ହାଇଜାକ୍ ଛାତ୍ରକୁ ଟିଭିରେ ଦେଖିଲେ

0
28

ବ୍ରହ୍ମପୁର (ପ୍ରକାଶ ପଟ୍ଟନାୟକ): ମେଟ୍ରିକ୍ ପରୀକ୍ଷାରେ ଫଳାଫଳ ବାହାରିଲେ ତାହା ତୁରନ୍ତ ଜାଣିବା ପାଇଁ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ମହଲରେ ଯେତିକି ମାତ୍ରାରେ ଉତ୍କଣ୍ଠା ବଢ଼ିଥାଏ ତାହାଠାରୁ ଯଥେଷ୍ଟ ଅଧିକା ବଢ଼ିଥାଏ ସାମ୍ବାଦିକଙ୍କ ମହଲରେ । କହିବାକୁ ଗଲେ ପରୀକ୍ଷାରେ କିଏ ର‌୍ୟାଙ୍କ୍ ରଖିଲା ସେ ସଂପର୍କିତ ଖବର ପ୍ରଥମେ କିଏ ଜାଣିବ ଓ ପ୍ରଥମେ କିଏ ମିଡିଆରେ ବ୍ରେକ୍ କରିବ ତାହା ହିଁ ରହିଥାଏ ପ୍ରତିଟି ସାମ୍ବାଦିକ ପାଇଁ ଚ୍ୟାଲେଞ୍ଜ୍ । ଟିଭି ପରଦାରେ ର‌୍ୟାଙ୍କ୍ ଧାରୀଙ୍କ ସୂଚନା ଓ ସାକ୍ଷାତକାର ଦେବା ପାଇଁ ସମସ୍ତଙ୍କ ଭିତରେ ଆରମ୍ଭ ହୋଇଯାଏ ଏକରକମର ଭିତିରିଆ ପ୍ରତିଯୋଗିତା । ୨୦୦୭ ଓ ୨୦୦୮ ମସିହାରେ ବ୍ରହ୍ମପୁର ର‌୍ୟାଙ୍କ୍ ଧାରୀଙ୍କ ସଂପର୍କରେ ଖବର ପ୍ରଥମେ ଆମେ ପାଇଥିଲୁ ଓ ତୁରନ୍ତ ତାହା ଓଟିଭିରେ ପ୍ରସାରିତ ହୋଇଥିଲା । ଏଣୁ ୨୦୦୯ ପରୀକ୍ଷା ଫଳ ବାହାରିବା ପୂର୍ବରୁ ସମସ୍ତ ସାମ୍ବାଦିକ ନିଜ ନିଜକୁ ପ୍ରସ୍ତୁତ କରି ନେଇଥିଲେ ପ୍ରଥମେ ଖବର ହାତେଇବା ପାଇଁ । ଏଥି ପାଇଁ ସମସ୍ତଙ୍କର ଲକ୍ଷ୍ୟ ଥିଲା ମୋତେ ଚେକ୍ ଦେବା ପାଇଁ । ତେଣୁ ମୋର ଗତିବିଧି ଉପରେ ଅନେକଙ୍କ ନଜର ଥିଲା । ତାହା ଠଉରାଇ ପାରି ମୁଁ ମଧ୍ୟ ମୋର ରଣନୀତି ପ୍ରସ୍ତୁତି କରି ନେଲି ।
ସକାଳ ୯ଟାରେ କଟକ ବୋର୍ଡ଼ ଅଫିସ୍ ରୁ ରିଜଲଟ୍ ବାହାରେ । ସେହି ସମାନ୍ତରଳ ଭାବେ ବିଭିନ୍ନ ସହରର କିଛି ନିର୍ଦ୍ଧିଷ୍ଟ ସ୍କୁଲରୁ ସେହି ସମୟରେ ରିଜଲର୍ଟ ପୁସ୍ତିକାକୁ ବିକ୍ରି କରାଯାଏ । ୨୦୦୯ ମସିହାର କଥା ଅନ୍ୟ ସାମ୍ବାଦିକଙ୍କ ପରି ମୁଁ ମଧ୍ୟ ଯାଇଥିଲି ବ୍ରହ୍ମପୁର ସିଟି ହାଇସ୍କୁଲକୁ । କାଉଂଟର ରେ ପୁସ୍ତକ ବିକ୍ରି ପାଇଁ ସମସ୍ତ ପ୍ରସ୍ତୁତ ଚାଲିଥିଲା । ଆମେ କିଛି ସାମ୍ବାଦିକ ସେହି ସ୍କୁଲର ଏକ ରୁମ୍ ରେ ଥିଲୁ । ସେଠାରୁ କିଛି ବହି ଗଚ୍ଛିତ ଥିଲା । ସମୟ ପାଖେଇ ଆସୁଥିବା ସହ ଆମ ମନରେ ଉତ୍କଣ୍ଠା ମଧ୍ୟ ବଢ଼ୁଥିଲା । ର‌୍ୟାଙ୍କ୍ ଧାରୀଙ୍କ ଠିକଣା ପ୍ରଥମେ ମୋର ହାତକୁ ଲାଗିବ କି ନାହିଁ ସେହି ଚିନ୍ତା ଘାରୁଥିଲା ମୋତେ । ଅବଶ୍ୟ ସେଥି ପାଇଁ ଆଗରୁ ମୋର ପ୍ରସ୍ତୁତ ସରିଥିଲା । ମୋର ଦୁଇ ସହଯୋଗୀ ତଥା କ୍ୟାମେରା ପର୍ସନ୍ ଟୁଟୁ ଓ ଆଲୋକଙ୍କୁ ମଧ୍ୟ ମୁଁ ବୁଝାଇ ସାରିଥିଲି । ସେମାନେ ମଧ୍ୟ ନିଜ ନିଜର ପଜିସନ୍ ନେଇ ସାରିଥିଲେ । ସମସ୍ତଙ୍କ ଆଢ଼ୁଆଳରୁ ଖସି ଚାଲିଯିବା ପାଇଁ ଟୁଟୁକୁ ମୁଁ ଟାଉନ୍ ଥାନା ପରିସରରେ ମୋଟର ସାଇକେଲ ସହ ଜଗାଇଥିଲି । ୯ଟା ବାଜିବାକୁ ୫ ମିନିଟ୍ ଥିଲା । ସେ ସ୍କୁଲର ପ୍ରଧାନ ଶିକ୍ଷୟକଙ୍କୁ ଅନୁରୋଧ କରି ପ୍ରଥମେ ଆମେ ରିଜଲଟ୍ ବହି ଦେଖି ନେଲୁ । ପ୍ରଥମେ ର‌୍ୟାଙ୍କଧାରୀର ନାମ ଉପରେ ମୋର ନଜର ପଡ଼ିଲା । ସେ ବ୍ରହ୍ମପୁର ସ୍କୁଲର ପିଲା ଭିତରୁ ଅନ୍ୟ ଆଡ଼େ ନଜର ବୁଲାଇ ସମୟ ନଷ୍ଟ କରିବାକୁ ମୁଁ ଚାହିଁଲି ନାହିଁ । ଅନ୍ୟ ସାମ୍ବାଦିକମାନେ ର‌୍ୟାଙ୍କଧାରୀଙ୍କ ପୁରା ତାଲିକାକୁ ତନ୍ନ ତନ୍ନ କରି ଦେଖିବା ସହ ଟିପୁ ଥିଲେ । ମୁଁ ଚୁପ୍ କିନା ଖସି ଆସିଲି ସ୍କୁଲ ପରିସରରୁ । ପୂର୍ବରୁ ସରସ୍ୱତୀ ଶିଶୁ ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ ମାନଙ୍କର ଫୋନ୍ ଗୁଡ଼ିକୁ ସଂଗ୍ରହ କରି ରଖିଥିଲି । ସ୍କୁଲରୁ ଟାଉନ୍ ଥାନା ଭିତରକୁ ଚାଲି ଚାଲି ଯିବା ବେଳେ ଫୋନ୍ ରେ କଥା ହୋଇଗଲି ରାମହରି ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକଙ୍କ ସହ । କାରଣ ପ୍ରଥମ ର‌୍ୟାଙ୍କଧାରୀ ସଙ୍କେତ ଦାସ ଥିଲା ତାଙ୍କ ସ୍କୁଲର ଛାତ୍ର । ମୋର ପରିଚୟ ଦେଇ ସଙ୍କେତର ବାପାଙ୍କ ଫୋନ୍ ନମ୍ବର ଓ ଠିକଣା ମାଗିଲି । ଏତିକି ବେଳେ ଟୁଟୁ ଗାଡ଼ି ଷ୍ଟାଟ୍ କରି ମାଡ଼ି ଚାଲିଲା ସେହି ସ୍କୁଲ ଅଭିମୁଖେ । ସେମାନେ ନମ୍ବର ଓ ଠିକଣା ବାହାର କରୁ କରୁ ଆମେ ପହଂଚିଗଲୁ ସେହି ସ୍କୁଲରେ । ସ୍କୁଲରେ ରିଜଲଟ୍ ଜଣାଇ ସଙ୍କେତର ବାପାଙ୍କୁ ଫୋନ୍ ରେ ମୁଁ ଯୋଗାଯୋଗ କଲି । ଆମ ସାଥୀରେ ସ୍କୁଲର ଜଣେ ଶିକ୍ଷକ ଆସିଲେ ସଙ୍କେତର ଘର ଦେଖାଇ ଦେବା ପାଇଁ । ଗାଡ଼ିରେ ଯାଉ ଯାଉ ସଙ୍କେତର ବାପାଙ୍କୁ ରିଜଲଟ୍ ଜଣାଇ ଦେଲି । ପ୍ରଥମେ ମୋ ଠାରୁ ସେମାନେ ରିଜଲଟ୍ ଖବର ପାଇଲେ । ଏତିକି ବେଳେ ଆମେ ପହଂଚିଗଲୁ ତାଙ୍କ ଘରେ । ଉପର ମହଲାରେ ରହୁଥିଲେ ସେମାନେ ।
ସମୟ ଗଡ଼ିବା ସହ ଖବର ମଧ୍ୟ ପ୍ରଚାରିତ ହୋଇଗଲା ସଙ୍କେତ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ରହିଥିବା କଥା । ଧୀରେ ଧୀରେ ସାମ୍ବାଦିକଙ୍କୁ ସୁଅ ଛୁଟିଲା ତାଙ୍କ ଘରକୁ । ସଙ୍କେତର ପ୍ରତିକ୍ରିୟା ନେବାକୁ ସବୁ ସାମ୍ବାଦିକ ବ୍ୟାକୁଳ ହୋଇ ଉଠିଲେ । ତେବେ ସଙ୍କେତର ଦେଖା ମିଳୁନଥିଲା । ଘରେ ସାମ୍ବାଦିକଙ୍କ ଭିଡ଼ । ଏହି ସମୟରେ ତାଙ୍କ ବାପା ଆସି କହିଲେ ସଙ୍କେତକୁ ଓଟିଭିର ସାମ୍ବାଦିକ ଡ଼ାକି ନେଇ ଯାଇଛନ୍ତି । ସଙ୍କେତକୁ ଓଟିଭି ହାଇଜାକ୍ କରି ନେଇଗଲା ବୋଲି ସେଠି ଚର୍ଚ୍ଚା ହେଲା । ତେବେ ସୁନିଶ୍ଚିତ କରିବା ପାଇଁ କେହି ଜଣେ କହିଲେ ଓଟିଭି ଲଗାଅ । ଟିଭି ଲାଗିଲା ଆଉ ସେତେବେଳେ ସଙ୍କେତ ସହ ମୋର ସାକ୍ଷାତକାରର ସିଧା ପ୍ରସାରଣ ଚାଲିଥିଲା ।
ସଙ୍କେତର ଘରେ ପହଂଚିବା ବେଳେ ସଙ୍କେତକୁ ଧରି ତାର ପରିବାରବର୍ଗ ଖୁସିରେ ଆତ୍ମ ବିଭୋର ହୋଇ ପଡ଼ିଥିଲେ । ତେବେ ତାଙ୍କ ଖୁସିକୁ ସେମାନେ ପୁନଃମାତ୍ରାରେ ଉପଭୋଗ କରିବା ପୂର୍ବରୁ ସେମାନଙ୍କୁ ଅନୁରୋଧ କରି ସଙ୍କେତକୁ ଧରି ମୁଁ ଚାଲି ଯାଇଥିଲି ସାଥୀରେ । ଅଫିସ୍ ରେ ଥିବା ସହଯୋଗୀ ଆଲୋକକୁ ଫୋନ୍ କରି ଷ୍ଟୁଡ଼ିଓ ଲାଇଭ୍ ଫର୍ମାଟ୍ ପ୍ରସ୍ତୁତ କରିବା ପାଇଁ କହି ଦେଇଥିଲି । ସେପଟେ ଅଫିସ୍ କୁ ମଧ୍ୟ ଜଣାଇ ଦେଇଥିଲି ପ୍ରଥମ ର‌୍ୟାଙ୍କଧାରୀର ଖବର ବ୍ରେକ୍ କରିବେ ବୋଲି । ଏଣୁ ଅଫିସ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲା । ଆଉ ଆମେ ପ୍ରଥମେ ସେହି ଖବର ପ୍ରସାର କରିବାର ଶ୍ରେୟ ପାଇଲୁ । ସେତେବେଳେ ସେହି ଘଟଣାକୁ ନେଇ ଆମ ଅଫିସ୍ ରୁ ଆମ ଟିମ୍ କୁ ଯେତିକି ପ୍ରଶଂସା ମିଳିଥିଲା ସେହି ପରିମାଣର ପ୍ରଶଂସା ଭୁବନେଶ୍ୱରର ବିଭିନ୍ନ ମିଡ଼ିଆ ହାଉସ୍ ରୁ ମଧ୍ୟ ଆମକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here