ସେଦିନ ବାରୁଦ ଗଦାରେ ବସିଥିଲି…..

0
33

ବ୍ରହ୍ମପୁର (ପ୍ରକାଶ ପଟ୍ଟନାୟକ): ସବୁଠି ବନ ସପ୍ତାହ ଉତ୍ସବ ପାଳନ ହେଉଥିଲା । ସେଦିନ ଅପରାହ୍ନରେ ବ୍ରହ୍ମପୁର ଆମ୍ବପୁଆ ପୁଲିସ ରିଜର୍ଭ ପଡ଼ିଆରେ ମଧ୍ୟ ବନ ସପ୍ତାହ ଉତ୍ସବ ପାଳନ ହୋଇଥିଲା । ଦକ୍ଷିଣାଂଚଳ ରାଜସ୍ୱ କମିଶନର, ଦକ୍ଷିଣାଂଚଳ ରେଞ୍ଜ୍ ପୁଲିସ ଡିଆଇଜି, ଜିଲ୍ଲାପାଳ, କନଜରଭେଟର, ଡି.ଏଫ.ଓ , ଏସ.ପି ପ୍ରମୁଖ ଯୋଗ ଦେଇଥିଲେ । ବୃକ୍ଷରୋପଣ କାର୍ଯ୍ୟ ସଂପର୍କିତ ଖବର ସଂଗ୍ରହ ପାଇଁ ମୁଁ ମଧ୍ୟ ଯାଇଥିଲି ସେଠାକୁ । ଉତ୍ସବ ସରିଲା । ଫେରିବା ସମୟରେ ବ୍ରହ୍ମପୁର ଏସ.ପି ସଫିନ୍ ଅହମ୍ମଦ୍ ମୋ ନିକଟକୁ ଆସି କାନରେ ଚୁପି ଚୁପି ହୋଇ କହିଲେ ପ୍ରକାଶ ବାବୁ ଏଣିକି କେଉଁଠି ବୋମା ଫୁଟିଲେ ଆପଣଙ୍କୁ ଧରିବୁ ମାନେ ଆପଣଙ୍କୁ ପଚାରିବୁ… । ଏକଥା ଶୁଣି ଯେତେ ବଡ଼ ରାଢ଼ୁଆ, ଲଢ଼ୁଆ ସାମ୍ବାଦିକ ହେଲେ ବି ଡ଼ରିଯିବା ସ୍ୱାଭାବିକ । ହେଲେ ମୁଁ କିନ୍ତୁ ମନର ଭୟକୁ ମନରେ ଚାପି ଦେଇ ମୁରୁକି ହସିଦେଲି । ଆପଣମାନଙ୍କ ମନକୁ ହୁଏତ ପ୍ରଶ୍ନ ଆସୁଥିବ ଇଏତ ନିରୀହ ସରଳ ପିଲାଟି ପରି ମନେ ହେଉଛି ହେଲେ ଏହାର ପୁଣି ବୋମା ଲିଙ୍କ୍ । ହଁ ଆଜ୍ଞା ବୋମା ଲିଙ୍କ୍ ଥିଲା ହେଲେ କେମିତି କା ଲିଙ୍କ୍ ଜାଣି ନିଅନ୍ତୁ….. ।


……….କଳା ସଂସ୍କୃତି ପରମ୍ପରାର ପୃଷ୍ଠଭୂମିକୁ ନେଇ ଯଦି ଆଲୋଚନା ହୁଏ ତାହା ହେଲେ ଆଖି ସାମ୍ନାରେ ରେଶମ ସହର ବ୍ରହ୍ମପୁରର କଥା ଝଲସୀ ଉଠେ । ହେଲେ ସହରର ଆଉ ଏକ ଅଖ୍ୟାତ ଦିଗଟି ହେଲା ଏହି ସହରଟି ଅପରାଧୀ ଜଗତରେ ବୋମାର ସହର ରୂପେ ମଧ୍ୟ ପରିଚିତ । ବ୍ରହ୍ମପୁରିଆ ପିଲା ଭାବେ ଏହି କଥାଟା କହିବାକୁ, ଶୁଣିବାକୁ ଖରାପ ଲାଗୁଥିଲେ ବି ଏହା ହିଁ ବାସ୍ତବତା । ସହରର ବାସିନ୍ଦା ରୂପେ ଏହି ବାସ୍ତବତାକୁ ଅନେକେ ଉଣା ଅଧିକେ ଅଙ୍ଗେ ନିଭାଇଥିବେ ନିଶ୍ଚିୟ । ଆଉ ମୁଁ ସାମ୍ବାଦିକ ହିସାବରେ ଏହାର ବାସ୍ତବ ଚିତ୍ରକୁ ପରଖିଛି ଓ ଏହାର ଗଭୀରତାକୁ ମଧ୍ୟ ମାପିଛି । କହିବାକୁ ଗଲେ ମୋ ସାମ୍ବାଦିକତା ଜୀବନର ଖବର ତାଲିକାରେ ସହରର ବୋମା ମାଡ଼ ଘଟଣା ବୋନସ୍ ଖବର ରୂପେ ପ୍ରତିମାସ ଯୋଡ଼ି ହୋଇ ହୋଇ ଯାଉଥାଏ । ପ୍ରାୟତଃ ସଞ୍ଜ ନଇଁବା ପରେ ବୋମା ମାଡ଼ ଘଟଣାମାନ ଘଟିଥାଏ । ଏକଥା ବି ସତ ଯେ, କି ସକାଳ କି ଖରାବେଳ କି ରାତି କେତେବେଳେ କେଉଁଠି କେଉଁ ଅପରାଧି ଗୋଷ୍ଠୀ ପକ୍ଷରୁ ବୋମା ମାଡ଼ ହେବ ତାହାର ଖୋଜ୍ ଖବର କାହାରିକୁ ବି ଜଣାନଥାଏ ।


ବୋମା ମାଡ଼ ଘଟଣା ଘଟିବା ପରେ ପୋଲିସ ସାଥେ ସାଥେ ଆମେ ସାମ୍ବାଦିକ ମାନେ ବି ସକ୍ରିୟ ହୋଇ ଉଠୁ । ଘଟଣା ସ୍ଥଳକୁ ଯାଇ ଭିନ୍ନ ଭିନ୍ନ ଏଙ୍ଗେଲ୍ ରେ ଆମେ ନ୍ୟୁଜ୍ କରୁ । କେତେବେଳେ ରକ୍ତ ଜୁଡ଼ୁବୁଡ଼ୁର ଦୃଶ୍ୟ ତ ଆଉ କେତେବେଳେ ଲୁହା କଂଟା, କାଚ ଖଣ୍ଡ, ସୁତୁଲି ଆଦିର ଛିନ୍ ଛତ୍ର ଦୃଶ୍ୟ । କେଉଁଠି ଗାଡ଼ି ଉପରେ ବୋମା ମାଡ଼ ତ ଆଉ କେଉଁଠି ଘର ଉପରେ ବୋମା ମାଡ଼ । କିଛି ଦିନର ଅନ୍ତରରରେ ଏପରି ଦୃଶ୍ୟ ଦେଖି ଦେଖି ଓ ସେ ସଂପର୍କିତ ଖବର କରି କରି ଆମର ଦେହସୁହା ହୋଇଗଲା । ଏମିତି ଏକ ସମୟ ଆସିଲା ଯେତେବେଳେ ଅଫିସ୍ କୁ ଅନ୍ୟ କୌଣସି ପ୍ରସଙ୍ଗରେ ଫୋନ୍ କଲେ ସେପଟୁ ଗୋଟାଏ ପ୍ରଶ୍ନ ଆସୁଥିଲା କଣ ପୁଣି ଥରେ ବୋମା ମାଡ଼ ହେଲା କି? ଧୀରେ ଧୀରେ ଜିଲ୍ଲା ତଥା ସହରର ବୋମା ମାଡ଼ ଘଟଣା ମିଡ଼ିଆ ହାଉସ୍ ଗୁଡ଼ିକରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଗଲା । ଇଏ ବର୍ଷେ କି ଦୁଇ ବର୍ଷର ଘଟଣା ନୁହଁ । ବର୍ଷ ବର୍ଷ ଧରି ଏପରି ଘଟଣା ଘଟି ଆସୁଥିଲା। ଏଣୁ ବୋମା ମାଡ଼ ସଂପର୍କିତ ନ୍ୟୁଜ୍ କରି କରି ଶେଷରେ ଚିଡ୍ ଚିଡ଼ା ମଧ୍ୟ ଲାଗିଲା ।


ହେଲେ ସେଦିନ କାହିଁକି କେଜାଣି ମନକୁ ଏକ ଅଜବ୍ ଖିଆଲ୍ ଆସିଲା । ଭାବିଲି ବୋମା ମାଡ଼ କଥା ଶୁଣିଲେ ଅନେକେ ଶିହିରି ଉଠୁଛନ୍ତି ଏଣୁ ବୋମା ପ୍ରସ୍ତୁତିର ଖବରଟା କଲେ କିପରି ହୁଅନ୍ତା । ଏକଥା ଭାବି ଭାବି ଦିନେ ତାକୁ ସାକାର କରିବା ପାଇଁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିନେଲି । ହେଲେ କହିବି କାହାକୁ? କିଏ ମୋତେ ଏଥିରେ ସହଯୋଗ କରିବ? ଏହି ଚିନ୍ତା ମନ ଭିତରେ ବଢ଼ିଗଲା । ଟିଭିରେ ମୋତେ ଦେଖି ଦେଖି ବିଭିନ୍ନ କ୍ଷେତ୍ରର ବିଭିନ୍ନ ବର୍ଗର ଲୋକେ ମୋତେ ଚିହ୍ନୁ ଥିଲେ ଓ ରାସ୍ତା ଘାଟରେ ମୋତେ ଦେଖିଲେ ଓଳଗି ହେଉଥିଲେ । ତେବେ ମୋର କିନ୍ତୁ ଟିକେ ଆଳୁ ଦୋଷ ରହିଥିବାରୁ ସେତିକି ଆତ୍ମିୟତା ହୋଇ ନମିଶିଲେ ରାସ୍ତା ଘାଟରେ କାହାକୁ ଦେଖିଲେ ପ୍ରାୟତଃ ଚିହ୍ନିପାରେ ନାହିଁ । ଏଥି ପାଇଁ ଅନେକ ଥର ଅପ୍ରିତିକର ପରିସ୍ଥିତି ସୃଷ୍ଟି ମଧ୍ୟ ହୋଇଛି । ଥରେ ଅର୍ଣ୍ଣପୂର୍ଣା ମାର୍କେଟ ରେ ଶାଳୀ କୁ ଦେଖି ଚିହିଁ ପାରିନଥିଲି ବୋଲି….. ଅବଶ୍ୟ ଏବେ ସେଥିରେ ଅନେକ ସୁଧାର ଆସି ଯାଇଛି ।


ହଁ ସେଦିନର ମୂଳ ପ୍ରସଙ୍ଗକୁ ଫେରିବା । ମନରେ ସେହି ଗୋଟାଏ କଥା ଘାରୁଥିଲା କିପରି ସାକାର ହେବ ମନର ଏହି କଳ୍ପନା । କାହାକୁ କହିଲେ କିଏ ରାଜି ହେବ ଏପରି ଅବାସ୍ତବ କଥାକୁ ରୂପ ଦେବା ପାଇଁ । ପ୍ରକୃତ ଖିଲାଡ଼ି ହୋଇନଥିଲେ ଖେଳ ବିଗିଡ଼ିବା ସହ ଜୀବନ ବି ଚାଲିଯିବ । ସେ ଯାହା ହେଉ ମୋର ଭାବନା ସଂପର୍କରେ କ୍ୟାମେରା ପର୍ସନ ଟୁଟୁ ବେହେରା ଓ ରବିନ୍ଦ୍ର ନାଥ ବେହେରାଙ୍କୁ କହିଲି ଦୁହେଁ ଗୋଟାଏ ସ୍ୱରରେ କହିଲେ ଭାଇନା ଫଶିଯିବା ଆମେ । ମୋତେ ଲାଗିଲା ସେମାନେ କହୁଛନ୍ତି ମୁଣ୍ଡ ଖରାପ ହେଲା କି ଭାଇନା । ବାସ୍‌, ସେତିକିରେ ମୋ ଝୁଙ୍କ ବଢ଼ିଗଲା, ମୁଁ କହିଲି କେମିତି ହେଲେ କରିବାର ଅଛି । ସେଠୁ ଆରମ୍ଭ ହେଲା ଅଭିଯାନ ।


ସେ ଯାହା ହେଉ କିଛି ଦିନ ପରେ ପାର୍ଟି ରେଡ଼ି ହୋଇଗଲା । ହେଲେ ସେ କିଏ ଥିଲା ଆଉ କିଏ ଯୋଗାଡ଼ କରିଥିଲା ତାହା ଜଣାଇବାଟା ଉଚିତ ହେବ ନାହିଁ । ନୀଳକଣ୍ଠେଶ୍ୱର ମନ୍ଦିର ନିକଟ ଏକ ଅବ୍ୟବହୃତ କୋଠାକୁ ବାଛି ନିଆଯାଇଥିଲା ବୋମା ପ୍ରସ୍ତୁତ କରିବା ପାଇଁ । ମୁହଁରେ କପଡ଼ା ଭିଡ଼ି କ୍ୟାମେରା ସମ୍ମୁଖକୁ ଆସିଲା ସେହି ଯୁବକ ଜଣକ । ତାର ଦୁଇ ସାଥୀ କ୍ୟାମେରା ଅଢ଼ୁଆଳରେ ରହି ତାକୁ ସହଯୋଗ କରୁଥିଲେ । ବୋମା ପ୍ରସ୍ତୁତ ପାଇଁ ଆବଶ୍ୟକୀୟ ସମସ୍ତ ସରଞ୍ଜାମ ଆସି ସାରିଥିଲା । ସୁତୁଲି, କାଚ ଖଣ୍ଡ, ଲୁହା କଂଟା, ଛୋଟ ଗୁଡ଼ି, ବାରୁଦ ଇତ୍ୟାଦି । ପୂର୍ବରୁ ପାଞ୍ଚଟି ଡମି ବୋମା ପ୍ରସ୍ତୁତ ହୋଇ ରହିଥିଲା । ଅସଲି ପାଞ୍ଚ ଟି ବୋମା କ୍ୟାମେରା ସାମନାରେ ମୋରି ଉପସ୍ଥିତିରେ ଯୁବକ ଜଣକ ପ୍ରସ୍ତୁତ କଲେ । ବାରୁଦ ଭର୍ତି ଠାରୁ ବୋମା ଭିଡ଼ିବା ପର୍ଯ୍ୟନ୍ତ ସମସ୍ତ କୌଶଳ କରି ଦେଖାଇଲେ ସେ । ବୋମା ଭିଡ଼ା ସଂପର୍କିତ ସମସ୍ତ ସୁଟିଂ ସରିଲା । ଶେଷ ଟେକ୍ ଥିଲା ମୋର ପିଟୁସି କୁ ନେଇ । ଯାହା କି ମୁଁ ହାତରେ ବୋମା ଟିଏ ଧରି ନ୍ୟୁଜ୍ ର ଶେଷ ପଂଚ୍ ଲାଇନଟି କହିଥିଲି । ହେଲେ ସେତେବେଳକୁ ବଡ଼ ଧରଣର ଗଡ଼ବଡ଼ ହୋଇ ସାରିଥିଲା । ଡ଼ମି ବୋମା ସ୍ଥାନରେ ଅସଲି ବୋମାଟିକୁ ମୁଁ ଧରି ପକାଇଥିଲି । ନ୍ୟୁଜ୍ ସୁଟିଂ ସରିବା ପରେ ଯେତେବେଳେ ବୋମା ଗୁଡ଼ିକ ଅକାମି କରା ଗଲା ସେତେବେଳେ ଜଣାପଡ଼ିଲା ମୋରି ହାତରେ ନକଲି ସ୍ଥାନରେ ଅସଲି ବୋମା ଥିଲା ବୋଲି । ବେଳେ ବେଳେ ନ୍ୟୁଜ୍ ନିଶାରେ ଏମିତି ଦୁଃସାହାସିକ କାମ କରିବାକୁ ପଡ଼ିଥାଏ । ଖବରଟି ସକାଳୁ ଦିନ ସାରା ବାଜିଥିଲା । ଅପରାହ୍ନରେ ଏସ.ପି ଙ୍କ ସହ ଦେଖା ହେବା ପରେ ମୋର କାନରେ ବୋମା ଲିଙ୍କ୍ ପ୍ରସଙ୍ଗରେ ସେମିତି କଥାଟିଏ କହି ଦେଇଥିଲେ ଏସପି……. ।

LEAVE A REPLY

Please enter your comment!
Please enter your name here