲେ । କିଛି ସମୟ ଗପ ସପ ହେଉ ହେଉ ୧୫ମିନିଂଟ୍ ହୋଇଛି କି ନାହିଁ ନାଗମଣି ତାର ପ୍ଲାଟୁନ୍ ଧରି ପହଂଚିଗଲା । ସାଥିରେ ଥିଲେ ଚାରିଜଣ ପୁରୁଷ ଓ ଚାରି ଜଣ ମହିଳା ଗାଡ୍ । ଥାନା ଅଧିକାରୀଙ୍କୁ ଲମ୍ବା ଚଉଡ଼ା ନମସ୍କାରଟିଏ ମାରି ପଚାରିଲା କଣ ହେଲା ବାବୁ? କଣ ପାଇଁ ଡ଼କାଇଲେ? ସେ କହିଲେ କିଛି ନାହିଁ, ଆଜ୍ଞା ଓଟିଭିରୁ ଆସିଛନ୍ତି ମାଳି ସାହିର ନ୍ୟୁଜ୍ ଟିଏ କରିବା ପାଇଁ । ଏଣୁ ଯାଅ ସବୁ ପ୍ରକାର ସହଯୋଗ କର । ସେ କହିଲା ହଁ ସାହିକୁ ଆସିଥିଲେ, ଦେଖିଛି । ମୁଁ କହିଲି ଜଣେ କହିଲେ ତୁମେ ନାହଁ ବୋଲି, ସେ କହିଲା କଣ କରିବୁ ଆଜ୍ଞା ଏତେ ବର୍ଷ ହେଲା ଏଠି ରହି ଆସିଛୁ । ସରକାର କହୁଛନ୍ତି ଏଠାରୁ ଆମକୁ ଉଠାଇ ଦେବେ । ସାମ୍ବାଦିକ ମାନେ ଆସୁଛନ୍ତି, ତାଙ୍କ ଇଛାରେ ଖବର କରୁଛନ୍ତି, ଏଣୁ କୌଣସି ସାମ୍ବାଦିକ ଆସିଲେ ଆମେ ପଦାକୁ ବାହାରୁନୁ ।
ତେବେ ଯାହା ହେଉ ନା କାହିଁକି ସେଦିନ ମୁଁ ମୋର ବିବେକକୁ ପଚାରି ବାସ୍ତବ ତଥ୍ୟ ସଂଗ୍ରହ କଲି । ଅନେକେ ସେମାନଙ୍କର କୋହଭରା କାହାଣୀ କହିଲେ । କେଉଁ ପରିସ୍ଥିତିରେ ଏହି ଅମଡ଼ା ବାଟର ପଥୀକ ସାଜିଛନ୍ତି ତାହା ମଧ୍ୟ ବଖାଣିଲେ । ଶେଷରେ ନାଗମଣି ଆସି କହିଲା ବାବୁ ଡ଼େରି ହେଲାଣି, ସେତିକି ନ୍ୟୁଜ୍ କରି ଯାଆନ୍ତୁ, ଗରାଖ ମାନେ ଆସି ଫେରି ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here