ପଢ଼ିକି ମନ ଉଣା କରିବେନି !!!

0
56

ବ୍ରହ୍ମପୁର (ପ୍ରକାଶ ପଟ୍ଟନାୟକ): ସାମ୍ବାଦିକତାରେ ପୋଖତ ନଥିଲି କିନ୍ତୁ ସାମ୍ବାଦିକତା ପ୍ରତି ଆଗ୍ରହ ବଢ଼ି ବଢ଼ି ଚାଲିଥାଏ । ସମ୍ବଲପୁରରେ ଓଡ଼ିଆ ଦୈନିକ ଖବର କାଗଜ ହୀରାଖଣ୍ଡରେ ସାମ୍ବାଦିକତା କରୁ କରୁ କିଛି କିଛି ଅନୁଭୂତି ସାଉଁଟିଥିଲି । ହେଲେ ବାପାଙ୍କ ଚୌଦ୍ୱାର ବଦଳି ହୋଇଯିବାରୁ ସେଠାରେ ପୁଣି ଦୈନିକ ଆଶା ଖବର କାଗଜରେ ରିପୋଟିଂ କରିବାର ସୁଯୋଗ ପାଇଲି । ଆଉ ସେହି ସମୟରେ ସେହି ଅଂଚଳର ଜଣେ ସୁନାମଧନ୍ୟ ସାମ୍ବାଦିକ, ସାହିତ୍ୟିକ ତଥା ସଂଗଠକ ପ୍ରତାପ ଚନ୍ଦ୍ର ସିଂ ବାବୁଙ୍କ ସହ ମୋର ଦେଖା ସାକ୍ଷାତରୁ ତାଙ୍କ ସହ ସଂପର୍କ ଗଢ଼ି ଉଠିଥିଲା । ସାମ୍ବାଦିକତା ପ୍ରତି ମୋର ଆଗ୍ରହ ଦେଖି ମୋତେ ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ କରାଇ ଦେଲେ । କିଛି ଦିନ ପରେ ହରଦ୍ୱାର ଠାରେ ଅନୁଷ୍ଠିତ ଜାତୀୟ ସାମ୍ବାଦିକ ସମ୍ମିଳନୀରେ ଯୋଗଦାନ କରିବାର ସୁଯୋଗ ମୁଁ ପାଇଲି ।


ଓଡ଼ିଶାର ବିଭିନ୍ନ ଅଂଚଳରୁ ଆସିଥିବା ସାମ୍ବାଦିକ ମାନେ ଭୁବନେଶ୍ୱର ଷ୍ଟେସନରେ ଏକାଠି ହେଲେ । ମୁଁ ମଧ୍ୟ ସାମିଲ୍ ହେଲି ସେହି ଗ୍ରୁପ୍ ରେ । ସିଟ୍ ର ନମ୍ବର ପ୍ରକାରେ ଗୋଟାଏ ବଗିରେ ଅନେକେ ବସିବା ପରେ ରହି ଯାଇଥିବା ମୁଁ ଓ ଅନ୍ୟ ୧୩ଜଣ ଆଉ ଏକ ବଗିରେ ବସିଲୁ । ଅବଶ୍ୟ ସମସ୍ତଙ୍କ ପାଇଁ ସି୍ଲପର୍ କୋଚ୍ ର ବ୍ୟବସ୍ଥା ହୋଇଥିଲା । ସନ୍ଧ୍ୟାରେ ଟ୍ରେନ୍ ପହଂଚିଲା ଦିଲ୍ଲୀରେ । ସେତେବେଳେ ରାଜ୍ୟ ପାହ୍ୟାର ରେଳମନ୍ତ୍ରୀ ରୂପେ ଓଡ଼ିଶାର କାହ୍ନୁଚରଣ ଲେଙ୍କା ରହିଥିଲେ । କ୍ୟାବିନେଟ୍ ପାହ୍ୟାର ରେଳମନ୍ତ୍ରୀ ସି.କେ ଜାଫର୍ ସରିଫ୍ ଙ୍କ ଅସୁସ୍ଥତା ଯୋଗୁଁ କାହ୍ନୁ ବାବୁଙ୍କର ରେଳ ବିଭାଗରେ ଟିକେ ଦବଦବା ବୃଦ୍ଧି ପାଇଥିଲା । ତାଙ୍କ ଘରକୁ ନେବା ପାଇଁ ସେ ତାଙ୍କ ଷ୍ଟାଫ୍ ଙ୍କ ସହ ଷ୍ଟେସନ୍ କୁ କାର୍ ପଠାଇଥିଲେ । ଆମେ ପହଂଚିଲୁ ତାଙ୍କ ସରକାରୀ ବାସଭବନରେ । ସେଠି ଭରପୁର ଜଳଖିଆ ଦେଇ ଆମକୁ ଅପ୍ୟାୟିତ କଲେ ମନ୍ତ୍ରୀ ଶ୍ରୀ ଲେଙ୍କା । ଜଳଖିଆ ପର୍ବ ସରିବା ପରେ ଆମ ସହ ଆଲୋଚନା ମଧ୍ୟ କଲେ ମନ୍ତ୍ରୀ । ପୂର୍ବରୁ ମୁଁ ଦିଲ୍ଲୀ ଯାଇଥିଲି । ହେଲେ ମନ୍ତ୍ରୀଙ୍କ ଗହଣରେ ଏପରି ଥାଟ୍ ବାଟ୍ ର ଅନୁଭୂତି ଆଗରୁ କେବେ ମୋର ହୋଇନଥିଲା । ଏଣୁ ଭିତରେ ଭିତରେ ଖୁସିରେ ମୁଁ ଉଲ୍ଲସିତ ହେଉଥିଲି । ମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା ବେଳେ ଆଠଗଡ଼ର ଜଣେ ସାମ୍ବାଦିକ ଭାବପ୍ରବଣ ହୋଇ କହିଲେ ଆଜ୍ଞା ଟ୍ରେନ୍ ର ପ୍ୟାନଟ୍ରି କାର୍ ରେ ଆମ ପାଇଁ ରୁଟି ଡ଼ାଲମାର ବ୍ୟବସ୍ଥା କରି ଦିଅନ୍ତୁ । ଏହି ପେଷାରେ ଏମିତି ବି ଚରିତ୍ର ଥାଆନ୍ତି ବୋଲି ସେଦିନ ମୁଁ ଜାଣିଲି ।


ମନ୍ତ୍ରୀଙ୍କ ସହ କଥା ବାର୍ତା ସରିବା ପରେ ତାଙ୍କ ଲ୍ୟାଣ୍ଡ୍ ଫୋନ୍ ନିକଟରେ ସାମ୍ବାଦିକଙ୍କ ଭିଡ଼ ଜମିଗଲା । କଥା କଣ କି ମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ସଂପର୍କରେ ନିଜ ନିଜର ପେପର୍ ସଂସ୍ଥାକୁ ଖବର ଡ଼ାକିବା ପାଇଁ ବ୍ୟାକୁଳ ହୋଇ ଉଠିଥିଲେ କିଛି ସାମ୍ବାଦିକ । ଆମ ସାଥୀରେ ସମାଜର ସହ ସଂପାଦକ ଏପରିକି ଡେସ୍କର ବରିଷ୍ଠ ସାମ୍ବାଦିକ ଥିଲେ ହେଲେ ସେମାନେ ପ୍ରେସ୍ କୁ ଖବର ଡ଼ାକୁ ନ ଡ଼ାକୁଣୁ ଗ୍ରାମାଂଚଳର ଜଣେ ସମାଜ ପ୍ରତିନିଧି ସମାଜ ଅଫିସ୍ କୁ ଫୋନ୍ ଲଗାଇ ସେହି ନ୍ୟୁଜ୍ ଟି ଡାକିଦେଲେ । ଏହା ପରେ ଫୋନ୍ କୁ ନେଇ ଚାଲିଲା ଟଣା ଓଟରା । ଭିନ୍ନ ଭିନ୍ନ ଖବର କାଗଜର ପ୍ରତିନିଧି ମାନେ ସେମାନଙ୍କ ପ୍ରେସ୍ କୁ ଖବର ଡାକିଲେ । ସେତେବେଳେ ବ୍ରହ୍ମପୁରରୁ ପ୍ରକାଶ ପାଉଥିବା ଦୈନିକ ଆଶାର ପ୍ରତିନିଧି ରୂପେ ସେଠାରେ ମୁଁ ଜଣେ ହିଁ ଥିଲି । ବ୍ରହ୍ମପୁରିଆ ଷ୍ଟାଇଲ୍ ରେ ଫୋନ୍ ରିସିଭରଟା ଭିଡ଼ି ଆଣିଲି । କିଛି ଜଣ ପଚାରିଲେ ପ୍ରେସ୍ କୁ ଖବର ଡ଼ାକିବେ କି? ମୁଁ କହିଲି ନା ଘରକୁ ଫୋନ୍ କରି ଜଣାଇ ଦେବି ଦିଲ୍ଲୀକୁ ଭଲରେ ପହଂଚିଗଲି ବୋଲି । ବୋଧ ହୁଏ ମୁଁ ଜଣେ ହିଁ ବ୍ୟକ୍ତିଗତ କଥା ହୋଇଥିଲି । ଏହା ପରେ ଅନ୍ୟ ମାନଙ୍କର ପୁଣି ଆରମ୍ଭ ହେଲା ନ୍ୟୁଜ୍ ଡକା ପର୍ବ । ଏତିକି ବେଳେ ଘର ଭିତରୁ ମନ୍ତ୍ରୀଙ୍କ ଧର୍ମପତ୍ନୀ ଇଂଟରକମ୍ ଯୋଗେ ଅନ୍ୟ କେଉଁଠୁକୁ ଫୋନ୍ କରିବା ପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହେଉଥିବା କଥା ଜଣେ ଷ୍ଟାଫ୍ ଆସି କହିଲେ । ଆଉ ସେତିକି ବେଳେ ନ୍ୟୁଜ୍ ଡ଼କାର ଶେଷ ପର୍ବ ସାରିବା ପାଇଁ ଟଣା ଓଟରାରେ ଫୋନ୍ ତାରଟି ଛିଡ଼ିଗଲା… ।


ଏହା ପରେ ରାତି ଯାତ୍ରା ପାଇଁ ମନ୍ତ୍ରୀଙ୍କ ଘରୁ ଟିଫିନ୍ ପ୍ୟାକେଟ୍ ଗୋଟାଏ ଗୋଟାଏ ଧରି ଆମେ ସମସ୍ତେ ବାହାରିଲୁ ଷ୍ଟେସନ୍ ଅଭିମୁଖେ । ତେବେ ତା ପୂର୍ବରୁ ଆମର ନେତୃତ୍ୱ ନେଉଥିବା ସଂଘର କିଛି କର୍ମକର୍ତା ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ କି ଅଲଗା ବଗିରେ ଆସିଥିବା ୧୪ଜଣଙ୍କ ପାଇଁ ଆଉ ଏକ ସ୍ୱତନ୍ତ୍ର ବଗି କରିଦେଲେ ସୁବିଧା ହୁଅନ୍ତା । କାରଣ ବିଭିନ୍ନ ରାଜ୍ୟରୁ ସାମ୍ବାଦିକମାନଙ୍କୁ ନେଇ ଆସିଥିବା ବଗି ଗୁଡ଼ାକ ଯୋଡ଼ି ହୋଇ ହରଦ୍ୱାର ଯିବାର ପ୍ରକ୍ରିୟା ଚାଲିଥିଲା । ଏଣୁ ୧୪ଜଣଙ୍କ ପାଇଁ ସ୍ୱତନ୍ତ୍ର ବଗିର ଆବଶ୍ୟକତା ରହିଛି ବୋଲି ରେଳମନ୍ତ୍ରୀ କାହ୍ନୁ ବାବୁଙ୍କୁ ବୁଝାଇ ଦିଆଯାଇଥିଲା । ଆଉ ତାର ବ୍ୟବସ୍ଥା ହୋଇଯିବ ବୋଲି ମନ୍ତ୍ରୀ ସବୁଜ ସଙ୍କେତ ମଧ୍ୟ ଦେଇଥିଲେ । ଏଣୁ ଆମ ସହ ଷ୍ଟେସନ୍ କୁ ଯାଇଥିଲେ ତାଙ୍କର ବ୍ୟକ୍ତିଗତ ସଚିବ ଅଲଗା ବଗିର ବ୍ୟବସ୍ଥା କରି ଦେବା ପାଇଁ । ସେଠି ସେ କାହା ସହ କଥା ହେଲେ କେଜାଣି ଆମକୁ ଏକ ଟ୍ରେନ୍ ଦେଖାଇ ସେଥିରେ ବସିବାକୁ କହିଲେ । ଆମେ ୧୪ଜଣ ଖୁସିରେ ସେହି ବଗିରେ ଚଢ଼ିଗଲୁ । କ୍ଲାନ୍ତ ହୋଇଯାଇଥିବା ହେତୁ ଚାଦର ବିଛାଇ ସି୍ଲପର୍ କୋଚ୍ ରେ ଶୋଇ ପଡ଼ିଲୁ । ନିଦ ମଧ୍ୟ ହୋଇଗଲା….. ।


କିଛି ସମୟ ପରେ ଏକ ଧଡ଼ଧାଡ଼୍ ଶଦ୍ଦରେ ଆମ ସମସ୍ତଙ୍କ ନିଦ ଭାଙ୍ଗିଗଲା । ଲାଗିଲା ଚୋର ଫୋର ପଶି ଯାଇଛି କି ଅବା ଟ୍ରେନ୍ ଧକ୍କା ହୋଇଯାଇଛି । ବାହାରକୁ ଦେଖିଲୁ ଅନ୍ଧାର ଥିଲା । ଭାବିଲୁ ଷ୍ଟେସନ୍ ରେ କରେଂଟ୍ ପଳାଇଛି । ତଥାପି ଶୋଇବା ସ୍ଥାନରୁ ଓହ୍ଲାଇ କବାଟ ପାଖକୁ ଗଲୁ । ଦେଖିଲୁ ଏକ ଅନ୍ଧକାର ଅଂଚଳରେ ଆମେ ଅଛୁ । ପାଖରେ ଅଚଳ ଅବସ୍ଥାରେ ଥିବା କିଛି ଟ୍ରେନ୍ ରହିଛି । ଟ୍ରାକ୍ ନିକଟରେ ବୁଲୁଥିବା କିଛି ରେଳ କର୍ମଚାରୀଙ୍କୁ ପଚାରିଲୁ । ସେମାନେ କହିଲେ ଏଇଟା ଟ୍ରେନ୍ ର ରେଷ୍ଟ୍ ସେଡ୍ ଅଂଚଳ । ସେତେବେଳେ ଆମେ ଜାଣିଲୁ ଏକ ଭୁଲ୍ ଟ୍ରେନ୍ ରେ ଆମକୁ ବସାଇ ଦିଆଯାଇଛି । ତୁରନ୍ତ ଟ୍ରେନ୍ ରୁ ଓହ୍ଲାଇ ଯିବାକୁ ତର ପାଇଲୁ ନାହିଁ । ଅନ୍ଧାରରେ ରେଳ ଧାରଣା ଉପରେ ଲଗେଜ୍ ଧରି ଚାଲି ଚାଲି ଷ୍ଟେସନ୍ ରେ ପହଂଚିଲୁ । ସଂଘର ନେତାଙ୍କୁ ଜଣାଇଲୁ । ସେତେବେଳେ ସେଠି ଆୟୋଜକ କମିଟି ତଥା ଉତରପ୍ରଦେଶ ସାମ୍ବାଦିକ ସଂଘର କିଛି କର୍ମକର୍ତା ଷ୍ଟେସନ୍ ରେ ରହି ହରଦ୍ୱାର ନେବା ପାଇଁ ସଂଯୋଜନା କରୁଥିଲେ । ସେମାନେ ଘଟଣା ସଂପର୍କରେ ଜାଣିବା ପରେ ଚୁଗୁଲି କରି କହିଲେ ଆମେ ଜାଣୁ ସେହି ମନ୍ତ୍ରୀଙ୍କ କେତେ କାଟତି….. ।


ତେବେ ଯାହା ହେଉ ସେମାନେ ଯୋଗାଡ଼ କରିଥିବା ଟ୍ରେନ୍ ରେ ବସି ଆମେ ସମସ୍ତେ ପହଂଚିଲୁ ହରଦ୍ୱାରରେ । ସେଠି ଉଚ୍ଚ କୋଟିର ଆୟୋଜନ ସହ ଖାଇବାର ସୁବ୍ୟବସ୍ଥା ମଧ୍ୟ ହୋଇଥିଲା । ସେତେବେଳେ ଉତରପ୍ରଦେଶରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ଏଣୁ ରାଜ୍ୟପାଳ ଥିବା ମୋତିଲାଲ୍ ଭୋରା ଥିଲେ ସର୍ବେସର୍ବା । ଡ଼େରାଡ଼ୁନ୍ ଓ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ବୁଲିବା ପାଇଁ ସ୍ୱତନ୍ତ୍ର କାର୍ ବ୍ୟବସ୍ଥା କରାଯାଇଥିଲା ଆମ ମାନଙ୍କ ପାଇଁ । ବୁଲା ବୁଲିର ମଜା ଉଠାଇଲୁ ।


ସାମ୍ବାଦିକ ମାନଙ୍କ ସମ୍ମାନରେ ରାଜ୍ୟପାଳଙ୍କ ତରଫରୁ ବଡ଼ାଖାନା ଲଂଚ୍ ର ବ୍ୟବସ୍ଥା ହୋଇଥିଲା । ଖାଇବା ପାଇଁ ରାଜ୍ୟପାଳ ବି ଆମ ସହ ସାମିଲ୍ ହୋଇଥିଲେ । ସବୁ ରାଜ୍ୟରୁ ସାମ୍ବାଦିକମାନେ ଥିଲେ । ଖାଇବା ପାଇଁ ତିନି ଚାରୋଟି ଧାଡ଼ିରେ ଥିଲେ ଅନେକେ । ତେବେ ଦୂରରେ ଠିଆ ହୋଇ ମୁଁ ପ୍ରତିଟି ମୁହୂର୍ତକୁ ଉପଭୋଗ କରୁଥିଲି । ହଠାତ୍ କଣ ହେଲା କେଜାଣି ଠେଲା ପେଲା ଆରମ୍ଭ ହୋଇଗଲା । ହାତରେ ଖାଇବା ଥାଳି ଧରି ଠିଆ ହୋଇଥିବା ବିଚରା ରାଜ୍ୟପାଳ ସେହି ଠେଲାପେଲା ଯୋଗୁଁ ତଳେ ମୁହଁ ମାଡ଼ି ପଡ଼ିଗଲେ । ହଠାତ୍ ଏପରି ଅଭାବନୀୟ ଘଟଣା ଘଟିବ ବୋଲି ମୁଁ ଆଶା କରି ନଥିଲି । ହେଲେ ଗୋଟାଏ କଥା ମତେ ଆଶ୍ୱସ୍ତ ଦେଲା ଯେ ସବୁ ରାଜ୍ୟର ପ୍ରାୟ ସବୁ ସାମ୍ବାଦିକଙ୍କ ଚରିତ୍ର ମେଳ ଖାଉଥିଲା । ଅବଶ୍ୟ ସେଠି ସାଉଁଟିଥିବା ସେହି ତିକ୍ତ ଅନୁଭୂତି ଅନ୍ୟ କେଉଁ ସମ୍ମିଳନୀରେ ରିପିଟ୍ ହୋଇଥିବାର ନଜିର ନାହିଁ । ବେଳେବେଳେ ନ ଚାହିଁବି ଏମିତି ହୋଇଯାଏ ଏଣୁ ଏହା ପଢ଼ି ମନ ଉଣା କରିବେନି….. ।

LEAVE A REPLY

Please enter your comment!
Please enter your name here