ଏମିତି ଢଙ୍ଗରେ ଜବାବ ଦେଇଥିଲି…..

0
38

ବ୍ରହ୍ମପୁର (ପ୍ରକାଶ ପଟ୍ଟନାୟକ): ସେଦିନ ରାତି ସାରା ବର୍ଷା ତୁହାକୁ କୁହା ହେଉଥାଏ, ଏଣୁ ସକାଳେ ନିଦ ଭାଙ୍ଗିଥିଲେ ବି ଖଟ ଉପରେ ଗଡ଼ପଡ଼ ହେଉଥିଲି । ଏତିକି ବେଳେ ଫୋନ୍ କଲ୍ ଟିଏ ଆସିଲା । ସେତେବେଳେ ମୋବାଇଲ୍ ଫୋନ୍ ନଥିଲା । ଏଣୁ ଲ୍ୟାଣ୍ଡ୍ ଫୋନ୍ ଟିଏ ଖଟ ପାଖରେ ରଖିଥିଲି । ସକଳୁ ସକାଳୁ କିଏ ହୋଇଥିବ ଭାବି ଫୋନ୍ ଟିଏ ଉଠାଇଲି । ଅପର ପକ୍ଷରୁ ମୋର ବଡ଼ ଭାଇ ସଦୃଶ୍ୟ ଆଇନଜୀବୀ ସୁଦେଶ ପଟ୍ଟନାୟକଙ୍କ ସ୍ୱର ଶୁଭିଲା । ସେ କହିଲେ ପ୍ରକାଶ ବର୍ଷା ହେଉଛି, ମୁଁ କହିଲି ହେଉଥିଲା ଏବେ ବନ୍ଦ ଅଛି । ସେ ବଡ଼ଖେମୁଣ୍ଡି ସାହି ବାସିନ୍ଦା ଏଣୁ ମୁଁ ପଚାରିଲି ଆପଣଙ୍କ ସାହିରେ ଏବେ ବି ହେଉଛି କି? ସେ କହିଲେ ଭୁବନେଶ୍ୱରର ବର୍ଷା କଥା କହୁଛି । ରାତିରେ ଭୁବନେଶ୍ୱର, ଖୋର୍ଦ୍ଧା ଆଦି ଅଂଚଳରେ ଲଗାଣ ବର୍ଷା ସହ ପ୍ରବଳ ବେଗରେ ପବନ ବୋହିଥିଲା । ଯାହା କି ବାତ୍ୟା ବୋଲି ଜଣାପଡ଼ିଥିଲା । ପ୍ରଭାବରେ ଗଛ, ଘର, ଦ୍ୱାର, ଖୁଂଟ ଆଦି ଭାଙ୍ଗି ରୁଜି ଯାଇଥିଲା । ତାହା ଥିଲା ୧୯୯୯ ମସିହା ଅକ୍ଟୋବର ମାସର କଥା । ସେ କହିଲେ ଭୁବନେଶ୍ୱରରେ ରହୁଥିବା ଭଉଣୀ କହିଲେ ବହୁତ କିଛି ଭାଙ୍ଗି ରୁଜି ଯାଇଛି, ମୁଁ କହିଲି ହଁ ମୁଁ ଜାଣିଛି । ସେତେବେଳେ ଯଦିଓ ମୁଁ ଓକିଲାତି କରୁଥିଲି ହେଲେ ମନ ମୋର ଥିଲା ସାମ୍ବାଦିକତାରେ । କେବଳ ଘରର ବାଧ୍ୟବାଧକତାରେ କୋର୍ଟ ପିଣ୍ଢା ଆଡ଼େ ବୁଲି ଆସୁଥିଲି । ସେତେବେଳେ ଭୁବନେଶ୍ୱରର ଏକ ଦୈନିକ ଖବର କାଗଜ ପାଇଁ ରିପୋଟିଂ କରିବା ସହ ବ୍ରହ୍ମପୁରର ଅନୁପମ ଭାରତ ପାଇଁ ଆର୍ଟିକଲ୍ ମାନ ଦେଉଥିଲି ।

ସୁଦେଶ ବାବୁ କହିଲେ ଭୁବନେଶ୍ୱର ଆଡ଼େ ଯିବା କି? ସେପଟେ ଯାଇ ନ୍ୟୁଜ୍ ଟିଏ କରିବା ପାଇଁ ମଉକା ଖୋଜୁଥିଲି । ସୁଯୋଗ ଆପେ ଆପେ ଆସିଯାଇଥିବାରୁ ଯିବାକୁ ରାଜି ହୋଇଗଲି । ସେତେବେଳେ ଅନୁପମ ଭାରତର ସମ୍ପାଦକ ରୂପେ ଶରତ ମିଶ୍ର ସାର୍ ଥିଲେ । ତାଙ୍କ ସହ ମୋର ଭଲ ସଂପର୍କ ଥିଲା । ସାର୍ ଙ୍କୁ ଫୋନ୍ କରି କହିଲି ବାତ୍ୟା ସଂପର୍କିତ ତଥ୍ୟ ଓ ଫଟୋ ଆଣିବା ପାଇଁ ଖୋର୍ଦ୍ଧା, ଭୁବନେଶ୍ୱର ଆଡ଼େ ଯାଉଛି, ଆଣିଲେ ଅନୁପମ ଭାରତରେ ତାହା ବ୍ୟବହାର କରିବେ କି? ସେ ତୁରନ୍ତ ହଁ କରିଦେଲେ । ବାସ୍ ମାତ୍ର ଦଶ ମିନିଟ୍ ରେ ଯିବା ପାଇଁ ପ୍ରସ୍ତୁତ ହୋଇଗଲି । ପାଖରେ କାର୍ ନଥିଲା, ନୂଆରେ କିଣିଥିବା ଫୋର୍‌-ଏସ୍ ଚମ୍ପିଅନ୍ ମୋଟର ସାଇକେଲଟିଏ ହଁ ଥିଲା ସାହା ଭରସା । ଯିବା ପାଇଁ ବ୍ୟାକୁଳତା ଏତେ ବଢ଼ି ଯାଇଥିଲା ଯେ, ସେତେବେଳେ ମଝିରେ ମଝିରେ ବର୍ଷା ହେଉଥିଲେ ବି ସାଥୀରେ ରେନ୍ କୋଟ୍ ଟିଏ ବି ନେବାକୁ ଭୁଲି ଯାଇଥିଲି । ଘର ଲୋକଙ୍କୁ କଣ ପାଠ ପଢ଼ାଇ ଯାଇଥିଲି ତାହା ମୋର ମନେ ନାହିଁ । କିନ୍ତୁ ତୁରନ୍ତ ପହଂଚିଗଲି ସୁଦେଶ ବାବୁଙ୍କ ଘରେ । କିଛି ବୁଝି ନବିଚାରି ବାହାରି ପଡ଼ିଲୁ । ଡ଼ିକିରେ କେବଳ ତଉଲିଆ ଓ କ୍ୟାମେରାଟିଏ ଥିଲା । ଅନ୍ୟ କୌଣସିଟାର ପ୍ରସ୍ତୁତି ନଥିଲା । ସୁଦେଶ ବାବୁ ମଧ୍ୟ ରେନ୍ କୋଟ୍ ଧରିନଥିଲେ । ତୁରନ୍ତ ଯିବା ନିଶା ଉଭୟଙ୍କୁ ଘାରି ସାରିଥିଲା ।

ଛତ୍ରପୁର ଡ଼େଉଁ ଡ଼େଉଁ ବର୍ଷା ହେଲା । ତୁହାକୁ ତୁହା ବର୍ଷା ହେଉଥାଏ ଏଣୁ ରାସ୍ତାରେ ରହି ରହି ଟିକେ ଭିଜି ଭିଜି ବାଲୁଗାଁ ପର୍ଯ୍ୟନ୍ତ ଚାଲିଗଲୁ । ବାଲୁଗାଁରେ ମୋର ଘରୋଇ ପରିଚିତ ଅଶୋକ ସାହୁ ଭାଇ ଥିଲେ । ତାଙ୍କ ଘରକୁ ଗଲୁ, ବର୍ଷାରେ ମୋଟର ସାଇକେଲରେ ଭୁବନେଶ୍ୱର ଯାଉଥିବା କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କୁ ରେନ୍ କୋଟ୍ ମାଗିଲୁ । ସେ ତାଙ୍କର ଓ ତାଙ୍କ ଛୋଟ ପୁଅର ରେନ୍ କୋଟ୍ ଦେଲେ । କଷ୍ଟେ ମଷ୍ଟେ ତାହା ପିନ୍ଧା ପିନ୍ଧି କରି ଖୋର୍ଦ୍ଧା ପର୍ଯ୍ୟନ୍ତ ଗଲୁ । ସେଠି ସେତେବେଳେ ରାସ୍ତା କଡ଼ରେ ଖୋର୍ଦ୍ଧା ପିଡବ୍ଲ୍ୟୁଡି କାର୍ଯ୍ୟାଳୟ ଥିଲା । ଆଉ ତାକୁ ଲାଗି ବସ୍ ଷ୍ଟପ୍ ସେଡ୍ ଟିଏ ମଧ୍ୟ ଥିଲା । ସେଠି କିଛି ସମୟ ବିଶ୍ରାମ ନେଲୁ । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଂଚଳର ଦୁଇଜଣ ପିଲା ସେଠି ବିଶ୍ରାମ ନେଇଥିଲେ । କଥାବାର୍ତାରୁ ପରଚୟ ହେଲା । ସେମାନେ କହିଲେ ଆଗରେ ରାସ୍ତା ଉପରେ ଟ୍ରକ୍ ଉଚାରେ ପାଣି ଯାଉଛି ଏଣୁ ଗାଡ଼ି ଚଳାଚଳ ବନ୍ଦ । ମୁଁ ଜାଣିଲି ଆଗକୁ ଯାଇ ହେବନି । ଏଣୁ ତୁରନ୍ତ ପିଡବ୍ଲ୍ୟୁଡି କାର୍ଯ୍ୟାଳୟକୁ ଯାଇ ମୋ ନାମରେ ପିଡବ୍ଲ୍ୟୁଡି ଆଇବିରେ ସୁଟ୍ ଟିଏ ରିଜର୍ଭ କରି ନେଲି । ସାମ୍ବାଦିକ ପରିଚୟ ପତ୍ର ଧରିଥିଲି ଏଣୁ ଅସୁବିଧା ହେଲା ନାହିଁ । ଏହା ପରେ ଆଇବି ଗଲୁ । ସେହି ଦୁଇ ପିଲା ମଧ୍ୟ ଆମ ସହ ଆସିଲେ ।

ଚୌକିଦାର କବାଟ ଖୋଲି କହିଲେ ରାତିରେ ଏଠି ଜଣେ ଆଇଏଏସ୍ ଅଫିସର୍ ଥିଲେ । ଗଞ୍ଜାମ , ଗଜପତି ଗସ୍ତରେ ଯାଇ ରାତିରେ ଫେରିଥିଲେ । ପାଗ ବିଗିଡ଼ି ଯାଇଥିବାରୁ ଏଠି ରହି ଯାଇଥିଲେ । ଏବେ କିଛି ସମୟ ହେଲା ଯାଇଛନ୍ତି । ରୁମ୍ ରେ ଟିକେ ଫ୍ରେସ୍ ହୋଇ ତୁରନ୍ତ ମୁଁ ବାହାରି ପଡ଼ିଲି ମୋର କାମରେ । ଖୋର୍ଦ୍ଧା ସହରର ବିଭିନ୍ନ ଅଂଚଳକୁ ଗଲି । ବିରାଟକାୟ ଗଛ ଉପାଡ଼ି ପଡ଼ିଥିଲା । ପୂଜା ମଣ୍ଡପ, କିଛି ଘର ଦ୍ୱାର ଭାଙ୍ଗି ରୁଜି ଯାଇଥିଲା । ସେସବୁର ଫଟୋ ଉଠାଇ ଫେରି ଆସିଲି । ସେତେବେଳେ ସେହି ଦୁଇ ପିଲା କେଉଁଠୁ ଖୋଜି ଖୋଜି ଆମ ପାଇଁ ସେଉ, ବୁନ୍ଦି ଓ ବିସ୍କେଟ୍ ପ୍ୟାକେଟ୍ ଆଣି ଦେଇଥିଲେ । ଖାଇବା ପାଇଁ ଆଉ କିଛି ନଥିଲା । ସେତିକି ଖାଇ ତୃପ୍ତି ହେଲୁ । ଭୁବନେଶ୍ୱର ଅଭିମୁଖେ ବାହାରିଲୁ । ସେ ଦୁଇ ପିଲା ଆମ ରୁମ୍ ରେ ରହିଗଲେ ।

ହେଲେ ଆମକୁ କିନ୍ତୁ ପୁଣି ଥରେ ବାଟରୁ ଫେରିବାକୁ ପଡ଼ିଲା । କାରଣ ରାସ୍ତା ଉପରେ ପାଣିର ସୁଅ ସେତେବେଳେ ବି ପ୍ରଖର ଗତିରେ ସେମିତି ଚାଲୁଥିଲା । ବାଧ୍ୟ ହୋଇ ଆମେ ଦୁହେଁ ବ୍ରହ୍ମପୁର ଅଭିମୁଖେ ଫେରି ଆସିଲୁ । ରାତିରେ ବ୍ରହ୍ମପୁରରେ ପହଂଚି ଟାଟାବେଞ୍ଜ୍ ଛକରେ ଥିବା ମୋର ପରିଚିତ ଟାଇମ୍ସ ଲ୍ୟାବ୍ ରେ ଫଟୋ ଗୁଡ଼ିକ ଧୋଇ ନେଲି । ତା ପରେ ଅନୁପମ ଭାରତ ଅଫିସ୍ ଯାଇ ଏଡିଟର ସାର୍ ଙ୍କୁ ଦେଇଦେଲି । ସକାଳୁ ପେପର୍ ରେ ଫଟୋ ସହ ଖବର ପ୍ରକାଶ ପାଇଲା । ସକାଳୁ ପେପର୍ ଖଣ୍ଡେ ଧରି ବ୍ରହ୍ମପୁର ରେଡିଓ ଷ୍ଟେସନ୍ ରେ କାର୍ଯ୍ୟରତ ଖୋର୍ଦ୍ଧା ଅଂଚଳର ଜେ କେ ପଟ୍ଟନାୟକଙ୍କୁ ପେପର୍ ଟିଏ ଧରାଇ ଦେଇ ଖବରଟି ପଢ଼ାଇ ନେଲି ।ସେ ତାଙ୍କ ଅଂଚଳର ଖବର ପଢ଼ିବା ପରେ ମୋତେ ଆତ୍ମ ସନ୍ତୋଷ ମିଲିଲା ।

କାରଣଟା ଥିଲା ପୁରା ଲଜିକ୍ ଯୁକ୍ତ । କିଛି ଦିନ ପୂର୍ବରୁ ବ୍ରହ୍ମପୁର ତଥା ଗଞ୍ଜାମରେ ପ୍ରବଳ ବର୍ଷା ଓ ପବନ ସହ ବାତ୍ୟା ହୋଇଥିଲା । ଅନେକ କିଛି ଭାଙ୍ଗି ରୁଜି ଯାଇଥିଲା । ପୂଜା ମଣ୍ଡପ ମଧ୍ୟ ଉଜୁଡ଼ି ଯାଇଥିଲା । ମୁଁ ବ୍ରହ୍ମପୁର ଆକାଶବାଣୀରେ ସାମୟିକ ଘୋଷକ ରୂପେ କାର୍ଯ୍ୟ କରୁଥିବାରୁ ଘଟଣା ତଥା ସେହି ବାତ୍ୟା ଘଟିବା ପରେ ଆକାଶବାଣୀରେ ସେହି ପଟ୍ଟନାୟକ ବାବୁଙ୍କ ସହ ଦେଖା ହୋଇଥିଲା । ଆଉ ସେ କଟାକ୍ଷ କରି ମୋତେ କହିଥିଲେ ମାଁଙ୍କ ପୂଜା କରୁଥିଲ, ମାଁ ତମ ଅଂଚଳକୁ ଚାଟିଦେଲେ । ଆଉ ଜଗନ୍ନାଥ ଆମ ଅଂଚଳକୁ ମୁଣ୍ଡାଇ ଧରିଛନ୍ତି । ସେଦିନର ସେହି କଥାଟା ମତେ ବେଶ୍ ବାଧିଥିଲା । ଆଉ ତାର ସୁଯୋଗ ଖୋଜି ମାତ୍ର ଦିନ କେଇଟା ପରେ ଏହି ଢ଼ଙ୍ଗରେ ତାଙ୍କୁ ତାର ଜବାବ୍ ଦେଇ ଦେଇଦେଲି । ଏହା ହିଁ ବ୍ରହ୍ମପୁରିଆ ଷ୍ଟାଇଲ୍‌…… ।

LEAVE A REPLY

Please enter your comment!
Please enter your name here