ବ୍ରହ୍ମପୁରରେ ଶୁଭାରମ୍ଭ ହେଲା ମିଲ୍କ ଏଟିଏମ୍ , ଟଙ୍କା ପୁରାଇଲେ ମିଳିବ ଭିଟାମିନ ଯୁକ୍ତ କ୍ଷୀର

0
113

ବ୍ରହ୍ମପୁର (ଓବି ନ୍ୟୁଜ୍)(ଅମର କୁମାର ଦାସ) ; ବ୍ରହ୍ମପୁର ସହରକୁ ପ୍ଳାଷ୍ଟିକ୍ ମୁକ୍ତ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପ୍ରୟାସ ଜାରୀ ରହିଛି । ସହରରେ ପଲିଥିନ ପରିମାଣ କମ୍ କରିବା ଏବଂ ଦୁଗ୍ଧ ଚାଷୀ ମାନଙ୍କୁ ସେମାନଙ୍କର ସଠିକ୍ ପାରିଶ୍ରମିକ ପ୍ରଦାନ କରିବା ପାଇଁ ବ୍ରହ୍ମପୁର ସହରରେ ଖୋଲିଛି ମିଲ୍କ ଏଟିଏମ୍ । ଏହି ଏଟିଏମ୍ ବୃହତ୍ତର ଗଞ୍ଜାମ ଓ ଗଜପତି ଦୁଗ୍ଧ ଉତ୍ପାଦକ ସଂଘ ପକ୍ଷରୁ ଖୋଲାଯାଇଥିବା ଏହି ମିଲ୍କ ଏଟିଏମ୍ ରାଜ୍ୟର ପ୍ରଥମ ମିଲ୍କ ଏଟିଏମ୍ । ଏହି ଏଟିଏମ୍ ଦ୍ବାରା ସହରବାସୀ ୨୪ ଘଣ୍ଟା କ୍ଷୀର ପାଇପାରିବେ । ଜିଲ୍ଲା ଏବଂ ବ୍ରହ୍ମପୁର ସହରରେ ରହୁଥିବା ଦୁଗ୍ଧ ଚାଷୀ ମାନେ ବିଭିନ୍ନ ସମୟରେ କ୍ଷତି ସହୁଥିବା ଯୋଗୁଁ ଏବଂ ନିଜର ଉତ୍ପାଦନ କରିଥିବା ଦୁଗ୍ଧର ଉଚିତ୍ ମୂଲ୍ୟ ପାଉନଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ଏହି ଦୁଗ୍ଧ ଏଟିଏମ୍ କରାଯାଇଛି । ଯାହାଫଳରେ ଦୁଗ୍ଧ ଚାଷୀ ମାନେ ବେଶ୍ ଲାଭବାନ୍ ହେବା ସହିତ ସେମାନଙ୍କର ପାରିଶ୍ରମିକ ମଧ୍ୟ ସଠିକ୍ ଭାବେ ପାଇପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଚାଷୀଙ୍କ ଠାରୁ କ୍ରୟ କରାଯାଉଥିବା କ୍ଷୀରକୁ ବିଶୁଦ୍ଧ କରି ସେଥିରେ ଭିଟାମିନ୍-ଏ ଏବଂ ଭିଟାମିନ୍-ଡ଼ି ମିଶାଇ ଲିଟର ପିଛା ୪୦ ଟଙ୍କାର କ୍ଷୀର ବିକ୍ରି କରାଯାଉଛି । ଜଣେ ଗ୍ରାହକ ମେସିନରେ ଟଙ୍କା ପକାଇ ଅତି ସହଜରେ କ୍ଷୀର ସଂଗ୍ରହ କରିପାରିବେ । ଅତି କମରେ ୨୫୦ ଏମଏଲ୍ ଏବଂ ଅତି ବେଶିରେ ୫ଲିଟର କ୍ଷୀର ଜଣେ ଗ୍ରାହକ କ୍ରୟ କରିପାରିବେ । ଏହାଛଡ଼ା ଏହି ମିଲ୍କ ଏଟିଏମ୍ ଦ୍ବାରା ବିଶୁଦ୍ଧ କ୍ଷୀର ଏବଂ ୨୪ଘଣ୍ଟା କ୍ଷୀର ପାଇପାରୁଥିବା ଯୋଗୁଁ ଗ୍ରାହକ ମାନେ ମଧ୍ୟ ବେଶ୍ ଖୁସୀ ଥିବା ପ୍ରକାଶ କରିଛନ୍ତି । ଏହି ମିଲ୍କ ଏଟିଏମ୍ ପଲିଥିନ୍ର ବ୍ୟବହାରକୁ କମ୍ କରିବା ଏବଂ ବିଶୁଦ୍ଧ କ୍ଷୀର ଯୋଗାଇବାରେ ସହାୟକ ହୋଇଥିବା ଯୋଗୁଁ ଏହାକୁ ନେଇ ବ୍ରହ୍ମପୁର ବାସିନ୍ଦା ଉଭୟ ନିଗମ କର୍ତ୍ତୃପକ୍ଷ,ଜିଲ୍ଲା ପ୍ରଶାସନ ଏବଂ ସଂଘର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here