ବିଷାକ୍ତ ବଳୟକୁ ପଶି ଯାଇଥିଲି…

0
65

ବ୍ରହ୍ମପୁର (ପ୍ରକାଶ ପଟ୍ଟନାୟକ): ଭୁବନେଶ୍ୱର କାର୍ଯ୍ୟାଳୟର ସହଯୋଗୀ ବାନ୍ଧବୀଙ୍କ ଫୋନ୍ କଲ୍ ଟିଏ ସକାଳୁ ଆସିଲା । ସମୟ ପ୍ରାୟ ୮ଟା,ସେଦିନ ଥିଲା 2010 ମସିହା ଜୁନ 21 ତାରଖ । ମୁଁ ମୋର ନିତ୍ୟ କର୍ମ ସାରି ଦେଇଥିଲି । ହେଲେ ଜଳଖିଆ ଖାଇନଥିଲି । ବାନ୍ଧବୀ ଜଣକ କହିଲେ ବ୍ରହ୍ମପୁରରେ ଥିବା ମୋର ଭଉଣୀ କହିଲା ତୁମର ସେଠିକାର ଆଙ୍କୁଲି ଏରିଆରେ କଣ ଗୋଟାଏ ଅଘଟଣ ଘଟିଛି । ନିଆଁ ଫିଆ କଣ ଲାଗିଛି ବୋଧେ । ଏତିକି କଥା ଶୁଣି ତୁରନ୍ତ ମୁ ଆମ କ୍ୟାମେରା ପର୍ସନ୍ ଟୁଟୁଙ୍କୁ ଫୋନ୍ କରି ନିଜର ମୋଟର ସାଇକେଲ ଧରି ବାହାରି ପଡ଼ିଲି । ଅଶୋକ ନଗର ପ୍ରଥମ ଗଳିରେ ରହୁଥିଲୁ । ଏଣୁ ତୁରନ୍ତ କମାପଲ୍ଲୀ ଛକରେ ପହଂଚିଗଲି ।


ସେଠାରୁ ଦେଖିଲି ଦୂରରେ ଆକାଶ ଉପରେ ମେଂଚା ମେଂଚା ହୋଇ ହଳଦିଆ ଧୂଆଁର ଆସ୍ତରଣ ଦେଖାଯାଉଛି । ନିଆଁ ଲାଗିଲେ କଳା ଧୂଆଁ ସହ ନିଆଁର ଝାସରେ ଆକାଶ ଲାଲ୍ ଲାଲ୍ ଦେଖାଯିବା କଥା । ତେବେ ହଳଦିଆ କାହିଁକି ଦେଖା ଯାଉଛି ତାହା ମୋର ଚିନ୍ତାକୁ ବଢ଼ାଇ ଦେଲା । ଗାଡ଼ିର ବେଗକୁ ବଢ଼ାଇ ଦେଇ ଲାଞ୍ଜିପଲ୍ଲୀ ରାସ୍ତା ହୋଇ ଆଙ୍କୁଲି ଆଡ଼େ ମାଡ଼ି ଗଲି । ତେବେ ଶିଳ୍ପାଂଚଳର ରାସ୍ତା କଡ଼ରେ ଦୂରରେ କିଛି ଲୋକଙ୍କ ଭିଡ଼ ଜମିଥିଲା । ଆଗକୁ ଯିବା ପରେ ଜାଣିଲି ଶିଳ୍ପାଂଚଳର ରାସ୍ତାକଡ଼ରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟାଳୟରେ ଘଟିଛି ବଡ଼ ଧରଣର ଅଘଟଣ । ମାଟି ଉପରୁ ଭସ୍ ଭସ୍ ହୋଇ ହଳଦିଆ ଧୂଆଁ ନିର୍ଗତ ହେଉଛି । ନିଆଁ ଲାଗିନି ହେଲେ ଏପରି ଧୂଆଁ କିପରି ଉଠୁଛି ତାହା ମୁଁ ଠଉରାଇ ପାରିଲି ନାହିଁ ।ମୋତେ ଦେଖି ସେଠାକାର କିଛି ଷ୍ଟାଫ୍ ଭିତରକୁ ଯିବାକୁ ବାରଣ କଲେ ଆଉ କହିଲେ ପାଣି ବିଶୋଧନ ପାଇଁ ଆସିଥିବା କ୍ଲୋରିନ ଯୁକ୍ତ ଗ୍ୟାସ୍ ସିଲିଣ୍ଡର୍ ଲିକ୍ ହୋଇଯାଇଛି । ତାହା ବିଷାକ୍ତ । ଆଘ୍ରାଣ କଲେ ମୁର୍ଚ୍ଛା ଯିବା ସହ ଶରୀରର କ୍ଷତି ଘଟିବାର ମଧ୍ୟ ଆଶଙ୍କା ରହିଛି ବୋଲି ଚେତାଇ ଦେଲେ ।


ଏତିକି ବେଳେ ପବନ ବେଗରେ ପହଂଚିଗଲେ ଟୁଟୁ ଓ ତାଙ୍କର ଅନ୍ୟତମ ସାଥୀ ତଥା କ୍ୟାମେରା ପର୍ସନ୍ ଆଲୋକ ବେହେରା । ତା ପର ଦିନ ଟୁଟୁଙ୍କ ବାହାଘର ଥିଲା । ଏଣୁ ସାହାଯ୍ୟ କରିବା ପାଇଁ ଆଲୋକ ଆସିଥିଲେ । ମୁଁ ଖୋଲା ଗେଟ୍ ସମ୍ମୁଖରେ ଠିଆ ହୋଇଥିଲି । ଆଲୋକ ରାସ୍ତା ଉପରେ ଓ ଟୁଟୁ କିଛି ଦୂରରେ ଠିଆ ହୋଇଥିଲେ । ଆଲୋକ କ୍ୟାମେରା ଖୋଲି ସୁଟିଂ ଆରମ୍ଭ କରି ଦେଇଥିଲେ । ତା ପୂର୍ବରୁ ଗ୍ୟାସ୍ ର ପ୍ରଭାବରେ କିଛି ଲୋକ ଅସୁସ୍ଥ ଓ କିଛି ଲୋକ ମୁର୍ଚ୍ଛା ଯିବାରୁ ସେମାନଙ୍କୁ ବଡ଼ ମେଡିକାଲକୁ ପଠାଇ ଦିଆଯାଇଥିଲା । ଏହି ଖବର ପ୍ରଚାର ହେବା ପରେ ଘଟଣା ସ୍ଥଳରୁ ବହୁ ଦୁରକୁ ଚାଲିଗଲେ ସମସ୍ତେ । ପରିସର ଭିତରେ ବାହାରକୁ ଖୋଲାରେ ପଡ଼ିଥିଲା ସିଲିଣ୍ଡର୍ ଟିମ୍ । କାର୍ଯ୍ୟାଳୟରେ ଥିବା ଦୁଇ ତିନି ଜଣ ଷ୍ଟାଫ ମୁହଁରେ କପଡ଼ା ଢ଼ାଙ୍କି ରହିଥିଲେ । ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ପହଂଚିଗଲା ପୁଲିସ ଟମ୍ । ପୂର୍ବରୁ ଅସୁସ୍ଥ ହୋଇ ପଡ଼ିଥିବା ଲୋକଙ୍କୁ କିଏ ମୋଟର ସାଇକେଲ ରେ ତ ଆଉ କିଏ ଅଟୋ ଯୋଗେ ବଡ଼ ମେଡ଼ିକାଲ ନେଇଯାଇଥିଲେ । ଏତିକି ବେଳେ ଟିଭି ନ୍ୟୁଜ୍ ପାଇଁ ସ୍କ୍ରୋଲ୍ ଡାକି ଦେଇଥିଲି । ଖବର ପାଇ ଆମ୍ବୁଲାନ୍ସ ଓ ଦମକଳ ଟିମ୍ ମଧ୍ୟ ପହଂଚିଗଲା ।


ଆମେ ସେହି ସ୍ଥାନରେ ହିଁ ଥିଲୁ । ମୋତେ ଲାଗୁୂଥିଲା ରାସ୍ତା ଉପରେ ଠିଆ ହୋଇ ଆମେ ବୋଧ ହୁଏ କିଛି ଭଲ ଭିଜୁଆଲ୍ ହାତ ଛଡ଼ା କରି ଦେଉଛୁ । ଟୁଟୁ ଙ୍କର ବାହାଘର ଥିବାରୁ କିଛି କହି ପାରୁନଥିଲି । ଏପରିକି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଲୋକଙ୍କୁ ମଧ୍ୟ କିଛି କହି ପାରୁନଥିଲି । ଭିତରକୁ ଯାଇ ସୁଟ୍ କର କହିଲେ ଆଲୋକ ଶୁଣିଥାନ୍ତେ ନିଶ୍ଚୟ ହେଲେ ନିଜେ ନିରାପଦ ସ୍ଥାନରେ ରହି ତାଙ୍କୁ କିପରି ବିପଦ ମୁହଁକୁ ଠେଲି ଦେବି ଏହି ଭାବନା ମୋର ମନକୁ ଆସିଲା । ଏତିକି ବେଳେ ମୁଣ୍ଡକୁ ଜୁଟିଲା ଏକ ଖିଆଲ୍ । ପକେଟ୍ ରୁ ରୁମାଲ୍ ଟିଏ କାଢ଼ି ମୁହଁରେ ବାନ୍ଧିଲି । ଆଉ ପଶିଗଲି ହତା ଭିତରକୁ । ଓଟିଭିର ସାମ୍ବାଦିକ ରୂପେ ସମସ୍ତେ ମୋତେ ଚିହ୍ନିଥିଲେ । ଏଣୁ କିଏ କିଛି କହିଲେନି । ମୋବାଇଲ୍ ରେ ସୁଟ୍ କଲି,ସେତେବେଳେ ଆଣ୍ଡ୍ରୋଏଡ୍‌ ମୋବାଇଲ ନଥିଲା,ସୁଟ କରିଦେଇ ଘଟଣା ସ୍ଥଳ ରୁ ଭିଜୁଆଲ୍‌ ପଠାଇବା ମଧ୍ୟ ସମ୍ଭବ ନଥିଲା ତଥାପି ମୁଁ ସୁଟ କରିଲି ଏତିକି ଭିତରେ କଣ ହେଲା କେଜାଣି ଆଲୋକ ବି ମୁହଁରେ ରୁମାଲ୍ ଭିଡ଼ି ଭିତରକୁ ପଶିଗଲେ । ଭିତରେ ସୁଟିଂ ସାରି ବାହାରକୁ ବାହାରିବା ପରେ ସେହି ଅଂଚଳର ଜଣେ ବ୍ୟକ୍ତି କହିଲେ ଆଜ୍ଞା ସାମ୍ବାଦିକ ପାଇଟି ଟା ଏତେ ବିପଦ ବୋଲି ଆଜି ଜାଣିଲି । ଆମର ଧାରଣା ଟିକେ ଅଲଗା ଥିଲା । ମୁଁ କିଛି କହିଲିନି ଖାଲି ହସି ଦେଲି ।


ଫିଡ୍ ପଠାଇବା ପାଇଁ ଅଫିସ୍ କୁ ମୁଁ ଚାଲିଲି । ଟୁଟୁଙ୍କ ମୋଟର ସାଇକେଲରେ ଆଲୋକ ବସିଲେ । ରାସ୍ତାରେ ଆସିବା ବେଳେ ମେଡ଼ିକାଲରେ ଭର୍ତି ହୋଇଥିବା ଲୋକଙ୍କ ଭିଜୁଆଲ୍ ସୁଟ୍ କରି ଅଫିସ୍ ଆସିଯିବାକୁ ସେମାନଙ୍କୁ କହିଦେଲି । ସେତେବେଳକୁ ବଡ଼ ମେଡ଼ିକାଲରେ ସାଧାରଣ ଲୋକ ଓ ନେତାଙ୍କ ଭିଡ଼ ଜମି ସାରିଥିଲା । ଫୋନୋ ଦେଇ ମୁଁ ମୋର ପ୍ରଥମ ପର୍ଯ୍ୟାୟ କାମକୁ ସାରି ଦେଇଥିଲି । ଅଫିସ୍ ରେ ୨-ଏମ ବି ସିଷ୍ଟମ୍ ରେ ବାଇଟ୍ ଭିଜୁଆଲ୍ ପଠାଇବା ପରେ ପୁଣି ଥରେ ଘଟଣା ସ୍ଥଳକୁ ଯିବାକୁ ହେବ । ଏଥି ପାଇଁ ମୁଁ ଚଳଚଂଚଳ ହୋଇ ଉଠିଲି ।


ବାହାଘର ପାଇଁ ଟୁଟୁ ଛୁଟି ନେଇଥିଲେ ବି ଅଫିସ୍ ରୁ କେହି ବି ରିଲିଭର୍ ଆସି ପାରିନଥିଲେ । ଅଫିସ୍ ମୋତେ ଅନୁରୋଧ କରିଥିଲା ଲୋକାଲ୍ ରେ କାହାକୁ ଧରି ମ୍ୟାନେଜ କରି ଦେବା ପାଇଁ । ଆଉ ସେଥି ପାଇଁ ସେତେବେଳେ ଦୁଇ ଦିନ ଧରି ଆଲୋକ ଥିଲା ଆମର ସାହା ଭରସା ।


ସେମାନେ ମେଡିକାଲ ଅଭିମୁଖେ ଗଲେ । ଆଉ ସ୍କ୍ରିପ୍ଟ ପ୍ରସ୍ତୁତ କରିବା ପାଇଁ ମୁଁ ଅଫିସ୍ ଗଲି । ହେଲେ ଏତିକି ବେଳେ ଘଟିଗଲା ଆଉ ଏକ ଅଘଟଣ । ମେଡିକାଲ ଯିବା ବାଟରେ ଆଲୋକ ଅସୁସ୍ଥ ହୋଇ ପଡ଼ିଲେ । କାଜୁଆଲ୍ ଟିରେ ଭର୍ତି ହୋଇ ସାଲାଇନ୍ ନେବାକୁ ପଡ଼ିଲା ତାଙ୍କୁ । ମେଡିକାଲରେ ଆଲୋକଙ୍କୁ ଛାଡ଼ି ଅଫିସ୍ ଆସି ଫିଡ୍ ପଠାଇବା କାମ କରିଦେଲେ ଟୁଟୁ ।
ସେଦିନର ଘଟଣାକୁ ସେଠି ପୂର୍ଣ୍ଣଛେଦ ପକାଇ ତା ପର ଦିନ ଟୁଟୁର ବାହାଘର ପାଇଁ ଆମେ ପ୍ରସ୍ତୁତ ହୋଇ ଉଠିଲୁ । ଆଉ ମେଡ଼ିକାଲରୁ ଆସି ସନ୍ଧ୍ୟାରେ ଆଲୋକ ଆମ ସହ ଯୋଡ଼ି ହୋଇଗଲା । କଥାରେ ଅଛି ଦିଲ୍ଲୀର ଲଡ଼ୁ ଯିଏ ଖାଇଛି ସିଏ ପସ୍ତାଉଛି ଆଉ ଯିଏ ଖାଇନି ସେ ମଧ୍ୟ ପସ୍ତାଉଛି । ଆଉ ସାମ୍ବାଦିକ ପେସା ଟି ମଧ୍ୟ ସେପରି କିଛି ……

LEAVE A REPLY

Please enter your comment!
Please enter your name here