ଆଉ ଦୁଇ ଦିନ ପରେ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା

1
141

ଭୁବନେଶ୍ୱର (ଓବି ନ୍ୟୁଜ୍) ଆଉ ଦୁଇ ଦିନ ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱବିଖ୍ୟାତ ରଥଯାତ୍ରା । ଏହି ଯାତ୍ରା ଅବସରରେ ଭକ୍ତର ଭଗବାନ, ଜଗତର ନାଥ ଜଗନ୍ନାଥ ରତ୍ନସିଂହାସନରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସି ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତ ଭକ୍ତଙ୍କୁ ଦର୍ଶନ ଦେବେ । ସେହି କରୁଣାମୟ ପ୍ରଭୁଙ୍କର ଦର୍ଶନ କରିପାରି ଭକ୍ତ ନିଜକୁ ଧନ୍ୟ କରିବ ! ଜୀବନ ହେବ ତାର ସାର୍ଥକ ! ଜନ୍ମ ଜନ୍ମାନ୍ତର ପାପରୁ ସେ ମୁକ୍ତ ହୋଇ ଆବେଗଭରା ହୃଦୟରେ ଭକ୍ତି ବିହ୍ୱଳିତ କଣ୍ଠରେ ପଚାରିବ, ‘ହେ ଲୀଳାମୟ ପ୍ରଭୁ ! କଣ ତୁମର ଏହି ଲାଳାର ତାତ୍ପର‌୍ୟ୍ୟ ?’ ବାସ୍ତବରେ, ଲୀଳାମୟଙ୍କର ଲୀଳା ବୁଝିବା ପାଇଁ ସାଧାରଣ ମନୁଷ୍ୟ ଅସମର୍ଥ । ତାଙ୍କ ପାଖରେ ସାନ, ବଡ଼, ଉଚ୍ଚ, ନୀଚ, ଛୁଆଁ, ଅଛୁଆଁ, ଧନୀ, ଦରିଦ୍ର, ଜାତି, ଅଜାତି, ଦେଶୀ, ବିଦେଶୀର ଭାବ ନାହିଁ । ସେ ସଭିଙ୍କର ନାଥ । ବାହୁ ପ୍ରସାରୀ ସେ ସମସ୍ତଙ୍କୁ ଆପଣାର କରି ନିଅନ୍ତି । ଅନାଦି କାଳରୁ ସେ ଦିବ୍ୟ ନିଳାଚଳରେ ଅଖିଳ ବିଶ୍ୱବାସୀଙ୍କ କଲ୍ୟାଣ କାମନାର ଲୀଳା ସଂରଚନା କରୁଛନ୍ତି । ପ୍ରଭୁଙ୍କର ସେମିତି ଏକ ଲୀଳା ହେଉଛି ରଥଯାତ୍ରା । ଏହି ଯାତ୍ରାରେ ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଶ୍ରୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ତିନିଗୋଟି ରଥରେ ବିଜେ ହୋଇ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି । ସେଠାରେ ଏକ ସପ୍ତାହ ଲୀଳା ସଂରଚନା ପରେ ପୁନର୍ବାର ରଥରେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରନ୍ତି । ଏହି ଯାତ୍ରା ରଥଯାତ୍ରା, ଘୋଷଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ଆଡ଼ପମଣ୍ଡପ ଯାତ୍ରା, ମହାବେଦି ଯାତ୍ରା, ନବଦିନ ଯାତ୍ରା, ପତିତପାବନ ଯାତ୍ରା ପ୍ରଭୃତି ବହୁ ନାମରେ ଖ୍ୟାତ । ପ୍ରତ୍ୟେକ ନାମ ପଛରେ ଅନୁରୂପ ତାତ୍ପର‌୍ୟ୍ୟ ଓ ଦାର୍ଶନିକ ମୂଲ୍ୟବୋଧ ରହିଛି । ଉଦାହରଣସ୍ୱରୂପ – ମହାବେଦି ଯାତ୍ରା । ସେଦିନ ମହାପ୍ରଭୁ ତାଙ୍କର ଜନ୍ମପୀଠକୁ, ଯେଉଁଠି ଦିନେ ରାଜା ଇନ୍ଦ୍ରଦୁମ୍ନ ବେଦି ନିର୍ମାଣ କରି ଠାକୁରମାନଙ୍କର ବିଗ୍ରହ ନିର୍ମାଣ ଉଦ୍ଦେଶ୍ୟରେ ସହସ୍ର ଅଶ୍ୱମେଧ ଯଜ୍ଞ କରିଥିଲେ, ସେହି ମହାବେଦିକୁ ଯାତ୍ରା କରନ୍ତି । ରଥଯାତ୍ରାର ମହନୀୟତା ହେଉଛି ‘ସର୍ବେଷାଂ ପାବନଂ ମହତ୍’ । ସମଗ୍ର ବିଶ୍ୱର ମାନବ ସମାଜକୁ ଏକ ସୂତ୍ରରେ ବାନ୍ଧି ରଖିବାରେ ଏହି ଯାତ୍ରାର ମହିମା ଅତୁଳନୀୟ । ଦାର୍ଶନିକ ଦୃଷ୍ଟିରୁ ରଥଯାତ୍ରାର ତାତ୍ପର‌୍ୟ୍ୟ ବିଷୟରେ କଠୋପନିଷଦ କହେ :
ଆତ୍ମାନଂ ରଥିନଂ ବିଦ୍ଧି ଶରୀରଂ ରଥମେବତୁ ।
ବୁଦ୍ଧିତୁ ସାରଥି ବିଦ୍ଧି ମନଃ ପ୍ରବାହ ମେବଚ ।
ଇନ୍ଦ୍ରିୟାଣୀହ ୟନାହୁଃ ବିଷୟା ସ୍ତେଷୁ ଗୋଚରନ୍ ।।
ଶରୀର ହେଉଛି ରଥ । ଏହି ଶରୀର ରୂପକ ରଥରେ ଆତ୍ମାର ଠାକୁର ବିରାଜମାନ କରିଛନ୍ତି । ଇନ୍ଦ୍ରିୟ ରୂପକ ଘୋଡାମାନେ ଏହି ରଥକୁ ଟାଣୁଛନ୍ତି । ଇନ୍ଦ୍ରିୟରୂପୀ ଘୋଡାମାନଙ୍କର ଲଗାମ ହେଉଛି ମନ ଏବଂ ବୁଦ୍ଧି ହେଉଛି ରଥର ସାରଥି । ଅତଏବ, ଆତ୍ମାର ଠାକୁର ଇନ୍ଦ୍ରିୟରୂପକ ଘୋଡା ଦ୍ୱାରା ଟଣା ହେଉଥିବା ଶରୀରରୂପକ ରଥ ଆରୋହଣ କରି ସଂସାର ପଥରେ ଯାତ୍ରା କରିଥାଏ ଏବଂ ସାରଥିରୂପୀ ବୁଦ୍ଧି ମନର ଲଗାମ ଧରି ଇନ୍ଦ୍ରିୟର ଘୋଡାମାନଙ୍କୁ ନିୟନ୍ତ୍ରଣ କରିଥାଏ । ପବିତ୍ର ରଥଯାତ୍ରାର ଅନ୍ତରାଳରେ ସଂସାରର କେତେ ଗୂଢତତ୍ତ୍ୱ ନିହିତ ରହିଛି ସତେ !

1 COMMENT

LEAVE A REPLY

Please enter your comment!
Please enter your name here