ଷ୍ଟାର୍ ରିପୋର୍ଟର କହୁଥିଲେ ତଥାପି ଡରୁଥିଲି…..

0
2

ବ୍ରହ୍ମପୁର (ପ୍ରକାଶ ପଟ୍ଟନାୟକ): ସେଦିନ କାହିଁକି କେଜାଣି କିଛି କାରଣ ନଥାଇ ବି ସକାଳୁ ଜଳଖିଆ ଖାଇ ନେଇଥିଲି । ମନଟା ବି ଟିକେ ଫୁର୍ତି ଫୁର୍ତି ଲାଗୁଥିଲା । ଘରଣୀ ଥଟା କରି କହିଲେ ଆଜି ବୋଧ ହୁଏ ନ୍ୟୁଜ୍ ଫ୍ୟୁଜ୍ କିଛି ନାହିଁ । ଆଖିରେ ଆଖିରେ ଇଶାରା ଦେଇ ମୁଁ ମଧ୍ୟ ଜଣାଇ ଦେଲି ନ୍ୟୁଜ୍ ନଥିବା ସଂପର୍କରେ । ଖଟ ଉପରେ ବସି ଭିଡ଼ି ମୋଡ଼ି ହେଲି । ସେଦିନ ବାରଟା ଶୁକ୍ରବାର ଥିଲା ଅର୍ଥାତ୍ ଆମିଷ ବାର ଏଣୁ ଘରଣୀ କହିଲେ ସେତିକି ଭିଡ଼ି ମୋଡ଼ି ହୋଇଥାଉ, ବଜାର ଯାଇ ଶୀଘ୍ର ମାଛ ଆଣ, ରନ୍ଧା ରନ୍ଧି କରି କୋର୍ଟ ଯିବି । ସେ ସରକାରୀ ଓକିଲ ଥିଲେ । ଏଣୁ ରନ୍ଧା ରନ୍ଧି କରି କୋର୍ଟ ଯାଉଥିଲେ ।


ମାଛ ଆଣିବା ପାଇଁ ବେଗ୍ ଧରି ବଜାର ବାହାରିଲି । ମୋଟର ସାଇକେଲଟିକୁ ଷ୍ଟାଟ୍ କରିବାକୁ ଯାଇଛି କି ନାହିଁ ମୋବାଇଲ୍ ଫୋନ୍ କୁ କଲ୍ ଟିଏ ଆସିଲା । ହାଲୋ କହୁ କହୁ ସେପଟୁ ଗୋଟାଏ କଥା ଶୁଣିଲି ମାଓ ନେତା ସବ୍ୟସାଚୀ ପଣ୍ଡା ଧରା ପଡ଼ିଛନ୍ତି କି? କେତେ ମାଓ ନେତା ଧରା ପଡ଼ିଛନ୍ତି? ଏଣୁ ଇଏ ଯଦି ଧରା ପଡ଼ିଛନ୍ତି ତେବେ କଣ ହେଲା ସେହି ପ୍ରଶ୍ନ ମୁଁ ନିଜେ ନିଜକୁ ପଚାରିଲି । ଫୋନ୍ କରିଥିବା ବ୍ୟକ୍ତି ଜଣକ ପୁଲିସ ବିଭାଗର ଥିଲେ । କହିବାକୁ ଗଲେ ଅପରାଧ ସଂପର୍କିତ ଖବରର ସେ ଥିଲେ ମୋର ଜଣେ ଖାସ୍ ଇନଫର୍ମର । କେଉଁ ଜଙ୍ଗଲରେ ସେ ଧରା ପଡ଼ିଥିବ? ଏଣୁ ମୋର ଯାଏ ଆସେ କଣ, ସେହି ନ୍ୟାୟରେ ସେହି ପ୍ରସଙ୍ଗଟିକୁ ଆଗକୁ ନବଢ଼ାଇ ଫୋନ୍ ଟି କାଟି ଦେଲି । ଏତିକି ବେଳେ ଅଫିସ୍ ରୁ ଫୋନ୍ ଆସିଲା, ଆଉ କୁହାଗଲା ମାଓନେତା ସବ୍ୟସାଚୀ ପଣ୍ଡା ଧରା ପଡ଼ିଛନ୍ତି । ମୁହଁ ଟାଣ ନ୍ୟାୟରେ ମୁଁ କହିଲି ହଁ ଜାଣିଛି, କଣ ହେଲା ସେଠୁ? ଫୋନ୍ କରିଥିବା ବ୍ୟକ୍ତି ଜଣକ ଥିଲେ ନ୍ୟୁଜ୍ ଇନପୁଟ୍ ର ଷ୍ଟାଫ୍ । ଏଣୁ ସାଙ୍ଗେ ସାଙ୍ଗେ ସେ କହିଲେ ଖବର ଟା ତାହା ହେଲେ ପକ୍କା । ଆପଣ ଫୋନୋ ଦେବେ । ନିର୍ଦ୍ଧିଷ୍ଟ କେଉଁ ଜାଗାରୁ ଧରାପଡ଼ିଲା ଟିକେ କହି ଦିଅନ୍ତୁ । ମୋର ଉତର ଥିଲା, ମୁଁ କାହିଁକି ଫୋନୋ ଦେବି? ଅବଶ୍ୟ ବେଳେ ବେଳେ ଅନ୍ୟ ଜିଲ୍ଲାର ପ୍ରସଙ୍ଗ ଉପରେ ଫୋନୋ କିମ୍ବା ଲାଇଭ୍ ଦେବାକୁ ପଡ଼ିଥାଏ । ତେବେ ସବ୍ୟସାଚୀ କେଉଁଠୁ ଧରାପଡ଼ିଥିଲା ତାହା ମୁଁ ଜାଣିନଥିବାରୁ ଥଟା କରି କହିଲି ପୁଲିସ ଟିମ୍ ରେ ମୁଁ ଯାଇଥିଲି ନା କଣ ଯେ ସେ କେଉଁଠୁ ଧରାପଡ଼ିଲା ମୁଁ କହିବି । ସେ କହିଲେ ଏଠି ଚର୍ଚ୍ଚା ହେଉଛି ଗଞ୍ଜାମ ଜିଲ୍ଲାର କେଉଁ ଏକ ସ୍ଥାନରୁ ପୁଲିସ ତାଙ୍କୁ ଉଠାଇଛି । ସେତିକି ଶୁଣୁ ଶୁଣୁ ମୋର ହୋସ୍ ଉଡ଼ିଗଲା । ମତେ ଲାଗିଲା ମୋଟର ସାଇକେଲ ପାଖରେ ଠିଆ ହୋଇନି ବରଂ ଗୋଟେ ମାରଣା ମଇଁଷିର ସିଂଘ ଟିକୁ ଧରି ମୁଁ ଠିଆ ହୋଇଛି ।


ସେହି ମୁହୁର୍ତରେ ମୋର ମାନସିକ ଚାପ ଏତେ ବଢ଼ିଗଲା ଯେ, ପୂର୍ବରୁ ସେପରି ଅନୁଭୁତି କେବେ ବି ମୋର ହୋଇନଥିଲା । ଫୋନ୍ କାଟି ତୁରନ୍ତ ବ୍ରହ୍ମପୁର ଏସପି ଥିବା ଅନିରୁଦ୍ଧ ସାର୍ ଙ୍କୁ ଫୋନ୍ କଲି । ସେ କେବଳ କହିଲେ ଡିଜି ସାର୍ ବ୍ରିଫ୍ କରିବେ । କୁହାଯାଏ ସମଝଦାରୋ କୋ ଇଶାରା କାଫି ହେ, ତେବେ ସେହି ପରିସ୍ଥିତିରେ ଇଶାରା ଗୁଡ଼ିକ ମୋର ହଜମ ହେଲାନାହିଁ । ଏଣୁ ପୁରା କନ୍ ଫର୍ମ ହେବା ପାଇଁ ଦକ୍ଷିଣାଂଚଳ ରେଞ୍ଜ୍ ଡିଆଇଜି ଅମିତାଭ୍ ଠାକୁର ସାର୍ ଙ୍କୁ ଫୋନ୍ କରି ପଚାରିଲି । ସେ ମୁରୁକି ହସ ଦେଇ କହିଲେ ଏସପି କହିଲେ ପରା । ସେଥିରୁ ଜାଣିଲି ଉଭୟେ ଗୋଟିଏ ସ୍ଥାନରେ ଅଛନ୍ତି । ତଥାପି ପୁଣି ଥରେ ପଚାରିଲି ସାର୍ ସେ କେଉଁଠୁ ଧରା ପଡ଼ିଲା? ସେ କହିଲେ ମଙ୍ଗଳୱାରମ୍ ପେଟା ସାହିରୁ । ମାନସିକ ଚାପ ଯୋଗୁଁ ପୁଣି ଥରେ ଝୁଂଟିଲି, ଜାଣି ଅଜଣା ପରି ପଚାରିଲି କେଉଁଠି ସେଇଟା? ସେ କହିଲେ, ପ୍ରକାଶ ବାବୁ ବ୍ରହ୍ମପୁରର ପିଲା ହୋଇ ପଚାରୁଛନ୍ତି । ମୋର ଚିନ୍ତା ଓ ଚାପ ଉଭୟ ବଢ଼ିଗଲା । ବ୍ରହ୍ମପୁରରୁ ଧରାପଡ଼ିଲା ଅଥଚ ମୁଁ ଜାଣିପାରିଲିନି, ସେହି କଥା ମୋର ମନକୁ ବାରମ୍ବାର ଦଂଶନ କଲା । ଫୋନୋ ଟିଏ ଦେବା ପାଇଁ ଅଫିସ୍ ରୁ ଫୋନ୍ ଆସିଲା । କିଛି ଜାଣିଥିବା କିଛି ନଜାଣିଥିବା କଥାକୁ ମିଶା ମିଶି କରି ବର୍ଣ୍ଣନା କରିଦେଲି । ଆଉ ଆଶ୍ୱସ୍ଥ ହେଲି ଯେ, ଆମେ ହିଁ ଓଟିଭିରେ ପ୍ରଥମେ ନ୍ୟୁଜ୍ ଟା ବ୍ରେକ୍ କରିଥିଲୁ ।


ଫୋନୋ ସରୁ ସରୁ ଚିଫ୍ ଏଡିଟର୍ ସୌମ୍ୟଜିତ୍ ପଟ୍ଟନାୟକ ସାର୍ ଙ୍କ ଫୋନ୍ ଆସିଲା । ସାର୍ କହିଲେ ପ୍ରକାଶ ତୁମେ ତ ଆମର ଷ୍ଟାର୍ ରିପୋର୍ଟର!! ଯାଅ ଘଟଣା ସ୍ଥଳରୁ ସେ କିପରି ଧରାପଡ଼ିଲା ତାର ଡେମୋ କରି ନ୍ୟୁଜ୍ ଟାଏ କରିଦିଅ ।


ମିଡିଆ ହାଉସ୍ ର ବାଦ୍ ଶାହା ରୂପେ ପରିଚିତ ସୌମ୍ୟଜିତ୍ ସାର୍ ଖୁବ୍ ଭଲ ପାଉଥିଲେ ମତେ । କିନ୍ତୁ ମିଡିଆର ପ୍ରତିଟି ଦିଗ ଉପରେ ସାର୍ ଙ୍କର ପ୍ରଗାଢ଼ ଜ୍ଞାନ ଥିବାରୁ ଆମେ ମାନେ ସମସ୍ତେ ତାଙ୍କୁ ଡ଼ରୁଥିଲୁ । କେତେ ବେଳେ କୌଣସି ବଡ଼ ଧରଣର ଖବର ଥିଲେ ସେ ମୋତେ ଷ୍ଟାର୍ ରିପୋର୍ଟର କହି ସମ୍ବୋଧନ କରୁଥିଲେ । ତାହା ଶୁଣିବାକୁ ମତେ ଯେତିକି ଖୁସି ଲାଗୁଥିଲା ସେତିକି ଭୟ ମଧ୍ୟ ଲାଗୁଥିଲା କାଳେ ତାଙ୍କ ଆଶାନୁରୂପ ଖବରଟିଏ କରି ପାରିବିନି ବୋଲି ।


ସେଦିନ ସେହି ନ୍ୟୁଜ୍ ଟା ମୋ ପାଇଁ ବଡ଼ ଚ୍ୟାଲେଞ୍ଜ୍ ଥିଲା । କ୍ୟାମେରା ପର୍ସନ୍ ଟୁଟୁଙ୍କୁ ଡ଼ାକି ତୁରନ୍ତ ଛୁଟିଲି ସେହି ସାହିକୁ । ଏତେ ବଡ଼ ସାହି ଏଣୁ ଘରଟା କିପରି ଜାଣିବି ସେହି ଚିନ୍ତା ମତେ ଘାରିଥିଲା, ତଥାପି ଠିକ୍ ଘରେ ପହଂଚିଗଲୁ ଆମେ । ଭିତର ପଟୁ କବାଟ ବନ୍ଦ ଥିଲା, ଗ୍ରୀଲ୍ ଫାଙ୍କରୁ ଭିତରକୁ ଦେଖିଲି । ଜଣେ ବୟସ୍କା ମହିଳା ଅଛନ୍ତି । ସେ ତେଲୁଗୁ ମହିଳା ହୋଇଥିବାରୁ ମୋର ଓଡ଼ିଆ କଥା ବୁଝି ପାରିଲେନି । ମୁଁ ଜାଣିଥିବା ଖଣ୍ଡିଆ ତେଲୁଗୁରେ ତାଙ୍କୁ ବୁଝାଇବାରୁ ସେ କବାଟ ଖୋଲିଲେ । ସେ ପୁରା ଚିନ୍ତା ଓ ଭୟରେ ଥିଲେ । ଏଣୁ ତାଙ୍କୁ ଆଶ୍ୱସ୍ଥ କରିବା ପାଇଁ ତାଙ୍କୁ ସୁହାଇଲା ପରି କିଛି କଥା କହିଲି । ଆପଣାର ପରି କଥା କହିବାରୁ ସେ ତାଙ୍କ ମୁହଁ ଖୋଲିଲେ । ପୂର୍ବରୁ ମୋର ଇସାରାରେ ଟୁଟୁ କ୍ୟାମେରାରେ ସୁଟିଂ ଜାରି ରଖିଥିଲେ । ରାତି ଅଧରେ ପୁଲିସ କିପରି ଘର ସାମନାରେ ଦୁର୍ଘଟଣା ହୋଇଯାଇଛି କହି କବାଟ ବାଡ଼େଇଲେ ଓ କବାଟ ଖୋଲିବାରୁ ଭିତରକୁ ପଶି ଆସିଲେ ସେହି କଥାକୁ ବଖାଣିଲେ ମହିଳା ଜଣକ । ହେଲେ ସେପଟେ କିଛି ଅଘଟଣର ଆଶଙ୍କା କରି ସେହି ଘରେ ଥିବା ସବ୍ୟସାଚୀ ବାରି କବାଟ ଖୋଲି ବାଥ୍ ରୁମ୍ ର ପାଇପ୍ ମାଧ୍ୟମରେ ଘର ଉପରକୁ ଚାଲି ଯାଇଥିଲେ । ମହିଳା ଜଣକ ସବୁ କିଛି ଗପି ଦେଲେ । ଏପରିକି ସବ୍ୟସାଚୀଙ୍କୁ ଚିହ୍ନି ନଥିବା କଥା ବି କହିଲେ । ବାହାରେ ରହୁଥିବା ପୁଅର କହିବା ପ୍ରକାରେ ତାଙ୍କୁ ଘରେ ରଖିଥିଲି ବୋଲି ସେ କହିଥିଲେ । ସେଦିନ ରାତିରେ ସଶସ୍ତ୍ର ପୁଲିସ ସବ୍ୟସାଚୀଙ୍କୁ ଖୋଜିବାକୁ ଯାଇ ସେହି ଘର ସହ ଅନ୍ୟ ଚାରୋଟି ଘର ମଧ୍ୟ ଚଢ଼ାଉ କରିଥିଲେ । ପୋଲିସ୍ ର ଏହି ମିଶନ୍ ଏତେ ସିକ୍ରେଟ୍ ରହିଥିଲା ଯେ, ଘଟଣା ସଂପର୍କରେ ସକାଳ ପର୍ଯ୍ୟନ୍ତ କିଏ ବି ଗନ୍ଧ ବାସ୍ନା ପାଇ ପାରିନଥିଲା ।


ଘଟଣା ସ୍ଥଳରେ ରହି ମହିଳାଙ୍କ ସହ କଥା ହେଉଥିବା ବେଳେ ସେତେ ବେଳ ପର୍ଯ୍ୟନ୍ତ କେହି ବି ସାମ୍ବାଦିକ କିମ୍ବା କ୍ୟାମେରା ପର୍ସନ୍ ଆସିନଥିବାରୁ ମହିଳାଙ୍କ କହିବା ପ୍ରକାରେ ଦାଣ୍ଡରୁ ବାରି ପର୍ଯ୍ୟନ୍ତ ଏବଂ ବାରିରୁ ଉପର ଛାତ ପର୍ଯ୍ୟନ୍ତ ଡ଼େମୋ ମାଧ୍ୟମରେ ଏକ୍ସକ୍ଲ୍ୟୁସିଭ୍ ନ୍ୟୁଜ୍ ଟାଏ କରି ଅଫିସ୍ କୁ ଫେରି ଆସିଲି ।

ଆଉ ସେଦିନ ସେହି ଖବରଟା ପ୍ରଥମେ ଆମର ବାଜିଥିଲା । ଏପରି କି ଗିରଫ ପରର ସବ୍ୟସାଚୀଙ୍କ ଫୋଟୋ ପ୍ରଥମେ ଆମ ଟିଭିରେ ବାଜିଥିଲା । ସେତେବେଳେ ମୋର ଏଣ୍ଡ୍ରଅଏଡ୍ ମୋବାଇଲ୍ ନଥିଲା, ସେପଟେ କିନ୍ତୁ ସେହି ଫୋଟୋ ପ୍ରଥମେ ପହଂଚିଥିଲା ଆମ ଚିଫ୍ ଏଡିଟର ସାର୍ ଙ୍କ ମୋବାଇଲ୍ କୁ ।


ପ୍ରଥମେ ସେହି ଖବର ସଂଗ୍ରହ କରିବାର ଶ୍ରେୟ ଆମେ ପାଇଲୁ ସତ ହେଲେ ଘଟଣା ସଂପର୍କରେ ଜାଣିବା ବେଳେ ମତେ ଯେଉଁ ପ୍ରକାରର ମାନସିକ ଆଘାତ ଲାଗିଥିଲା ତାର ପ୍ରଭାବରେ ତିନି ଦିନ ପରେ ମୁଁ ଅସୁସ୍ଥ ହୋଇ ପଡ଼ିଥିଲି ।

LEAVE A REPLY

Please enter your comment!
Please enter your name here