ବର୍ତମାନ ପରିସ୍ଥିତିରେ ପର୍ଯ୍ୟାପ୍ତ ଚାରାରୋପଣ ହିଁ ତାପମାତ୍ରାକୁ ହ୍ରାସ କରି ପାରିବ: ମନ୍ତ୍ରୀ

0
26

ସୋନପୁର,(ଓବି ନ୍ୟୁଜ)(ସୁଶାନ୍ତ କୁମାର ସାହୁ): ଆଧୁନିକ ମଣିଷ ବିକାଶ ନାଁରେ ବର୍ତମାନ ବିନାଶ କରୁଛି । ବ୍ୟାପକ ବୃକ୍ଷ ନଷ୍ଟ ଫଳରେ ପରିବେଶ ତାପମାତ୍ରା ଆଶାତିତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବର୍ତମାନ ପରିସ୍ଥିତିରେ ପର୍ଯ୍ୟାପ୍ତ ଚାରାରୋପଣ ହିଁ ତାପମାତ୍ରାକୁ ହ୍ରାସ କରି ପାରିବ ବୋଲି ଆଜି ସୁବର୍ଣ୍ଣପୁର ଜିଲାସ୍ତରୀୟ ୭୦ ତମ ବନମହୋତ୍ସବରେ ମୁଖ୍ୟଅତିଥି ଭାବରେ ରାଜ୍ୟ ଯୋଜନା ଓ ସଂଯୋଜନା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମତପ୍ରକାଶ କରିଛନ୍ତି । ବନ ବିଭାଗ ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପ ଜିଲାପାଳ ବଳରାମ ମଲ୍ଲିକ, ବନଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏପରିକି ଜିଲାରେ ୩୩ % ଜଙ୍ଗଲ ସ୍ଥାନରେ ବର୍ତମାନ ମାତ୍ର ୧୮% ଥିବାରୁ ଗଭୀର ଉଦବେଗ ପ୍ରକାଶ କରିଥିଲେ । ସ୍ଥାନୀୟ ସାହାରା ଟ୍ରଷ୍ଟ ହାଇସ୍କୁଲର ଛାତ୍ରୀ ଅଲିଭାରାଣୀ ଦାସ ଯୋଗ ଦେଇ ଜନ୍ମ ଦିବସ ଗୁଡିକରେ କୌଣସି ଅଯଥା ଖର୍ଚ୍ଚ ନକରି ସେହି ଦିନ ଗୋଟିଏ ଗଛ ଲଗାଇବା ଉଚିତ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ଉଲୁଣ୍ଡା ବନାଂଚଳର ମାଉଲିମାଲ ବନ ସଂରକ୍ଷଣ ସମିତି ଓ ସୋନପୁର ବନାଂଚଳର ଜୁନାନୀ ବନ ସଂରକ୍ଷଣ ସମିତିକୁ ଶ୍ରେଷ୍ଠ ବନ ସଂରକ୍ଷଣ ସମିତି ଭାବରେ ବିଜୁ ପଟ୍ଟନାୟକ ବନ ସଂରକ୍ଷଣ ସମିତି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ପାତାଳି ଶ୍ରୀକ୍ଷେତ୍ରରେ ଏକ ହର୍ବାଲ ପାର୍କ ନିର୍ମାଣ କରିବା ପାଇଁ ବନ ବିଭାଗ ପକ୍ଷରୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏସିଏ‘ ସୁଶୀଳ କୁମାର ତ୍ରିପାଠୀ ସଂଯୋଜନା କରିଥିବା ବେଳେ ଏଥିରେ ସୋନପୁର ରେଞ୍ଜର ରଞ୍ଜନ କୁମାର ମହାନ୍ତି, ଶିବ ପ୍ରସାଦ ନାଏକ, ଫରେଷ୍ଟର ଜୟକୃଷ୍ଣ ପଟ୍ଟନାୟକ ପ୍ରମୁଖଙ୍କ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଏନସିସି କ୍ୟାଡେଟ୍, ବନ ସଂରକ୍ଷଣ ସମିତି କର୍ମକର୍ତା ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here