ସମୁଦ୍ର ପଥର ଅଭୁଲା ସ୍ମୃତି…..

0
80

ବ୍ରହ୍ମପୁର (ପ୍ରକାଶ ପଟ୍ଟନାୟକ):ଗୋଟାଏ ପଟୁ ଗାଳି ପଡ଼ୁଥିଲା ହେଲେ ମୁଁ କିଛି ନଜାଣିଲା ପରି ମୁହଁ ବୁଲାଇ ମୁରୁକି ମୁରୁକି ହସୁଥିଲି । ପ୍ରକୃତରେ କଥା କଣ କି ସେହି ଗାଳି ମତେ ପଡ଼ୁନଥିଲା ବରଂ ପଡ଼ୁଥିଲା ଦୁଇ ବଡ଼ ହାକିମଙ୍କୁ । ମୁରୁକି ମୁରୁକି ହସୁଥିଲି ଏଥି ପାଇଁ ଯେ, ମୋର ଧାରଣା ଥିଲା ବିନା କାରଣରେ ସାମ୍ବାଦିକ ମାନଙ୍କୁ ହିଁ ଗାଳି ଶୁଣିବାକୁ ପଡ଼ିଥାଏ । କଣ କରିବା ପେଷାଟା ଯେତେବେଳେ ସାମ୍ବାଦିକତା ଏଣୁ ସେପରି ଭାବନା ମୁଣ୍ଡରେ ବସା ବାନ୍ଧିବା ସ୍ୱଭାବିକ । ଛାଡ଼ନ୍ତୁ ସେ ଗାଳି ଫାଳିରୁ କଣ ମିଳିବ । ସମୁଦ୍ର ଲହଡ଼ା କୂଳରେ ଯେତେ ବାଡ଼େଇ ହେଲେ ବି ପୁଣି ଥରେ ପଛକୁ ଫେରିଯାଏ । ଏଣୁ ଭାବି ନିଅନ୍ତୁ ଏଠି ଲହଡ଼ା କିଏ ଆଉ କୂଳ କିଏ । ସମୁଦ୍ର ଓ ଲହଡ଼ାର କଥା ଯେତେବେଳେ ଆରମ୍ଭ କରି ଦେଲେଣି ଚାଲନ୍ତୁ ତାର ଭିତରକୁ ଟିକେ ବୁଲି ଆସିବା….. ।


୨୬ ନଭେମ୍ବର ୨୦୦୮ ମସିହାର ମୁମ୍ବାଇ ଘଟଣା ପରେ ସମୁଦ୍ର ପଥରେ ବିପଦ ପୁଣି ଥର ଯେ ଆସିବ ନାହିଁ ସେ କଥା କିଏ କହିପାରିବ? ଏଣୁ ସେହି ଆଶଙ୍କାକୁ ଏଡ଼ାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ ହୋଇ ଉଠିଥିଲେ । ଲୋକଙ୍କ ଧନ ଓ ଜୀବନର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଂଟ୍ । ସମୁଦ୍ର ତଟରେ ଥିବା ଜନବସତି ଅଂଚଳରେ ସ୍ଥାପନ ହେଲା ସାମୁଦ୍ରିକ ଥାନା । ସୁରକ୍ଷା ଯାଂଚ ପାଇଁ ସମୟେ ସମୟେ କରାଯାଉଥିଲା ମିଳିତ ସମରାଭ୍ୟାସ । କହିବାକୁ ଗଲେ ଆତଙ୍କବାଦୀଙ୍କ ପକ୍ଷରୁ ସୀମାନ୍ତ ରାଜ୍ୟ ଗୁଡ଼ିକରେ କିଛି ଅଘଟଣ ଘଟିଲେ ସରକାରଙ୍କ ଦୃଷ୍ଟି ଜଳ ପଥ ଉପରେ ନିବିଦ୍ଧ ହୋଇଯାଉଥିଲା । ଆଉ ଆରମ୍ଭ ହୋଇଯାଉଥିଲା ଜଳପଥର ସୁରକ୍ଷାକୁ ନେଇ ସମରାଭ୍ୟାସ । ସେତେବେଳେ ବୋଧ ହୁଏ ସେମିତି କିଛି ଆଭାସ ମିଳିଥିଲା ଏଣୁ ଜଳପଥର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା । ଭୁବନେଶ୍ୱର ଓଟିଭି ଅଫିସ୍ ରୁ ବରାଦ ଆସିଲା ସମୁଦ୍ର ପଥର ସୁରକ୍ଷା ବ୍ୟବସ୍ଥା ଉପରେ ଏକ ସ୍ୱତନ୍ତ୍ର ଖବରଟିଏ ପ୍ରସ୍ତୁତ କରିବା ପାଇଁ ।


ଏଥି ପାଇଁ ପାଗ ଭିଡ଼ିଲି । ଖବରଟିକୁ ଆଉ ଟିକେ ରୋମାଂଚଭରା କରିବା ପାଇଁ ନିଜର ରଣକୌଶଳ ପ୍ରସ୍ତୁତ କଲି । ଆଉ ଚାହିଁଲି ସାଥିରେ ପୁଲିସ ଡିଆଇଜି ଓ ଜିଲ୍ଲାପାଳଙ୍କୁ ନେବା ପାଇଁ । ଏଥି ପାଇଁ ସେମାନଙ୍କୁ ଅନୁରୋଧ କଲି । ପୂର୍ବରୁ ବ୍ରହ୍ମପୁର ଏସପି ରୂପେ ଥିବା ସମୟରୁ ହିଁ ଦକ୍ଷିଣାଂଚଳ ଡିଆଇଜି ଅମିତାଭ୍ ଠାକୁର ଙ୍କ ସହ ମୋର ଭଲ ସଂପର୍କ ଯୋଡ଼ି ହୋଇଯାଇଥିଲା । ମୋର ଖବର ଗୁଡ଼ିକୁ ସେ ପ୍ରଶଂସା କରୁଥିଲେ । ଏଣୁ ଖବର ସଂଗ୍ରହ ପାଇଁ ଜଳ ଯାତ୍ରାରେ ମୋ ସହ ସାମିଲ୍ ହେବାକୁ ସେ ତୁରନ୍ତ ରାଜି ହୋଇଗଲେ । ଅବଶ୍ୟ ଥରେ ମୋତେ କହିଥିଲେ କେବେ ସୁଯୋଗ ମିଳିଲେ ଆମ ଖବର ସଂଗ୍ରହ ଅଭିଯାନରେ ସାମିଲ୍ ହେବେ ବୋଲି । ଆଉ ବୋଧ ହୁଏ ସେହି ସୁଯୋଗ ଆସି ଯାଇଥିଲା । ସେମିତି ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ସାର୍ ଅନ୍ୟ ସାମ୍ବାଦିକଙ୍କ ପରି ମୋତେ ମଧ୍ୟ ଭଲ ପାଉଥିଲେ । କେମିତି କେଜାଣି ମୋର ଗୋଟିଏ ପଦରେ ଆମ ସହ ଯିବା ପାଇଁ ସେ ରାଜି ହୋଇଗଲେ । ଉଭୟଙ୍କର ସବୁଜ ସଙ୍କେତ ମିଳିବା ପରେ ବ୍ରହ୍ମପୁର ଏସପି ସାର୍ଥକ ଷଡ଼ଙ୍ଗୀ ସାର୍ ଙ୍କ ସହ କଥା ହୋଇ ସମୁଦ୍ର ପଥର ଅଭିଯାନ ସଂପର୍କରେ ଜଣାଇ ଦେଲି, ଆପଣ ଖବର ସହ କୌଣସି ବୁଝାମଣା କରନ୍ତି ନାହିଁ ବୋଲି ଗୋଟାଏ ସକାରାତ୍ମକ ଟିପ୍ପଣୀ ଦେଇ ସେ ମଧ୍ୟ ରାଜି ହୋଇ ଗଲେ ।


ସେଦିନ ଥିଲା ୮ ଫେବ୍ରୁଆରୀ ୨୦୧୫ ମସିହାର କଥା । ସକାଳେ ଫୋନ୍ ଯୋଗେ କଥା ହୋଇ ନିଜ ନିଜ ଗାଡ଼ିରେ ଆମେ ସମସ୍ତେ ବ୍ରହ୍ମପୁରରୁ ବାହାରି ୧୦ଟାରେ ପହଂଚିଗଲୁ ସୋନପୁରରେ । ସେତେବେଳେ ଗାଁ ଭିତରେ ଥିବା ସାମୁଦ୍ରିକ ଥାନାକୁ ଡିଆଇଜି, ଏସପି, ଜିଲ୍ଲାପାଳ କିଛି ସମୟ ପାଇଁ ଯାଇଥିଲେ । ଏଣୁ ସମୁଦ୍ର କୂଳକୁ ମୁଁ ଚାଲିଗଲି କ୍ୟାମେରା ପର୍ସନ ରବିନ୍ଦ୍ରନାଥ ବେହେରାଙ୍କ ସହ । ସେଠି ସଦର ଏସଡିପିଓ ହରିହର ପାଣି ଆମର ଯାତ୍ରା ପାଇଁ ଡ଼ଙ୍ଗାର ପ୍ରସ୍ତୁତ କରାଉଥିଲେ । ମାଛ ଧରା ଡ଼ଙ୍ଗାରେ ମୋଟରଟିଏ ଖଞ୍ଜା ଯାଇଥିଲା । ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ନ୍ୟାୟରେ ସେହି ଡ଼ଙ୍ଗା ଦେଖି ମୋର ଫ୍ୟୁଜ୍ ଉଡ଼ିଗଲା, ମୋର ଧାରଣା ଥିଲା ସମୁଦ୍ର ପଥରେ ଯିବା ପାଇଁ ମୋଟର ଲଂଚ୍ ର ବ୍ୟବସ୍ଥା ହୋଇଥିବ । ସେହି ଡ଼ଙ୍ଗାରେ ଦୁଇଟି ପ୍ଲାଷ୍ଟିକ୍ ଚେୟାର ବନ୍ଧା ଯାଇଥିଲା । ମନର ରାଗ ମନରେ ରଖି ମୁଁ କହିଲି ଏହି ମାଛ ମରା ଡ଼ଙ୍ଗାରେ ସେହି ଚେୟାର ବାନ୍ଧନ୍ତୁନି । ଡ଼ଙ୍ଗାର ସୌନ୍ଦର୍ଯ୍ୟ ପଳାଇବ । କଣ ହେଲା କେଜାଣି ଚେୟାର କାଢ଼ି ଦିଆଗଲା । ଏତିକି ଭିତରେ ସମସ୍ତେ ଆସିଗଲେ । ଜଳପଥରେ ଆରମ୍ଭ ହେଲା ଆମର ଯାତ୍ରା । ସୋନପୁରରୁ ଗୋପାଳପୁର ବନ୍ଦର ୩୦ କିଲୋମିଟର ପର୍ଯ୍ୟନ୍ତ ଥିଲା ଏହି ଯାତ୍ରା । ପହଁରା ମୁଁ ଜାଣିନଥିବାରୁ ପାଣିକୁ ମୋର ଭୟ ଥିଲା । ବେଳେ ବେଳେ ଡ଼ଙ୍ଗାରେ ଯାଇ ଖବର କରିଛି ସତ ହେଲେ ଏତେ ଦୂରର ଯାତ୍ରା ସେଦିନ ଥିଲା ପ୍ରଥମ । ମନର ଭୟ ସହ ମୁଣ୍ଡ ଉପରେ ସୂର୍ଯ୍ୟଙ୍କ ତାତି ମୋତେ ଶାରିରୀକ ସ୍ତରରେ ବି ଦୁର୍ବଳ କରିଦେଲା । ଟିକେ ବାଟ ଯାଇଛୁ କି ନାହିଁ ମୋର ବାନ୍ତି ହେଲା । ଖବର ଅଭିଯାନରେ ଯାଇଥିଲୁ । ଏଣୁ କ୍ୟାମେରା ପର୍ସନ୍ ରବିନ୍ଦ୍ର ତାଙ୍କର ସୁଟିଂ କାମ ଆରମ୍ଭ କରି ଦେଇଥିଲେ । କ୍ୟାମେରାକୁ ସାମନା କରିବାକୁ ନିଜକୁ ବାରମ୍ବାର ପ୍ରସ୍ତୁତ କରୁଥିଲେ ବି ମୋତେ ଲାଗୁଥିଲା ସତେ ଯେପରି ସବୁ କିଛି ଠିକ୍ ଠାକ୍ ନାହିଁ । ସେପଟେ ଡ଼ଙ୍ଗାର ତଳ ଭାଗରେ ପୋକଡ଼ି, ଫୁଲକୋବି ଚପ୍‌, ମାଛ, ଚିକେନ୍ ଆଦି ଛଣା ହେଉଥିଲା । ଖାଇବା ପାଇଁ ପରସା ଯାଉଥିଲା । ଡ଼ଙ୍ଗାରେ ଡିଆଇଜି, ଜିଲ୍ଲାପାଳ, ଏସପିଙ୍କ ସହ ଏସଡିପିଓ ଓ ସୋନପୁର ସାମୁଦ୍ରିକ ଥାନା ଅଧିକାରୀ ତଥା ମୋର ସଂପର୍କିୟ ଭାଇ ରାଧାଚରଣ ପଟ୍ଟନାୟକ, ସାଥିରେ ଜଣେ ଆଇପିଏସ୍ ପ୍ରେବେସନ୍ ଅଫିସର ଓ କୋଷ୍ଟାଲ୍ ଗାର୍ଡର ଜଣେ ଅଧିକାରୀ ମଧ୍ୟ ସାମିଲ୍ ଥିଲେ । ସମସ୍ତଙ୍କର ଗପସପ ସହ ଖାଇବା ପିଇବାର ବେଶ୍ ଆସର ଜମିଥିଲା । ସମସ୍ତେ ମୋତେ ଖାଇବା ପାଇଁ କହିଲେ । ହେଲେ ଅସୁସ୍ଥତା ଅନୁଭବ କରି ଡ଼ଙ୍ଗାରେ ଥିବା ଏକ ଚିରା ପାଲକୁ ଘୋଡ଼ାଇ ଡ଼ଙ୍ଗାର ଗୋଟାଏ ପଟେ କିଛି ସମୟ ପାଇଁ ମୁଁ ଶୋଇ ପଡ଼ିଲି । ଏହା ପରେ ମୋତେ ଫୁର୍ତି ଲାଗିଲା ।


ସେଠୁ ଉଠି ଗପସପର ଆସର ଓ ଫଟୋ ଉଠା ସେସନ୍ ରେ ସାମିଲ୍ ହେଲି ଆଉ ସେସବୁ ଭିତରେ ଖବର କାମକୁ ମଧ୍ୟ ଆଗେଇ ନେଲି । ଦେଖିଲି ସମୁଦ୍ରର ଉତାଳ ତରଙ୍ଗ ଓ ଦୂରରୁ ଦେଖାଯାଉଥିବା ଦୃଶ୍ୟ ପଟକୁ ସମସ୍ତେ ମନଭରି ଉପଭୋଗ କରୁଛନ୍ତି । ଡିଆଇଜି ଓ ଜିଲ୍ଲାପାଳ କହିଲେ ପ୍ରକାଶ ବାବୁ ଆପଣଙ୍କ କାମଟା ହୋଇଗଲା ତ? ଆପଣ ଖୁସି ତ? ମୁଁ କହିଲି ହେଲା ଯେ ହେଲେ ଭଲକରି ପଂଚ୍ ଟା ହେଲା ନାହିଁ । ସେମାନେ ଅଲଗା କିଛି ବୁଝିଲେ ବୋଧେ । ଏଣୁ ମୋତେ ବ୍ୟସ୍ତ ହୋଇ ପଚାରିଲେ ଆଉ କିଛି ଦରକାର ଥିଲା କି? ସେହି ପ୍ରଶ୍ନକୁ ବହୁ ଆଗରୁ ଅପେକ୍ଷା କରିଥିଲି । ଏଣୁ ତୁରନ୍ତ ମୁଁ କହିଲି ଏପରି ମାଛ ଧରା ଡ଼ଙ୍ଗାରେ ଯିବେ ବୋଲି ଜାଣିଥିଲେ ଆସିନଥାନ୍ତି । ସେମାନେ କହିଲେ ସାମୁଦ୍ରିକ ଥାନାକୁ ଅତିଶୀଘ୍ର ମୋଟର ବୋଟ୍ ଟିଏ ଆସିବ । ପୁଣି ଥରେ ଆସିବା । ମୁଁ କହିଲି ଗୋପାଳପୁର ବନ୍ଦରରେ ସେଂଟ୍ରାଲ୍ ଏସିର ବ୍ୟବସ୍ଥା ଥାଇ ଫିଲ୍ମ ଷ୍ଟାଇଲ୍ ର ଏକ ସୁନ୍ଦରିଆ ଲଂଚ୍ ଟିଏ ଅଛି । ବନ୍ଦରର ମାଲିକ ମହିମା ମିଶ୍ର କୁଆଡ଼େ ତାଙ୍କ ପୁଅ ବାହାଘର ବେଳେ ସେଇଟା ତାଙ୍କୁ ଗିଫ୍ଟ ଦେଇଥିଲେ । ବନ୍ଦରରେ ଜାହାଜ ଲାଗିଲେ ନ୍ୟୁଜ୍ କରିବାକୁ ଆମେ ଗଲେ ସେଥିରେ ବସୁ । ମୋର ଫେମିଲିକୁ ବନ୍ଦର ବୁଲାଇବାକୁ ଆଣି ସେଥିରେ ଆମେ ବସିଥିଲୁ । ସେମାନେ ପଚାରିଲେ କାହାକୁ କହିଲେ ହେବ । ମୁଁ କହିଲି ସେଇଟା କଣ ମୋତେ ଆହୁରି କହିବାକୁ ପଡ଼ିବ । ବାସ୍ ସେତିକି କଥା ତାପରେ ଆରମ୍ଭ ହେଲା….. ।


କଥା କଣ କି ଆମର ସେହି ଅଭିଯାନରେ ଡିଆଇଜି ଓ ଜିଲ୍ଲାପାଳଙ୍କ ସ୍ତ୍ରୀ ଓ ତାଙ୍କର ଛୋଟ ଛୋଟ ପିଲାମାନେ ମଧ୍ୟ ସାମିଲ୍ ହୋଇଥିଲେ । ଟାଇଁ ଟାଇଁ ଖରାରେ ସେମାନେ ସମୁଦ୍ର ପଥର ଯାତ୍ରାକୁ କେତେ ଉପଭୋଗ କରିଥିଲେ ତାହା ତ ମୁଁ ଜାଣିନଥିଲି ହେଲେ ସେମାନେ ଯେଉଁ ଷ୍ଟାଇଲ୍ ରେ ଶୁଣାଇ ଦେଲେ ତାକୁ ମୁଁ ନ ଚାହିଁବି ଉପଭୋଗ କରିନେଲି । କଥାରେ କଥାକୁ ଯୋଡ଼ିବାକୁ ଯାଇ ଡିଆଇଜି ସାର୍ କହିଲେ ପ୍ରକାଶ ବାବୁ ଆଉ ଦିନେ ଆପଣଙ୍କର ଓ ଆମ ଫେମିଲିକୁ ନେଇ ପ୍ରୋଗ୍ରାମ୍ କରିବା । ସେହି ଲଂଚ୍ ରେ ଯାଇ ସମୁଦ୍ରରେ ରାତି କଟାଇବା । କଥାଟିକୁ ନବଢ଼ାଇବା ପାଇଁ ଜିଲ୍ଲାପାଳ ସାର୍ ମଧ୍ୟ ଆଖିରେ ଆଖିରେ ଇସାରା ଦେଲେ….. ।


ସେଠାକାର ସ୍ଥିତି ଓ ପରିସ୍ଥିତିକୁ ବୁଝିବାରେ ମୋର ଟିକେ ବି ବିଳମ୍ବ ହେଲା ନାହିଁ । ତୁରନ୍ତ ପ୍ରସଙ୍ଗକୁ ବଦଳାଇ ଦେଇ ସମସ୍ତଙ୍କୁ ହାଲକା କରିଦେଲି । ସେଦିନର ସେହି ସମୁଦ୍ର ପଥର ଅଭିଯାନଟା ସବୁଦିନ ପାଇଁ ମୋର ସ୍ମୃତି ହୋଇ ରହିଯିବ । ସେଦିନ ଗ୍ରାଉଂଡ୍ ଜିରୋରୁ ସୁନ୍ଦର ନ୍ୟୁଜ୍ ଟିଏ କରିଲି ଓ ତାହା ସହ ସୁନ୍ଦର ବାର୍ତାଟିଏ ମଧ୍ୟ ପାଇଲି । ଅନେକ ସମୟରେ ବଡ଼ ବଡ଼ ହାକିମ ଓ ତାଙ୍କ ପରିବାରକୁ ନେଇ ଆମ ମାନଙ୍କ ମନରେ ଯେଉଁ ଧାରଣା ସୃଷ୍ଟି ହୁଏ ବାସ୍ତବରେ ଅନେକ ସମୟରେ ଭୁଲ୍ ପ୍ରମାଣିତ ହୋଇଥାଏ । ତାହା ହିଁ ସେଦିନ ଅନୁଭବ କରିଥିଲି ।


ଜଣେ ଜିଲ୍ଲାପାଳ, ଜଣେ ପୁଲିସ ଡିଆଇଜି ଜିଲ୍ଲାର ଦୁଇ ବଡ଼ ଅଧିକାରୀ । ଚାହିଁଥିଲେ ବୁଲିବା ପାଇଁ ଜାହାଜର ବ୍ୟବସ୍ଥା ମଧ୍ୟ ହୋଇ ପାରିଥାନ୍ତା । ହେଲେ କ୍ଷମତାର ଅପବ୍ୟବହାରରୁ ସେମାନେ ଯେ ବହୁତ ଦୂରରେ ଅଛନ୍ତି ସେଦିନ ତାହା ହୃଦବୋଧ କରି ପାରିଥିଲି । ଏଣୁ ହୃଦୟ ଭିତରୁ ସେ ଦୁହିଁଙ୍କୁ ମନେ ମନେ କୃତଜ୍ଞତା ଜଣାଇଥିଲି ।

LEAVE A REPLY

Please enter your comment!
Please enter your name here