ହୃଦୟ ବିଦାରକ ଦୃଶ୍ୟ ଥିଲା…..

0
55

ବ୍ରହ୍ମପୁର (ପ୍ରକାଶ ପଟ୍ଟନାୟକ): ମୋତେ ଦେଖି ମୁନା ମୁନା କହି ଦାଣ୍ଡ ଦୁଆରରୁ ହିଁ ମହିଳା ଜଣକ ବାସ୍ଫରୁଦ୍ଧ କଣ୍ଠରେ କାନ୍ଦି ପକାଇଲେ । ଘରର ଡ଼ାକ ନାଁ ଧରି ଜଣେ ଅପରିଚିତ ମହିଳା ଡ଼ାକୁଛନ୍ତି ଏହାର ଅର୍ଥ ଘରୋଇ ସଂପର୍କରେ ଯୋଡ଼ି ହୋଇଥିବେ ସେହି ମହିଳା ଜଣକ ନିଶ୍ଚୟ । ସେହି କଥା ଭାବି ମୁଁ ଟିକେ ଅନ୍ୟ ମନସ୍କ ହୋଇଗଲି । କିଏ ହୋଇଥିବେ ଏହି ମହିଳା ଜଣକ? ଭାବିଲି ଗୋଟାଏ କାମରେ ଆସି ମହିଳାଙ୍କ ଭାବପ୍ରବଣତାରେ ଫଶିଗଲି ।


ଏତି କି ବେଳେ ମହିଳା ଜଣକ କହିଲେ ମୁନା ମୁଁ ଅଭିମନ୍ୟୁର ଭାଉଜ । ଭାଇନାଙ୍କୁ ସେମାନେ ଉଠାଇ ନେଇଛନ୍ତି । ମୁଁ ଯାହା ହାଲ୍ କାରେ ଅନୁମାନ କରୁଥିଲି ତାହା ହିଁ ସତ ହେଲା । ସେପଟେ ପାଖରେ ଥିବା କ୍ୟାମେରା ପର୍ସନ୍ ଟୁଟୁ ସବୁ କିଛି ଦୃଶ୍ୟକୁ କ୍ୟାମେରାରେ ରେକଡିଂ କରି ଚାଲିଥାନ୍ତି । ଅଭିମନ୍ୟୁ ହେଉଛି ମୋ ପିଲା ଦିନର ସାଙ୍ଗ । ଚତୁର୍ଥ ଶ୍ରେଣୀରେ ସେ, ମୁଁ ଓ ବାପି ମିଶି କରି ପଢ଼ୁଥିଲୁ ବାରିପଦାରେ । ସେତେବେଳେ ମୋର ବାବା ବାରିପଦା ଜେଲ୍ ରେ ଜେଲର ଥିଲେ । ବାପିର ବାବା ଆସିଷ୍ଟାଂଟ୍ ଜେଲର ଥିଲେ ଓ ଅଭିମନ୍ୟୁର ଭାଇ ସବ୍ ଆସିଷ୍ଟାଂଟ୍ ଜେଲର ଥିଲେ । ପ୍ରାୟ ୩୦ ବର୍ଷ ପରେ ଦେଖା ସାକ୍ଷାତ । ଖୁସି ଲାଗିଲା ଏତେ ବର୍ଷ ଧରି ସେ ଆମର ଖୋଜ୍ ଖବର ରଖିଥିଲେ ବୋଲି । ହେଲେ ଭାବର ଆଦାନ ପ୍ରଦାନ ପାଇଁ ଆମ ନିକଟରେ ସମୟ ନଥିଲା । କାରଣ ସେଦିନ ଆମେ ସେଠାକୁ ଯାଇଥିଲୁ ଏକ ସ୍ପେଶାଲ୍ ମିଶନ୍ ରେ….. ।


ହଁ ସେଦିନ ଥିଲା ୨୦୦୬ ମସିହା ମାର୍ଚ୍ଚ ୨୪ ତାରିଖ । ସକାଳୁ ସକାଳୁ ମାଓବାଦୀ ମାନେ ତାଣ୍ଡବ ରଚି ଦେଇଥିଲେ ଗଜପତି ଜିଲ୍ଲା ଅନ୍ତର୍ଗତ ଆର୍‌. ଉଦୟଗିରିରେ । କିଛି ଜାଣିବା ଓ କିଛି ଭାବିବା ପୂର୍ବରୁ ଶହେ ରୁ ଉର୍ଦ୍ଧ୍ୱ ସଶସ୍ତ୍ର ପୁରୁଷ ଓ ମହିଳା ମାଓବାଦୀ ମାନେ ବିଭିନ୍ନ ଦିଗରୁ ଘେରି ଦେଇଥିଲେ ଆର୍‌. ଉଦୟଗିରିକୁ । ସମୟ ସକାଳ ପ୍ରାୟ ୫ ଟା । ଏଣୁ ଅଂଚଳ ବାସିନ୍ଦା ଶେଯ ମଧ୍ୟ ଛାଡ଼ି ନଥିଲେ । ଆଉ ତାହାର ମଉକା ଉଠାଇବାକୁ ଯାଇ ଗୁଳି ବର୍ଷଣ ଆରମ୍ଭ କରି ଦେଇଥିଲେ ମାଓବାଦୀମାନେ । ସେମାନଙ୍କ ଟାର୍ଗେଟ୍ ରେ ଥିଲା ଉପ କାରାଗାର, ପୋଲିସ ଥାନା, ଓଡ଼ିଶା ସ୍ପେଶାଲ୍ ଆର୍ମଡ୍ ପୋଲିସଙ୍କ କ୍ୟାମ୍ପ୍ ସହ ଟ୍ରେଜରି, ଫୋନ୍ ଟାୱାର୍‌, ବ୍ୟାଙ୍କ ଆଦି । କାରାଗାର ମୁଖ୍ୟ ଫାଟକ ଉପରେ ଗୁଳି ମାଡ଼ କରି କର୍ମଚାରୀଙ୍କୁ ଭୟଭୀତ କରାଇବା ସହ ଜେଲ୍ ରେ ଥିବା ମାଓନେତାଙ୍କୁ ମୁକୁଳାଇବାକୁ ଯାଇ ସମସ୍ତ ୪୦ କଏଦୀଙ୍କୁ ଛାଡ଼ି ଦେଇଥିଲେ । ଏହା ପରେ ଉଠାଇ ନେଇଥିଲେ ଜେଲର୍ ରବି ନାରାୟଣ ସେଠୀଙ୍କୁ । ସେହିପରି ଥାନାରେ ନିଆଁ ଲଗାଇ ଥାନା ଅଧିକାରୀଙ୍କୁ ମଧ୍ୟ ଅପହରଣ କରି ନେଇଥିଲେ । କ୍ୟାମ୍ପ୍ ରେ ଥିବା ତିନି ଯବାନ୍ ଙ୍କୁ ଗୁଳି ମାଡ଼ କରି ହତ୍ୟା କରିବା ସହ ଅସ୍ତ୍ର ଶସ୍ତ୍ର ଲୁଟି ନେଇଥିଲେ । ଗଲା ବେଳେ ବିଦ୍ୟୁତ୍ ସେବା ଓ ଫୋନ୍ ସେବାକୁ ମଧ୍ୟ ବିଚ୍ଛିନ୍ନ କରି ଦେଇଥିଲେ ।


ବ୍ରହ୍ମପୁରରେ ଆମ ନିକଟକୁ ସେହି ଖବର ଆସିଲା ବେଳକୁ ସମୟ ପ୍ରାୟ ସାଢ଼େ ୮ଟା ହୋଇଯାଇଥିଲା । କିଛି ସମୟ ପରେ ଅଫିସ୍ ରୁ ମଧ୍ୟ ଫୋନ୍ ଆସିଲା ଘଟଣା ସ୍ଥଳକୁ ଯିବା ପାଇଁ । ସେତେବେଳେ ମୁଁ ଓଟିଭି ପାଇଁ କାମ କରୁଥିବା ସହ ନ୍ୟୁଜ୍ ଏଜେନ୍ସି ଏ ଏନ୍ ଆଇ ଓ ରାଷ୍ଟ୍ରୀୟ ସାହାରା ନ୍ୟୁଜ୍ ପାଇଁ ମଧ୍ୟ କାମ କରୁଥିଲି । ଏଣୁ ସାହାରାର ଓଡ଼ିଶା ମୁଖ୍ୟ ଯଜାତି କରଣ ଓ ଏ ଏନ୍ ଆଇ ମୁଖ୍ୟ ସାରଦା ଲାହାଙ୍ଗିର୍ ଙ୍କ ଠାରୁ ମଧ୍ୟ ଏକା ବରାଦ ଆସିଲା । ଅଭିଯାନରେ ବାହାରିବା ପାଇଁ ତୁରନ୍ତ ମୁଁ ପ୍ରସ୍ତୁତ ହୋଇଗଲି । ସହରର ଟାଟାବେଞ୍ଜ୍ ଛକରେ ଥିବା ପରିଚିତ ଜଗାକାଳିଆ ଟୁର୍ ଏଣ୍ଡ୍ ଟ୍ରାଭେଲ୍ସ ରୁ ଗାଡ଼ିଟିଏ ମଗାଇ ନେଲି । ସାଥିରେ ତ କ୍ୟାମେରା ପର୍ସନ୍ ଟୁଟୁ ଥିଲେ ହେଲେ ଅନ୍ୟ ଦୁଇଟି ସଂସ୍ଥା ପାଇଁ ନ୍ୟୁଜ୍ କରିବା ନିମନ୍ତେ ଏବଂ ବିଭିନ୍ନ ଦିଗର ନ୍ୟୁଜ୍ ଯେପରି ହାତଛଡ଼ା ହୋଇନଯିବ ତାକୁ ସୁନିଶ୍ଚିତ କରିବା ପାଇଁ ଆଉ ଦୁଇ କ୍ୟାମେରା ପର୍ସନ୍ କୁ ସାଥୀରେ ନେବାକୁ ଚାହିଁଲି । ମୋର ଅନୁରୋଧରେ ପୂର୍ବ ପରିଚିତ ଗୋପାଳ ପଟ୍ଟନାୟକ ଓ କିରଣ ସାହୁ ନିଜ ନିଜର କ୍ୟାମେରା ଧରି ମୋ ସହ ଯିବାକୁ ରାଜି ହୋଇଗଲେ ।


ଗାଡ଼ିରେ ବସିବା ପର୍ଯ୍ୟନ୍ତ ଓ ଗାଡ଼ି ମିଶନ୍ ରେ ବାହାରିବା ପର୍ଯ୍ୟନ୍ତ କାହାରିକୁ ବି ମୁଁ କହିନଥିଲି ଆମେ କୁଆଡ଼େ ଯାଉଛେ । ଏପରିକି ଡ୍ରାଇଭର ବି ଜାଣିନଥିଲା । ଗାଡ଼ି ସହରର ଆସିକା ରୋଡ୍ ଦେଇ ଆଗକୁ ମାଡ଼ି ଚାଲିବା ପରେ ମୁଁ କହିଲି ଦିଗପହଣ୍ଡି, ତପ୍ତପାଣି ଆଡ଼େ ଚାଲ । ବାସ୍ ସେତିକି କଥା । ମୋ ଚିନ୍ତାରେ ମୁଁ ଥିଲି । ମନେ ମନେ ଡାଏଗ୍ରାମ୍ କାଟୁଥିଲି, କେମିତି ପହଂଚିବା, କେମିତି ଖବର ସଂଗ୍ରହ କରିବା । ସେପଟେ ତିନିଜଣ କ୍ୟାମେରା ପର୍ସନ୍ ଏକାଠି ହୋଇଥିବାରୁ ଗପ ସପରେ ମାତିଗଲେ ସେମାନେ । ମଝିରେ ମଝିରେ ମୁଁ ଖାଲି ସେମାନଙ୍କୁ ସତର୍କ କରିବାକୁ ଯାଇ କହୁଥିଲି କୌଣସି ଭିଜୁଆଲ୍ ଯେପରି ମିସ୍ ନହୁଏ । ତିନି ଜଣ ତିନି ପଟୁ ମାଡ଼ି ଚାଲିବ । ଘଟଣା ସ୍ଥଳର ସ୍ଥିତି ଓ ଦୃଶ୍ୟ ସଂପର୍କରେ ମୁଁ ଅବଗତ ନଥିଲେ ବି ସେମାନଙ୍କୁ ମଝିରେ ମଝିରେ ଏପରି କଥା କହି ଚାଲୁଥିଲି । ସେମାନେ କିନ୍ତୁ ଘଟଣା ସଂପର୍କରେ କିଛି ବି ଜାଣିନଥିଲେ । କେବଳ ଏତିକି ଜାଣିଥିଲେ ଯେଉଁ ନ୍ୟୁଜ୍ କରିବାକୁ ଆମେ ଯାଉଥିଲୁ ତାହା ତିନୋଟି ମିଡିଆ ସଂସ୍ଥାକୁ ଦିଆଯିବ । ଏତିକି ବେଳେ ତପ୍ତପାଣିରେ ପହଂଚିଗଲୁ । ଡ୍ରାଇଭରକୁ କହିଲି ଆଗକୁ ଆହୁରି ଚାଲ । ବାଟରେ ଆଦିବାସୀ ଗାଁ ପଡ଼ିଲା । ଗାଁ ଗୁଡ଼ିକରେ ରାସ୍ତା ଉପରେ ମେଳି ମେଳି ହୋଇ ଲୋକ ଠିଆ ହୋଇଥିଲେ । ଗାଡ଼ି ଅଟକାଇ ଗାଡ଼ିରୁ ଓହ୍ଲାଇ ଲୋକଙ୍କ ନିକଟକୁ ଗଲି, ସ୍ଥିତି ସଂପର୍କରେ ପଚାରିଲି, ସେମାନେ କହିଲେ ବାବୁ ଆଗରେ ଗଛ କାଟି ପକାଇ ଦେଇଛନ୍ତି ଯାଇ ହେବନି ବୋଧେ । ଗାଡ଼ି ଭିତରକୁ ଅନାଇଲି, କାଳେ କିଏ ଶୁଣି ଦେଇଥିବ ହେଲେ ସେମାନେ କିନ୍ତୁ ତାଙ୍କ ଗପରେ ମାତିଥିଲେ । ଗାଡ଼ି ପୁଣି ଥରେ ଆଗକୁ ଗଡ଼ିଲା, କିଛି ଦୂର ଯିବା ପରେ ଏକ ସରକାରୀ ଜିପ୍ ବିପରୀତ ଦିଗରୁ ଆସୁଥିଲା । ଗାଡ଼ି ଅଟକାଇ, ବସିଥିବା ବାବୁ ଜଣକୁ ପଚାରିଲି, ସେ ଥିଲେ ପୂର୍ତ ବିଭାଗର ସହକାରୀ ଯନ୍ତ୍ରୀ । ସେ କହିଲେ ଆମେ ଅଧା ବାଟରୁ ଫେରି ଆସିଲୁ । ସେତେବେଳେ ମୋ ପାଖରେ ଅନ୍ୟ କିଛି ଉପାୟ ନଥିଲା ବାଧ୍ୟ ହୋଇ ସମସ୍ତଙ୍କୁ ଜଣାଇଲି ଘଟଣା ସଂପର୍କରେ । ସମସ୍ତେ ଡରିଲେ, ଡ଼୍ରାଇଭର କହିଲା ଆଜ୍ଞା ଗାଡ଼ି ଭଙ୍ଗା ଭଙ୍ଗି କରି ଦେବେନି ତ? ମୁଁ କହିଲି ମାଓବାଦୀ ମାନେ ଚାଲିଗଲେଣି, ଘଟଣା ଘଟାଇବା ପରେ ସେମାନେ ରୁହନ୍ତିନି ତଥାପି ଗୋପାଳ ଓ କିରଣଙ୍କୁ ପଚାରିଲି ସେହି ଜିପ୍ ରେ ଫେରିଯିବାକୁ ଚାହୁଁଛନ୍ତି କି? ସେମାନେ କିନ୍ତୁ ମୋର ସାହାସ ଓ ଉତ୍ସାହକୁ ଦେଖି ଆମେ ବି ସାଥିରେ ଯିବୁ ବୋଲି ଦୃଢ଼ତାର ସହ କହିଲେ । କାରଣ ସେପରି ଘଟଣା ଆମ ସମସ୍ତଙ୍କ ପାଇଁ ଥିଲା ନୂଆ ଅନୁଭୁତି ।


କୌଣସି ପ୍ରକାରର ବିପଦକୁ ସାମନା ନକରି ଆମେ ପହଂଚି ଗଲୁ ଆର୍‌. ଉଦୟଗିରିରେ । ପ୍ରବେଶ ପଥରେ ରାସ୍ତା କଡ଼ରେ ଥିଲା କାରାଗାର । ସେଠାରେ ଓହ୍ଲାଇ ସମସ୍ତେ କାମ ଆରମ୍ଭ କରିଦେଲୁ । ବାପାଙ୍କ ପରିଚୟ ଦେବା ପରେ ଜେଲ୍ କର୍ମଚାରୀ ମାନେ ମତେ ଚିହ୍ନିଲେ, ଆଉ ପୁରା ଘଟଣା ସଂପର୍କରେ କହିଲେ ।


ଏହା ପରେ ଦୁରରୁ ଦେଖିଲି ମୋଟର ସାଇକେଲରେ ଜଣେ ଚିହ୍ନା ଚିହ୍ନା ଲୋକଟିଏ ଆସୁଛନ୍ତି । ମଝିରେ ସେ ବସିଛନ୍ତି, ଆଗରେ ଜଣେ ଚଲାଉଛନ୍ତି, ଆଉ ପଛରେ ଜଣେ ବସିଛିନ୍ତିି । ଜେଲ୍ ର କିଛି ଦୂରରେ ରାସ୍ତା କଡ଼ରେ ସେ ଓହ୍ଲାଇ ଜେଲ୍ ଆଡ଼େ ଚାଲି ଚାଲି ଆସୁଥିଲେ । ସେତେବେଳେ ସବୁ ଗତିବିଧି ଉପରେ ତିନିଜଣ ଯାକ କ୍ୟାମେରା ପର୍ସନ୍ ନଜର ରଖିବା ସହ ଏକ ତରଫା ସୁଟିଂ କରି ଚାଲିଥିଲେ । ଟିକିଏ ପାଖକୁ ଆସିବାରୁ ଜାଣିଲି ସେ ଆଉ କେହି ନୁହନ୍ତି, ସେ ଥିଲେ ଦକ୍ଷିଣାଂଚଳ ରେଞ୍ଜ୍ ପୁଲିସ ଡିଆଇଜି ସନ୍ତୋଷ ଉପାଧ୍ୟାୟ । ସେ ପାଖକୁ ଆସି କହିଲେ ପ୍ରକାଶ ବାବୁ ଆମର ଫଟୋ ଉଠାନ୍ତୁନି ଯଦି ଉଠାଇଛନ୍ତି କାଟି ଦିଅନ୍ତୁ । ଆଗରୁ ମୁଁ ପହଂଚିଥିବାରୁ ସ୍ଥିତି ସଂପର୍କରେ ମତେ ପଚାରିଲେ ।


ଗପି ଗପି ଆମେ ପହଂଚିଗଲୁ ଓଏସ୍ ଏ ପି କ୍ୟାମ୍ପ୍ ନିକଟରେ । ଅତି ବିଭତ୍ସ ଦୃଶ୍ୟ ଥିଲା । ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିଲା ମୃତଦେହ ଗୁଡ଼ିକ । କାହିଁକି କେଜାଣି ଭିତରକୁ ଯାଇ ସୁଟିଂ କରିବାକୁ ଆମକୁ ବାରଣ କରାଗଲା । ବୋଧ ହୁଏ ଅପେକ୍ଷା ଥିଲା ଡ଼ଗ୍ ସ୍କ୍ୱାଡ୍ ଓ ସାଇନଟିଫିକ୍ ଟିମ୍ ର ଆଗମନକୁ । ଶୋଷିଲା ଥାଇ କୂଅ ପାଖକୁ ଆସି ପାଣି ପିଇବୁନି ଏ କି କଥା । ଏଣୁ ସମୟ ନଷ୍ଟ ନକରି ଡିଆଇଜି ସାର୍ ଙ୍କୁ ଅନୁରୋଧ ପରେ ଅନୁରୋଧ କରି ଚାଲିଲି । ଫଳ ନମିଳିବାରୁ ଶେଷରେ କହିଲି ଆପଣଙ୍କ ଫଟୋ କାଟିଲେ ଆଉ କିଛି ତ ସେଥିରେ ଯୋଡ଼ିବାକୁ ପଡ଼ିବ, ନଚେତ୍ ଅଫିସ୍ କୁ ମୁଁ କି ଉତର ଦେବି । ବାସ୍ ସେତିକି କଥାରେ ସେ ରାଜି ହୋଇଗଲେ । ସେଠାରେ ସୁଟିଂ କାମ ସାରି ଭିନ୍ନ ଭିନ୍ନ ଅଂଚଳର ସୁଟିଂ ସହ ତଥ୍ୟ ସଂଗ୍ରହ କରି ଶେଷରେ ଜେଲ୍ କଲୋନୀକୁ ଆମେ ଗଲୁ ।


…….. ଆଉ ସେଠି ପୁରୁଣା ପରିଚୟ ଯୋଡ଼ି ହୋଇଯିବାରୁ ତଥ୍ୟ ସଂଗ୍ରହରେ କୌଣସି ଅସୁବିଧା ହେଲାନାହିଁ । ଫୁଲ୍ ପ୍ୟାକେଜ୍ ଷ୍ଟୋରୀ କରି ମାଇଣ୍ଡ୍ ଫ୍ରି ରେ ଆମେ ଫେରିଗଲୁ ବ୍ରହ୍ମପୁର ଅଭିମୁଖେ । ବ୍ରହ୍ମପୁରରେ କିରଣ ଓ ଗୋପାଳ ଓହ୍ଲାଇ ଯିବା ପରେ ସେହି ସନ୍ଧ୍ୟାରେ ସେହି ଗାଡ଼ିରେ ହିଁ ମୁଁ ଓ ଟୁଟୁ ଭୁବନେଶ୍ୱର ଅଭିମୁଖେ ଯାଇ ତିନୋଟି ସଂସ୍ଥାକୁ ତିନୋଟି କ୍ୟାସେଟ୍ ହସ୍ତାନ୍ତର କରି ଦେଲୁ ।


ଦିନ ଯାକ ଖାଇନଥିଲୁ । ରାତି ୧୧ଟାରେ ଭୁବନେଶ୍ୱରରେ ପେଟ ପୁରା ଖାଇବା ସହ ରାତିରେ ଲର୍ଜିଂରେ ଶୋଇ ପଡ଼ିଲୁ । ସତରେ ସେହି ଘଟଣାଟି ମୋ ପାଇଁ ଥିଲା ଏକ ନିଆରା ଅଭୁଲା ଅନୁଭୁତି ।

LEAVE A REPLY

Please enter your comment!
Please enter your name here