ଇଟିଭି ଗାଡ଼ିରେ ଛୁ ମାରିଲା ଓଟିଭି…

0
60

ବ୍ରହ୍ମପୁର (ପ୍ରକାଶ ପଟ୍ଟନାୟକ): ସନ୍ଧ୍ୟାରେ ଅଫିସ କାମ ସାରି ଘରେ ଥିଲି । ସାଙ୍ଗ ସାଥିଙ୍କ ସହ ଖଟି କରିବାର ଅଭ୍ୟାସ ମୋର ନଥିବାରୁ କିଛି ନ୍ୟୁଜ୍ ନଥିଲେ ମୁଁ ଘରକୁ ଚାଲିଆସେ । ବେଳେ ବେଳେ ଦିନ ଯାକର ଖବର ସଂଗ୍ରହ ଜନିତ କ୍ଲାନ୍ତରୁ ରିଲାକ୍ସ ପାଇବା ପାଇଁ ଫେମିଲି ସହ ବୁଲିବାକୁ ପଳାଏ । ଆଉ ସେଦିନ ହୋଟେଲ ଯାଇ ଡିନର କରିବା ପାଇଁ ପ୍ରୋଗ୍ରାମ୍ ହୋଇଥିଲା । ଏଥି ପାଇଁ ମୋର ପୁଅ ଓ ଘରଣୀ ଯିବା ପାଇଁ ପ୍ରସ୍ତୁତ ହେଲେ ।


ତଳେ ଅଗଣାରେ ମୁଁ ବୁଲୁଥିଲି । ହଠାତ୍ ମୋବାଇଲ୍ ଫୋନ୍ କୁ କଲ୍ ଟିଏ ଆସିଲା । ମୋତେ ଲାଗିଲା ଟାଉନ୍ ଭିତରେ କିଛି ଅଘଟଣ ଘଟିଯାଇଛି । କାରଣ ସନ୍ଧ୍ୟା ଡ଼େଉଁ ଡ଼େଉଁ ନାଲି ପାଣିର ପ୍ରତିଫଳନ ରାସ୍ତାଘାଟରେ ବେଳେ ବେଳେ ଦେଖିବାକୁ ମିଳିଥାଏ । ତେବେ ଫୋନ୍ କଲ୍ ଟିଏ ଆସିଥିଲା ସୁଦୁର କନ୍ଧମାଳରୁ । ଆଉ ଖବରଟି ଥିଲା ପୁରା ସାଙ୍ଘାତିକ । ତାହା ହେଲା ଜଳେଶପଟା ଆଶ୍ରମର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ।


୨୦୦୮ ମସିହା ଅଗଷ୍ଟ ୨୩ ତାରିଖର ଘଟଣା । ସେଦିନ ଥିଲା ଜନ୍ମାଷ୍ଟମୀ । ସନ୍ଧ୍ୟାରେ ଆଶ୍ରମରେ ପ୍ରାର୍ଥନା ସରିବା ପରେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ କେହି ଦୁର୍ବୃତ ଗୁଳି କରି ହତ୍ୟା କରିଥିଲେ । ପୂର୍ବରୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବାର ସେ ଅଭିଯୋଗ କରିଥିଲେ । ଏକଥା ଆମେ ମଧ୍ୟ ଜାଣିଥିଲୁ । ହେଲେ ହଠାତ୍ ଏପରି ଘଟଣା ଘଟିଯିବ ବୋଲି କିଏ ବି କଳ୍ପନା କରିନଥିଲେ । ଘଟଣା ଘଟିବା ବେଳେ ନିୟୋଜିତ ଦୁଇ ସୁରକ୍ଷା ପୋଲିସ ଗାର୍ଡ ମଧ୍ୟ ପାଖରେ ନଥିଲେ । ଏଣୁ ସନ୍ଧେହର କୁହେଳିକା ବଢ଼ିଗଲା । ଭୁବନେଶ୍ୱର କାର୍ଯ୍ୟାଳୟରୁ ଫୋନ୍ ଆସିବା ପୂର୍ବରୁ ମୁଁ କନ୍ଧମାଳର ଆମ ଓଟିଭି ପ୍ରତିନିଧି ସୁନୀଲ ପଟ୍ଟନାୟକ ଓ ଅରୁଣ ଷଡ଼ଙ୍ଗିଙ୍କ ସହ କଥା ହୋଇ ତଥ୍ୟ କିଛି ହାସଲ କରିନେଲି । କିଏ କହୁଥିଲା ଏହା ନକ୍ସଲଙ୍କ କାଣ୍ଡ ତ ଆଉ କିଏ କହୁଥିଲା ସଂଖ୍ୟାଲଘୁଙ୍କ କାଣ୍ଡ । ଏପରିକି ଚୋର ଡ଼କାୟତଙ୍କ କାଣ୍ଡ ହୋଇଥାଇ ପାରେ ବୋଲି ବି ଶୁଣିବାକୁ ମିଳିଲା । ହତ୍ୟାକାଣ୍ଡର କାରଣକୁ ନେଇ କଳ୍ପନା ଜଳ୍ପନା ଯେତେ ବଢ଼ିଲା ମୋର ମାନସିକ ଚାପ ମଧ୍ୟ ସେତେ ବଢ଼ିଲା ।


ଏହି ସମୟରେ ପୁଅ ଓ ଘରଣୀ ହୋଟେଲ ଯିବା ପାଇଁ ପ୍ରସ୍ତୁତ ହୋଇ ଉପର ମହଲାରୁ ତଳକୁ ଆସିଲେ । ତେବେ ମୋର ଭାବ ଭଙ୍ଗି ଦେଖି ଘରଣୀ ଠଉରାଇ ନେଲେ ଯେ ଖବରଜନିତ କିଛି ଗୋଟାଏ ବଡ଼ ଧରଣର ଘଟଣା ଘଟିଯାଇଛି । ସେତେବେଳେ ମୁଁ ଏବେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲି ଯେ କେବଳ ଗୋଟାଏ ପଦରେ କହିଲି ହୋଟେଲ ଆଉ ଯାଇ ହେବନି । ଏମିତି ପରିସ୍ଥିତି ସାମନା କରିବା ତାଙ୍କର ଦେହଘଷା ହୋଇ ଯାଇଥିଲା । ଏଣୁ କିଛି ନକହି ଘର ଭିତରକୁ ଚାଲି ଗଲେ ଦୁହେଁ ।


ଏତିକି ବେଳେ ଅଫିସ୍ ରୁ ଫୋନ୍ ଆସିଲା । ପୁରା ଘଟଣା ସଂପର୍କରେ ତଥ୍ୟ ନେଇ ରାତି ୯ଟାରେ ଫୋନୋ ନେଲେ । ଆଉ କହିଲେ ସକାଳୁ ସକାଳୁ ଜଳେଶପଟା ଅଭିମୁଖେ ବାହାରିଯିବା ପାଇଁ । ରାତାରାତି ଟ୍ୟାକ୍ସି ଟିଏ ଯୋଗାଡ଼ କରିବାକୁ ପଡ଼ିଲା । ସତ କହିବାକୁ ଗଲେ ଘଟଣା ସଂପର୍କରେ ଜାଣିବା ପରେ କିଏ ବି ଯିବାକୁ ରାଜି ହେଉନଥିଲେ । ତଥାପି ଜଣେ ପରିଚିତକୁ ରାଜି କରାଇଲି । ଟାଟା ସୁମୋ ଗାଡ଼ିଟିଏ ମିଳିଲା । କ୍ୟାମେରା ପର୍ସନ୍ ଟୁଟୁ ଅସୁସ୍ଥ ଥିବାରୁ ଅନ୍ୟ ଜଣେ କ୍ୟାମେରା ପର୍ସନ ଆଲୋକଙ୍କ ସହ କଥା ହେଲି ସକାଳୁ ସକାଳୁ ବାହାରିବା ପାଇଁ ।


ରାତିରେ ନିଦ ହେଲାନି । କିପରି ଯିବୁ? ଘଟଣା ସ୍ଥଳରେ ପହଂଚି ପାରିବୁ କି ନାହିଁ? ଖବର ସଂଗ୍ରହରେ କିଛି ବାଧକ ହେବ ନି ତ? ଆମର ସୁରକ୍ଷା ପ୍ରତି ବିପଦ ରହିବନି ତ? ରାତି ସାରା ଏପରି ପ୍ରଶ୍ନ ମୋର ମନକୁ ଆନ୍ଦୋଳିତ କରିଥିଲା । ସକାଳୁ ସକାଳୁ ଘରର ଇଷ୍ଟଦେବୀଙ୍କୁ ମୁଣ୍ଡିଆଟିଏ ମାରି ବାହାରିପଡ଼ିଲି । ଗାଡ଼ିର ଆଗ ପଟ ଓ ପଛ ପଟେ ଓଟିଭିର ଷ୍ଟିକର୍ ମରାଗଲା । ଆଉ ଆରମ୍ଭ ହେଲା ଆମର ମିଶନ୍ ଜଳେଶପଟା ।


ସକାଳୁ ପାଗଟା କୋହଳା ଥିଲା । ଝିପି ଝିପି ବର୍ଷା ମଧ୍ୟ ହେଉଥିଲା । ପାହାନ୍ତିଆରୁ ଆମେ ବାହାରି ପଡ଼ିଥିଲୁ । ସକାଳ ୭ଟାରେ କଳିଙ୍ଗା ଘାଟି ନିକଟରୁ ପହଂଚିଲୁ । ଆଗରେ ସାତ ଆଠଟା ଗାଡ଼ି ଅଟକି ଥିଲା । କାରଣ ଜାଣିବା ପାଇଁ ଗାଡ଼ିରୁ ଓହ୍ଲାଇଲି, ଦେଖିଲି ଆରଡିସିଙ୍କ କାର୍ ମଧ୍ୟ ଆଗରେ ଅଛି । ଜଣାପଡ଼ିଲା ଗଛ କାଟି ରାସ୍ତା ଅବରୋଧ କରାଯାଇଛି । ପଛରେ ମୋର ପ୍ରିୟ ବନ୍ଧୁ ତଥା ଇଟିଭିର ପ୍ରତିନିଧି ରଙ୍ଗାଧର ପଣ୍ଡାଙ୍କର ଗାଡ଼ି ଲାଗିଲା । ଉଭୟେ ଉଭୟଙ୍କୁ ଦେଖିଲୁ । ସେ ଗାଡ଼ିରୁ ଓହ୍ଲାଇ କଥା ହେଲେ । ତେବେ ମଜା କଥା ହେଲା ପୂର୍ବ ଦିନ ରାତିରେ ବଜାରରେ ଉଭୟେ ଭେଟା ଭେଟି ହୋଇଥିଲୁ କିନ୍ତୁ କନ୍ଧମାଳ ଗସ୍ତ ସଂପର୍କରେ କିଏ କାହାକୁ କହିନଥିଲୁ । ପ୍ରଫେସନାଲ୍ ଜୀବନରେ ଏମିତି ବେଳେ ବେଳେ ହୋଇଥାଏ । ତେବେ ଯାହା ହେଉ ରାସ୍ତା ସଫା ହେବା ପରେ ନିଜ ନିଜ ଗାଡ଼ିରେ ଜଳେଶପଟା ଅଭିମୁଖେ ବାହାରିଲୁ । ସେଠି ପହଂଚି ଖବର ସଂଗ୍ରହ କାର୍ଯ୍ୟ ମଧ୍ୟ ସାରିଲୁ । ସେତେବେଳେ ସେଠାକାର ଜିଲ୍ଲାପାଳ କ୍ରିଷନ୍ କୁମାର ଥିଲେ । ଘଟଣାକୁ ନେଇ ସେ ବେଶ୍ ଚିନ୍ତିତ ହୋଇ ପଡ଼ିଥିଲେ । ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଯତ୍ନର ସହ ଖବର ପରିବେଷଣ ପାଇଁ ଆମକୁ ଅନୁରୋଧ କରିଲେ । ସେତେବେଳେ ଆଶ୍ରମର ଛୋଟ ଛୋଟ ଅନ୍ତେବାସୀଙ୍କ କରୁଣ କ୍ରନ୍ଦନ ପରିବେଶକୁ ଆହୁରି ଗୁରୁଗମ୍ଭୀର କରି ଦେଇଥିଲା ।

ଏହି ସମୟରେ ରଙ୍ଗାଧର ମତେ କହିଲେ ଭାଇନା ମୋର କାମ ସରିଲା, ଏବେ ମୁଁ ଫେରିଯିବି । ସେତେବେଳେ ମତେ ଆଉ କିଛି ସମୟ ରହିବାର ଥିଲା ଏଣୁ ତାଙ୍କୁ ମୁଁ କହିଲି ମୋର ଗାଡ଼ିରେ ଚାଲିଯାଅ । ମୁଁ ତୁମ ଗାଡ଼ିରେ ଫେରିଯିବି । ମୁଁ ନେଇଥିବା ଗାଡ଼ିଟି ସନ୍ଧ୍ୟାରେ ଅନ୍ୟତ୍ର ଯିବା ପାଇଁ ବୁକ୍ ହୋଇଥିଲା । ଏଣୁ ମାଲିକର ଅନୁରୋଧ ପ୍ରକାରେ ଗାଡ଼ିଟିକୁ ଶୀଘ୍ର ପଠାଇ ଦେବା ପାଇଁ ମୁଁ ଉଚିତ୍ ମଣିଲି ଏଣୁ ଇଟିଭି ଷ୍ଟିକର ଲାଗିଥିବା କାର୍ ଟିକୁ ମୁଁ ରଖିଲି । ରଙ୍ଗାଧର ଓଟିଭି ଷ୍ଟିକର୍ ଲାଗିଥିବା ଟାଟା ସୁମୋ ଗାଡ଼ିରେ ଚାଲିଗଲେ । ପ୍ରକୃତରେ ତାଙ୍କ ନିଜ ଘର ବାଲିଗୁଡ଼ା ହୋଇଥିବାରୁ ଘର ମୁହାଁ ହୋଇ ଯିବା ପାଇଁ ସେ ଆଗୁଆ ବାହାରି ପଡ଼ିଥିଲେ ।


କିଛି ସମୟ ପରେ କାମ ସାରି ଆମେ ବି ବାହାରି ପଡ଼ିଲୁ । କିଛି ବାଟ ଯିବା ପରେ ଏକ ଗ୍ରାମର ରାସ୍ତାରେ ବଡ଼ ବଡ଼ ପଥର ରଖି ରାସ୍ତା ଅବରୋଧ କରାଯାଇଥିଲା । ଆମେ ସେଠାରେ ପହଂଚିବା ପରେ ଆଗକୁ ଯିବାକୁ ଦେବୁନୁ ବୋଲି ସେଠିକାର ବାସିନ୍ଦା କହିଲେ, ମୁଁ ଗାଡ଼ିରୁ ଓହ୍ଲାଇଲି, ଭାବିଲି ତାଙ୍କୁ ବୁଝାଇଲେ ସେମାନେ ବୁଝିବେନି ଏଣୁ ତାଙ୍କ ଭାଷାରେ ତାଙ୍କୁ ବୁଝାଇବାକୁ ହେବ । ଏଣୁ ରାସ୍ତା ଅବରୋଧର କାରଣ ଜାଣିବା ପାଇଁ ସେମାନଙ୍କୁ କହିଲି ସ୍ଲୋଗାନ୍ ଦିଅ, ସେମାନେ ସ୍ଲୋଗାନ୍ ଦେଲେ । କ୍ୟାମେରା ପର୍ସନକୁ କହିଲି ସୁଟିଂ କରିବା ପାଇଁ । ସେମାନଙ୍କ ସ୍ଲୋଗାନ୍ ରୁ ଜାଣିଲି ଯେ ସେମାନେ ଲକ୍ଷ୍ମଣନନ୍ଦ ସରସ୍ୱତୀଙ୍କ ସପକ୍ଷବାଦୀ । ଏଣୁ ତାଙ୍କ କଥାରେ କଥା ମିଶାଇ ହତ୍ୟାକାରୀଙ୍କୁ ଗାଳି କଲି । ଖବରଟାକୁ ଏମିତି ଗରମ କରି ଦେବୁ ଯେ… ସେମାନଙ୍କୁ ଫାଶୀ ମିଳିବା ଥୟ ବୋଲି କହିଲି । ଏପରିକି ସେମାନଙ୍କର ବାଇଟ୍ ମଧ୍ୟ ନେଇଗଲି । ସେମାନେ ମୋ କଥାରେ ଖୁସି ହୋଇଗଲେ ସତ ହେଲେ ଆଗକୁ ଛାଡ଼ିବୁନି ବୋଲି କହିଲେ । ତାଙ୍କୁ ପୁଣି ଥରେ କହିଲି ଖବର ଟା ଆଜି ବାଜିଲେ ତ ମୁଖ୍ୟମନ୍ତ୍ରୀ କିଛି ଗୋଟେ ପଦକ୍ଷେପ ନେବେ!!! ଏତିକିରେ କେହି ଜଣେ କହିଲା ହଉ ସେମାନଙ୍କୁ ଛାଡ଼ିଦିଅ । ବାସ୍ ଏତିକି କଥା ଶୁଣୁ ନଶୁଣୁନୁ ମୁଁ ଓ କ୍ୟାମେରା ପର୍ସନ ରାସ୍ତା ଉପରରୁ ବଡ଼ ବଡ଼ ପଥର ଗୁଡ଼ିକ ହଟାଇ ରାସ୍ତା ସାଫ୍ କରିଦେଲୁ । କାଳ ବିଳମ୍ବ ନକରି ଗାଡ଼ି ଷ୍ଟାଟ୍ କରି ଆଗକୁ ମାଡ଼ିଗଲୁ ।


ଭୋକ ଲାଗୁଥିଲା, ପରିଶ୍ରା ବି ଲାଗୁଥିଲା, ହେଲେ ଗାଡ଼ି କେଉଁଠି ବି ଅଟକିଲା ନାହିଁ । ସିଧା ପହଂଚିଲୁ ଭଞ୍ଜନଗର ରାସ୍ତା କଡ଼ ନିକଟରେ ଥିବା ଢ଼ାବା ନିକଟରେ । ଖାଇବା ପାଇଁ ଅର୍ଡର ଦେଇ ରଙ୍ଗାଙ୍କୁ ଫୋନ୍ କଲି, କେଉଁଠି ବୋଲି ପଚାରିଲି । ସେ କହିଲେ ଭାଇନା ଆମେ ଥାନାରେ ଅଛୁ । କଣ ପାଇଁ ପଚାରିଲି, ସେ କହିଲେ ରାସ୍ତାରେ ପଥର ରଖି ରାସ୍ତା ଅବରୋଧ କରିଥିଲେ, ଆମକୁ ଆଗକୁ ଛାଡ଼ିଲେନି । ଏହି ସମୟରେ ସେ ଗାଡ଼ିର ଡ୍ରାଇଭର ମୋତେ ଫୋନ୍ ରେ କହିଲେ ଆଜ୍ଞା ମୋର ଯିବାର ଥିଲା ଏଠି ମୁଁ ଫଶିଗଲି । ସେମାନେ ଜାର୍ ରେ ପେଟ୍ରୋଲ ଧରି ଗାଡ଼ି ପୋଡ଼ି ଦେବୁ ବୋଲି ଧମକ ଦେଲେ ଏଣୁ ବାଧ୍ୟ ହୋଇ ଆମର ସୁରକ୍ଷା ପାଇଁ ଆମେ ଥାନାକୁ ଆସିଗଲୁ । ପରିସ୍ଥିତି ଧୀରେ ଧୀରେ ଅଣାୟତ ହେଉଥିଲା ଏଣୁ ଥାନାବାଲା ବି ସହଯୋଗ କରିପାରିଲେ ନାହିଁ । ମୋର ବି କିଛି କରିବାର ଉପାୟ ନଥିଲା । ଏଣୁ ବାଧ୍ୟ ହୋଇ ଆମେ ଫେରିଗଲୁ ବ୍ରହ୍ମପୁର । ତା’ପର ଦିନ ସକାଳେ ରଙ୍ଗା ଜଣେ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତା ରମାକାନ୍ତଙ୍କ ମଟର ସାଇକେଲ ଯୋଗେ ବ୍ରହ୍ମପୁର ଫେରିଲେ । ଆଉ ସେହି ଟାଟା ସୁମୋ ଗାଡ଼ିଟି ସନ୍ଧ୍ୟାରେ ଆସିଲା । ସେହି ଘଟଣାକୁ ନେଇ ସମସ୍ତେ ଚୁଗୁଲି କରି କହିଲେ ଇଟିଭି ଗାଡ଼ିରେ ଓଟିଭି ଛୁ ମାରିଲା, ଆଉ ଓଟିଭି ଗାଡ଼ି ଧରି ଇଟିଭି ଫଶିଗଲା । ଚୁଗୁଲି କଥାଟା ଶୁଣିବାକୁ ସିନା ମଜା ଲାଗୁଛି ହେଲେ ସେହି ଘଟଣା ମନେ ପଡ଼ିଲେ ଆଜି ବି ଲୋମ ଟାଙ୍କୁରି ଉଠୁଛି ।

LEAVE A REPLY

Please enter your comment!
Please enter your name here