ବଢ଼ିଆ ଖବରଟା ଅଡ଼ୁଆ ହେଉ ହେଉ ରହିଗଲା !!!

0
70

ବ୍ରହ୍ମପୁର (ପ୍ରକାଶ ପଟ୍ଟନାୟକ):ସେତେବେଳକୁ ସାମ୍ବାଦିକତାର ନିଶା ମୋତେ ପୁରା ଘାରି ସାରିଥିଲା । ସମ୍ବଲପୁରରେ ମୋର ମୂଳଦୁଆ ପଡ଼ିଥିଲା ସାମ୍ବାଦିକତା ପାଠର । ପେସା ତ ନୁହଁ ବରଂ ନିଶାରେ କରୁଥିଲି ସାମ୍ବାଦିକତା । ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ପରିଚାଳିତ ଦୈନିକ ଖବର କାଗଜ ହିରାଖଣ୍ଡରେ କ୍ରୀଡ଼ା ପ୍ରତିନିଧି ରୂପେ କାମ କରି କରି ନଗର ପ୍ରତିନିଧିର ଦାୟିତ୍ୱ ତୁଲାଇଲି । ସେହି କାର୍ଯ୍ୟାଳୟରେ ଆସୋସିଏଟ୍ ଏଡିଟର ରୂପେ କାମ କରୁଥିବା ତଥା ପରବର୍ତି ସମୟରେ ସମାଜ ଖବର କାଗଜର ସମ୍ପାଦକ ରହିଥିବା ବାମାପଦ ତ୍ରିପାଠୀ ସାର୍ ମୋତେ ବେଶ୍ ଉତ୍ସାହିତ କରିଥିଲେ । ସାମ୍ବାଦିକତା ପ୍ରତି ମୋର ଆଗ୍ରହ ବଢ଼ିବା ସହ ଦୈନିକ ଖବର କାଗଜ ଅଗ୍ନିଶିଖା ଓ ସାପ୍ତାହିକ ଖବର କାଗଜ ତିଳୋତୋମାରେ ମଧ୍ୟ ଲେଖା ଲେଖି କରିଲି ।


ତେବେ ମଣ୍ଡଳ କାରାଗାରର ର ବରିଷ୍ଠ ଅଧିକାରୀ ରୂପେ କାର୍ଯ୍ୟ କରୁଥିବା ମୋର ବାପାଙ୍କ ର ବଦଳି ହୋଇଗଲା ଚୌଦ୍ୱାର ମଣ୍ଡଳ କାରାଗାରକୁ । ସାମ୍ବାଦିକତା କାମରେ ଡ଼ୋରି ବାନ୍ଧି ମୁଁ ମଧ୍ୟ ଚାଲିଆସିଲି ଚୌଦ୍ୱାରକୁ ।


ସାମ୍ବାଦିକ ନିଶାଟା ମୋତେ ଏତେ ଘାରିଥିଲା ଯେ ନିଶାଟା ସହଜରେ ଉତୁରୁ ନଥିଲା । ଏଣୁ ଦୈନିକ ଆଶାର ସଂପାଦକ ପ୍ରମୋଦ ପଣ୍ଡା ସାର୍ ଙ୍କ ସହ କଥା ହୋଇ ସେହି ଖବର କାଗଜର ଚୌଦ୍ୱାର ପ୍ରତିନିଧି ରୂପେ କାମ କଲି ।


ସେଠି ମୋର ସାମ୍ବାଦିକତା ଜୀବନରେ ଆସିଥିଲା ଟର୍ଣ୍ଣିଂ ପଏଂଟ୍ । ୧୯୯୪ ମସିହାର କଥା । ଏକ ସମ୍ବେଦନଶୀଳ ପ୍ରସଙ୍ଗର ଖବରଟି ରାତା ରାତି ମୋର ଲୋକପ୍ରିୟତାକୁ ବଢ଼ାଇଦେଲା । ଖବରଟି ଚୌଦ୍ୱାର କାରାଗାରର ଏକ ସିକ୍ରେଟ୍ ମିଶନ ସଂପର୍କରେ ଥିଲା । ସେହି ସମୟରେ ବାପା ଛୁଟିରେ ବ୍ରହ୍ମପୁର ଯାଇଥିଲେ । ଆଉ ତାଙ୍କରି ଅନୁପସ୍ଥିତିରେ ଖବରଟି ଦେଇ ଦେଇଥିଲି । ସେତେବେଳେ କିଶୋର ଚନ୍ଦ୍ର ସିଂ ଦେଓ ଜେଲ ମନ୍ତ୍ରୀ ଥିଲେ । ସେହି ଖବରଟି ପ୍ରକାଶିତ ହେବା ପରେ ତୁରନ୍ତ ମନ୍ତ୍ରୀ ଓ ଜେଲ ଆଇଜିଙ୍କ କାର୍ଯ୍ୟାଳୟରୁ ଚୌଦ୍ୱାର ଜେଲ କର୍ତୃପକ୍ଷଙ୍କୁ ସେହି ଖବର ପ୍ରକାଶନ ନେଇ କୈଫତ ମଗାଗଲା । ଯେହେତୁ ବାପା ଛୁଟିରେ ଥିଲେ ଏଣୁ ଜେଲର୍ ଙ୍କ ଉପରେ ଚଡ଼କ ପଡ଼ିଲା । ସେ ସେହି ଖବର କାଗଜ ଧରି ଚୌଦ୍ୱାର ପ୍ରେସ୍ କ୍ଲବ୍ କୁ ଗଲେ । କିଏ ରିପୋର୍ଟର ବୋଲି ପଚାରା ଉଚରା କଲେ । କ୍ଲବ୍ ର ସଦସ୍ୟ ମାନେ ହସି ହସି କହିଲେ ଦୀପ ତଳ ଅନ୍ଧାର, ଆଉ କହିଲେ ରିପୋର୍ଟର ଜଣକ ଆପଣଙ୍କର ଅଂଚଳରେ ରହୁଛନ୍ତି । ସେ ବୁଝି ପାରିଲେନି । ଶେଷରେ କ୍ଲବ୍ ର ସଭାପତି କହିଲେ ଜେଲ ସୁପରିନଟେଡ଼େଂଟ୍ ଙ୍କ ପୁଅ ପ୍ରକାଶ ବାବୁ ସେହି ଖବର କାଗଜର ରିପୋର୍ଟର ଅଛନ୍ତି ।


ସେ ଆଶ୍ୱସ୍ଥ ହୋଇ ତୁରନ୍ତ ଆମ ଘରକୁ ଆସିଲେ । ସେପଟେ ବାପା ଫୋନ୍ ଯୋଗେ ଘଟଣା ସଂପର୍କରେ ଖବର ପାଇ ପହଂଚିଗଲେ ଘରେ । ସେହି ଖବରକୁ ନେଇ ଚାଲିଲା ଚର୍ଚ୍ଚା, ଗାଳି ମଧ୍ୟ ଶୁଣିବାକୁ ପଡ଼ିଲା । ତେବେ ସେହି ଖବରରେ ମିଛ କିଛି ଲେଖା ହୋଇନଥିଲା କି କାହାକୁ ଟାର୍ଗେଟ୍ ମଧ୍ୟ କରାଯାଇନଥିଲା । ଏଣୁ ବାପା ଶେଷରେ କହିଲେ ଖବରଟା ଭଲ ହୋଇଛି ଯେ କିନ୍ତୁ ଏହା ଏକ ସିକ୍ରେଟ୍ ମିଶନ୍ ହୋଇଥିବାରୁ ଖବର ପ୍ରଘଟକୁ ନେଇ ଜେଲ୍ କର୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବାର ସମ୍ଭାବନା ମଧ୍ୟ ରହିଛି । ତେବେ ଭଗବାନଙ୍କ କୃପାରୁ ସେହି ପ୍ରସଙ୍ଗଟି ଆଗକୁ ବଢ଼ିବା ପୂର୍ବରୁ ଆପେ ଆପେ ଥମିଗଲା । ବାସ୍ କାହିଁକି କେଜାଣି ସେହି ଘଟଣା ପରେ ସାମ୍ବାଦିକତାକୁ ପେସା ରୂପେ ଆଦରି ନେବା ପାଇଁ ମନରେ ମୋର ସଂକଳ୍ପ ଭାବ ଆସିଲା ।


ଏତେ କଥା କହିଲି, ପ୍ରସଙ୍ଗଟା କଣ ଜାଣିବେ ନି? ହଁ ପ୍ରସଙ୍ଗଟା ଥିଲା ଏପରି । ଜନଗହଳି ପୂର୍ଣ୍ଣ ସ୍ଥାନରେ କଟକ ଠାରେ ମଣ୍ଡଳ କାରାଗାରଟି ଥିବାରୁ ବିଭିନ୍ନ ମହଲରେ ଦାବି ପରେ ତାହା ଚୌଦ୍ୱାରକୁ ସ୍ଥାନାନ୍ତରିତ ହୋଇଥିଲା । ଏକରକମର ନିରୋଳା ସ୍ଥାନରେ ଗଢ଼ି ଉଠିଥିଲା ନୂଆ କୋଠା ଘରଟି । ପୁଲିସ ହାଉସିଂ ବୋର୍ଡ଼ ପକ୍ଷରୁ ନିର୍ମାଣ ହୋଇଥିଲା ପୁରା କୋଠା ଘର । ତେବେ ମୂଳ ପ୍ରସଙ୍ଗ ହେଲା ଜାମ୍ମୁ କାଶ୍ମୀରରେ ଧରା ପଡ଼ିଥିବା ଜେକେଏଲ୍‌ଏଫ୍ ର ଦୁଇ ଉଗ୍ରପନ୍ଥୀଙ୍କୁ ପ୍ଲେନ୍ ଯୋଗେ ଭୁବନେଶ୍ୱର ଓ ସେଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଚୌଦ୍ୱାର ଆଣି ସେହି ଜେଲ୍ ରେ ରଖିବା ପାଇଁ ବ୍ଲୁପ୍ରିଂଟ୍ ପ୍ରସ୍ତୁତ ହୋଇ ସାରିଥିଲା । ଏଥି ପାଇଁ ଘନ ଘନ ସର୍ଭେ ମଧ୍ୟ ସରିଥିଲା । ହେଲେ ନୂତନ କୋଠାର କାନ୍ଥରେ ଫାଟ ସୃଷ୍ଟି ହୋଇଥିବାରୁ ଦୁଇ ଉଗ୍ରପନ୍ଥୀ ସେଠାରେ କେତେ ସୁରକ୍ଷିତ ରହିପାରିବେ ତାହା ହିଁ ଥିଲା ମୋର ହ୍ୟାଙ୍ଗର୍ ଷ୍ଟୋରୀର ବିଷୟବସ୍ତୁ ।


ସେହି ଖବରଟି ଝଡ଼ ସୃଷ୍ଟି କରି ନରମି ଗଲା ସତ ହେଲେ ସେପଟେ ଉଗ୍ରପନ୍ଥୀଙ୍କୁ ଆଣିବାର ନିଷ୍ପତିକୁ ମଧ୍ୟ ବଦଳାଇ ଦିଆଗଲା । ଏଥି ପାଇଁ ସେହି ଶ୍ରେୟଟା କାହାକୁ ଯିବ ବିଚାର ଆପଣ ମାନଙ୍କର….. ।

LEAVE A REPLY

Please enter your comment!
Please enter your name here