ଏତେ ବଡ଼ ଖବରଟା ଜାଣି ପାରିନଥିଲି !!!

0
69

ବ୍ରହ୍ମପୁର (ପ୍ରକାଶ ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳିକାଟୁ ଗସ୍ତ ଥିଲା । କର୍ମୀ ଓ ନେତାଙ୍କ ସମାବେଶରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ସେଦିନ ଥିଲା ୨୦୧୦ ମସିହା ନଭେମ୍ବର ୨୭ ତାରିଖ । ଗତ ନିର୍ବାଚନରେ ତଥା ୨୦୦୯ ମସିହାରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହ୍ୟାଟ୍ରିକ୍ ମାରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିଲା ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ କୁ । ଏଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଯେତିକି ଗୁରୁତ୍ୱ ବହନ କରୁଥିଲା ସେତିକି ଗୁରୁତ୍ୱ ବହନ କରୁଥିଲା ନେତା ଓ କର୍ମୀଙ୍କ ଉପସ୍ଥିତି । ସେଥି ପାଇଁ ବିଧାୟକ, ସାଂସଦଙ୍କ ଠାରୁ ଆରମ୍ଭ କରି ସମସ୍ତ ଜନପ୍ରତିନିଧି ଲାଗି ପଡ଼ିଥିଲେ ସମାବେଶକୁ ଅଧିକରୁ ଅଧିକ ସଫଳ କରିବା ପାଇଁ ।


ସମାବେଶର ଖବରକୁ ଲାଇଭ୍ କରିବା ପାଇଁ ଓଟିଭିର ମୁଖ୍ୟ କାର୍ଯ୍ୟାଳୟରୁ ଆସିଥିବା ଡିଏସଏନଜି ଭ୍ୟାନ୍ ରାତିରେ ହିଁ ବ୍ରହ୍ମପୁରରେ ପହଂଚି ଯାଇଥିଲା । ଏଣୁ ସକାଳୁ ସକାଳୁ ମୁଁ ପ୍ରସ୍ତୁତ ହୋଇଯାଇଥିଲି ହିଞ୍ଜିଳିକାଟୁ ଯାଇ ପ୍ରଥମ ବୁଲେଟିନ୍ ତଥା ସକାଳ ୭ଟାରେ ସମାବେଶ ସଂପର୍କରେ ଲାଇଭ୍ ଦେବା ପାଇଁ । ତେବେ ରାଧା ହୋଟେଲ୍ ରେ ରହିଥିବା ଡିଏସଏନଜି ଷ୍ଟାଫ୍ ସକାଳୁ ପ୍ରସ୍ତୁତ ହୋଇ ପାରିନଥିଲେ । ଏଥି ପାଇଁ ପୁରୁଣା ବସଷ୍ଟାଣ୍ଡ୍ ରେ ଥିବା ଇନ୍ଦିରାଗାନ୍ଧି ପ୍ରତିମୂର୍ତି ସାମନା ଛକରେ ଲାଇଭ୍ ଦେଇଦେଲି ହିଞ୍ଜିଳି ସମାବେଶର ପ୍ରସ୍ତୁତି ସଂପର୍କରେ । ସେତେବେଳେ ବ୍ରହ୍ମପୁରରେ ଡିଏମଏନଜି ଲାଇଭ୍ କିଟ୍ ନଥିଲା । ଓରଟେଲ୍ କେବୁଲ୍ ତାର ମାଧ୍ୟମରେ ଯଦିଓ ବିଭିନ୍ନ ସ୍ଥାନରେ ବିଶେଷ କରି ଦୁର୍ଗା ପୂଜା, ଠାକୁରାଣୀ ଯାତ୍ରା ସମେତ କିଛି ପ୍ରସଙ୍ଗରେ ଲାଇଭ୍ ଦେଇ ପାରୁଥିଲୁ ତଥାପି ଭୁବନେଶ୍ୱରରୁ ଡିଏସଏନଜି ଭ୍ୟାନ୍ ଆସିଲେ ଆମେ ପୁରା ଟିମ୍ ଉତ୍ସାହିତ ହୋଇ ପଡ଼ୁଥିଲୁ । କାରଣ ବିଭିନ୍ନ ସ୍ଥାନରେ ଅନାୟସରେ ଡିଏସଏନଜି ଭ୍ୟାନ୍ ମାଧ୍ୟମରେ ଲାଇଭ୍ ଦେବାର ସୁବିଧା ରହିଥିବା ବେଳେ ଭ୍ୟାନ୍ ଦେଖିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ଜମୁଥିଲା । ଏଣୁ ସକାଳୁ ସକାଳୁ ଲାଇଭ୍ ଟିଏ ଦେଇ ମୁଁ ଆଉ ଆମ ଟିମ୍ ଆତ୍ମ ସନ୍ତୋଷ ଲଭିଲୁ ।


ତେବେ ସେହି ଆନନ୍ଦ କ୍ଷଣିକ ମଧ୍ୟରେ ଉଭେଇ ଗଲା । ଲାଇଭ୍ ଦେଖୁଥିବା ମୋର ବନ୍ଧୁ ତଥା ସମ୍ବାଦର ସାମ୍ବାଦିକ ଭୈରବ ଚନ୍ଦ୍ର ବ୍ରହ୍ମା ମୋତେ ଫୋନ୍ କରି କହିଲେ ସେପଟେ ଥାନା ଅଧିକାରୀଙ୍କୁ ଗୁଳି କରି ମାରିଦେଲେଣି ଏପଟେ ଆପଣ ସମାବେଶର ପ୍ରସ୍ତୁତି ସଂପର୍କରେ ଗପୁଛନ୍ତି । ମୁଁ ଭାବିଲି ସେ ମୋ ସହ ମଜା କରୁଛନ୍ତି । କାରଣ ବେଳେ ବେଳେ ଆମେ ଏପରି ଥଟ୍ଟା ମଜା କରୁଥିଲୁ । ଏଣୁ ମୁଁ କହିଲି ବାହାରନ୍ତୁ ହିଞ୍ଜିଳି ଯିବା । ସେ ଜାଣି ଦେଲେ ମୁଁ ତାଙ୍କ କଥାରେ ସିରିୟସ୍ ନାହିଁ । ଏଣୁ ପୁଣି ଥରେ କହିଲେ ଆଜ୍ଞା ଗମାତ କରୁନୁ ସତ କଥା ଶେରଗଡ଼ ଥାନା ଅଧିକାରୀ ମନୋରଞ୍ଜନ ମିଶ୍ରଙ୍କୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ ଗୁଳି କରି ମାରି ଦେଇଛନ୍ତି ।


ଏତିକି କଥା ଗ୍ରହଣ କରିବା ବେଳେ ମୋତେ ଲାଗିଲା ସତେ ଯେପରି କରେଂଟ୍ ଝଟକା ମୋତେ ମାରିଛି, ଫୋନ୍ କାଟି ଦେଲି । ଏତେ ବଡ଼ ଖବରଟା ଜାଣି ପାରିନଥିଲି ଏଣୁ ଲାଜ ଲାଗିଲା ଅଫିସ୍ କୁ ଜଣାଇବା ପାଇଁ । ଅବଶ୍ୟ ହିଞ୍ଜିଳି, ଶେରଗଡ଼, ଆସିକା ଆଦି ଅଂଚଳର ଖବର ଆସିକାର ପ୍ରତିନିଧି ମନୋଜ ମୁନି ବୁଝୁଥିଲେ । ଏଣୁ ମୋତେ ଲାଗିଲା ହୁଏତ ସେ ବି ଜାଣି ନାହାନ୍ତି ଏହି ଖବରଟି । ଏଣୁ ତୁରନ୍ତ ତାଙ୍କୁ ଫୋନ୍ କଲି । ସେ ଅତି ହାଲୁକା ଭାବେ କହିଲେ ଘଟଣା ସ୍ଥଳରୁ ସୁଟ୍ କରି ଏବେ ଫେରୁଛି । ସେ ମଧ୍ୟ ଅଫିସ୍ କୁ ଜଣାଇନଥିଲେ । ତାହା ଜାଣି ମୋର ବିପି ହାଇ ହୋଇଯାଇଥିଲେ ବି ନିଜକୁ ନିଜେ ନିୟନ୍ତ୍ରଣ କରି ତାଙ୍କୁ କହିଲି ତୁରନ୍ତ ଭିଜୁଆଲ୍ ପଠାଇବା ପାଇଁ । ଏହା ପରେ ଅଫିସ୍ ସହ ଯୋଗାଯୋଗ କଲି । ଆଉ ସେ ସଂପର୍କିତ ଖବରର ଅପଡେଟ୍ ସହ ୯ଟା ବୁଲେଟିନ୍ ନିମନ୍ତେ ନିଜକୁ ପ୍ରସ୍ତୁତ କରିନେଲି । ଖବରରୁ ଜାଣିଲି ଯେ ତାଙ୍କର ମୃତ ଶରୀର ଏମକେସିଜି ମେଡିକାଲର ଏଫଏମଟିକୁ ଆସିବ । ଏଣୁ ହିଞ୍ଜିଳି ଗସ୍ତକୁ ସେଠି ସ୍ଥଗିତ ରଖି ଡିଏସଏନଜି ଭ୍ୟାନ୍ କୁ ଏଫଏମଟି ବିଭାଗକୁ ପଠାଇଦେଲି । ୯ଟା ବୁଲେଟିନ୍ ରେ ଅପଡେଟ୍ ତଥ୍ୟ ଓ ଅପଡେଟ୍ ଭିଜୁଆଲ୍ ସହ ଏଫଏମଟି ବିଭାଗରୁ ଆମେ ଲାଇଭ୍ କଲୁ । ସକାଳ ୭ଟାରେ ସେହି ଖବରଟା ବ୍ରେକ୍ କରି ପାରିନଥିବାରୁ ମନରେ ମୋର ଦୁଃଖ ରହି ଯାଇଥିଲା । ତେବେ ସକାଳ ୭ଟାରେ ଅନ୍ୟ ଚ୍ୟାନେଲରେ ବି ଖବରଟା ବ୍ରେକ୍ ହୋଇନଥିଲେ ବି ମୋତେ କିନ୍ତୁ ନିଜକୁ ଖାପଛଡ଼ା ଖାପଛଡ଼ା ଲାଗୁଥିଲା । ତାର ରିକୋଭରି ପାଇଁ ମନେ ମନେ ସୁଯୋଗକୁ ଅପେକ୍ଷା କଲି ।


କିଛି ସମୟ ପରେ ହିଞ୍ଜିଳିକାଟୁ ସମାବେଶକୁ ଟଚ୍ କରି ଶେରଗଡ଼ ଗଲି । ଘଟଣା ସ୍ଥଳକୁ ଯାଇ ନୂଆ କିଛି ଏଙ୍ଗଲ୍ ଖୋଜିଲି । ହାତରେ କିଛି ଲାଗିଲାନି । ଦୁଇ ଦିନ ଧରି ଖବରର ସାଧାରଣ ଫୋଲୋଅପ୍ ଚାଲିଲା । ଚତୁର୍ଥ ଦିନ ଆସିଲା ଟର୍ଣ୍ଣିପଏଂଟ୍ । ଜଣେ ପୁଲିସ ଅଧିକାରୀ ମୋତେ ଫୋନ୍ କରି କହିଲେ ଆଜ୍ଞା ଘଟଣା ସ୍ଥଳର ଯେଉଁ ଭିଜୁଆଲ୍ ସୁଟ୍ କରିଛନ୍ତି ତାର କପି ମିଳିବ କି? ମନକୁ ମୋର ଟିକେ ସନ୍ଦେହ ଆସିଲା ଏଣୁ ଜାଣିକି କହିଲି ହଁ ଦେବି ଯେ ହେଲେ ବ୍ୟସ୍ତ ଅଛୁ, ତିନି ଚାରି ଦିନ ପରେ ଦେଇ ହେବ । ସେ କିନ୍ତୁ କହିଲେ ଜୁରୁରୀ ଅଛି, ଆଜି ହିଁ ଦରକାର । ମନରେ ମୋର ଅଜଣା ଉତ୍କଣ୍ଠା ଆସିଲା । ଏଣୁ ମୁଁ କହିଲି ଦେବି ଯେ କାରଣ ଟା ମୋତେ ଖୋଲିକି କହିଲେ ଦେଇଦେବି । ଭିଜୁଆଲ୍ ପାଇବା ଚକ୍କରରେ ସେ ତଦନ୍ତର ପେଢ଼ି ଖୋଲିଦେଲେ ମୋ ନିକଟରେ ।


ସେ କହିଲେ ଶେରଗଡ଼ରୁ ହିଞ୍ଜିଳି ଆସିବା ବେଳେ ରାସ୍ତାରେ ପଡ଼ୁଥିବା ସେତୁ କଡ଼ରେ ରହିଛି ଏକ ପାନ ଦୋକାନ । ଆଉ ସେତୁର ଉପର ଭାଗ କଡ଼ରେ ଜଣକ ଘର ବାରଣ୍ଡାରେ ରହିଛି ସାଇକେଲ ମାର୍ଟ । ଯେଉଁଠି ମୋଟର ସାଇକେଲ ଚକାର ପଂଚର ମଧ୍ୟ ପଡ଼ି ପାରୁଛି । ଘଟଣା ଦିନ ବଳମ୍ବିତ ରାତିରେ ଗାଡ଼ିର ପଂଚର ପକାଇବା ପାଇଁ ଦୁଇ ଜଣ ଆସି ସେହି ଘରକୁ ଯାଇ ମାର୍ଟର ମାଲିକଙ୍କୁ ଉଠାଇଥିଲେ, ଆଉ ମୋଟର ସାଇକେଲ ଚକାର ପଂଚର ପକାଇ ଦେବା ପାଇଁ କହିଥିଲେ । ଏହା ପରେ ଚାଲି ଚାଲି ସେହି ରାସ୍ତାରେ ଫେରି ପାନ ଦୋକାନ ନିକଟକୁ ଆସିଥିଲେ । ଭିତର ପଟୁ ଲାଇଟ୍ ଲାଗିଥିବା ଦେଖି ପାନ ଦୋକାନୀକୁ ଉଠାଇ ସୋଢ଼ା, ସିଗାରେଟ୍ ପିଇଥିଲେ । ସାଇକେଲ ମାର୍ଟ ଟି ଉଚ୍ଚା ପିଣ୍ଢାରେ ଥିବାରୁ ସେଠୁ ସେ କିଛି କିଛି ଦେଖି ପାରୁଥିଲେ । ଏତିକି ବେଳେ ଶେରଗଡ଼ ଥାନାରୁ ଡ୍ୟୁଟି ସାରି ହିଞ୍ଜିଳି ସମାବେଶ ପାଇଁ ଡ୍ୟୁଟିରେ ଯୋଗ ଦେବା ନିମନ୍ତେ ଶେରଗଡ଼ ଥାନା ଅଧିକାରୀ ମନୋରଞ୍ଜନ ମିଶ୍ର ମୋଟର ସାଇକେଲ ଯୋଗେ ଫେରୁଥିଲେ ହିଞ୍ଜିଳିକାଟୁରେ ଥିବା ତାଙ୍କ ସରକାରୀ ବାସଭବନକୁ । ପାନ ଦୋକାନ ନିକଟରେ ଦୁଇଜଣଙ୍କୁ ଦେଖି ରାତି ଅଧରେ କୁଆଡ଼େ ଆସିଛ ବୋଲି କହିଥିଲେ । ଏହା ପରେ କଥା କଟାକଟି ହୋଇଥିଲା । ହଠାତ୍ ଜଣେ ଦୁର୍ବୃତ ଗୁଳି ଫୁଟାଇ ଦେଇଥିଲା । ତଦନ୍ତ ବେଳେ ପାନ ଦୋକାନୀ ଓ ସେ ସାଇକେଲ ମାର୍ଟର ମାଲିକଙ୍କ ଠାରୁ ବୟାନ୍ ରେକର୍ଡ କରି ପୁଲିିସ ଏତିକି ଜାଣିବାକୁ ପାଇଥିଲା । ଘଟଣା ଦିନ ରାତିରେ ଦୁର୍ବୃତ ମାନେ ପଂଚର ପକାଇବାକୁ ଦେଇଥିବା ମୋଟର ସାଇକେଲଟିକୁ ନେଇନଥିଲେ । ତେବେ ଗୋଟାଏ ଦିନ ପରେ ଅନ୍ୟ କାହାକୁ ପଠାଇ ସେହି ମୋଟର ସାଇକେଲଟି ନେଇ ଯାଇଥିଲେ । ଅନ୍ୟ ପଟେ ଗୁଳିକାଣ୍ଡ ଘଟଣାର ପ୍ରତ୍ୟକ୍ଷ ଦର୍ଶୀ ସାଇକେଲ ମାର୍ଟ ମାଲିକ ନଥିବାରୁ ତା ପୂର୍ବରୁ ଘଟିଥିବା ଘଟଣା ସଂପର୍କରେ ସେ ଭୟଭୀତ ହୋଇ ପୁଲିସକୁ କିଛି କହିନଥିଲେ । ତେବେ ପୁଲିସ ତଦନ୍ତ ବେଳେ ଏହି ଘଟଣା ଜାଣିବା ବେଳକୁ ସେଠାରେ ଆଉ ମୋଟର ସାଇକେଲ ନଥିଲା । ଏଣୁ ପ୍ରଥମ ଦିନ ସକାଳେ ଆମେ ଭିଜୁଆଲ୍ ସୁଟ୍ କରିଥିବା ବେଳେ କାଳେ ମୋଟର ସାଇକେଲର ଚିତ୍ର ଆମ କ୍ୟାମେରାରେ କଏଦ୍ ହୋଇଥିବ ସେହି ଆଶା କରି ପୁଲିସ ବାବୁ ଜଣକ ମୋତେ ଭିଜୁଆଲ୍ ମାଗିଥିଲେ । ତେବେ ଆମର ଯେହେତୁ ସେହି ମାର୍ଟ ଉପରେ ସନ୍ଦେହ ନଥିଲା ଏଣୁ ସେହି ଅଂଚଳର ଦୃଶ୍ୟ ଆମେ ସୁଟ୍ କରିଥିଲେ ବି ଫୋକସ୍ ରେ କିନ୍ତୁ ରଖି ନଥିଲୁ ସେହି ସାଇକେଲ ମାର୍ଟ ବାରଣ୍ଡାଟିକୁ । ଏକଥା ସେହି ବାବୁ ଜଣଙ୍କୁ ଜଣାଇ ଦେଲି ।


ଘଟଣା ସଂପର୍କିତ ଏକ୍ସକ୍ଲ୍ୟୁସିଭ୍ ତଥ୍ୟ ହାତେଇଥିବାରୁ ମୁଁ ବେଶ୍ ରୋମାଂଚିତ ହୋଇ ଉଠିଲି । ମୁଖ୍ୟ ସମ୍ପାଦକ ଥିବା ସୌମ୍ୟଜିତ୍ ପଟ୍ଟନାୟକ ସାର୍ ଙ୍କୁ ପୁରା ଘଟଣା ସଂପର୍କରେ ବର୍ଣ୍ଣନା କରିଦେଲି । ନୂଆ ତଥ୍ୟ ଲାଗିଥିବାରୁ ସାର୍ ଖୁସି ହେଲେ । ଆଉ କହିଲେ ଘଟଣା ସ୍ଥଳକୁ ଯାଇ ଡେମୋ ସହ ପୁରା ଘଟଣାଟିକୁ ବର୍ଣ୍ଣନା କରିବା ପାଇଁ । ଆଉ ସେହି ନ୍ୟୁଜ୍ ଟି ସେଦିନ ରାତିରେ ଏକ୍ସକ୍ଲ୍ୟୁସିଭ୍ ହୋଇ ବାଜିଲା । ଆଉ ତାହା ବାଜିବା ପରେ ମୋତେ ଲାଗିଲା ପ୍ରଥମ ଦିନର କ୍ଷତ ମୋର ଭରି ଯାଇଛି ।

LEAVE A REPLY

Please enter your comment!
Please enter your name here