ଶେଷରେ ପଇଡ଼ ପିଆଇ ଛାଡ଼ିଲେ….

0
15

ବ୍ରହ୍ମପୁର(ପ୍ରକାଶ ପଟ୍ଟନାୟକ): କୁହାଯାଏ ରାଗ ମଣିଷର ପରମ ଶତ୍ରୁ । ଆଉ ଏହି ରାଗ ହିଁ ବେଳେ ବେଳେ ପରିସ୍ଥିତିକୁ ବିଗାଡ଼ିଦିଏ । ମୋର ସାମ୍ବାଦିକତା ଜୀବନରେ ଏମିତି ଏକ ଘଟଣାର ସାମନା କରିଥିଲି । ୨୦୦୭ ମସିହା ଜାନୁଆରୀ ମାସର କଥା । ସେତେବେଳେ ଭୁବନେଶ୍ୱରରେ ଓଟିଭି ମିଡ଼ିଆରେ କାମ କରୁଥିଲି । ଖବର ପାଇଲି ଦୁଇ ନମ୍ବର ହାଟର କ୍ଷୁଦ୍ର ଓ ଉଠା ବ୍ୟବସାୟୀ ମାନେ କ୍ୟାପିଟାଲ୍ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ତାଙ୍କୁ ସେଠାରୁ ଉଚ୍ଛେଦ କରିବା ପାଇଁ ସରକାରୀ ସ୍ତରରେ ନିଆଯାଇଥିବା ନିଷ୍ପତି ସଂପର୍କରେ ପୁଲିସ ଟିମ୍ ସେମାନଙ୍କୁ ଅବଗତ କରାଇବା ପରେ ତାହାର ପ୍ରତିଫଳନ ବିକ୍ଷୋଭ ଆକାରରେ ଦେଖିବାକୁ ମିଳିଥିଲା । ଖବର ପାଇ ମୁଁ ଓ କ୍ୟାମେରା ପର୍ସନ୍ ଘଟଣା ସ୍ଥଳରେ ପହଂଚିଥିଲୁ । ସେତେବେଳକୁ ଟିକେ ବିଳମ୍ବ ହୋଇଯାଇଥିଲା । ଥାନା ପୁଲିସ ସେଠାରୁ ବିକ୍ଷୋଭକାରୀଙ୍କୁ ଘଉଡ଼ାଇ ଦେଇଥିଲେ । ଏଣୁ ସେମାନେ ବାହାରେ ରାସ୍ତା କଡ଼ରେ ମେଳି ହୋଇ ବସିଥିଲେ ।


ଆମର ଗାଡ଼ି ସେଠାରେ ପହଂଚିବା ପରେ ଆମକୁ ଦେଖି ବିକ୍ଷୋଭ ପ୍ରଦର୍ଶନ ପାଇଁ ସେମାନଙ୍କୁ ପୁଣି ଥରେ ଇନ୍ଧନ ମିଳିଗଲା । ଆମକୁ କିଛି କହିବା ପୂର୍ବରୁ ସେମାନେ ହଠାତ୍ ମେଳି ହୋଇ ଧସେଇ ପଶିଲେ ଥାନା ପରିସରକୁ । ଚାଲିଲା ନାରାବାଜି । ତୁରନ୍ତ ଚିତ୍ର ଉତୋଳନ ପାଇଁ ମୁଁ କ୍ୟାମେରା ପର୍ସନକୁ କହିଲି । ସେ ଭିତରକୁ ଯାଇ କ୍ୟାମେରାରେ ସୁଟିଂ କରୁଥିବା ବେଳେ ସେପଟେ ସ୍ଲୋଗାନ୍ ଶୁଣି ପ୍ରଚଣ୍ଡ ରାଗିଯାଇ ଥାନା ଅଧିକାରୀ ନିଜ ରୁମ୍ ରୁ ବାହାରି ବାହାରକୁ ଆସିଗଲେ । ବିକ୍ଷୋଭକାରୀଙ୍କୁ ଧମକ ଦେଇ ଗାଳି କରିବା ସହ କ୍ୟାମେରା ପର୍ସନକୁ ମଧ୍ୟ ଗାଳି କଲେ । କାହାକୁ ପଚାରି କ୍ୟାମେରା ସୁଟିଂ କରୁଛ ବୋଲି ପଚାରିଲେ । କ୍ୟାମେରା ପର୍ସନ୍ ଜଣକ ଡ଼ରିଯାଇ କହିଲେ ଆମ ରିପୋର୍ଟର କହିଲେ, ମୁଁ ଉଠାଉଛି ଏଣୁ ତାଙ୍କୁ ପଚାରନ୍ତୁ । ସେ ଆହୁରି ରାଗିଯାଇ ସେଠାରୁ ରଡ଼ିଟା ଛାଡ଼ି କହିଲେ ଡ଼ାକ ତାଙ୍କୁ । ସେତେବେଳେ ବାହାରେ ଠିଆ ହୋଇ ମୋବାଇଲ୍ ଫୋନ୍ ରେ ମୁଁ କଥା ହେଉଥିଲି । କିଛି ଗୋଟାଏ ଅସୁବିଧା ହେଲା ଭାବି ଭିତରକୁ ପଶି ଆସିଲି । ହାତରେ ବୁମ୍ ଧରିଥିବା ଦେଖି ମୋତେ ରିପୋର୍ଟର ବୋଲି ଜାଣିପାରି ପୁଣି ଥରେ ଚଢ଼ା ଗଳାରେ ପଚାରିଲେ କାହାକୁ ପଚାରିକି ଉଠାଉଛନ୍ତି । ଆପଣଙ୍କର ତ ଆଉ ଜଣେ ରିପୋର୍ଟର ଆସନ୍ତି । ଆପଣ ବୋଧେ ନୁଆ । ଏମିତି କିଛି ସେହି ଅଣ ଓଡ଼ିଆ ଥାନା ଅଧିକାରୀଜଣକ କହି ଚାଲିଲେ । ଲମ୍ବା ଚଉଡ଼ା ହୋଇ ମୋଟା ରୋଟା ଥିବା ଥାନା ଅଧିକାରୀଜଣଙ୍କୁ ଦେଖି ମନରେ ମନରେ ଟିକେ ଡ଼ରିଗଲି । ଏତିକି ବେଳେ ପୁଣି ଥରେ ସେ କହିଲେ ଆପଣଙ୍କ ମାଡ଼ାମ୍ ଙ୍କ ସହ ମୁଁ ସବୁବେଳେ କଥା ହେଉଛି । ଆଉ ଆପଣ ମାନେ ଆସି ଆମ ବିରୋଧରେ ନ୍ୟୁଜ୍ କରୁଛନ୍ତି । ସେହି କଥା ପଦକ ଶୁଣି ମୁଁ ବି ରାଗିଗଲି । ଥାନା ବିରୋଧରେ ନ୍ୟୁଜ୍ କରିବାକୁ ଆମେ ଯାଇନଥିଲୁ । ବ୍ୟବସାୟୀଙ୍କ ବିକ୍ଷୋଭ ପ୍ରସଙ୍ଗ ଉପରେ ଖବର ସଂଗ୍ରହ କରିବା ପାଇଁ ଆମେ ଯାଇଥିଲୁ ସେଠାକୁ । ଏଣୁ ମୁହଁ ଇସ୍ପାତ ନ୍ୟାୟରେ ମୁଁ ମଧ୍ୟ ବ୍ରହ୍ମପୁରିଆ ଷ୍ଟାଇଲ୍ ରେ ପାଟିଟାଏ କରିଲି । ଏହା କଣ ନିଷେଧାଂଚଳ ସ୍ଥାନ ଯେ ପଚାରି କି ଆମେ କ୍ୟାମେରା ସୁଟିଂ କରିବୁ ବୋଲି ପ୍ରଶ୍ନ କଲି । ମୋତେ ଲାଗିଲା ବିନା କାରଣରେ ଅଧିକାରୀଜଣକ ଆମକୁ ଧମକ ଚମକ ଦେଇ ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ଏଣୁ ମନରେ ଭୟ ଥାଇ ମଧ୍ୟ ପୁଣି ଥରେ ମୁଁ କହିଲି ମାଡ଼ାମ୍ ଙ୍କ ସହ କଥା ହୁଅନ୍ତି ପରା ତାଙ୍କୁ ଫୋନ୍ କରି କୁହନ୍ତି ଆମେ ଖବର ସଂଗ୍ରହ କରିବାକୁ ଏଠାକୁ ଆସିଛି ସେ ମନା କଲେ ଆମେ ଫେରିଯିବୁ ।


ବାସ୍ ମୋର ସେହି କଥା ପଦଟି ତାଙ୍କର ଅକଲ୍ ଗୁଡ଼ୁମ୍ କରିଦେଲା । ସାଙ୍ଗେ ସାଙ୍ଗେ ସେ ସ୍ୱର ବଦଳାଇ ପଟ୍ଟନାୟକ ବାବୁ ରାଗନ୍ତୁନି, କି କଥାକୁ ଆଗକୁ ବଢ଼ାନ୍ତୁନୁ ବୋଲି କହିଲେ । ପ୍ରକୃତରେ ବିକ୍ଷୋଭକାରୀ ମାନେ ଏଠାରୁ ପଳାଇଲେ ବୋଲି ମୁଁ ମୋର ଉପର ଅଧିକାରୀଙ୍କୁ ଜଣାଇ ସାରିଥିଲି, ଏହି ଭିତରେ ଆପଣ ମାନେ ଆସି କଥାଟାକୁ ପୁଣି ଥରେ ବିଗାଡ଼ି ଦେଲେ । ଆଉ ରାଗନ୍ତୁନି ଭିତରକୁ ଆସନ୍ତୁ ଚାହା ଫା ପିଇ କରି ଯିବେ । ମୁଁ କହିଲି ଚାହା ମୁଁ ପିଏନି । ତଥାପି ସେ କହିଲେ ଭିତରକୁ ଆସନ୍ତୁ କଥା ହେବା । ମୁଁ ମଧ୍ୟ ଭାବିଲି ଯଦି ରଗା ରଗି ହୋଇ ଯିବି ହୁଏତ ଆଗକୁ ଖବର ସଂଗ୍ରହରେ କିଛି ଅସୁବିଧା ହୋଇପାରେ । ଏଣୁ ମୁଁ ମଧ୍ୟ ଟିକେ ନରମିଗଲି । ସେତେବେଳକୁ ଆମର ଖବର ସଂଗ୍ରହ କାମ ସରିଥିଲା ଏଣୁ ତାଙ୍କ କଥାରେ ରାଜି ହୋଇ ଭିତରକୁ ଗଲି । ସେ ମୋର ଫୋନ୍ ନମ୍ବର ରଖିଲେ ଆଉ କହିଲେ କେତେବେଳେ କଣ ଖବର ହେଲେ ଆପଣଙ୍କୁ ଜଣାଇବୁ । ତେବେ ନ୍ୟୁଜ୍ ପାଇଁ କେବେ ଆସିଲେ ମୋତେ ଫୋନ୍ କରି ଟିକେ ଜଣାଇ ଦେଉଥିବେ ବୋଲି କହିଲେ ସେ । ଆମ ଗପସପ ଭିତରେ ଶେଷରେ ସେ ବାଧ୍ୟ କରାଇ ଆମକୁ ପଇଡ଼ ପିଆଇ ଛାଡ଼ିଲେ ।

LEAVE A REPLY

Please enter your comment!
Please enter your name here