ସେହି ଦିନ ଠୁ ବଣ ଭୋଜି ବନ୍ଦ !!!

0
52

ବ୍ରହ୍ମପୁର (ପ୍ରକାଶ ପଟ୍ଟନାୟକ): ଅନ୍ୟର ଖୁସିକୁ ଅନ୍ୟର ଦୁଃଖକୁ, ଅନ୍ୟର ବେଦନାକୁୁ ଓ ଅନ୍ୟର କୋହକୁ ସର୍ବସାଧାରଣରେ ପହଂଚାଇବାର ଗୁରୁ ଦାୟିତ୍ୱ ବହନ କରିଥାଏ ଗଣମାଧ୍ୟମ । ଏଣୁ ଏହାର ପ୍ରତିନିଧି ଏହାକୁ ନିଜର ଧର୍ମ ଓ କର୍ମ ରୂପେ ଗ୍ରହଣ କରି ନେଇଥାନ୍ତି । ଆଉ ଅନେକ ସମୟରେ ଧର୍ମ ଓ କର୍ମ ପାଳନ ଭିତରେ ଭୁଲି ଯାଇଥାନ୍ତି ନିଜର ବ୍ୟକ୍ତିଗତ ଜୀବନ ଶୈଳୀକୁ । ଅନ୍ୟର ଦୁଃଖରେ ଦୁଃଖୀ ହୁଅନ୍ତି , ଅନ୍ୟର ସୁଖରେ ସୁଖୀ ହୁଅନ୍ତି ହେଲେ ବାସ୍ତବ ଜୀବନରେ ସେସବୁର ଅନୁଭବୀ ହୋଇପାରନ୍ତିନି । କାରଣ କର୍ତବ୍ୟ ପରାୟଣର ପତିବଦ୍ଧତା ସେଥିରେ ପ୍ରତିବନ୍ଧକ ସାଜିଥାଏ ।


ଏମିତି ତ ଅନେକ ଉଦାହରଣ ରହିଛି । ହେଲେ ଛୋଟିଆ କଥାଟିଏ ହେଲା ଶୀତ ଋତୁରେ ବଣ ଭୋଜିର ମଜା । ବ୍ରହ୍ମପୁର ସହରରେ ରହି ବଣ ଭୋଜିର କଥା ଭାବିଲେ ମହୁରୀ କାଳୁଆ ପୀଠର କଥା ମନ ଭିତରେ ଉଦଭାସିତ ହୋଇ ଉଠେ । ଭିନ୍ନ ଭିନ୍ନ ଅଂଚଳରୁ ଆସୁଥିବା ଲୋକଙ୍କ ବଣ ଭୋଜିର ଆନନ୍ଦକୁ ଗଣମାଧ୍ୟମରେ ପ୍ରଚାର ପ୍ରସାର କରି କର୍ତବ୍ୟ ବୋଧର ଆତ୍ମ ତୃପ୍ତି ଆମେ ଲଭି ଥାଉ । ଏକଥା ସବୁ ଗଣମାଧ୍ୟମର ପ୍ରତିନିଧି ଉଣା ଅଧିକେ ଅଙ୍ଗେ ନିଭାଇ ଥିବେ ନିଶ୍ଚୟ । ଏଣୁ ଦିନେ ଆମେ ସମସ୍ତେ ନିଷ୍ପତି ନେଲୁ ଚାଲ ଆମେ ବି ବଣ ଭୋଜିର ମଜା ଉଠାଇବା ।


ସେଦିନ ଥିଲା ୨୦୧୬ ମସିହା ଜାନୁଆରୀ ୧୭ ତାରିଖ । ବାର ଥିଲା ରବିବାର । ସ୍ଥାନ ଥିଲା ମହୁରୀ କାଳୁଆ । ସବୁ ସାମ୍ବାଦିକ ବନ୍ଧୁ ଏକାଠି ହେଲୁ । ଚାଲିଲା ଭୋଜି ଭାତର ଆସର । ଗୀତର ତାଳେ ତାଳେ ନାଚ ଗୀତର ଆସର ମଧ୍ୟ ଜମିଲା । ସମୟ ଗଡ଼ି ଚାଲିବା ସହ ଗୋଟାଏ ପରେ ଗୋଟାଏ ଆଇଟମ୍ ମଧ୍ୟ ପ୍ରସ୍ତୁତ ହେଉଥିଲା । ଘଂଟା କଂଟା ୧୨.୩୦ ଡେଇଁବ ଡେଇଁବ ହେଉଥିଲା । ଏତିକି ବେଳେ କିଛି କାରଣ ନଥାଇ ବି ଭୋଜି ସ୍ଥଳରୁ ମନ୍ଦିର ନିକଟକୁ ମୁଁ ଆସିଗଲି । ଆଉ ସେଠି ନେଟ୍ ୱାର୍କ ପାଉ ପାଉ ମୋର ମୋବାଇଲ୍ ଫୋନ୍ ଟି ବି ବାଜି ଉଠିଲା । ଖବର ଥିଲା ସଂଘାତିକ । ଛତ୍ରପୁରରେ ଗ୍ୟାସ୍ ଟ୍ୟାଙ୍କର ଓଲଟିଯାଇଛି । କିଏ ଆହତ ହୋଇଛି ତ ଆଉ କାହାର ଜୀବନ ଯାଇଛି । କେବଳ ସେତିକି ନୁହଁ ଗ୍ୟାସ୍ ମଧ୍ୟ ଲିକ୍ ହେଉଛି । ବର୍ଷ ଆରମ୍ଭରୁ ଏତେ ବଡ଼ ଦୁର୍ଘଟଣା । ଶରୀର ଭୋଜି ସ୍ଥଳରେ ଥିଲେ ବି ମନ କିନ୍ତୁ ଚାଲିି ଯାଇଥିଲା ଘଟଣା ସ୍ଥଳକୁ । ଭୋଜିର ଦାୟିତ୍ୱରେ ମୁଁ ଥିଲି । ଏଣୁ ଭାବିଲି ଭୋଜି ସ୍ଥଳକୁ ଯାଇ କହିଲେ ସମସ୍ତେ ଛିନ୍ ଛତର ମାରିବେ ଏଣୁ କ୍ୟାମେରା ପର୍ସନ ରବିନ୍ଦ୍ରକୁ ଇସାରା କରି ଡ଼ାକିଦେଲି । ସେପଟେ ଅନ୍ୟ କ୍ୟାମେରା ପର୍ସନ୍ ଟୁଟୁକୁ ଭୋଜି ସ୍ଥଳରେ ଜଗାଇ ଦେଲି । ମୋତେ ଲାଗିଲା ଘଟଣା ସ୍ଥଳକୁ ଯିବି ତୁରନ୍ତ ଫେରି ଆସିବି । ବୋଧ ହୁଏ ସେହି ଖବରକୁ ନେଇ ମାନସିକ ଚାପ ବଢ଼ି ଯାଇଥିବାରୁ ଦୂରତା ଟା ଆକଳନ କରି ପାରିଲିନି । ଯାହା ହେଲେ ବି ଘଟଣା ସ୍ଥଳକୁ ଯିବାକୁ ପଡ଼ିବ ହିଁ ପଡ଼ିବ । ଭୋଜିରେ ସାମିଲ୍ ହୋଇଥିବା ଗିରିସୋଲାର ସୁଜିତଙ୍କ ହୋଣ୍ଡା ୟୁନିକର୍ଣ୍ଣ ଗାଡ଼ିଟି ମାଗିଲି ଘଟଣା ସ୍ଥଳକୁ ଯିବା ପାଇଁ ।


ରବିନ୍ଦ୍ର ଗାଡ଼ି ଚଲାଇଲେ, ପଛରେ ମୁଁ ବସିଲି ତଥ୍ୟ ସଂଗ୍ରହ ସହ ଫୋନୋ ଦେବାକୁ ହେବ । ଭୋଜି ସଂପର୍କିତ ଖବର କରିବା ପାଇଁ ଆଗରୁ କ୍ୟାମେରା ଧରି ଯାଇଥିଲେ ରବିନ୍ଦ୍ର । ଏଣୁ ଦ୍ରୁତ ଗତିରେ ସିଧା ସଳଖ ଗାଡ଼ି ଛୁଟିଲା ଘଟଣା ସ୍ଥଳକୁ । ଗାଡ଼ିର କଂଟା ୧୦୦/୧୨୦ରେ ବାଡ଼େଇ ହେଉଥିଲା । ଭୟ ଲାଗୁଥିଲା ହେଲେ ନିରୁପାୟ ଥିଲୁ । ଚାହୁଁ ଚାହୁଁ ପହଂଚିଗଲୁ ବ୍ରହ୍ମପୁରରେ । ମଝି ରାସ୍ତାରେ ଫୋନୋଟିଏ ଦେଲି । ଏହା ପରେ ପୁଣି ଗାଡ଼ି ଛୁଟିଲା ଛତ୍ରପୁର ଅଭିମୁଖେ । ଆଖି ପିଛୁଲାକେ ପହଂଚିଗଲୁ ଛତ୍ରପୁରରେ । ତୁରନ୍ତ ଉଭୟେ ଲାଗିଗଲୁ ନିଜ ନିଜ କାମରେ । କିଛି ଭିଜ୍ୟୁଆଲ୍ ପଠାଇ ସେଠାରେ ପୁଣି ଥରେ ଫୋନୋଟିଏ ଦେଲି । ସେତେବେଳେ ଡି.ଏମ୍‌. ଏନ୍‌. ଜି ତଥା ଲାଇଭ୍ କିଟ୍ ନଥିଲା ଏଣୁ ଘଟଣା ସ୍ଥଳରେ ସିଧା ପ୍ରସାରଣ କରିବା ସମ୍ଭବ ନଥିଲା । ଅଫିସ କୁ ଫେରି ୨-ଏମବି ଲାଇନ୍ ରେ ଫିଡ୍ ପଠାଇବାକୁ ପଡ଼ୁଥିଲା । ଏଣୁ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ, ଦକ୍ଷିଣାଂଚଳ ପୁଲିସ ଡିଆଇଜି ଅମିତାଭ୍ ଠାକୁର, ଗଞ୍ଜାମ ଏସପି ନରସିଂହ ଭୋଳ ପ୍ରମୁଖଙ୍କ ଲାଇଭ୍ ଫର୍ମାଟ୍ ରେ ବାଇଟ୍ ନେଇଗଲି । ଏଥି ପାଇଁ ଘଟଣା ସଂପର୍କରେ ବର୍ଣ୍ଣନା କରି କରି ବାଇଟ୍ ସବୁ ନେବାକୁ ପଡ଼ିଥିଲା । ସେତିକି କାମ ସାରି ତୁରନ୍ତ ପହଂଚିଗଲୁ ବ୍ରହ୍ମପୁରରେ ।


ସେତେବେଳେ ପରବର୍ତି ବୁଲେଟିନ୍ ବାଜିବାକୁ ମାତ୍ର ଆଉ ଗୋଟାଏ ମିନିଂଟ୍ ସମୟ ଥିଲା । ୨-ଏମବି ବ୍ୟବସ୍ଥାରେ ଭିଜ୍ୟୁଆଲ୍ ଓ ବାଇଟ୍ ପଠାଇଲେ ତାହା କେପଚର ଓ ଏଡିଟିଂ କରି ଛାଡ଼ିଲେ ସେହି ବୁଲେଟିନ୍ ରେ ବାଜିବା ସମ୍ଭବପର ନଥିଲା । ଏଣୁ ସେଦିନ ଆମେ ନେଇଥିଲୁ ଏକ ରିସ୍କ । ଅଫିସ୍ ରୁ ୨-ଏମବି ରେ ପ୍ଲେ କରି ଭୁବନେଶ୍ୱର କାର୍ଯ୍ୟାଳୟରୁ ସିଧାସଳଖ ଟେଲିକାଷ୍ଟ୍ କରିବାକୁ କହିଲି । ରିସ୍କ କହିବାର ଅର୍ଥ ହେଲା ଯଦି ମୁଁ କହିବାରେ କିଛି ଭୁଲ୍ ରହିଥିବ କିମ୍ବା ପଦସ୍ଥ ଅଧିକାରୀଙ୍କ ବାଇଟ୍ ରେ କିଛି ଭୁଲ୍ ରହିଥିବ ତେବେ ତାହା ପ୍ରସାରିତ ହେଲେ ଚ୍ୟାନେଲର ଗୁଣବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ । ତେବେ ଯାହା ହେଉ ଭଗବାନଙ୍କ ଆର୍ଶୀବାଦରେ କିଛି ବି ଭୁଲ୍ ଭଟକା ନଥିଲା । ସେଦିନ ସେହି ବୁଲେଟିନ୍ ରେ ସେହି ଖବରଟି ଏକ୍ସ କ୍ଲ୍ୟୁସିଭ୍ ହୋଇ ବାଜିଲା । ଯାହା କି ଆମର ସମସ୍ତ କ୍ଲାନ୍ତ ଓ ବେଦନାକୁ କ୍ଷଣିକ ମଧ୍ୟରେ ଅପସାରି ଦେଲା ।


ସବୁ ସରିବା ପରେ ମନେ ପଡ଼ିଲା ଭୋଜି କଥା । ଏହି ଭିତରେ ଏତେ ସମୟ ବିତି ଯାଇଥିଲା ହେଲେ ସେଥି ପ୍ରତି ଧ୍ୟାନ ନଥିଲା । ପୁଣି ବାହାରିଲୁ ମହୁରୀକାଳୁଆ ଅଭିମୁଖେ । ଅନେକେ ଖାଇ ଚାଲି ଯାଇଥିଲେ । ଆଉ କିଛି ନ୍ୟୁଜ୍ କରିବାକୁ ଯାଇ ଫେରିଥିଲେ । ଟିଭି ମିଡିଆର କିଛି ପ୍ରତିନିଧି ଫେରିବା ପରେ ଆମେ ପ୍ରାୟ ୫ଟାରେ ଖିଆ ପିଆ କଲୁ । ସେତିକି ବେଳେ କିଏ ଜଣେ ଚୁଗୁଲି କରି କହିଲା ଏଠି ଆମକୁ ଜଗାଇ ଓଟିଭି ପୁଣି ଥରେ ବାଜି ମାରିନେଲା । କିିଛି ମୋ ଉପରେ ଭିତରେ ଭିତରେ ରାଗିଲେ ହେଲେ ମୁହଁ ଖୋଲି କିଛି କହିଲେନି । କାରଣ ସବୁ କିଛି ଭୁଲି ଯାଇ ସଞ୍ଜନଇଁ ଆସୁଥିବା ସମୟରେ ଆମେ ବଣ ଭୋଜିର ମଜା ଉଠାଇଲୁ ।


ହେଲେ ସେହି ଦିନ ଠାରୁ ଆମର ବଣ ଭୋଜି ଆଉ ହେଉ ନାହିଁ । ଇଛା ହେଉଥିଲେ ବି ରିସ୍କ ନେଇ ପାରୁନୁ । ଏଥିପାଇଁ ବଣ ଭୋଜିର ମଜା ଆମ ପାଇଁ ବନ୍ଦ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here